ସୁଭଦ୍ରା’ରେ ପୁଣି ଯୋଡ଼ିହେଲେ ୮ହଜାର

ଭୁବନେଶ୍ବର: କୌଣସି କାରଣ ବଶତଃ ‘ସୁଭଦ୍ରା’ ଯୋଜନାରୁ ବାହାରି ଯାଇଥିଲେ(ଅପ୍‌ଟ ଆଉଟ୍‌) ସେମାନଙ୍କୁ ପୁନର୍ବାର ସାମିଲ କରିବା ପାଇଁ ଅପ୍‌ଟ ଇନ୍‌ ସୁବିଧା ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ହୋଇଛି। ଏହି ସୁବିଧା ଉପଲବ୍ଧ ହେବା ପରେ ପ୍ରାୟ ୮ହଜାରରୁ ଅଧିକ ଆବେଦନକାରୀ ସୁଭଦ୍ରାରେ ପୁନର୍ବାର ସାମିଲ ହୋଇସାରିଲେଣି। ଯେଉଁମାନେ ଭୁଲ୍‌ରେ ବାହାରିଯାଇଥିଲେ ସେମାନେ ଏହାର ସୁବିଧା ନେବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଖୁବଶୀଘ୍ର ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯିବ। ଏବେ ବି ୨ଲକ୍ଷରୁ ଅଧିକ ଆବେଦନକାରୀ ସେମାନଙ୍କର ଇ-କେୱାସି କରିନାହାନ୍ତି ବା ଓଟିପି ମାଧ୍ୟମରେ 
.ଇ-କେୱାଇସି କରିଛନ୍ତି। ଯୋଗ୍ୟ ବିବେଚିତ ହେଲେ ମଧ୍ୟ ସେମାନେ ଅର୍ଥ ରାଶି ପାଇବାରେ ଅସୁବିଧା ହେବ। ତେଣୁ ତୁରନ୍ତ ସେମାନେ ନିକଟସ୍ଥ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରକୁ ଯାଇ ବାୟୋମେଟ୍ରିକ୍ ପଦ୍ଧତିରେ ନିଜର ଇ-କେୱାଇସି କରିନେବାକୁ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି। 

ଉଲ୍ଲେଖ ଯେ ମୋବାଇଲ ଅପଡେଟ୍‌ କାରଣରୁ ହେଉ ବା ଅନ୍ୟ କୌଣସି କାରଣରୁ ଅନେକ ହିତାଧିକାରୀ ସୁଭଦ୍ରା ଯୋଜନାରୁ ଅପ୍‌ଟ ଆଉଟ୍‌ ହୋଇଯାଇଥିଲେ। ଏହା ସଂପର୍କରେ ଅନେକ ଅଭିଯୋଗ ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ସମାଧାନ କରାଯାଇଛି। ସୁଭଦ୍ରା ପୋର୍ଟାଲ୍‌ରେ ଅପ୍‌ଟ ଇନ୍‌ ବ୍ୟବସ୍ଥା କରାଯାଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ବର୍ତ୍ତମାନସୁଦ୍ଧା ୮୦ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଅର୍ଥ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *