ସଂସ୍କୃତ ଭାରତୀର ପ୍ରାନ୍ତ ସମ୍ମିଳନୀ

ସଂସ୍କୃତ ଭାରତୀର ପ୍ରାନ୍ତ ସମ୍ମିଳନୀ

ବ୍ରହ୍ମପୁର: ସଂସ୍କୃତ ଭାରତୀ ଓଡ଼ିଶା ପ୍ରାନ୍ତ ପକ୍ଷରୁ ସ୍ଥାନୀୟ ଗୋସାଇଁ ନୂଆଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ରାଜ୍ୟସ୍ତରୀୟ ଦୁଇଦିନିଆ ସଂସ୍କୃତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟାପକ ଆୟୁଷ୍ମନ୍ତ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ କାଶୀ ହିନ୍ଦୁ ବିଶ୍ଵବିଦ୍ୟାଳୟର ପ୍ରଫେସର ଗୋପବନ୍ଧୁ ମିଶ୍ର ଯୋଗଦେଇ ସଂସ୍କୃତ ଭାଷା ସୂତ୍ର ରୂପେ ସମସ୍ତ ଭାରତୀୟ ଭାଷାମାନଙ୍କୁ ଗୁନ୍ଥି ରଖିଛି। ବୈଦେଶିକମାନେ ଏହି ପବିତ୍ର ଭାଷାକୁ ମୃତଭାଷା ଭାବେ ଅପପ୍ରଚାର କରି ଆସୁଥିବା କହିବା ସହ ଏହି ଭାଷାର ମହତ୍ଵ ଉପରେ ଆଲୋକପାତ କରିଥିଲେ । ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂସ୍କୃତ ସମ୍ମିଳନୀର ସଫଳତା କାମନା କରିଥିଲେ। ସମାଜସେବୀ ମୀନା ଦ୍ୟାନସାମନ୍ତରାୟ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ଦିଗରେ ସଂସ୍କୃତ ଭାରତୀର ଉଦ୍ୟମକୁ ପ୍ରଶଂସା କରିଥିଲେ | ଶିଶୁ ମନ୍ଦିରର ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର ସଂସ୍କୃତ ବିନା ଭାରତ ବିଶ୍ବଗୁରୁ ହୋଇ ପାରିବ ନାହିଁ ବୋଲି କହିଥିଲେ। ପୂର୍ବ ପ୍ରାନ୍ତ ପ୍ରମୁଖ ପଣ୍ଡିତ ନୃସିଂହ ଚରଣ ପଣ୍ଡା ବିଭିନ୍ନସ୍ତରରେ ପ୍ରଚାରକ ଓ ଶିବିର ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେଉଥିବା ବେଳେ ସମ୍ପାଦକ ଅଜିତ କୁମାର ପଣ୍ଡା, ପ୍ରାଧ୍ୟାପକ ରମାକାନ୍ତ, ଡ. ମାନସ ସାହୁ, ଡ.ନବୀନ ପ୍ରଧାନ ଓ ଡ. ସୁଶାନ୍ତ ରାୟ ପ୍ରମୁଖ ସହଯୋଗ କରିଥିଲେ। ଗଞ୍ଜାମ ଶାଖା କାର୍ଯ୍ୟକର୍ତ୍ତା ସୁନୀଲ କୁମାର ପାଣିଗ୍ରାହୀ, ପ୍ରମୋଦ କୁମାର ବାଜୁବନ୍ଧ, ଆଦିତ୍ୟ କୁମାର ରଥ, ରମେଶ ଚରଣ ତ୍ରିପାଠୀ, ରବି ପାତ୍ର, ମନୋଜ କୁମାର ତ୍ରିପାଠୀ, ଗୋପାଳ କୃଷ୍ଣ ପାଢ଼ୀ, ସାଲବେଗ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *