କାମ, ପାରିଶ୍ରମିକ, ସାମାଜିକ ସୁରକ୍ଷା ଦିଅ
ଭୁବନେଶ୍ଵର: ବର୍ଷ ବର୍ଷ ଧରି ଉଜ୍ୱଳା ଦିଦିଙ୍କୁ ସରକାର ଉପେକ୍ଷା କରିଆସୁଛନ୍ତି। ପୂର୍ବରୁ ରାଜ୍ୟପାଳ ତଥା ପ୍ରତି ଜିଲା ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ସମସ୍ୟା ବିଷୟରେ ଅବଗତ କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ । ଶେଷରେ ରାସ୍ତାକୁ ଓହ୍ଲାଇଛନ୍ତି ଉଜ୍ଜଳା ଦିଦି ସଂଘର ଶତାଧ୍ଵକ ସଦସ୍ୟା । ଦିଦିଙ୍କୁ କାମ ଯୋଗାଇବା ସହିତ ଉଚିତ୍ ପାରିଶ୍ରମିକ, ସାମାଜିକ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛି ସଂଘ। ଏହି ଅବସରରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ବଳା ଦିଦି ସଂଘର ଶତାଧିକ ସଦସ୍ୟ କଂଗ୍ରେସ ଭବନ ନିକଟରୁ ଏକ ଶୋଭାଯାତ୍ରା ବାହାରି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମୋବାଇଲ ଓ ପ୍ରଶିକ୍ଷଣ ନେଇ ତୃଣମୂଳସ୍ତରରେ ଉଜ୍ଜ୍ବଳା ଯୋଜନାକୁ ପହଞ୍ଚାଇଥିଲେ ଏହି କର୍ମଚାରୀ । ଫଳରେ ସରକାରଙ୍କ ଯୋଜନା ସଫଳ ହୋଇଥିଲା | ଶୁଭାରମ୍ଭ ସମୟରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ସମସ୍ତ ସରକାରୀ ସୁବିଧା ସୁଯୋଗ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଲେ ଏପର୍ଯ୍ୟନ୍ତ ତାହା ହୋଇପାରିଲା ନାହିଁ। ସରକାର ଏ ଦିଗରେ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି।
ଉପଦେଷ୍ଟା ବସନ୍ତ କୁମାର ସାହୁଙ୍କ ନେତୃତ୍ଵରେ ସଂଘର ରାଜ୍ୟ ସଭାନେତ୍ରୀ ବୀଣାପାଣି ବେହେରା, ସାଧାରଣ ସମ୍ପାଦିକା ଲିପିକା ପ୍ରଧାନ, ଉପ ସଭାପତି ଗାୟତ୍ରୀ ପାଠୀ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ ।