ଚୀନ୍‌ରେ ଶ୍ୱାସକ୍ରିୟାଜନିତ ରୋଗ ବୃଦ୍ଧି -ଏଚ୍ଏମ୍‌ପିଭି ଭାଇରସ୍‌ ପାଇଁ ଚୀନ୍‌ରେ ଅତି ଉଦ୍‌ବେଗଜନକ ସ୍ଥିତି

ବେଜିଂ: ଚୀନ୍‌ରେ ଶ୍ୱାସକ୍ରିୟାଜନିତ ରୋଗ ବୃଦ୍ଧି ପାଉଥିବା ବେଳେ ହ୍ୟୁମାନ ମେଟାନ୍ୟୁମୋଭାଇରସ୍ (ଏଚ୍ଏମ୍‌ପିଭି) ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି। ଏହି ଭାଇରସ୍‌ ପାଇଁ ଚୀନ୍‌ରେ ଅତି ଉଦ୍‌ବେଗଜନକ ସ୍ଥିତି ଉପୁଜିଥିବା ଖବର ପ୍ରକାଶ ପାଇବା ପରେ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ତେବେ ରହସ୍ୟମୟ ଭୂତାଣୁ ସହ ସଂଘର୍ଷ ନେଇ ଚୀନ୍‌ ନିଜର ପ୍ରସ୍ତୁତି ଓ ମୁକାବିଲା ସଂକ୍ରାନ୍ତ ତଥ୍ୟ ସାର୍ବଜନୀନ କରୁନାହିଁ। ସମ୍ଭାବ୍ୟ ଜରୁରିକାଳୀନ ପରିସ୍ଥିତି ବିଷୟରେ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ଆନୁଷ୍ଠାନିକ ବିବୃତି ନାହିଁ। ହ୍ୟୁମାନ ମେଟାନ୍ୟୁମୋଭାଇରସ୍  ପାଇଁ ଚୀନ୍‌ରେ ଏଭଳି ସ୍ଥିତି ଉପୁଜିଛି ବୋଲି କୁହାଯାଉଥିବା ବେଳେ ଏଥି ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା କିମ୍ବା ଟିକା ଉପଲବ୍ଧ ନ ଥିବାରୁ, ଭୂତାଣୁ ବିଷୟରେ ସଚେତନତା, ସତର୍କତା ଓ ପ୍ରତିରୋଧ ଜରୁରୀ ବୋଲି କୁହାଯାଉଛି। 

ଭାରତ ପାଇଁ ଉଦ୍‌ବେଗର କାରଣ ନାହିଁ

ନୂଆଦିଲ୍ଲୀ: ଚୀନ୍‌ରେ ହ୍ୟୁମାନ ମେଟାନ୍ୟୁମୋଭାଇରସ୍ (ଏଚ୍ଏମ୍‌ପିଭି) ବ୍ୟାପିବା ନେଇ ଭାରତରେ ଆଦୌ ଭୟଭୀତ ନ ହେବାକୁ  ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ଡାକ୍ତର ଅତୁଲ ଗୋୟଲ  କହିଛନ୍ତି। ସମସ୍ତ ଶ୍ୱାସକ୍ରିୟା ସଂକ୍ରମଣ ବିରୋଧରେ ସାଧାରଣ ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଚଏମ୍‌ପିଭି ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ ଚିକିତ୍ସା ନଥିବାରୁ ଏହାର ପ୍ରସାରକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିରୋଧ ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି ଡାକ୍ତରମାନେ କହିଛନ୍ତି। ମେଟାନ୍ୟୁମୋଭାଇରସ୍‌ ଅନ୍ୟ କୌଣସି ଶ୍ୱାସକ୍ରିୟା ଭୂତାଣୁ ପରି ସାଧାରଣ ଥଣ୍ଡା ସୃଷ୍ଟି କରିଥାଏ ଏବଂ ବହୁତ ବୟସ୍କ ଏବଂ  ଛୋଟ ପିଲାଙ୍କଠାରେ ଏହା ଫ୍ଲୁ ଭଳି ଲକ୍ଷଣ ସୃଷ୍ଟି କରିପାରେ ବୋଲି ଡାକ୍ତର ଗୋୟଲ କହିଛନ୍ତି। ଆମ ଦେଶରେ ଶ୍ୱାସକ୍ରିୟାଜନିତ ସଂକ୍ରମଣ  ତଥ୍ୟ  ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଡିସେମ୍ବର ୨୦୨୪ ତଥ୍ୟରେ କୌଣସି ଯଥେଷ୍ଟ ବୃଦ୍ଧି ଘଟିନାହିଁ ଏବଂ ଦେଶର କୌଣସି ଅନୁଷ୍ଠାନରୁ ଅଧିକ ସଂଖ୍ୟକ ମାମଲା ସାମ୍ନାକୁ ଆସିନାହିଁ। ଡାକ୍ତର ଗୋୟଲ କହିଛନ୍ତି ଯେ ଶୀତଦିନେ ଶ୍ୱାସକ୍ରିୟା ଭୂତାଣୁ ସଂକ୍ରମଣର ପ୍ରକୋପ ବୃଦ୍ଧି ପାଏ ଏବଂ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଏହାର ସ୍ବାଭାବିକ ମୁକାବିଲା କରାଯାଉଛି।

Leave a Reply

Your email address will not be published. Required fields are marked *