ଜାନୁଆରି ୧୧ରେ ପାଳନ ହେବ ରାମମନ୍ଦିର ପ୍ରାଣ ପ୍ରତିଷ୍ଠାର ପ୍ରଥମ ବର୍ଷପୂର୍ତ୍ତି

ନୂଆଦିଲ୍ଲୀ: ଭଗବାନ ଶ୍ରୀରାମଙ୍କ ଭବ୍ୟ ଓ ଦିବ୍ୟ ମନ୍ଦିରର ପ୍ରାଣପ୍ରତିଷ୍ଠା ଗତବର୍ଷ ଅର୍ଥାତ୍ ୨୨ ଜାନୁଆରୀ ୨୦୨୪ରେ ସମ୍ପନ୍ନ ହୋଇଥିଲା। ଏହି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା। ଦୀର୍ଘ ସାଢ଼େ ପାଞ୍ଚ ଶହ ବର୍ଷର ସଂଘର୍ଷ ପରେ ଭଗବାନ ରାମଙ୍କ ମନ୍ଦିରର ସ୍ୱପ୍ନ ପୂରଣ ହୋଇଥିଲା। ତାହା ମଧ୍ୟ ସେହି ଭୂମିରେ, ଯେଉଁଠାରେ ଭଗବାନ ଶିଶୁରୂପରେ ପ୍ରକଟ ହୋଇଥିଲେ। ଏହି ସମାରୋହର ଏକ ବର୍ଷ ପୂର୍ତ୍ତି ଅବସରରେ ଜାନୁଆରି ୧୧ ତାରିଖରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। କିନ୍ତୁ ପ୍ରଶ୍ନ ଉଠୁଛି ଯେ ଜାନୁଆରି ୨୨ ତାରିଖରେ ପ୍ରାଣପ୍ରତିଷ୍ଠା ହୋଇଥିବା ବେଳେ ଜାନୁଆରି ୧୧ରେ ବାର୍ଷିକୀ କାହିଁକି ପାଳନ କରାଯାଉଛି ?

ଏହାର ଉତ୍ତର ହେଉଛି ହିନ୍ଦୁ କାଳଗଣନା । ବାସ୍ତବରେ ପୌଷ ଶୁକ୍ଳ ପକ୍ଷ ଦ୍ୱାଦଶୀ ଅର୍ଥାତ୍ କୁର୍ମା ଦ୍ୱାଦଶୀ ତିଥିରେ ଭଗବାନ ରାମଙ୍କ ମନ୍ଦିରର ପ୍ରାଣପ୍ରତିଷ୍ଠା ହୋଇଥିଲା ଓ ଉକ୍ତ ତିଥିଟି ଜାନୁଆରୀ ୨୨ରେ ପଡ଼ିଥିଲା। ଏହି କ୍ୟାଲେଣ୍ଡର ଆଧାରରେ ଗତବର୍ଷ ଭଗବାନ ରାମଙ୍କ ମନ୍ଦିରର ପୂଜାର୍ଚ୍ଚନା ପାଇଁ ପୌଷ ଶୁକ୍ଳ ଦ୍ୱାଦଶୀ ତାରିଖ ସ୍ଥିର କରାଯାଇଥିଲା। ଏବର୍ଷ ଜାନୁଆରି ୧୧ରେ ଉକ୍ତ ତିଥି ପଡ଼ୁଛି । ଏଣୁ ଏହିଦିନ ହିଁ ପ୍ରାଣ ପ୍ରତିଷ୍ଠାର ପ୍ରଥମବର୍ଷପୂର୍ତ୍ତି ପାଳନହେବ ।

Leave a Reply

Your email address will not be published. Required fields are marked *