ମିସା ବନ୍ଦୀଙ୍କୁ ମିଳିବ ୨୦ ହଜାର ଟଙ୍କା ପେନ୍‌ସନ

ଭୁବନେଶ୍ୱର: ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରି ମିସା ଆଇନରେ ଗିରଫ ହୋଇଥିବା ସଂଗ୍ରାମୀଙ୍କୁ ମାସିକ ୨୦ ହଜାର ଟଙ୍କା ପେନ୍‌ସନ ପ୍ରଦାନ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ଜରୁରିକାଳୀନ ପରିସ୍ଥିତିକୁ ଗଣତନ୍ତ୍ରର ଏକ କଳାଦାଗ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନ‌ା କରିଥିଲେ। ସୂଚନାଯୋଗ୍ୟ ଯେ ଦେଶର ବିଭିନ୍ନ ବିଜେପି ଶାସିତ ରାଜ୍ୟରେ ମିସା ବନ୍ଦୀଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା ଲାଗୁ ହୋଇଛି। ଓଡ଼ିଶାର ପୂର୍ବ ବିଜେଡି ସରକାର ମିସା ବନ୍ଦୀଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ମଧୁବାବୁ ପେନ୍‌ସନ ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏହାକୁ ମିସା ବନ୍ଦୀମାନେ ଗ୍ରହଣ କରି ନଥିଲେ। ଫଳରେ ତାହା ଲାଗୁ ହୋଇପାରି ନଥିଲା। 

ସ୍ୱାଧୀନତା ସଂଗ୍ରାମୀ ସଦନ ପଡ଼ିଆରେ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ଆୟୋଜିତ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସ୍ବାଧୀନତା ସଂଗ୍ରାମୀଙ୍କ ପେନ୍‌ସନ ରାଶି ବୃଦ୍ଧି ସମ୍ପର୍କରେ ମଧ୍ୟ ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ ଜେଲ୍ ଯାଇଥିବା ରାଜ୍ୟର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପେନ୍‌ସନ୍‌କୁ ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାସହିତ ଅଣବନ୍ଦୀ ସ୍ୱାଧୀନତା ସଂଗ୍ରାମୀମାନେ ଏବେ ମାସକୁ ୧୫ ହଜାର ଟଙ୍କା ପାଇବେ। କେନ୍ଦ୍ର ସରକାରଙ୍କ ପେନ୍‌ସନ୍ ପାଉଥିବା ସଂଗ୍ରାମୀମାନଙ୍କୁ ରାଜ୍ୟ ସରକାର ମାସକୁ ଅତିରିକ୍ତ ୮ ହଜାର ଟଙ୍କା ପ୍ରତୀକ ଭତ୍ତା ପ୍ରଦାନ କରୁଥିଲେ। ଏହି ଭତ୍ତାକୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ୱାଧୀନତା ସଂଗ୍ରାମୀମାନେ ଆମର ଅମୂଲ୍ୟ ରତ୍ନ। ସେମାନେ ଯେଉଁ ତ୍ୟାଗ କରିଛନ୍ତି ତା’ର ମୂଲ୍ୟ କେହି ଦେଇପାରିବେ ନାହିଁ। 

Leave a Reply

Your email address will not be published. Required fields are marked *