କଟକଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଖୋଲାଯାଉ: ରାଜ୍ୟପାଳଙ୍କୁ ବୁଦ୍ଧିଜୀବୀମାନଙ୍କ ସ୍ମାରକପତ୍ର

   ଭୁବନେଶ୍ୱର ତା୩୧।୩- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ଓ ଅଗ୍ରଗତି ଦିଗରେ ଐତିହାସିକ ଭୂମିକା ନିର୍ବାହ କରିଥିବା କଟକ ସହରରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ସହରର ବିଶିଷ୍ଟ ବ୍ୟକ୍ତିମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କଠାରେ ଦାବି କରିଛନ୍ତି।
   ପୂର୍ବତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ପ୍ରେମାନନ୍ଦ ମିଶ୍ର, ରେଭେନ୍‌ସା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ପ୍ରଭାତ କୁମାର ମିଶ୍ର, ରୋଟାରୀ କ୍ଲବର ପୂର୍ବତନ ଡିଷ୍ଟ୍ରିକ୍‌ଟ ଗଭର୍ଣ୍ଣର ଅଶୋକ ବିହାରୀ ମହାପାତ୍ର ଓ ଡକ୍ଟର ସୌମ୍ୟରଞ୍ଜନ ମିଶ୍ର, ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ସୁବାସିନୀ ଲେଙ୍କା, ପ୍ରଫେସର  ଦେବପ୍ରସାଦ ନନ୍ଦ, ପ୍ରଫେସର ବାସନ୍ତୀ ରାୟ, ପ୍ରଫେସର ଜ୍ଞାନେନ୍ଦ୍ର କୁମାର ଶର୍ମା, ସାହିତ୍ୟିକା ସୁଜାତା ପ୍ରିୟଦର୍ଶିନୀ, ଅପର୍ଣ୍ଣା ମିଶ୍ର ଓ ସୁଜାତା ମହାପାତ୍ର, ବରିଷ୍ଠ ଆଇନଜୀବୀ ବିଶ୍ବଜିତ ମହାପାତ୍ର ଓ ନଟବର ପଣ୍ଡା, ଚଳଚ୍ଚିତ୍ର ନିର୍ଦ୍ଦେଶକ ବସନ୍ତ ସାହୁ, ସମାଜସେବୀ ଅକ୍ଷୟ କୁମାର ଦାସ ପ୍ରମୁଖ ରାଜ୍ୟପାଳଙ୍କୁ ଏ ସଂକ୍ରାନ୍ତରେ ପ୍ରଦତ୍ତ ସ୍ମାରକପତ୍ରରେ ସ୍ୱାକ୍ଷର କରିଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ, ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକ ସହର ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ଅବହେଳିତ ହେଉଥିବାରୁ ଓଡ଼ିଆ ଭାଷା ବିପର୍ଯ୍ୟସ୍ତ ହୋଇପଡୁଛି। ଅପର ପକ୍ଷରେ, ସହରରେ ଉର୍ଦ୍ଧୁ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଥିବାରୁ ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।
   ଆଜି ରାଜଭବନଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ରୋଟାରୀଆନ ଅଶୋକ ବିହାରୀ ମହାପାତ୍ର, ପ୍ରଫେସର ଦିନେଶ ପ୍ରସାଦ ପଟ୍ଟନାୟକ, ପ୍ରଫେସର ସୁବାସିନୀ ଲେଙ୍କା, ପ୍ରଫେସର ଜ୍ଞାନେନ୍ଦ୍ର କୁମାର ଶର୍ମା ଓ ଡକ୍ଟର ନାରାୟଣ ମହାନ୍ତି ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *