କ ଟ କ : ୫ ଦୁର୍ବୃତ୍ତ ଏକ ଷଣ୍ଢକୁ ବୋଲେରୋରେ ବାନ୍ଧି ନେଇଯାଇଛନ୍ତି। ଘଟଣାଟି ଘଟିଛି ସିଡିଏ ସେକ୍ଟର ୧୧ରେ। ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଦୁର୍ବୃତ୍ତଙ୍କ ଏଭଳି ଅମାନୁଷିକ କାଣ୍ଡକୁ ନେଇ ବଜରଙ୍ଗ ଦଳ ପକ୍ଷରୁ ସିଡିଏ ଫେଜ୍ ୨ ଥାନାରେ ଏତଲା ଦିଆଯାଇଛି। ଦିଆଯାଇଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସୂଚନା ଅନୁସାରେ ସୋମବାର ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏକ ବୋଲେରୋରେ ୫ ଜଣ ଦୁର୍ବୃତ୍ତ ଫେଜ୍- ୨ ଥାନା ଅନ୍ତର୍ଗତ ସିଡିଏ ସେକ୍ଟର୍ ୧୧ ବିରେନ ମିତ୍ର ପାର୍କ ନିକଟକୁ ଆସି ରାସ୍ତାରେ ଶୋଇଥିବା ଏକ ଷଣ୍ଢକୁ ବାନ୍ଧି ବୋଲେରୋ ନିକଟକୁ ଘୋଷାରି ନେଇ ଗାଡ଼ି ପଛପଟ ସିଟ୍ରେ ଲଦି ନେଇଯାଇଥିଲେ। ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ାରେ ଥିବା ୩ ଯୁବକ ଏହି ଦୃଶ୍ୟକୁ ମୋବାଇଲରେ କଏଦ କରିନେବା ସହ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଦେଇଥିଲେ। ଏନେଇ ବୁଧବାର ବଜରଙ୍ଗ ଦଳ ପକ୍ଷରୁ ଫେଜ୍ ୨ ଥାନାରେ ଏତଲା ଦିଆଯାଇଛି । ପୁଲିସ ସିସି କ୍ୟାମେରା ଯାଞ୍ଚ କରି ତଦନ୍ତ ଚଳାଇଥିବା ଜଣାଯାଇଛି।