ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ବାହୁବଳୀ ରକେଟ୍ ପିଏସ୍ଏଲ୍ଭି ଆଜି ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍ଏ)ର ପ୍ରୋବା-୩ ଉପଗ୍ରହକୁ ସଫଳତାର ସହ ଉତ୍କ୍ଷେପଣ କରି ଏହାର ନିର୍ଦ୍ଧାରିତ କକ୍ଷପଥରେ ସ୍ଥାନିତ କରିଛି। ପିଏସ୍ଏଲ୍ଭି-ସି୫୯ ଏହାର ୬୧ତମ ଉଡ଼ାଣ ଭରିବା ପରେ ଶ୍ରୀହରିକୋଟାସ୍ଥିତ ଭାରତର ରକେଟ୍ ବନ୍ଦର ଉପରେ ଆକାଶ ଆଲୋକିତ ହୋଇଉଠିଥିଲା। ୩୨୦ ଟନ୍ ଓଜନ ଓ ୪୪.୫ ମିଟର ଉଚ୍ଚତା ବିଶିଷ୍ଟ ଭାରତୀୟ ରକେଟ୍ ୫୪୫ କିଲୋଗ୍ରାମ୍ ଓଜନର ଦୁଇଟି ଉପଗ୍ରହକୁ ଉଠାଇ ମହାକାଶକୁ ନେଇଯାଇଥିଲା।
ୟୁରୋପୀୟ ସୂର୍ଯ୍ୟ-ପର୍ଯ୍ୟବେକ୍ଷଣ ଉପଗ୍ରହ କକ୍ଷପଥରେ ସ୍ଥାନିତ ହେଲା
ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ଏହି ଅଭିଯାନ ସଫଳ ହୋଇଛି ଏବଂ ଉପଗ୍ରହଗୁଡ଼ିକୁ ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥାନିତ କରାଯାଇଛି। ଭାରତ ସରକାରଙ୍କ ପାଇଁ ମହାକାଶ କାର୍ଯ୍ୟକଳାପ ତଦାରଖ କରୁଥିବା ଭାରତର ବିଜ୍ଞାନ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ପ୍ରୋବା-୩ ସୂର୍ଯ୍ୟଙ୍କ ବାୟୁମଣ୍ଡଳର ସବୁଠାରୁ ବାହ୍ୟ ଓ ଉତ୍ତପ୍ତ ସ୍ତର ସୌର କରୋନା ଉପରେ ଅଧ୍ୟୟନ କରିବ। ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍ଏ) ଆମକୁ ଏହି ସ୍ୱତନ୍ତ୍ର ଉପଗ୍ରହ ଉତ୍କ୍ଷେପଣ ଦାୟିତ୍ୱ ଦେଇଥିଲା ଯାହା ବର୍ତ୍ତମାନ ସଫଳ ହୋଇଛି। ୟୁରୋପୀୟ ମହାକାଶ ଏଜେନ୍ସିର ଉପଗ୍ରହରେ ‘ଅନିୟମିତତା’ ଥିବାରୁ ଗତକାଲି ଉଡ଼ାଣ ଆରମ୍ଭ ହେବାର କିଛି ମିନିଟ୍ ପୂର୍ବରୁ ଉତ୍କ୍ଷେପଣକୁ ୨୪ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା। ପିଏସ୍ଏଲ୍ଭି ରକେଟ୍ରେ କୌଣସି ସମସ୍ୟା ନ ଥିଲା ଏବଂ ୟୁରୋପୀୟ ଉପଗ୍ରହରେ ‘ଅନିୟମିତତା’ ଠାବ କରାଯାଇଥିଲା, ଯାହାକୁ ଇଏସ୍ଏ ଟିମ୍ ସମାଧାନ କରିଥିଲେ। ଉତ୍କ୍ଷେପଣ ପରେ ଇସ୍ରୋ ଅଧ୍ୟକ୍ଷ ଡ. ଏସ୍ ସୋମନାଥ ପିଏସ୍ଏଲ୍ଭି ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ମିସନରେ ଇଏସ୍ଏ ପାଖାପାଖି ୨୦୦ ନିୟୁତ ୟୁରୋ ଖର୍ଚ୍ଚ କରିଛି, ଯେଉଁଥିରେ ବେଲଜିୟମ୍ ଓ ସ୍ପେନ୍ ଅଗ୍ରଣୀ ଅଛନ୍ତି।