ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ଓ ନିର୍ଯାତନାର ଜବାବ ଦେଇଛି କୋଲକାତାର ଏକ ହସ୍ପିଟାଲ

ଡେସ୍କ: ବାଂଲାଦେଶରେ ବସବାସ କରୁଥିବା ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ଓ ନିର୍ଯାତନାର ଜବାବ ଦେଇଛି କୋଲକାତାର ଏକ ହସ୍ପିଟାଲ। ବାଂଲାଦେଶର ହିନ୍ଦୁମାନଙ୍କୁ ଯେଭଳି ଟାର୍ଗେଟ କରାଯାଉଛି, ସେ ନେଇ ବାଂଲାଦେଶ କୌଣସି ପଦକ୍ଷେପ ନେଉନାହାନ୍ତି ବରଂ ନିରବଦ୍ରଷ୍ଟା ସାଜିଛନ୍ତି ଓ ଆକ୍ରମଣକାରୀଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି।

ଉତ୍ତର କୋଲକାତାର ଏକ ହସ୍ପିଟାଲ ଶୁକ୍ରବାର ଘୋଷଣା କରିଛି ଯେ ସାମ୍ପ୍ରତିକ ପରିସ୍ଥିତିର ସିଧାସଳଖ ମୁକାବିଲା ପାଇଁ ପଡ଼ୋଶୀ ଦେଶର କୌଣସି ରୋଗୀଙ୍କ ଚିକିତ୍ସା କରାଯିବ ନାହିଁ। ବାଂଲାଦେଶୀ ନାଗରିକଙ୍କ ଦ୍ୱାରା ଭାରତୀୟ ଜାତୀୟ ପତାକାକୁ ଅପମାନିତ କରିବା ଏବଂ ବାଂଲାଦେଶରେ ସନ୍ଦିଗ୍ଧ ହିନ୍ଦୁ ବିରୋଧୀ ହିଂସା କାରଣରୁ ଏହି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଇଛି।

ମାଣିକତାଲାସ୍ଥିତ ଜେଏନ୍ ରାୟ ହସ୍ପିଟାଲର ନିର୍ଦ୍ଦେଶକ ଶୁଭ୍ରାଂଶୁ ଭକ୍ତ ଶୁକ୍ରବାର କହିଛନ୍ତି, ଆମେ ବିଜ୍ଞପ୍ତି ଜାରି କରିଛୁ ଯେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମେ କୌଣସି ବାଂଲାଦେଶୀ ରୋଗୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିବୁ ନାହିଁ। ଏହାର ମୁଖ୍ୟ କାରଣ ହେଉଛି ସେମାନେ ଭାରତ ପ୍ରତି ଅପମାନ ଦେଖାଇଛନ୍ତି। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅନ୍ୟ ସ୍ଥାନୀୟ ହସ୍ପିଟାଲଗୁଡ଼ିକୁ ଆହ୍ୱାନ ଦେଇଛନ୍ତି।

ସେ କହିଛନ୍ତି, ତ୍ରିରଙ୍ଗାକୁ ଅପମାନିତ କରାଯାଉଥିବା ଦେଖି ଆମେ ବାଂଲାଦେଶୀଙ୍କ ଚିକିତ୍ସା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ। ସେମାନଙ୍କ ସ୍ୱାଧୀନତାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି କିନ୍ତୁ ଏହା ସତ୍ତ୍ୱେ ସେମାନେ ଭାରତ ବିରୋଧୀ କାର୍ଯ୍ୟ କରୁଛନ୍ତି। ଆମେ ଆଶା କରୁଛୁ ଯେ ଅନ୍ୟ ଡାକ୍ତରଖାନାଗୁଡ଼ିକ ଆମକୁ ସମର୍ଥନ କରିବେ ଏବଂ ସମାନ ପଦକ୍ଷେପ ନେବେ।

ପ୍ରଖ୍ୟାତ ସ୍ତ୍ରୀ ରୋଗ ବିଶେଷଜ୍ଞ ଇନ୍ଦ୍ରାନୀଲ ସାହା ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ ଯେ ସେ ଆଉ ବାଂଲାଦେଶରୁ ଆସିଥିବା ରୋଗୀଙ୍କୁ ଦେଖୁ ନାହାନ୍ତି। ସେ କହିଛନ୍ତି, ପ୍ରଥମେ ଦେଶ, ପରେ ଆୟ। ମୁଁ ଆଶା କରୁଛି ଯେ ସମ୍ପର୍କ ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ଅନ୍ୟ ଡାକ୍ତରମାନେ ମଧ୍ୟ ଏପରି କରିବେ ବୋଲି ଡାକ୍ତର ସାହା କହିଛନ୍ତି।

Leave a Reply

Your email address will not be published. Required fields are marked *