ଢାକା: ବାଂଲାଦେଶ ସରକାର ହିନ୍ଦୁ ଆନ୍ଦୋଳନକୁ ଦମନ କରିବା ପାଇଁ ଗୋଟିଏ ପରେ ଗୋଟିଏ କୌଶଳ ଅବଲମ୍ବନ କରୁଛନ୍ତି। ଆଜି କର୍ତ୍ତୃପକ୍ଷ ଇସ୍କନର ପୂର୍ବତନ ସଦସ୍ୟ ଚିନ୍ମୟକୃଷ୍ଣ ଦାସଙ୍କ ସମେତ ହିନ୍ଦୁ ସମ୍ପ୍ରଦାୟର ୧୭ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରିଦେଇଛନ୍ତି। ସରକାର ୩୦ ଦିନ ପାଇଁ ଏହି ବ୍ୟାଙ୍କ ଆକାଉଣ୍ଟରୁ କାରବାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ନେଇ ଆଜି ଆର୍ଥିକ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗଣମାଧ୍ୟମରେ ସୂଚନା ଦିଆଯାଇଛି। ବାଂଲାଦେଶ ବ୍ୟାଙ୍କର ଆର୍ଥିକ ଗୁଇନ୍ଦା ଶାଖା (ବିଏଫ୍ଆଇୟୁ) ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନକୁ ଏହି ନିର୍ଦ୍ଦେଶନାମା ଜାରି କରି ହିନ୍ଦୁ ଆଧ୍ୟାତ୍ମକ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଆକାଉଣ୍ଟର ସମସ୍ତ କାରବାର ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଛି।
ଚିନ୍ମୟକୃଷ୍ଣଙ୍କ ଗିରଫଦାରୀ ପ୍ରତିବାଦରେ ଦୁଇଦିନ ତଳେ ଆନ୍ଦୋଳନ କରୁଥିବା ହିନ୍ଦୁଙ୍କ ଉପରେ ପୁଲିସ ବାହିନୀ ଏବଂ ଇସ୍ଲାମିକ ଚରମପନ୍ଥୀମାନେ ଆକ୍ରମଣ କରିଥିଲେ। ସଂଘର୍ଷରେ ଜଣେ ଓକିଲଙ୍କ ମୃତ୍ୟୁ ଘଟିବା ପରେ ବାଂଲାଦେଶ ହାଇକୋର୍ଟ ଅନ୍ତର୍ଜାତୀୟ କୃଷ୍ଣ ଚେତନା ସଂସ୍ଥା ‘ଇସ୍କନ’ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଥିଲେ। ଅଦାଲତ ଇସ୍କନକୁ ବେଆଇନ ଘୋଷଣା କରିବା ପାଇଁ ମନା କରିବା ପରେ ସରକାର ଏଭଳି ଆକ୍ରୋଶମୂଳକ ପଦକ୍ଷେପ ଗ୍ରହଣ କରିଛି। ଅକ୍ଟୋବର ୩୦ ତାରିଖରେ ଚିତ୍ତଗୋଙ୍ଗର ନ୍ୟୁ ମାର୍କେଟ ଅଞ୍ଚଳରେ ହିନ୍ଦୁ ସମ୍ପ୍ରଦାୟର ଏକ ରାଲି ସମୟରେ ବାଂଲାଦେଶର ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗରେ କୋତୱାଲି ଥାନାରେ ଚିନ୍ମୟକୃଷ୍ଣ ଦାସଙ୍କ ସମେତ ୧୯ ଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ବାଂଲାଦେଶର ସନାତନୀ ଜାଗରଣ ସଂସ୍ଥାର ମୁଖପାତ୍ର ରହିଥିବା ଦାଶଙ୍କୁ ଦେଶଦ୍ରୋହ ମାମଲାରେ ସୋମବାର ଢାକାର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା ସୋମବାର ଏକ ଅଦାଲତ ତାଙ୍କ ଜାମିନ ନାମଞ୍ଜୁର କରିବା ସହ ଜେଲ୍ ପଠାଇ ଦେଇଛନ୍ତି। ହିନ୍ଦୁ ନେତାଙ୍କ ସମର୍ଥକ ଏହା ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି।
ବାଂଲାଦେଶରେ ହିନ୍ଦୁଙ୍କୁ ଟାର୍ଗେଟ୍ କରି ହେଉଥିବା ହିଂସା ଓ ବର୍ବରତା ବିରୋଧରେ ଭାରତ କଡ଼ା ପ୍ରତିକ୍ରିୟା ରଖିଛି। ହିନ୍ଦୁଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଭାରତ ସରକାର ବାଂଲାଦେଶକୁ କଡ଼ା ବାର୍ତ୍ତା ଦେଇଛନ୍ତି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମଧ୍ୟ ଚିନ୍ମୟକୃଷ୍ଣଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି। ବାଂଲାଦେଶ ଜନସଂଖ୍ୟାର ୮ ପ୍ରତିଶତ ହେଉଛନ୍ତି ହିନ୍ଦୁ ଏବଂ ସେମାନଙ୍କୁ ଏବେ ସରକାର ଓ ମୌଳବାଦୀ ଟାର୍ଗେଟ୍ କରୁଛନ୍ତି।