‘ବାଂଲା’ର ଅସୁରକ୍ଷିତ ସଂଖ୍ୟାଲଘୁ
ମୁସଲମାନ ବହୁଳ ପଡ଼ୋଶୀ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ, ବୌଦ୍ଧ ଓ ଖ୍ରୀଷ୍ଟିଆନମାନଙ୍କ ଉପରେ ଇସ୍ଲାମୀୟ ମୌଳବାଦୀଙ୍କ ସଂଗଠିତ ଆକ୍ରମଣ ହସିନାଙ୍କ ବିତାଡ଼ନ ପରବର୍ତ୍ତୀ ସମୟରେ ଜାରି ରହିଛି । ଏହି ପ୍ରକ୍ରିୟାରେ ସବୁଠୁ ଅଧିକ ନିର୍ଯାତିତ ହେଉଛନ୍ତି ବାଂଲାଦେଶର ହିନ୍ଦୁ ସମୁଦାୟ। ସେଠାରେ ପ୍ରାୟ ଦେଢ଼କୋଟି ହିନ୍ଦୁ ବସବାସ କରନ୍ତି ଏବଂ ୧୭ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶର ଦ୍ଵିତୀୟ ସର୍ବବୃହତ ସଂପ୍ରଦାୟ। ଶେଖ୍ ହସିନାଙ୍କ ଶାସନକାଳରେ ବାଂଲାଦେଶରେ ହିନ୍ଦୁ ଓ ଅନ୍ୟାନ୍ୟ ସଂଖ୍ୟାଲଘୁ କେବଳ ସୁରକ୍ଷିତ ନଥିଲେ, ସେମାନଙ୍କୁ ଏକ ବାସ୍ତବ ଧର୍ମନିରପେକ୍ଷବାଦୀ ଶାସନର ସୁଫଳ ମିଳୁଥିଲା । ଏଥ୍ ସହିତ ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କ ନିବିଡ଼ ରହିବା ସହିତ ବାଂଲାଦେଶର ଅର୍ଥନୀତି ମଧ୍ୟ ସୁଦୃଢ଼ ଥିଲା ।
ଦୁର୍ଭାଗ୍ୟର ବିଷୟ ସେଠା ରାଜନୀତିରେ ମୌଳବାଦୀ ତତ୍ତ୍ଵଙ୍କ ପ୍ରଭାବ ବିସ୍ତାର, ବିଶେଷ କରି ଜମାତ୍ ଇ ଇସ୍ଲାମୀରେ କର୍ତ୍ତୃତ୍ଵ ବୃଦ୍ଧି ଫଳରେ ସବୁ ଗୋଳମାଳ ହୋଇଯାଇଛି। ଛାତ୍ର ଆନ୍ଦୋଳନ ଆଳରେ ହସିନାଙ୍କୁ ଜବରଦସ୍ତ କ୍ଷମତାଚ୍ୟୁତ କରାଯିବା ପରେ ସେଠାରେ ବାସ୍ତବ କ୍ଷମତାରେ ସେନା ରହିଛି ଓ ନୋବେଲ ଶାନ୍ତି ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଏକ ଅନ୍ତରୀଣ ସରକାର କାର୍ଯ୍ୟ କରୁଛି। ଅସଲରେ ମୌଳବାଦୀମାନେ ସରକାରଙ୍କୁ ସେନା ସହାୟତାରେ ଚଳାଉଛନ୍ତି ଏବଂ ୮୪ ବର୍ଷୀୟ ୟୁନୁସ ସେମାନଙ୍କ ହାତରେ ଏକ ଖେଳନା ପାଲଟିଛନ୍ତି । ସେ ଅସ୍ଥାୟୀ ସରକାରର ମୁଖ୍ୟ ପରାମର୍ଶଦାତା ହେଲେ ମଧ୍ୟ ଅନେକ ଘଟଣାରେ ନିରବଦ୍ରଷ୍ଟା ସାଜିବାକୁ ବାଧ୍ୟ ହେଉଛନ୍ତି ।
ଦେଶରେ ଯେତେବେଳେ ଅରାଜକତା ଓ ନ୍ୟାସ୍ତସ୍ଵାର୍ଥ ଗୋଷ୍ଠୀର ଶାସନ ଚାଲେ ସେତେବେଳେ ନାଗରିକ ସ୍ୱାଚ୍ଛନ୍ଦ୍ୟ, ବ୍ୟକ୍ତି ସ୍ୱାଧୀନତା ଓ ସାମ୍ବିଧାନିକ ବିଧୂ ବ୍ୟବସ୍ଥା ଭୁଶୁଡ଼ି ପଡ଼େ । ସମ୍ବିଧାନ, ଗଣମାଧ୍ୟମ ଓ ନ୍ୟାୟପାଳିକା ଚାପଗ୍ରସ୍ତ ହୋଇଥାଏ। ବାଂଲାଦେଶ ଏବେ ସେହି ପ୍ରକ୍ରିୟା ଦେଇ ଗତି କରୁଛି। ସଂଖ୍ୟାଲଘୁଙ୍କ ସ୍ୱାର୍ଥରକ୍ଷା ପାଇଁ ସ୍ବର ଉତ୍ତୋଳନ କରୁଥିବ। ହିନ୍ଦୁ ଇସ୍କନ୍ ନେତା ଚିନ୍ମୟକୃଷ୍ଣ ଦାସଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଓ ଗିରଫଦାରୀ ତାହାର ଅନେକ ଉଦାହରଣରୁ ଗୋଟିଏ ମାତ୍ର ତାଙ୍କୁ ମିଥ୍ୟା ମାମଲାରେ ଫସାଯାଇଥିବାବେଳେ ଦେଶର ସୁପ୍ରିମକୋର୍ଟ ମଧ୍ୟ ତାଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି। ଏହାଛଡ଼ା ହିନ୍ଦୁ ଓ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ, ସେମାନଙ୍କୁ ସରକାରୀ ଚାକିରିରୁ ବିତାଡ଼ନ, ସଂଖ୍ୟାଲଘୁଙ୍କ ଗୃହଦାହ, ଉପାସନା ପୀଠ ଉପରେ ଆକ୍ରମଣ ଓ ହିନ୍ଦୁମହିଳାଙ୍କୁ ବଳାତ୍କାର ଓ ଆକ୍ରମଣ କରି ଅସୁରକ୍ଷିତ କରିବା ଭଳି ଅନେକ ଖବର ଆସୁଛି। ପୁଲିସ ଓ ପ୍ରଶାସନର ନିଷ୍କ୍ରିୟତା ପ୍ରମାଣ କରୁଛି ଯେ ସଂଖ୍ୟାଲଘୁ ଦମନ କାର୍ଯ୍ୟ ପଛରେ ବାଂଲାଦେଶ ସରକାରଙ୍କର ପ୍ରଚ୍ଛନ୍ନ ସମର୍ଥନ ରହିଛି। ସଂଖ୍ୟାଲଘୁଙ୍କ ପାଇଁ ବାର୍ତ୍ତା ହେଉଛି ଧର୍ମ ପରିବର୍ତ୍ତନ କରି ମୁସଲମାନ ହୁଅ ନଚେତ୍ ଦେଶଛାଡ଼ ।
ଏନେଇ ଭାରତର ଚିନ୍ତାପ୍ରକଟ ଓ ପ୍ରତିବାଦ ଯଥାର୍ଥ; କାରଣ ପଡ଼ୋଶୀ ଦେଶର ଏହି ଘଟଣାବଳୀ ସଂଖ୍ୟାଗରିଷ୍ଠ ହିନ୍ଦୁ ଦେଶ ଭାରତରେ ନକାରାତ୍ମକ ପ୍ରଭାବ ପକାଇ ସାଂପ୍ରଦାୟିକ ଶାନ୍ତି ଓ ସ୍ଥିରତାକୁ ବିଗାଡ଼ି ପାରେ। ତେଣୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ବାଂଲାଦେଶର ହିନ୍ଦୁମାନଙ୍କ ସୁରକ୍ଷାନେଇ ଯେଉଁ ଆପତ୍ତି ଉଠାଇଛି ତାହା ଯଥାର୍ଥ। ଏଥିରେ ମାନବାଧିକାରର ସୁରକ୍ଷା ଓ ଦ୍ବିପାକ୍ଷିକ ସମ୍ପର୍କର ଭବିଷ୍ୟତ ନିର୍ଭର କରୁଛି । ଭାରତର ଏହି ପ୍ରତିବାଦକୁ ବାଂଲାଦେଶ କର୍ତ୍ତୃପକ୍ଷ ଗୁରୁତ୍ବର ସହିତ ଗ୍ରହଣ କରିବା ଉଚିତ I ସେମାନେ ଧର୍ମ ନାମରେ ଯେଉଁ କାର୍ଯ୍ୟସବୁ କରୁଛନ୍ତି ତାହାର ପରିଣାମ ଗୁରୁତର ହୋଇପାରେ।
ବାଂଲାଦେଶ ଭଳି ଗୋଟିଏ ଛୋଟଦେଶ ଏସିଆର ସବୁଠୁ ଦ୍ରୁତ ବିକାଶଶୀଳ ଅର୍ଥନୀତିରେ ପରିଣତ ହୋଇ ଆଗକୁ ମାଡ଼ି ଚାଲିଥିଲା। ସେଠାକାର କୃଷି ଓ ବସ୍ତ୍ର ଉଦ୍ୟୋଗ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିଲା । ତେବେ ହସିନାଙ୍କ ବିତାଡ଼ନ ପରେ ସବୁଠୁ ଭଲ ସ୍ଥିତିରେ ଥିବା ବସ୍ତ୍ର ଉଦ୍ୟୋଗ ଭୁଶୁଡ଼ି ପଡ଼ିଛି । ଭାରତର ବିଜୁଳି ଉପରେ ନିର୍ଭରଶୀଳ ବାଂଲାଦେଶ ଏବେ ଦେୟ ଦେଇ ନପାରି ଶକ୍ତି ସଂକଟର ସମ୍ମୁଖୀନ ହୋଇଛି । ସେଠାରେ ମଧ୍ୟ ଖାଦ୍ୟାଭାବ ଦେଖାଦେଲାଣି। ଏଭଳି ଏକ ଅର୍ଥନୀତିକ ଅଧୋଗତିର ସମ୍ମୁଖୀନ ବାଂଲାଦେଶ ଧର୍ମ ଓ ଇସଲାମ ନାମରେ ଯେଉଁ ରାଜନୀତିକ ଖେଳ ଖେଳୁଛି ତାହାର ପରିଣାମ ଭୟାବହ ହୋଇପାରେ। କହିବା ବାହୁଲ୍ୟ ଯେ ଅଧିକାଂଶ ବାଂଲା ମୁସଲମାନ ଉଦାର ଏବଂ ସେମାନେ ଶାନ୍ତି ଓ ସ୍ଥିରତା ଚାହାନ୍ତି। ତେଣୁ ମୌଳବାଦୀ ଓ ସେନା ମଧ୍ୟରେ ସେଠାରେ ଯେଉଁ ଭିତିରି ବୁଝାମଣା ଓ ଶାସନ ଚାଲିଛି ତାହା ବିରୋଧରେ ଶାନ୍ତିପ୍ରିୟ ଓ ପ୍ରଗତିଶୀଳ ବାଂଲାଦେଶୀ ପାଲଟା ବିଦ୍ରୋହ କରିପାରନ୍ତି। ବନ୍ଧୁକର ଭୟ ଓ ହିଂସା ତତ୍ତ୍ଵ ଆଧାରରେ ଗୋଟିଏ ଦେଶରେ ଗଣତାନ୍ତ୍ରିକ ଶାସନ ଚାଲିବା ଅସମ୍ଭବ। ଏକଥା ଢାକା ଶାସକଙ୍କୁ ବୁଝାଇବା ଅନାବଶ୍ୟକ।