ଓଡ଼ିଆ ସଂସ୍କୃତିର ପ୍ରଭାବରେ ବିଦେଶ ସଂସ୍କୃତି ପରିବର୍ଦ୍ଧିତ ହୋଇଛି

ଓଡ଼ିଆ ସଂସ୍କୃତିର ପ୍ରଭାବରେ ବିଦେଶ ସଂସ୍କୃତି ପରିବର୍ଦ୍ଧିତ ହୋଇଛି

       କଟକ: ବିଦେଶରେ ଓଡ଼ିଆ ସଂସ୍କୃତିର ପ୍ରଭାବ ସେଠାକାର ସଂସ୍କୃତିକୁ ପରିମାର୍ଜିତ ତଥା ପରିବର୍ଦ୍ଧିତ କରିଛି ବୋଲି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ବରିଷ୍ଠ ପ୍ରଚାରକ (ବିଦେଶ ବିଭାଗ) ଇଞ୍ଜିନିୟର ରବି କୁମାର କହିଛନ୍ତି।

       ବାଲିଯାତ୍ରା ଉପଲକ୍ଷେ ଭାରତୀୟ ସଂସ୍କୃତି ପ୍ରଚାର ସମିତି ତରଫରୁ ଶନିବାର ସନ୍ଧ୍ୟାରେ ସାରଳା ଭବନଠାରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ଶ୍ରୀ କୁମାର ଏହା କହିଥିଲେ। ସେ ପୁଣି କହିଲେ ଯେ, କାମ୍ବୋଡ଼ିଆ, ଥାଇଲାଣ୍ଡ, ମିଆଁମାର, ଇଣ୍ଡୋନେସିଆ ଆଦି ଦେଶରେ ଓଡ଼ିଆ ସଂସ୍କୃତିର ଛାପ ଏବେ ବି ପରିଲକ୍ଷିତ ହୁଏ। ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ ଭର୍ତ୍ତୃହରି ମହତାବ କହିଲେ ଯେ, ବାଲିଯାତ୍ରା ଓଡ଼ିଆମାନଙ୍କର ବାଲି ଓ ଅନ୍ୟାନ୍ୟ ଦକ୍ଷିଣ-ପୂର୍ବ ଏସୀୟ ଦେଶସମୂହ ସହ ଥିବା ବାଣିଜ୍ୟିକ ସମ୍ପର୍କର ସାକ୍ଷ୍ୟ ବହନ କରେ। 

       ଭାରତୀୟ ସଂସ୍କୃତି ପ୍ରଚାର ସମିତିର ସଭାପତି ଡକ୍ଟର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା କୃଷ୍ଣପ୍ରିୟା ବେହେରା ପରିଚାଳନା କରିଥିଲେ। ପ୍ରାରମ୍ଭରେ ବରିଷ୍ଠ ଆଇନଜୀବୀ ସର୍ବେଶ୍ୱର ବେହେରା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ଶେଷରେ ସମିତିର ସମ୍ପାଦକ ନୃସିଂହ ଚରଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସହରର ଶତାଧିକ  ଶିକ୍ଷାବିତ୍‌, ଆଇନଜୀବୀ, ଚିକିତ୍ସକ, ସାହିତ୍ୟିକ, ସାମ୍ବାଦିକ, ସମାଜସେବୀ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *