ଦିନରେ ଫେରି, ରାତିରେ ଚୋରି


କୋଲାବିରା: କୋଲାବିରା ତଥା ଆଖପାଖ ଅଞ୍ଚଳରୁ ବିଦ୍ୟୁତ ତାର ଚୋରି ଏକ ନିତିଦିନିଆ କାର୍ଯ୍ୟରେ ପରିଣତ ହୋଇସାରିଲାଣି । ପୁଲିସ ପକ୍ଷରୁ ସାରା ସାରା ରାତି ପାଟ୍ରୋଲିଂ କରାଯାଉଥିଲେ ହେଁ ଚୋର ମାନେ କୋଲାବିରା ଅଞ୍ଚଳରୁ ଚୋରି କରିବାକୁ ଏକ ପ୍ରକାର ମନସ୍ତ କରିସାରିଥିବା ପରିଲକ୍ଷିତ ହେଉଛି । ଏବେ ଲଗାତାର ତିନିଦିନ ଧରି କୋଲାବିରା ଥାନାରୁ ଅନତିଦୁର ପଟ୍ଟାପଡ଼ା, ସାହେପାଲି, ତରେଇକେଲା ଅଞ୍ଚଳରୁ ଜୀବନ୍ତ ବିଦ୍ୟୁତ ତାର କାଟି ଚୋରମାନେ ନେଇଯାଉଥ‌ିବା ଅଭିଯୋଗ ହେଉଛି। ମାତ୍ର ପୁଲିସ ପକ୍ଷରୁ କଡ଼ାକଡ଼ି କରାଗଲେ ମଧ୍ୟ ଚୋରି କରିବାରେ ସଫଳ ହେଉଛନ୍ତି। ମାତ୍ର ରବିବାର ରାତିରେ ନିୟମିତ କ୍ରମରେ ପୁଣି ବିଦ୍ୟୁତ ତାର ଚୋରି କରିବା ଉଦ୍ଦେଶ୍ୟରେ ଥାନା ଅନ୍ତର୍ଗତ ପଟ୍ଟାପଡ଼ା ଗ୍ରାମକୁ ପଶିଥିଲେ। ଏକ ଟାଟା ମେଜିକ ଓ ଏକ ପିକଅପ୍ ଗାଡ଼ିରେ ପାଖାପାଖୁ ୧୫ ଜଣ ବ୍ୟକ୍ତି ରାତି ୧୧ଟା ସମୟରେ ଗାଁ ଭିତରକୁ ପଶିଥିଲେ। ତେବେ ନିୟମିତ ଚୋରି ଯୋଗୁଁ ଗ୍ରାମବାସୀ ମଧ୍ଯ ସତର୍କ ହୋଇ ରହୁଥିଲେ। ଗାଁ ମୁଣ୍ଡରୁ ତାର କାଟିବାକୁ ଉଦ୍ୟମ ଆରମ୍ଭ କରିବାକୁ ଯାଉଥ‌ିବା ବେଳେ ଗ୍ରାମବାସୀ ହାଲ୍ଲା ବୋଲ କରିଥିଲେ। ଏତେ ସଂଖ୍ୟାରେ ଗ୍ରାମବାସୀଙ୍କୁ ଦେଖ୍ ଚୋରମାନେ ଫେରାର ମାରିବାକୁ ଉଦ୍ୟମ କରୁଥ‌ିବା ବେଲେ ଟାଟା ମେଜିକ ଗାଡ଼ିରେ କିଛି ଲୋକ ଚାଲିଯାଇଥିବା ବେଳେ କିଛି ଲୋକ ଧାଇଁ ଘଟଣାସ୍ଥଳରୁ ଫେରାର ମାରିଥିଲେ। ମାତ୍ର ୫ ଜଣ ଚୋର ପିକଅପ ଗାଡ଼ିରେ ଦୃତଗତିରେ ଫେରାର ମାରୁଥିବା ସମୟରେ ଭାରସାମ୍ୟ ହରେଇ ଗାଡ଼ି ରାସ୍ତାକଡ଼ ବିଲ ଭିତରକୁ ପଶି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଗାଡ଼ିରେ ଥିବା ଚାଳକ ସମେତ ସମସ୍ତ ୫ଜଣ ଯାକ ଗୁରୁତର ଆହତ ହୋଇଥିଲେ। ଲୋକେ କୋଲାବିରା ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲା । ସମସ୍ତ ୫ଜଣ ଯାକ ପଶ୍ଚିମବଙ୍ଗ ଅଞ୍ଚଳର ା ଆଉ ସେମାନେ କିଛିଦିନ ହେଲା ଆସି ଝାରସୁଗୁଡ଼ା ମଙ୍ଗଳବଜାର ଅଞ୍ଚଳରେ ରହୁଥ‌ିବା ପୁଲିସ ସୂତ୍ରରୁ ପ୍ରକାଶ। ପିକଅପ ଚାଳକ ଜାଫର ସେଖ୍(୩୫), ଜାବାର ସେଖ (୩୦) ଆନାରୁଲ ସେଖ(୩୦), ଜାହାରୁଲ ସେଖ(୨୪) ଏବଂ ସୁଜନ ସେଖ୍(୨୪) ଦୁର୍ଘଟଣାରେ ଗୁରୁତର ହୋଇଥିବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବଂ ଅନ୍ୟ ଦୁଇଜଣ ଆହତ ଅବଦୁଲ ରାହି(୨୪) ଓ ଆକାଶ ସେଖ୍(୨୪) ଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି। ଏକ ଟାଟା ଯୋଦ୍ଧା ଗାଡ଼ି ସହ ଗ୍ୟାସ କଟର, ରଶି ଆଦି ଚୋରିରେ ବ୍ୟବହୃତ ସାମଗ୍ରୀ ଜବତ୍ କରାଯାଇଛି। ଗାଡ଼ିଟି ଝାରସୁଗୁଡା ପାଵାରହାଉସ କଲୋନୀର ସଞ୍ଜୟ କୁମାର ସୋନାରଙ୍କ ନାମରେ ରହିଥ‌ିବାବେଳେ ଧରାପଡ଼ିଥିବା ସମସ୍ତ ଯୁବକ ପଶ୍ଚିମବଙ୍ଗର ନଦିଆ ଓ ମୁର୍ଶିଦାବାଦ ଜିଲାର ବୋଲି ପ୍ରଥମିକ ତଦନ୍ତରୁ ଜଣାପଡ଼ିଛି । ଦିନ ବେଲା ଏମାନେ ବିଭିନ୍ନ ଅଞ୍ଚଳରେ ଫେରି କରିବାକୁ ବାହାରି ଅଞ୍ଚଳର ରେକି କରୁଛନ୍ତି ଏବଂ ରାତିରେ ଚୋରି କରୁଛନ୍ତି । ଧରାପଡ଼ିଥିବା ଚୋରଙ୍କ ମଧ୍ୟରେ ଜଣେ ସାମାନ୍ୟ ଆହତ ହୋଇଥିବା ଯୁବକକୁ ପଚାରିବାରୁ ଦିନବେଳା ଫେରି କରୁଥ‌ିବା ସ୍ଵୀକାର କରିବା ସହିତ ଝାରସୁଗୁଡ଼ା ଅଞ୍ଚଳର ଜଣେ ଠିକାଦାରଙ୍କ ଅଧୀନରେ ଏମାନେ କାର୍ଯ୍ୟ କରିଥାନ୍ତି ବୋଲି କହିବା ସହିତ ରାତିକ ପାଇଁ ପ୍ରତ୍ୟେକଙ୍କୁ ଦୁଇ ହଜାର ଟଙ୍କା ଲେଖାଏଁ ପ୍ରାପ୍ୟ ମିଳିଥାଏ ବୋଲି ମଧ୍ୟ ପ୍ରକାଶ କରିଥିଲା ।

Leave a Reply

Your email address will not be published. Required fields are marked *