‘ମନ୍ଦିର ହେଉ ବା ମସଜିଦ ଜବରଦଖଲ ହୋଇଥିଲେ ଭଙ୍ଗାଯାଉ

‘ ନୂଆଦିଲ୍ଲୀ -ସର୍ବସାଧାରଣ ସ୍ଥାନରେ ଗଢି ଉଠିଥିବା ଧାର୍ମିକ ପୀଠ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବୁଲଡୋଜର ଆକ୍ସନ ମାମଲାର ବିଚାର ବେଳେ ଲୋକଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି, \”ଲୋକଙ୍କ ସୁରକ୍ଷା ସର୍ବୋପରି । ସର୍ବସାଧାରଣ ସ୍ଥାନ, ରାସ୍ତା, ରେଳ ଟ୍ରାକ୍ କିମ୍ବା ଜଳାଶୟ ଭଳି ସ୍ଥାନରେ ମନ୍ଦିର, ମସଜିଦ, ଦରଘା, ଚର୍ଚ୍ଚ କିମ୍ବା କୌଣସି ଧାର୍ମିକ ପୀଠ ଥିଲେ ଏସବୁ ଉଚ୍ଛେଦ ହେବା ଆବଶ୍ୟକ ।\” ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଧର୍ମ କିମ୍ବା ସମ୍ପ୍ରଦାୟ ନିର୍ବିଶେଷରେ ଆମେ ନିର୍ଦ୍ଦେଶନାମା ଜାରି କରୁଛୁ । ଏହା ସବୁ ଧର୍ମ ଏବଂ ସମ୍ପ୍ରଦାୟ ପାଇଁ ଉଦ୍ଦିଷ୍ଟ ହେବ । ଯଦି ସର୍ବସାଧାରଣ ସ୍ଥାନରେ ଧାର୍ମିକ ପୀଠ ଥାଏ, ସେ ମନ୍ଦିର ହେଉ କିମ୍ବା ଦରଘା କିମ୍ବା ଗୁରୁଦ୍ୱାର ଏସବୁ ଉଚ୍ଛେଦ ହେବା ଆବଶ୍ୟକ । ଧାର୍ମିକ ପୀଠ ଜନସାଧାରଣଙ୍କ କାର୍ଯ୍ୟରେ ବାଧା ଦେଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପ୍ରକାଶ ଥାଉକି, ବିଭିନ୍ନ କାରଣକୁ ନେଇ ଉତ୍ତରପ୍ରଦେଶ ତଥା ଅନ୍ୟାନ୍ୟ ରାଜ୍ୟରେ ବୁଲଡୋଜର ଆକ୍ସନ ନିଆଯାଏ । ଏହା ବିରୋଧରେ ଜମିୟତ ଉଲେମା-ଇ-ହିନ୍ଦ ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସେପ୍େଟମ୍ବର ୧୭ରେ ଏ ଉପରେ ଶୁଣାଣି କରି ଅକ୍ଟୋବର ୧ରେ ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ବୁଲଡୋଜର ଆକ୍ସନ ଉପରେ ରୋକ୍ ଲଗାଇଥିଲେ ସର୍ବୋଚ୍ଚ ଅଦାଲତ । କିନ୍ତୁ ବେଆଇନ ଉଚ୍ଛେଦକୁ ଅନୁମତି ଦେଇଥିଲେ । ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବିଆର ଗବାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସର୍ବସାଧାରଣ ସ୍ଥାନରେ ଉଚ୍ଛେଦକୁ ଅନୁମତି ଦେଇ ଥିବାବେଳେ ବ୍ୟକ୍ତିଗତ ସ୍ଥାନରେ ବୁଲଡୋଜର ଆକ୍ସନ ହୋଇପାରିବ ନାହିଁ ବୋଲି କହିଛନ୍ତି । ଯଦି କୌଣସି ବ୍ୟକ୍ତି, ସେ ଅଭିଯୁକ୍ତ ହୁଅନ୍ତୁ ଅବା ଦୋଷୀ ତାଙ୍କ ଘର କିମ୍ବା ବ୍ୟକ୍ତିଗତ ସଂସ୍ଥା ଉପରେ ବୁଲଡୋଜର ଆକ୍ସନ ନିଆଯାଇ ପାରିବ ନାହିଁ । ଏ ଉପରେ ଆମେ ଗାଇଡଲାଇନ ଜାରି କରିବୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Leave a Reply

Your email address will not be published. Required fields are marked *