Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭଣ୍ଡାରରେ କ’ଣ ରହିଛି, ତାହାର ତାଲିକା କରିବା ସମ୍ଭବପର ନୁହେଁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭଣ୍ଡାରରେ କ’ଣ ରହିଛି, ତାହାର ତାଲିକା କରିବା ସମ୍ଭବପର ନୁହେଁ

ଗଜପତି ମହାରାଜା ବଙ୍ଗଦେଶରୁ କାବେରୀ ପର୍ଯ୍ୟନ୍ତ ଜୟ କରିଥିଲେ । ସେତେବେଳେ ଗଜପତି ମହାରାଜା ୪୬ ସାମ୍ରାଜ୍ୟ ଜୟ କରିଥିଲେ । ସେହି ହିସାବରେ ରତ୍ନଭଣ୍ଡାରରେ ୪୬ଟି ମୁକୁଟ ରହିବା କଥା । ହେଲେ ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ତଥ୍ୟ ଅନୁସାରେ ତୃତୀୟ ରତ୍ନ ଭଣ୍ଡାରରେ ୩୬ଟି ମୁକୁଟ ରହିଛି ବୋଲି କହିଛନ୍ତି ବିଶିଷ୍ଟ ଐତିହାସିକ ଡକ୍ଟର ସୁରେନ୍ଦ୍ର ମିଶ୍ର । ତେବେ ୧୨ଟି ମୁକୁଟ ସମ୍ପର୍କରେ ରବୀନ୍ଦ୍ର ନାରାୟଣ ମିଶ୍ର ଜାଣି ନଥିବା ସୁରେନ୍ଦ୍ର ମିଶ୍ର କହିଛନ୍ତି । ୪୬ ବର୍ଷ ପରେ ଖୋଲୁଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଏହାକୁ ନେଇ ଐତିହାସିକ ଡକ୍ଟର ମିଶ୍ର କହିଛନ୍ତି, ଯେଉଁ ୧୧ ଜଣିଆ କମିଟି ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି, ସେମାନେଭଣ୍ଡରର ସ୍ଥିତି ଓ ଅବସ୍ଥା ପରୀକ୍ଷା କରିପାରିବେ । କିନ୍ତୁ ଭଣ୍ଡାରରେ କ’ଣ ରହିଛି, ତାହାର ତାଲିକା କରିବା ସମ୍ଭବପର ନୁହେଁ । କାରଣ ୧୯୭୮ ମସିହାରେ ହୋଇଥିବା ଗଣତିରେ ୬ ଜଣ ଲୋକଙ୍କୁ ୭୧ ଦିନ ଲାଗିଥିଲା । ସେମାନେ ୫୯୮ ପ୍ରକାର ଅଳଙ୍କାରର ତାଲିକା କରିଥିଲେ । ଯେଉଁ ୫୯୮ ପ୍ରକାର ଅଳଙ୍କାରର ତାଲିକା ହୋଇଥିଲା, ତାହା ଚଳନ୍ତି ଭଣ୍ଡାର ଓ ଦ୍ୱିତୀୟ ଭଣ୍ଡାରରେ ଥିଲା ବୋଲି ଡକ୍ଟର ମିଶ୍ର କହିଛନ୍ତି । ତୃତୀୟ ରତ୍ନଭଣ୍ଡାର ସମ୍ପର୍କରେ ଐତିହାସିକ ଡକ୍ଟର ସୁରେନ୍ଦ୍ର ମିଶ୍ର କହିଛନ୍ତି, ତୃତୀୟ ଭଣ୍ଡାର ସମ୍ପର୍କରେ ୧୯୮୫ ମସିହାରେ କାର୍ଯ୍ୟରତ ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର ସୂଚନା ଦେଇଥିଲେ । ତାଙ୍କ କହିବା ଅନୁସାରେ ତୃତୀୟ ରତ୍ନଭଣ୍ଡାରରେ ୩୪ଟି ମୁକୁଟ ରହିଛି । ସେତେବେଳେ ସେ ଲିଖିତ ଭାବେ ତଥ୍ୟ ଦେଇଥିଲେ । ଯାହାର ତଥ୍ୟ ସର୍ବସାଧାରଣରେ ପ୍ରକାଶ ପାଇଥିଲା । ସେହି ତଥ୍ୟକୁ ନେଇ ଗବେଷଣା କରାଯାଇଥିଲା । ଆଉ ଗବେଷଣା ବେଳେ ଜଣାପଡ଼ିଲା, ଗଜପତି ମହାରାଜା ବଙ୍ଗଦେଶରୁ କାବେରୀ ଦେଶ ପର୍ଯ୍ୟନ୍ତ ମୋଟ୍ ୪୬ଟି ସାମ୍ରଜ୍ୟରେ ବିଜୟବାନା ଉଡାଇଥିଲା । ତା’ହାହେଲେ ୪୬ଟି ମୁକୁଟ ରହିବା କଥା । କିନ୍ତୁ ରତ୍ନଭଣ୍ଡାରରେ ୩୪ଟି ମୁକୁଟର ରହିଥିବା ରବୀନ୍ଦ୍ର ନାରାୟଣ ମିଶ୍ର କହିଥିଲେ । ବାକି ୧୨ ମୁକୁଟ ସମ୍ପର୍କରେ ତାଙ୍କ ପାଖରେ କୌଣସି ତଥ୍ୟ ନଥିଲା ବୋଲି ସେ କହିଥିଲେ । ସେତେବେଳେ ସେହି ମୁକୁଟର ମୂଲ୍ୟାୟନ କରିବାକୁ ଚେଷ୍ଟା କରାଯାଇଥିଲା । ଜହୁରୀମାନଙ୍କୁ ଡାକା ଯାଇଥିଲା । ହେଲେ ମୁକୁଟ ଗୁଡ଼ିକର ମୂଲ୍ୟାୟନ କରିବା ସମ୍ଭବ ହୋଇ ନଥିବା ଐତିହାସିକ ଡକ୍ଟର ମିଶ୍ର କହିଛନ୍ତି । ଡକ୍ଟର ମିଶ୍ର ଆହୁରି ମଧ୍ୟ କହିଛନ୍ତି, ସେତେବେଳେ ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିଲେ । ତଥ୍ୟ ଅନୁସାରେ ରତ୍ନଭଣ୍ଡାର ଉପରକୁ ଯେତିକି ଅଛି, ତଳକୁ ସେତିକି ରହିଛି । ସେତେବେଳେ ଜଣେ ବ୍ୟକ୍ତିଙ୍କୁ ଶିକାରେ ବସାଇ ତଳ ରତ୍ନଭଣ୍ଡାରକୁ ପଠା ଯାଇଥିଲା । କିଛି ସମୟ ପରେ ଶିକା ହାଲୁକା ଲାଗିଥିଲା । ତା’ପରେ ଏହାକୁ ଉପରକୁ ଆଣିଲା ବେଳେ ଶିକାରେ ଥିବା ଦୁହୁଡି(ମଶାଲ) ଲିଭି ଯାଇଥିଲା ଓ ୨ରୁ ୩ଟି ପାରା ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ହେଲେ ଶିକାରେ ତଳକୁ ଯାଇଥିବା ବ୍ୟକ୍ତି ଜଣଙ୍କ ନଥିଲେ । ଯାହାକୁ ନେଇ ସମସ୍ତେ ଭୟଭୀତ ହୋଇପଡ଼ିଥିଲେ । ତେଣୁ ଆଉ ରତ୍ନଭଣ୍ଡାର ଭିତରକୁ କେହି ଗଲେନାହିଁ ବୋଲି ରବୀନ୍ଦ୍ର ନାରାୟଣ ମିଶ୍ର କହିଥିବା ନେଇ ଡକ୍ଟର ମିଶ୍ର ସୂଚନା ଦେଇଛନ୍ତି । ଆଜି ଯାଇଥିବା କମିଟିର ସଦସ୍ୟମାନେ କେବଳ ତାଲିକା ଅନୁସାରେ ଦ୍ୱିତୀୟ ରତ୍ନଭଣ୍ଡାର ସ୍ଥିତି ପରୀକ୍ଷା କରିପାରିବେ । ସ୍ୱଳ୍ପ ସମୟ ଭିତରେ ଜିନିଷ ମିଳାଇବା ସମ୍ଭବ ନୁହେଁ । ତୃତୀୟ ରତ୍ନଭଣ୍ଡାର ଖୋଲିବା ପାଇଁ ଅନୁମତି ପାଇଛନ୍ତି କି ନାହିଁ ତାହା ମଧ୍ୟ ସନ୍ଦେହ । ତେଣୁ ସେମାନେ ତୃତୀୟ ରତ୍ନଭଣ୍ଡାରକୁ ଯାଇପାରିବେ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Leave a Reply