ତାଳଚେର ସଙ୍କୁଳ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଘାଟିତ


ତାଳଚେର: ତାଳଚେର ବଡଯୋରଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଘାଟିତ ହୋଇଯାଇଛି । ତାଳଚେର ସଙ୍କୁଳ ସଂଯୋଜକ ତଥା ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ହେମନ୍ତ କୁମାର ପ୍ରଧାନଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଡଯୋରଡା, ଆମ୍ବମୁଣ୍ଡା, ନୂଆଁ ଗାଁ, ତାଳଚେର, ଦେଉଳବେଡା, ବିକ୍ରମପୁର, କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୪୮ ଜଣ ଆଚାର୍ଯ୍ୟ,ଆଚାର୍ଯ୍ୟା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ପର୍ଯ୍ୟବେକ୍ଷକ ଭାବରେ କ୍ଷେତ୍ରୀୟ ସଙ୍ଗୀତ ପ୍ରମୁଖ ପି.ମୋହନ ରାଓ ପାତ୍ର ଓ ମୁଖ୍ୟ ବକ୍ତା ଭାବରେ ‘ରାଷ୍ଟ୍ରଦୀପ’ ସାପ୍ତାହିକ ପତ୍ରିକାର ସମ୍ପାଦକ ଚିତରଞ୍ଜନ ମହାପାତ୍ର ଯୋଗ ଦେଇ ଭାରତର ବୈଭବଶାଳୀ ସଂସ୍କୃତି, ପରମ୍ପରା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବରେ ଅନୁଗୋଳ ଜିଲ୍ଲା ପ୍ରମୁଖ ପ୍ରତାପ ଚନ୍ଦ୍ର ଦେହୁରୀ, ସଙ୍କୁଳ ପ୍ରମୁଖ ପ୍ରମୋଦ କୁମାର ମିଶ୍ର, ବଡଯୋରଡା ଶିଶୁମନ୍ଦିରର ସଭାପତି ସୁରେଶ ଚନ୍ଦ୍ର ସାହୁ, ସମ୍ପାଦକ ଗଗନ ବିହାରୀ ସାହୁ ଓ ପ୍ରଧାନାଚାର୍ଯ୍ୟ ଗୌରଚନ୍ଦ୍ର ନନ୍ଦ ପ୍ରମୁଖ ମଂଚାସୀନ ଥିଲେ । ଶିକ୍ଷା ବିକାଶ ସମିତି,ଓଡ଼ିଶାଙ୍କ ଯୋଜନା ଅନୁଯାୟୀ ଏହି କାର୍ଯ୍ୟଶାଳାରେ ପଂଚପଦୀ ଶିକ୍ଷଣ ବ୍ୟବସ୍ଥା ସହ ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ସମ୍ପର୍କରେ ଆଚାର୍ଯ୍ୟ, ଆଚାର୍ଯ୍ୟାମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ତାଳଚେର ସଙ୍କୁଳ ସଂଯୋଜକ ହେମନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *