ଧର୍ମ ପ୍ରଚାରର ସ୍ବାଧୀନତା ଅର୍ଥ ଧର୍ମାନ୍ତରୀକରଣ ନୁହେଁ-ଆହ୍ଲାବାଦ ହାଇକୋର୍ଟ

ସମ୍ବିଧାନରେ ପ୍ରଦତ୍ତ ଧାର୍ମିକ ସ୍ୱାଧୀନତାର ଅଧିକାର ଅର୍ଥ ଅନ୍ୟର ପରିବର୍ତ୍ତନ କରିବାର ଅଧିକାର ନୁହେଁ ବୋଲି ଏକ ଗୁରୁତ୍ୱୂର୍ଣ୍ଣ ମାମଲାରେ ରାୟ ପ୍ରକାଶ କରି ଆହ୍ଲାବାଦ ହାଇକୋର୍ଟ ମତ ଦେଇଛନ୍ତି। ବିଚାରପତି ରୋହିତ ରଞ୍ଜନ ଅଗ୍ରୱାଲଙ୍କୁ ନେ଼ଇ ଗଠିତ ଜଣକିଆ ଖଣ୍ଡପୀଠ ଶ୍ରୀନିବାସ ନାୟକ ବନାମ ଉତ୍ତର ପ୍ରଦେଶ ସରକାର ମାମଲାରେ ଅଭିଯୁକ୍ତ ଶ୍ରୀନିବାସଙ୍କ ଜାମିନ ଆବେଦନର ଶୁଣାଣି କରିଥିଲେ। ଗତକାଲି ସମସ୍ତ ପକ୍ଷର ଯୁକ୍ତି ଶୁଣିବାପରେ ଶ୍ରୀନିବାସଙ୍କ ଗିରଫ ଯୁକ୍ତିଯୁକ୍ତ ଦର୍ଶାଇ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ରାୟରେ ଖଣ୍ଡପୀଠ କହିଛନ୍ତି ଯେ ଭାରତର ସମ୍ବିଧାନ ନିଜ ନିଜ ଧର୍ମର ପ୍ରଚାର, ପାଳନ ଓ ପ୍ରସାର ନିମନ୍ତେ ଅଧିକାର ପ୍ରଦାନ କରିଛି। ଏହା ସମ୍ବିଧାନ ଦ୍ବାରା ପ୍ରଦତ୍ତ ମୌଳିକ ଅଧିକାର କିନ୍ତୁ ଏହି ବିଚାର ଓ ଧାର୍ମିକ ସ୍ୱାଧୀନତାର ଅଧିକାରକୁ ଧର୍ମାନ୍ତରୀକରଣ ନିମନ୍ତେ ଏକ ସାମୂହିକ ଅଧିକାର ଭାବେ ବିସ୍ତାରିତ କରାଯାଇପାରିବ ନାହିଁ। ସମ୍ବିଧାନ କାହାରି ଧର୍ମ ପରିବର୍ତ୍ତନ କରିବାକୁ ଅଧିକାର ଦେଇନାହିଁ। ଧାର୍ମିକ ଅଧିକାର, ଉଭୟ ଧର୍ମ ପରିବର୍ତ୍ତନ କରାଉଥିବା ବ୍ୟକ୍ତି ଓ ପରିବର୍ତ୍ତନ କରୁଥିବା ବ୍ୟକ୍ତି ପାଇଁ ପ୍ରଯୁଜ୍ୟ।

ମାମଲାର ବିବରଣୀରୁ ପ୍ରକାଶ, ଆନ୍ଧ୍ରପ୍ରଦେଶ ନିବାସୀ ରେଭ୍ ଶ୍ରୀନିବାସ ନାୟକ ( ଜନୈକ ଖ୍ରୀଷ୍ଟିଆନ ପ୍ରଚାରକ) ଉତ୍ତରପ୍ରଦେଶର ଏକ ଗ୍ରାମରେ ଅନୁସୂଚିତ ଜାତିର ଲୋକଙ୍କୁ ନେଇ ଏକ ଧର୍ମ ସଭା କରିଥିଲେ। ସେଠାରେ ସେମାନଙ୍କୁ କହିଥିଲେ ଯେ ଯଦି ସେମାନଙ୍କ ଦୁଃଖ ଦୂର କରିବାକୁ ଚାହାଁନ୍ତି ତେବେ ହିନ୍ଦୁ ଧର୍ମ ଛାଡି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ପଡ଼ିବ। ଏହି ଘଟଣା ସଂପର୍କରେ ପୁଲିସରେ ଅଭିଯୋଗ ହେବାପରେ ପୁଲିସ ଶ୍ରୀନିବାସ ଙ୍କୁ ଗିରଫ କରିଥିଲା।

ସୂଚନା ଯୋଗ୍ୟ ଜୁଲାଇ 1ତାରିଖରେ ମଧ୍ୟ ଅନୁରୂପ ଏକ ମାମଲାରେ ଆହ୍ଲାବାଦ ହାଇକୋର୍ଟ ରାୟ ପ୍ରକାଶ କରି କହିଥିଲେ ଯେ ଯଦି ଧର୍ମାନ୍ତରୀକରଣକୁ ପ୍ରଶୟ ଦିଆଯିବ ତେବେ ଏକଦା ଦେଶର ସଂଖ୍ୟାଗରିଷ୍ଠ ଜନତା ସଂଖ୍ୟା ଲଘୁ ହୋଇଯିବ। ଏଣୁ ଏଭଳି ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମ ତୁରନ୍ତ ବନ୍ଦ କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *