ରଥ ଯାତ୍ରା ପାଇଁ ଗଡିବ ୩୧୫ ସ୍ୱତନ୍ତ୍ର ଟ୍ରେନ୍


ଭୁବନେଶ୍ୱର: ରେଳ ମନ୍ତ୍ରଣାଳୟ ୬ ଜୁଲାଇରୁ ୧୯ ଜୁଲାଇ ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ପାଇଁ ପ୍ରଭୁ ଜଗନ୍ନାଥ ରଥ ଯାତ୍ରା ସମୟରେ ପୁରୀକୁ ଏବଂ ପୁରୀ ଠାରୁ ୩୧୫ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା କରିଛି । ପୂର୍ବତଟ ରେଳପଥ ଓଡିଶାର ବିଭିନ୍ନ ସ୍ଥାନ ସହିତ ପଡୋଶୀ ରାଜ୍ୟରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା କରିଛି । ଚଳିତ ବର୍ଷ ଜୁନାଗଡ଼ ରୋଡ, ସମ୍ବଲପୁର, କେନ୍ଦୁଝରଗଡ, ପାରାଦୀପ, ଭଦ୍ରକ, ଅନୁଗୁଳ, ଗୁଣୁପୁର, ବାଙ୍ଗିରିପୋସି ବ୍ୟତୀତ ନୂତନ ଭାବେ ବାଦାମପାହାଡ, ରାଉରକେଲା, ବାଲେଶ୍ୱର, ସୋନପୁର ଏବଂ ଦଶପଲ୍ଲା ଠାରୁ ସ୍ୱତନ୍ତ୍ର ଟ୍ରେନ୍ ପୁରୀକୁ ଚଳାଚଳ କରିବ । ଏହା ବ୍ୟତୀତ ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନା ବେଶ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଯୋଜନା କରାଯାଇଛି । ଚଳିତ ବର୍ଷ ରଥ ଯାତ୍ରାର ଅଧରପଣା ଉତ୍ସବ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ପୂର୍ବତଟ ରେଳପଥ ଯୋଜନା କରିଛି । ଏଗୁଡିକ ବ୍ୟତୀତ, ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରେଳପଥ ପକ୍ଷରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ମଧ୍ୟ ବ୍ୟବସ୍ଥା କରାଯିବ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରଥ ଯାତ୍ରା ସମୟରେ ଯାତ୍ରୀଙ୍କ ଯାତାୟାତ ସୁବିଧା ବ୍ୟତୀତ ଯାତ୍ରୀ ପରିସେବା ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିବାବେଳେ ତୀର୍ଥଯାତ୍ରୀ ତଥା ଭକ୍ତଙ୍କ ପାଇଁ ଉତ୍ତମ ସୁବିଧା ଯୋଗାଇଦେବାକୁ ପୂର୍ବତଟ ରେଳପଥକୁ ପରାମର୍ଶ ଦେଇଛନ୍ତି । ପୂର୍ବତଟ ରେଳ ମହାପ୍ରବନ୍ଧକପରମେଶ୍ୱର ଫୁଙ୍କୱାଲ ଶୁକ୍ରବାର ପୁରୀ ରେଳ ଷ୍ଟେସନରେ ରଥ ଯାତ୍ରା ବ୍ୟବସ୍ଥା ଯାଞ୍ଚ କରି ତୀର୍ଥଯାତ୍ରୀଙ୍କୁ ଦିଆଯାଉଥିବା ସୁବିଧାଗୁଡ଼ିକ ସମ୍ବଧରେ ଅବଗତ ହେବ ସହିତ ରଥ ଯାତ୍ରାର କାର୍ଯ୍ୟସୂଚୀର ବହୁ ପୂର୍ବରୁ ଯାତ୍ରୀ ସୁବିଧା ଉପଲବ୍ଧ କରାଇବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *