Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦିନକୁ ଦିନ ଚାହିଦା ବଢ଼ୁଛି ଘଣାତେଲ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦିନକୁ ଦିନ ଚାହିଦା ବଢ଼ୁଛି ଘଣାତେଲ

ଭୁବନେଶ୍ୱର: ଯୁଗବଦଳିବା ସହ ଲୋକଙ୍କ ଖାଦ୍ୟରେ ମଧ୍ୟ ପରିବର୍ତ୍ତନ ଘଟିଛି । ଲୋକେ ପୁରୁଣାକୁ ଭୁଲି ନୂଆକୁ ଆପଣାଇବାକୁ ଲାଗିଛିନ୍ତି । ଖାଦ୍ୟ ପ୍ରସ୍ତୁତିବେଳେ ରୋଷେଇଶାଳରେ ପ୍ରଥମେ ତେଲ ହିଁ ଖୋଜା ପଡ଼େ । ଆଜିକାଲି ଲୋକେ ସ୍ୱାସ୍ଥ୍ୟ ସଚେତନ ହୋଇ ତେଲ କମ୍ ଖାଉଛନ୍ତି ବା କମ୍ ଖାଇବାକଥା ଚିନ୍ତା କରୁଛନ୍ତି । କିଛି ଲୋକ ବିଦେଶରୁ ଆସୁଥିବା ଅଲିଭ୍ ତେଲ ବି ଖାଇବା ଆରମ୍ଭ କରିଦେଲେଣି । ଇଏ ଗୋଟେ ଟ୍ରେଣ୍ଡ୍ ହୋଇଗଲାଣି । ରାଜଧାନୀରେ ଏବେ ଆଉଗୋଟେ ତେଲ ଲୋକପ୍ରିୟ ହେବାରେ ଲାଗିଛି । ତା’ ହେଉଛି- ଘଣାତେଲ । ଅବଶ୍ୟ କିଛି ବଡ଼ କମ୍ପାନି ତାଙ୍କ ତେଲ ପ୍ୟାକେଟ ବା ବୋତଲ ଉପରେ ‘ଘଣାତେଲ’ ବୋଲି ଲେଖୁଛନ୍ତି । କିନ୍ତୁ କିଛି ଲୋକ ନିଜ ଆଖିଆଗରେ ଘଣାରେ ପେଡ଼ା ହେଉଥିବା ତେଲକୁ ଅଧିକ ପସନ୍ଦ କରୁଛନ୍ତି । ଯଦିଓ ଏଥିପାଇଁ କିଛି ଅଧିକ ଦାମ୍ ଦେବାକୁ ପଡ଼ୁଛି । ରାଜଧାନୀରେ ରୂପାଲି ଛକ, ଡମଣା, ଜାଗମରା, ପଟିଆ, ଲୁଇସ୍ ରୋଡ୍‌, ଆଇଗିଣିଆ, ବରମୁଣ୍ଡା, ନଖରା, ପଳାସୁଣି, ସିଆରପି, କେଶୁରା ଆଦି ସ୍ଥାନରେ ପାଖାପାଖି ୧୦୦ଟି ସ୍ଥାନରେ ଯନ୍ତ୍ରଚାଳିତ ଘଣା ପଡ଼ିଛି ବୋଲି ଜଣେ ବ୍ୟବସାୟୀ କହିଛନ୍ତି । ସେଠାରେ ସୋରିଷ ପେଡ଼ା ହେବା ସହ ଜଡ଼ା, ନଡ଼ିଆ, କରଞ୍ଜ, ରାଶି, ନିମ୍ବ, ସୂର୍ଯ୍ୟମୁଖୀ, ଚିନାବାଦାମ, ଜଡ଼ା, କଳାଜିରା, କଦମ୍ବ ଆଦି ପ୍ରାୟ ୨୦ ପ୍ରକାର ତୈଳବୀଜ ପେଡ଼ା ହେଉଛି । ଗ୍ରାହକମାନେ ମଧ୍ୟ ନିଜେ ଆଣିଥିବା ବୀଜ ସେଠାରେ ପେଡ଼ି ପାରୁଛନ୍ତି । ଗ୍ରାହକ ଆଗରେ ଘଣାରୁ ତେଲ ବାହାରୁଛି ଓ ଖାଣ୍ଟିତେଲ କିଣି ଗ୍ରାହକ ଖୁସିରେ ନେଇଯାଉଛନ୍ତି । ରୂପାଲି ଛକ ପାଖରେ ଥିବା ଆସ୍ଥା ଘଣାତେଲର ମାଲିକ ମାନଗୋବିନ୍ଦ ଶତପଥୀ କହନ୍ତି, ୭ବର୍ଷ ହେଲା ସେ ଏହି ଘଣା ପକାଇଛନ୍ତି । ୨୦ କିଲୋଗ୍ରାମ୍ କ୍ଷମତାର ମେସିନର ଦାମ୍ ୩ଲକ୍ଷ ୩୦ ହଜାର ଟଙ୍କା । ତାଙ୍କ ପାଖରେ ଏମିତି ୩ଟି ଯନ୍ତ୍ରଚାଳିତ ଘଣା ଅଛି । ସେ ସେଠାରେ ନିଜେ କାମ କରନ୍ତି, ସହାଯ୍ୟ କରିବାଲାଗି ଆଉଜଣେ ଅଛନ୍ତି । ଶୀତଦିନରେ ଘଣାତେଲ ଲୋକେ ଅଧିକ ନିଅନ୍ତି ବୋଲି ସେ କହନ୍ତି । ଚାହିଦା ବଢ଼ିବାରୁ ଏବେ କେଶୁରାରେ ମଧ୍ୟ ଆଉ ଏକ ଦୋକାନ ଖୋଲିଛନ୍ତି । ଦୁଇଟି ଦୋକାନରେ ଦୈନିକ ପ୍ରାୟ ୧୫୦ ଲିଟର ତେଲ ବିକ୍ରି ହେଉଛି । ସେଥିରୁ ଶତକଡ଼ା ୮୦ ଭାଗ ସୋରିଷ ତେଲ । ତାଙ୍କ ହିସାବ ଅନୁସାରେ, ୧କେଜି ସୋରିଷ ପେଡ଼ିଲେ ସେଥିରୁ ୩୫୦ ଗ୍ରାମ୍ ତେଲ ବାହାରିଥାଏ । ତେଣୁ ପ୍ରାୟ ଅଢ଼େଇ କେଜି ସୋରିଷରୁ ୧ଲିଟର ତେଲ ବାହାରିଥାଏ । ପେଡ଼ା ମଜୁରି ସହ ହିସାବ କଲେ ଏକ କେଜି ସୋରିଷ ତେଲ ପାଇଁ ୩୨୦ରୁ ୩୨୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ଏହା ବଜାରରେ ମିଳୁଥିବା ସାଧାରଣ ସୋରିଷ ତେଲର ଦରଠାରୁ ବେଶ୍ ଅଧିକ ନିଶ୍ଚୟ । କିନ୍ତୁ କିଛି ଲୋକ ଏହାକୁ ଖୋଜି ଖୋଜି କିଣୁଛନ୍ତି । ଡମଣା ଅଞ୍ଚଳରେ ଘଣା ସ୍ଥାପନ କରିଥିବା ଅନିରୁଦ୍ଧ ସାସମଲ କହିଲେ, କମ୍ପାନିର ପ୍ୟାକେଟ୍ ତେଲର ଦାମ୍ କମ୍ ଥିବାରୁ ଲୋକେ ସେଥିପ୍ରତି ଆଗ୍ରହ କଲେ । କିନ୍ତୁ ବର୍ତ୍ତମାନ ଘଣାତେଲ ପ୍ରତି ଆଗ୍ରହ ବଢ଼ୁଛି । କିଛି ଲୋକ ଏତିପାଇଁ ଅଧିକ ଟଙ୍କା ଦେବାକୁ ମଧ୍ୟ ରାଜି ଅଛନ୍ତି । ଏବେ କିଛି ବ୍ୟବସାୟୀ ଛୋଟ ଗାଡ଼ିରେ ମେସିନ୍ ତେଲଘଣାକୁ ନେଇ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲିବୁଲି ତେଲ ପେଡ଼ିବା ଦେଖିବାକୁ ମିଳୁଛି ।

Leave a Reply