Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏନ୍‌ଟିଏରେ ଆସିବ ସଂସ୍କାର-୭ଜଣିଆ ହାଇଲେବୁଲ କମିଟି ଗଠିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏନ୍‌ଟିଏରେ ଆସିବ ସଂସ୍କାର-୭ଜଣିଆ ହାଇଲେବୁଲ କମିଟି ଗଠିତ

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଆୟୋଜନ ସଂସ୍ଥା (ଏନଟିଏ) ମାଧ୍ୟମରେ ପାରଦର୍ଶୀ, ସୁଗମ ଓ ସ୍ୱଚ୍ଛ ଭାବେ ପରୀକ୍ଷା ଆୟୋଜନ ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୭ଜଣ ବିଶେଷଜ୍ଞଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ସେମାନେ ପରୀକ୍ଷା ପ୍ରକ୍ରିୟାର ବ୍ୟବସ୍ଥାରେ ସଂସ୍କାର, ଡାଟା ସୁରକ୍ଷା ପ୍ରୋଟକଲରେ ସୁଧାର, ଏନଟିଏର ଢାଞ୍ଚା ଓ ପରିଚାଳନାରେ ଉନ୍ନତି ଆଣିବାନିମନ୍ତେ ରିପୋର୍ଟ ଦାଖଲ କରିବେ । ଦୁଇମାସ ମଧ୍ୟରେ କମିଟି ରିପୋର୍ଟ ଦେବ ବୋଲି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ନିଟ୍ ପେପର ଲିକ୍ ଘଟଣାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଶନିବାର ଶିକ୍ଷା ମନ୍ତ୍ରଣାଳୟ ଏହି କମିଟି ଗଠନ କରିଛି । ଏହି କମିଟିର ଅଧ୍ୟକ୍ଷ ରହିବେ ଇସ୍ରୋର ପୂର୍ବତନ ମୁଖ୍ୟ ଡକ୍ଟର କେ.ରାଧାକ୍ରିଷ୍ଣନ । ସେହିପରି କମିଟିର ଅନ୍ୟ ସଦସ୍ୟମାନେ ହେଲେ ଏମ୍ସର ପୂର୍ବତନ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ, ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବି.ଜେ.ରାଓ, ଆଇଆଇଟି ମାଡ୍ରାସର ସିଭିଲ ଇଞ୍ଜିନିୟରିଂ ବିଭାଗର ପୂର୍ବତନ ପ୍ରଫେସର ରାମମୂର୍ତ୍ତି କେ, ପିପୁଲ ଷ୍ଟ୍ରଙ୍ଗ୍‌ର ସହ ପ୍ରତିଷ୍ଠାତା ଓ କର୍ମଯୋଗୀ ଭାରତର ସଦସ୍ୟ ପଙ୍କଜ ବଂଶଲ, ଆଇଆଇଟି ଦିଲ୍ଲୀ ଶିକ୍ଷାର୍ଥୀ ବ୍ୟାପାରର ଡିନ୍ ଆଦିତ୍ୟ ମିତ୍ତଲ ଏବଂ ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଗୋବିନ୍ଦ ଜୟସ୍ୱାଲ । ଏହି କମିଟି ସ୍ୱଚ୍ଛ, ନିରପେକ୍ଷ ଓ ସରଳ ଭାବେ ବିଭିନ୍ନ ଜାତୀୟ ସ୍ତରୀୟ ପରୀକ୍ଷା ପାଇଁ ମତାମତ ଦେବେ । ଅନ୍ୟପକ୍ଷରେ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତଦନ୍ତକାରୀ ସଂସ୍ଥାକୁ ଏକ ବଡ଼ଧରଣର ସଫଳତା ମିଳିଛି । ପ୍ରଶ୍ନପତ୍ର ଲିକ୍ ପଛରେ ଥିବା ମାଷ୍ଟରମାଇଣ୍ଡ ରବି ଅତ୍ରିକୁ ଉତ୍ତରପ୍ରଦେଶ ଏସଟିଏଫ ଗିରଫ କରିଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ହୋଇଥିବା ଏହି ବିରାଟ ଘୋଟଲା ପଛରେ ରବିର ବଡ଼ ହାତ ରହିଛି । ସେ ଜଣେ ଡାକ୍ତରୀ ଛାତ୍ର । ୨୦୦୭ରେ ସେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ରାଜସ୍ଥାନ କୋଟାରେ ନିଜକୁ ପ୍ରସ୍ତୁତ କରୁଥିଲେ । ୫ ବର୍ଷ ପରେ ଅର୍ଥାତ ୨୦୧୨ରେ ସେ ଏଣ୍ଟ୍ରାସ କ୍ଲିଅର କରିଥିଲେ ଏବଂ ରୋହତକରେ ଆଡମିଶନକରିଥିଲେ । କିନ୍ତୁ ସେ ଚତୁର୍ଥବର୍ଷ ପାଠ୍ୟକ୍ରମ ଶେଷ ନ କରି ପରୀକ୍ଷା ମାଫିଆ ବନି ଯାଇଥିଲେ । ସେ ଏହି ପ୍ରଶ୍ନପତ୍ର ଲିକ୍‌ରେ ମୁଖ୍ୟ ଭୂମିକା ତୁଲାଇଥିବା ଏସ୍‌ଟିଏଫ କହିଛି । ତେବେ ପ୍ରଶ୍ନପତ୍ର ଲିକ୍ ମାମଲା ଓ ନିଟ୍ ଏବଂ ନେଟ୍ ପରୀକ୍ଷା ପରିଚାଳନାରେ ବିଭ୍ରାଟ ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ମହାନିର୍ଦ୍ଦେଶକ ସୁବୋଧ କୁମାର ସିଂଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ବରିଷ୍ଠ ଆଇଏଏସ୍ ପ୍ରଦୀପ ସିଂ ଖାରୋଲଙ୍କୁ ଏନଟିଏ ଡିଜି ଭାବେ ନିଯୁକ୍ତି ଦିଆଯାଇଛି ।

Leave a Reply