ଗୁଆମାଳରୁ ଗୋମାଂସ ଜବତ, ଜଣେ ଗିରଫ

ଭଦ୍ରକ: ଭଦ୍ରକ ଜିଲା ତିହିଡ଼ି ଥାନା ଗୁଆମାଳ ପଞ୍ଚାୟତ ଅଧୀନ ମୋଡ଼ସାହି ଛକ ନିକଟରୁ ପୁଲିସ ଗୋମାଂସ ଜବତ କରିବା ସହିତ ଜଣେ ଯୁବକକୁ ଗରିଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ପୁଲିସ କେଶ ନଂ ୨୮୮ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି । ଅଭିଯୋଗରୁ ପ୍ରକାଶ ଯେ, ବୁଧବାର ରାତି ୯ଟା ସମୟରେ ଗୁଜିଦରଡ଼ା ଅଞ୍ଚଳରୁ ୨ଜଣ ଯୁବକ ବାଇକ୍ ଯୋଗେ ଏକ ବସ୍ତାରେ ଗୋମାଂସ ନେଇ ଆସୁଥିଲେ । ଗୁଆମାଳ ମୋଡ଼ସାହି ଛକରେ ଗୋମାଂସ ବୋଝେଇ ବସ୍ତାଟି ଖସି ପଡ଼ିଥିଲା । ସେଠାରେ ଥିବା ସ୍ଥାନୀୟ କିଛି ଲୋକ ସନ୍ଦେହ କରି ବସ୍ତାରେ କ’ଣ ଅଛି ବୋଲି ଯୁବକଙ୍କୁ ପଚାରିଥିଲେ । ସେହି ବସ୍ତାରେ ଗୋମାଂସ ଥିବା ଲୋକମାନେ ଜାଣିବାକୁ ପାଇଥିଲେ । ସେହି ସମୟରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ । ତତ୍‌କ୍ଷଣାତ୍ ପୁଲିସ ମୋଡ଼ସାହି ଛକରେ ପହଞ୍ôଚ ବସ୍ତାରେ ବୋଝେଇ ହୋଇଥିବା ଗୋମାଂସକୁ ଜବତ କରିବା ସହିତ ଗୋମାଂସ ନେଇ ଯାଉଥିବା ଗୁଜିଦରଡ଼ା ଗ୍ରାମର ମହାଜିଦ୍ ଓରଫ୍ ସଲାଉଦ୍ଦୀନ ଖାଁ (୨୪) ନାମକ ଯୁବକକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଯୁବକ ବାଇକ୍ ନେଇ ଖସି ପଳାଇଯାଇଥିଲା ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି । ତେବେ ପ୍ରାଣୀ ଚିକିତ୍ସାଧିକାରୀଙ୍କ ଉପସ୍ଥିତିରେ ଗୋମାଂସକୁ ଜବତ କରାଯାଇ ନମୁନାକୁ ଭୁବନେଶ୍ୱର ବିଜ୍ଞାନାଗାରକୁ ପଠାଯାଇଥିବା ଜଣାପଡ଼ିଛି । ତିହିଡ଼ି ଥାନା ଆଇଆଇସି ପ୍ରସନ୍ନ କୁମାର ନାୟକ ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପଦକ୍ଷେପ ନେଇ ନଥିଲେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ସମ୍ଭାବନା ଥିବା କୁହାଯାଇଛି ।

Leave a Reply

Your email address will not be published. Required fields are marked *