Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଗାମୀ କ୍ୟାବିନେଟ୍ ବୈଠକରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାର କମିଶନ ରିପୋର୍ଟ ଉପସ୍ଥାପନ କରାଯିବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଗାମୀ କ୍ୟାବିନେଟ୍ ବୈଠକରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାର କମିଶନ ରିପୋର୍ଟ ଉପସ୍ଥାପନ କରାଯିବ

ପୁରୀ, କଟକ, : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ରିପୋର୍ଟ ସାର୍ବଜନୀନ ହେବ । ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚାବି ହଜିବା ପ୍ରସଙ୍ଗର ତଦନ୍ତ ଜଷ୍ଟିସ ରଘୁବୀର ଦାସ କମିଶନ କରିଥିଲେ । ଏହି ରିପୋର୍ଟ ଏବେ ସାର୍ବଜନୀନ ହେବ । ଏନେଇ ବୁଧବାର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ରାଜ୍ୟ ସରକାର । ଆଗାମୀ କ୍ୟାବିନେଟ୍ ବୈଠକରେ ରିପୋର୍ଟ ଉପସ୍ଥାପନ ହେବ ବୋଲି ଜଣାପଡ଼ିଛି । ସେହିପରି ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ପୂରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । କେଉଁ ପରିସ୍ଥିତିରେ ଚାବି ହଜିଲା, ତା’ର ତଦନ୍ତ ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରାଯାଇଥିଲା । କମିଶନ ତଦନ୍ତ କରିବା ପରେ ନିର୍ଦ୍ଧାରିତ ସମୟରେ ତାଙ୍କ ରିପୋର୍ଟ ଦାଖଲ କରିଥିଲେ । କୋର୍ଟ ଅଫ୍ ଇନକ୍ୱାରୀ ଆକ୍ଟ ଅନୁସାରେ, ରିପୋର୍ଟକୁ ସାର୍ବଜନୀନ କରିବାର ଆବଶ୍ୟକ ରହିଛି । ଅର୍ଥାତ ଏହା ରାଜ୍ୟ ବିଧାନସଭାରେ ଉପସ୍ଥାପନ ହେବା କଥା । କିନ୍ତୁ ପୂର୍ବରୁ କ୍ଷମତାରେ ଥିବା ବିଜେଡି ସରକାର ଏହା ଉପରେ କୌଣସି ପ୍ରକାରର ପଦକ୍ଷେପ ନେଇନଥିଲେ । ତେଣୁ ରାଜ୍ୟବ୍ୟାପୀ ପ୍ରବଳ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଶେଷରେ ହାଇକୋର୍ଟରେ ମାମଲା ପହଞ୍ଚିଥିଲା । ସ୍ୱେଚ୍ଛାସେବୀ ଦିଲୀପ ବରାଳ ଏନେଇ ହାଇକୋର୍ଟରେ ମାମଲା କରିଥିଲେ । ଗତ ଏପ୍ରିଲ ମାସ ୫ତାରିଖରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଗୋଟିଏ ସତ୍ୟପାଠ ଦାଖଲ କରି କହିଥିଲା ଯେ ଖୁବ୍‌ଶୀଘ୍ର ନିର୍ବାଚନ ହେବାକୁ ଯାଉଛି ଓ ଜୁନ୍ ମାସରେ ନୂଆ ସରକାର ଗଠନ ହେବ । ଏହାପରେ ନୂଆ ସରକାରର ପ୍ରଥମ କ୍ୟାବିନେଟ୍ ବୈଠକରେ ରିପୋର୍ଟକୁ ଉପସ୍ଥାପନ କରି ସାର୍ବଜନୀନ କରାଯିବ । ସତ୍ୟପାଠ ଏପ୍ରିଲ ୫ରେ ଦାଖଲ କରାଯାଇଥିଲେ ହେଁ ଏଯାଏ ମାମଲାର ଶୁଣାଣି ହୋଇନଥିଲା । ବୁଧବାର ପୁନଃ ଶୁଣାଣି ବେଳେ ଆବେଦନକାରୀଙ୍କ ଓକିଲ କହିଥିଲେ ଯେ ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ ଶେଷ ହୋଇଥିଲେ ହେଁ ସତ୍ୟପାଠ ଅନୁସାରେ ରିପୋର୍ଟ ସାର୍ବଜନୀନ କରାଯାଇ ନାହିଁ । ଏହାପରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଓକିଲଙ୍କୁ ଏନେଇ ପ୍ରଶ୍ନ କରିଥିଲେ । ଏହାର ଜବାବରେ ସରକାରୀ ଓକିଲ କହିଛନ୍ତି ଯେ ଆଗାମୀ କ୍ୟାବିନେଟ୍ ବୈଠକରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାର କମିଶନ ରିପୋର୍ଟ ଉପସ୍ଥାପନ କରାଯିବ । ସରକାର ଦୁଇଥର ହାଇକୋର୍ଟଙ୍କୁ ରିପୋର୍ଟ ସାର୍ବଜନୀନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଆଗାମୀ ଦିନରେ କେଉଁ ପରିସ୍ଥିତିରେ ଚାବି ହଜିଥିଲା, ସେକଥା ପୂରା ରାଜ୍ୟବାସୀ ଜାଣିବାକୁ ସକ୍ଷମ ହେବେ । ରିପୋର୍ଟ ଆସିବା ପରେ ସମ୍ଭବତଃ ସରକାର କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି । ରତ୍ନଭଣ୍ଡାର ଖୋଲିବାପାଇଁ ବିଜେପି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିବାରୁ ନୂଆ ସରକାର ଏହାକୁ ନିଶ୍ଚିତ ପାଳନ କରିବେ ବୋଲି ଆଲୋଚନା ହେଉଛି ।

Leave a Reply