Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମ୍ମିଳିତ ପ୍ରୟାସ ଆଗାମୀ ସମୟକୁ ସବୁଜ ଯୁଗ କରିବ’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମ୍ମିଳିତ ପ୍ରୟାସ ଆଗାମୀ ସମୟକୁ ସବୁଜ ଯୁଗ କରିବ’

ରୋମ୍ : ଜଳବାୟୁ ପରିବର୍ତ୍ତନକୁ ନେଇ ସମଗ୍ର ବିଶ୍ୱ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାବେଳେ ଏହାକୁ ରୋକିବା ଲାଗି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସମୁଦାୟଙ୍କୁ ନିବେଦନ କରିଛନ୍ତି । ଇଟାଲୀର ଆପୁଲିଆ ଠାରେ ଚାଲିଥିବା ଜି-୭ ସମ୍ମିଳନୀକୁ ଶୁକ୍ରବାର ସମ୍ବୋଧନ କାଳରେ ମୋଦୀ କହିଛନ୍ତି ଯେ ଆମ ସମସ୍ତଙ୍କର ସମ୍ମିଳିତ ଉଦ୍ୟମ ଆଗାମୀ ସମୟକୁ ସବୁଜ ଯୁଗ କରିପାରିବ । ଅଙ୍ଗାରକାମ୍ଳ ନିର୍ଗମନକୁ ଶୂନ କରିବା ଲାଗି ଭାରତ ଏହାର ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ କରୁଥିବା ମୋଦୀ କହିଛନ୍ତି । ୨୦୭୦ ସୁଦ୍ଧା ଭାରତ ଏହାର ଅଙ୍ଗାରକାମ୍ଳ ନିର୍ଗମନକୁ ଶୂନ କରିବା ଲକ୍ଷ୍ୟ ରଖିଛି । ମୋଦୀ କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତା (ଏଆଇ)କୁ ନେଇ ଜାତୀୟ ରଣନୀତିରେ ପ୍ରସ୍ତୁତ କରିବାରେ ଭାରତ ବିଶ୍ୱର ଅନ୍ୟତମ ରାଷ୍ଟ୍ର । ବୈଷୟିକ ଜ୍ଞାନକୌଶଳର ସକାରାତ୍ମକ ଉପଯୋଗ ପୂର୍ବକ ଏହାର ଗଣତାନ୍ତ୍ରିକରଣକୁ ଭାରତ ଗୁରୁତ୍ୱ ଦେଇ ଆସୁଛି । ସମାଜରେ ଅସମାନତାକୁ ଦୂର ପୂର୍ବକ ବୈଷୟିକ ଜ୍ଞାନକୌଶଳର ଲାଭ ସମାଜର ପ୍ରତିଟି ବର୍ଗର ଲୋକେ କିପରି ପାଇଁ ପାରିବେ ସେଥିଲାଗି ଭାରତ ସରକାର ଉଦ୍ୟମ କରୁଛନ୍ତି । ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଇଟାଲୀ ପ୍ରତିପକ୍ଷ ଜିଓର୍ଜିଆ ମେଲୋନୀ ସ୍ୱାଗତ କରିଥିଲେ । ଏହା ପୂର୍ବରୁ ମୋଦୀ ପୋପ୍ ଫ୍ରାନସିସ୍ ଓ ବିଶ୍ୱର ଅନ୍ୟ ନେତାଙ୍କ ସହିତ ଦ୍ୱିପାକ୍ଷିକ କଥାବାର୍ତ୍ତା କରିଥିଲେ । ଜି-୭ ସମ୍ମିଳନୀର ଦ୍ୱିତୀୟ ଦିନରେ ବିଶ୍ୱ ଶାନ୍ତି ପ୍ରତିଷ୍ଠା ଲାଗି ରୁଷ୍‌ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସମ୍ମିଳନୀରେ ଯୋଗ ଦେଇଥିବା ବିଶ୍ୱ ନେତାମାନେ ଯୁଦ୍ଧରେ ଚୀନର ପ୍ରୋତ୍ସାହନକୁ ନାପସନ୍ଦ କରିଛନ୍ତି । ଯୁଦ୍ଧ ଲାଗି ରୁଷ୍‌କୁ ଚୀନ ଅସ୍ତ୍ରଶସ୍ତ୍ର ଯୋଗାଇ ଆସୁଥିବାବେଳେ ଏହାକୁ ବନ୍ଦ କରିବା ଲାଗି ବିଶ୍ୱନେତା ନିବେଦନ କରିଛନ୍ତି । ସମ୍ମିଳନୀର ଚିଠା ପ୍ରସ୍ତାବରେ ଚୀନକୁ ଏହାର ବ୍ୟାବସାୟିକ ମନୋଭାବ ଦୂର କରିବା ପୂର୍ବକ ରୁଷ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ କୁହାଯାଇଛି । ରୁଷ୍‌କୁ ଚୀନ ଅସ୍ତ୍ରଶସ୍ତ୍ର ବିକ୍ରି କରି ଯେଉଁ ବ୍ୟବସାୟ ଚଳାଇଛି ତାକୁ ଜି-୭ ରାଷ୍ଟ୍ର ନେତା ଅନୈତିକ ଦର୍ଶାଇଛନ୍ତି । ଆଗାମୀ ଦିନରେ ଚୀନ ଯଦି ଏହି ଅନୈତିକ ବ୍ୟାବସାୟିକ କାରବାରରୁ ଦୂରେଇ ନ ରୁହେ ତେବେ ଏହା ଉପରେ କଟକଣା ଲାଗୁ କରାଯିବ ବୋଲି ବିଶ୍ୱ ନେତା ଚେତାବନୀ ଦେଇଛନ୍ତି । ଅନ୍ୟପଟେ ରୁଷ୍ ଉପରେ ଅତିରିକ୍ତ କଟକଣା ଲାଗୁ କରିବାକୁ ଜି-୭ ରାଷ୍ଟ୍ରନେତାମାନେ ନିଷ୍ପତ୍ତି ନେଇଛନ୍ତି । ଏପରିକି ରୁଷ୍ ଠାରୁ ଯେଉଁସବୁ ରାଷ୍ଟ୍ର ତୈଳ ଆମଦାନୀ କରୁଛନ୍ତି ସେମାନଙ୍କ ଉପରେ ମଧ୍ୟ ଜି-୭ କଟକଣା ଲାଗୁ କରିବ । ଯୁଦ୍ଧ ଦ୍ୱାରା ୟୁକ୍ରେନ ଆର୍ôଥକ ଦୁଃସ୍ଥିତିର ସମ୍ମୁଖୀନ ହୋଇଥିବା ୟୁକ୍ରେନକୁ ୫୦୦ କୋଟି ଡଲାର ଋଣ ଯୋଗାଇ ଦେବାକୁ ଜି-୭ ରାଷ୍ଟ୍ରନେତାମାନେ ସମ୍ମତି ପ୍ରକାଶ କରିଛନ୍ତି । ଯୁଦ୍ଧ ଯୋଗୁଁ ରୁଷ୍‌ର ସମ୍ପତ୍ତି ଜବତରୁ ମିଳିଥିବା ଅର୍ଥକୁ ୟୁକ୍ରେନକୁ ଋଣ ଆକାରରେ ପ୍ରଦାନ କରାଯିବ । ୟୁକ୍ରେନ ଉପରେ ରୁଷ୍‌ର ସାମରିକ ଅଭିଯାନ ପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ମସ୍କୋ ଉପରେ ବିଭିନ୍ନ କଟକଣା ଲାଗୁ କରିବା ସହିତ ଏହାର ସମ୍ପତ୍ତି ସବୁକୁ ଜବତ କରିଥିଲେ । ଜି୭ ରାଷ୍ଟ୍ରଗୁଡିକ ଆଜି ଇରାନକୁ ଦେଇଥିବା ଚେତାବନୀରେ ପରମାଣୁ ଅସ୍ତ୍ର ତିଆରି କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ କହିଛନ୍ତି । ଏହା ସହିତ ଇରାନ ଯଦି ରୁଷ୍‌କୁ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଯୋଗାଇବ ତେବେ ଏହା ଜି-୭ ରାଷ୍ଟ୍ରର କଟକଣାର ସମ୍ମୁଖୀନ ହେବ । ଯୁଦ୍ଧ ବ୍ୟତୀତ ବିଶ୍ୱ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ ଲାଗି ଜି-୭ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ଜି-୭ ରାଷ୍ଟ୍ରଗୁଡିକ ଜୀବାଷ୍ମ ଇନ୍ଧନ ଉପଯୋଗକୁ ହ୍ରାସ କରିବା ଲାଗି ଗୁରୁତ୍ୱ ଦେଇଛନ୍ତି । କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଓ ଆମେରିକା ଜି-୭ ରାଷ୍ଟ୍ର ସଦସ୍ୟ ଥିବାବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ କେତେକ ରାଷ୍ଟ୍ରର ନେତା ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଛନ୍ତି । ଜି-୭ ରାଷ୍ଟ୍ର ପକ୍ଷରୁ ୟୁକ୍ରେନ ପାଇଁ ଘୋଷଣା କରାଯାଇଥିବା ୫୦୦ କୋଟି ଡଲାରର ସହାୟତାକୁ ନେଇ ରୁଷ୍ ପ୍ରତିକ୍ରିୟା ପ୍ରକାଶ କରିଛି । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଜି-୭ ରାଷ୍ଟ୍ର ୟୁକ୍ରେନ ପାଇଁ ଯେଉଁ ସହାୟତା ଘୋଷଣା କରିଛନ୍ତି ତାହା ଏକ ଚୋରି । ଏହା ଏକ ଅପରାଧ । ଏହା ବିରୋଧରେ ରୁଷ୍ କାର୍ଯ୍ୟାନୁଷ୍ଠାନ ନେବ । ଜି-୭ ସମ୍ମିଳନୀରେ ଯୋଗ ଦେଇଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମିର ଜେଲେନସ୍କିଙ୍କ ସହିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୧୦ବର୍ଷିଆ ସୁରକ୍ଷା ବୁଝାମଣା ସ୍ୱାକ୍ଷର କରିଛନ୍ତି । ବୁଝାମଣା ଅନୁଯାୟୀ ୟୁକ୍ରେନକୁ ଆମେରିକା ସେନା ସାମରିକ ପ୍ରଶିକ୍ଷଣ ଓ ସହାୟତା ଯୋଗାଇ ଦେବ ।

Leave a Reply