କଟକ/ ଭୁବନେଶ୍ୱର,୧୪/୬:ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡ଼ିଶା ପୂର୍ବର ସଂଘଶିକ୍ଷା ବର୍ଗ (ସାମାନ୍ୟ) ୧୫ ଦିବସୀୟ ପ୍ରଶିକ୍ଷଣ ବର୍ଗ କଟକ ଗତିରାଉତ ପାଟଣା ସ୍ଥିତ ଶିଶୁବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହେଉଅଛି । ଏହି ପ୍ରଶିକ୍ଷଣ ବର୍ଗରେ ଓଡ଼ିଶାର ୧୯ଟି ଜିଲ୍ଲା ଓ ୨ଟି ମହାନଗରରୁ ଭାଗ ନେଇଥିବା ୨୫୯ ଜଣ ପ୍ରଶିକ୍ଷାର୍ଥୀ, ୩୦ ଜଣ ଶିକ୍ଷକ, ୩୦ ଜଣ ପ୍ରବନ୍ଧକ ଏବଂ ସଂଘର କ୍ଷେତ୍ର ଓ ପ୍ରାନ୍ତ ଅଧିକାରୀମାନଙ୍କ ଏକ ଭବ୍ୟ ପଥ ସଂଚଳନ ଅନୁଷ୍ଠିତ ହୋଇ ଯାଇଛି । ଏହି ପଥସଂଚଳନଟି ଗତିରାଉତ ପାଟଣା ସ୍ଥିତ ଶିଶୁବିଦ୍ୟାମନ୍ଦିର ପରିସରରୁ ବାହାରି ଡିଏଲ ପେଟ୍ରୋଲ ପମ୍ପ, କଟକ-ପାରାଦୀପ ଜାତୀୟ ରାଜପଥ ଦେଇ ଜଗନ୍ନାଥ ମନ୍ଦିର ନିକଟରେ ପହଁଚିଥିଲେ । ସେଠାରୁ ପୁଣି ନଦୀବନ୍ଧ ରାସ୍ତା ଦେଇ ପ୍ରଶିକ୍ଷଣ ସ୍ଥଳରେ ପହଁଚିଥିଲା । ପଥ ମଧ୍ୟରେ ସ୍ଥାନୀୟ ମହିଳା, ପୁରୁଷ ଓ ଶୁଭେଚ୍ଛୁ ପରିବାର ବର୍ଗମାନେ ବିଭିନ୍ନ ସ୍ଥାନରେ ପଥ ସଂଚଳନରେ ଯାଉଥିବା ସ୍ୱୟଂସେବକମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପଥ ସଂଚଳନରେ ଘୋଷ ବାଦ୍ୟ ସବୁଠାରୁ ଆକର୍ଷଣୀୟ ଥିଲା । ପ୍ରତିବର୍ଷ ସଂଘଶିକ୍ଷା ବର୍ଗରେ ଏହି ପଥସଂଚଳନ ଅନୁଷ୍ଠିତ ହୋଇଥାଏ । ପ୍ରତିବର୍ଷ ସଂଘଶିକ୍ଷା ବର୍ଗରେ ଶିକ୍ଷା ଦିଆଯାଉଥିବା ଘୋଷବାଦ୍ୟକୁ ଶିକ୍ଷାର୍ଥୀମାନେ ବାଦନ କରିବା ସହିତ ପଥ ସଂଚଳନ କାର୍ଯ୍ୟକ୍ରମରେ ଭାଗନେଇଥାନ୍ତି । ଏହି ପଥସଂଚଳନରେ ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଆଦରଣୀୟ ସୁନୀଲପଦ ଗୋସ୍ୱାମୀ, ସହକ୍ଷେତ୍ର ପ୍ରଚାରକ ଜଗଦୀଶ ପ୍ରସାଦ ଖାଡଙ୍ଗା, ପ୍ରାନ୍ତ ପ୍ରଚାରକ ବିପିନ ପ୍ରସାଦ ନନ୍ଦ, ପ୍ରାନ୍ତ କାର୍ଯ୍ୟବାହ ଡ.ଅନୀଲ କୁମାର ମିଶ୍ର, ବର୍ଗର ସର୍ବାଧିକାରୀ ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ମନୋରଞ୍ଜନ ସାହୁ, ବର୍ଗକାର୍ଯ୍ୟବାହ ରବି ନାରାୟଣ ପଣ୍ଡା ପ୍ରମୁଖ ଭାଗନେଇଥିଲେ ।
ଏହି ବର୍ଗର ସମାରୋପ କାର୍ଯ୍ୟକ୍ରମ ଚଳିତ ମାସ ୧୭ ତାରିଖ ସୋମବାର ଦିନ ଅପରାହ୍ନ ଘ.୫.୩୦ମି. ସମୟରେ ଅନୁଷ୍ଠିତ ହେବ । ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ଶାରୀରିକ ଓ ଘୋଷ ପ୍ରଦର୍ଶନ ସହିତ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହେବ । ଏହି ସଭାରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ,କଟକର କୁଳପତି ବି.ଆର.ଶର୍ମା ମୁଖ୍ୟ ଅତିଥି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବର ସହପ୍ରାନ୍ତ କାର୍ଯ୍ୟବାହ ଶ୍ରୀ ରବିନାରାୟଣ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେବେ । ଏହି ସଭାରେ ଅଧିକ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହିବା ପାଇଁ ବର୍ଗ ସର୍ବାଧିକାରୀ ଶ୍ରୀ ମନୋରଂଜନ ସାହୁ ନିବେଦନ କରିଛନ୍ତି ।





Share