ପରିକ୍ରମା ପ୍ରକଳ୍ପ: ୨୦ ପୁରାତନ ମଠ ନିଶ୍ଚିହ

ପୁରୀ: ପରିକ୍ରମା ପ୍ରକଳ୍ପ ଆଳରେ ନିଶ୍ଚିହ୍ନ ହୋଇଛି ପୁରାତନ ଐତିହ୍ୟ । ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ସହ ଗଭୀର ସମ୍ପର୍କ ରଖୁଥିବା ଉତ୍ତରପାର୍ଶ୍ୱ ମଠ; ଚତୁଃପାର୍ଶ୍ୱରୁ ୭୫ମିଟର ଉଚ୍ଛେଦ ବେଳେ ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଯାଇଛି । କେବଳ ବଞ୍ଚିଛି ସ୍ୱଳ୍ପ ଗାଦିଗୃହ । ଶ୍ରୀମନ୍ଦିର ସମ୍ମୁଖରେ ଥିବା ଗଜ ମଠ ବି ଆଜି ଶ୍ରୀହୀନ । ତା’ର ପୁରାତନ ରଘୁନନ୍ଦନ ଲାଇବ୍ରେରୀ, କୋଠି ଘର ଓ ପ୍ରାର୍ଥନାସ୍ଥଳ ସବୁ ଆଜି ଇତିହାସ । ସେମିତି ଶ୍ରୀମନ୍ଦିର ସମ୍ମୁଖ ରାଧାବଲ୍ଳଭ ମଠ ଯେମିତି କୌଣସି ଗଳିକନ୍ଦିର ଅଣ ଓସାରିଆ ଘର ଭଳି ନିଜ ପରିଚୟ ବଞ୍ଚାଇବାକୁ ସଂଘର୍ଷ କରୁଛି । ଶହଶହ କୋଟି ଟଙ୍କା ବ୍ୟୟରେ ପରିକ୍ରମା ପ୍ରକଳ୍ପ ନିର୍ମାଣବେଳେ ଶ୍ରୀମନ୍ଦିର ଚାରିପଟେ ଥିବା ୧୮ରୁ ଅଧିକ ଛୋଟବଡ଼ ମଠମାନଙ୍କର ଆଜି ସଙ୍ଗୀନ୍ ଅବସ୍ଥା । ମଠାଧୀଶମାନଙ୍କ ଅଭିଯୋଗ- ମଠ ସବୁ ଭଙ୍ଗାଯିବା ପୂଜାସ୍ଥଳୀ ଆଇନକୁ ରାଜ୍ୟ ସରକାର ଦଳି ମକଚି ଦେଲେ, ଆଉ ମଠ ପୁନରୁଦ୍ଧାର ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଆକାଶ କଇଁଆ ଚିଲିକା ମାଛ ସଦୃଶ ହୋଇଗଲା । ଗୋଟିଏ ପଟେ ଓଡ଼ିଆ ଅସ୍ମିତାର ସୁରକ୍ଷାପାଇଁ ମିଛ ଡିଣ୍ଡିମ ପିଟୁଥିବା ବିଜେଡି ସରକାର ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୨୦ପାଖାପାଖି ଐତିହ୍ୟ ସମ୍ପନ୍ନ ପୁରାତନ ମଠ ମନ୍ଦିରକୁ ଧୂଳିସାତ୍ କରିଥିବା ଅଭିଯୋଗ ଉଠୁଥିବାବେଳେ ଏଣେ ଓଡ଼ିଶାରେ କ୍ଷମତା ଦଖଲର ଆଶା ରଖିଥିବା ବିଜେପି, ସେଇ ପ୍ରସଙ୍ଗକୁ କରିଛି ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ । ଏମିତିକି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସହ ୪ଦ୍ୱାର ଖୋଲିବାକୁ ବି ନିଜ ନିର୍ବାଚନୀ ଇସ୍ତାହାରରେ ଗ୍ୟାରେଣ୍ଟି ଦେଇଛି । ଏଥିସହ ପରିକ୍ରମା ପ୍ରକଳ୍ପରେ କ୍ଷତିଗ୍ରସ୍ତ ମଠ ମାନଙ୍କର ପୁନରୁଦ୍ଧାର ପାଇଁ ବି ଦେଇଛି ବଡ଼ ପ୍ରତିଶ୍ରୁତି । ତେବେ ମଠାଧୀଶ ଓ ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତରେ ଯେ କେହି ବି ସରକାର ଆସନ୍ତୁ ସେମାନେ କେବଳ ନିର୍ବାଚନୀ ପ୍ରସଙ୍ଗରେ ନ ଅଟକି ଜଗନ୍ନାଥ ସଂସ୍କୃତିର ବିନାଶ ନୁହେଁ, ବିକାଶ କରନ୍ତୁ ।

Leave a Reply

Your email address will not be published. Required fields are marked *