ଟ୍ରଲିରେ ବୁହାହେଲା ଶବ
ବୌଦ୍ଧ: ପ୍ରାଣ ଯିବା ପରେ ମଧ୍ୟ କେହି ଦେଲେନି ସମ୍ମାନ । ଧଜିଆ ଉଡ଼ିଲା ସରକାରଙ୍କ ମାଳମାଳ ଯୋଜନା । ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ ବାପାଙ୍କ ଶବକୁ ମିଳିଲାନି କାନ୍ଧ । ଅବସ୍ଥା ଏପରି ହେଲା ଯେ ଶେଷରେ ଉପାୟ ନ ପାଇ ପରିବାର ଲୋକ ଟ୍ରଲିରେ ମୃତଦେହକୁ ଶ୍ମଶାନକୁ ନେବାକୁ ବାଧ୍ୟ ହୋଇଛନ୍ତି । ଏହି ଘଟଣା ପ୍ରଶାସନର ପାରିବାପଣିଆ ଓ ଅପାରଗତାର ନଗ୍ନ ରୂପକୁ ପଦାରେ ବି ପକାଇ ଦେଇଛି । ଏପରି ଘଟଣା କୌଣସି ଉପାନ୍ତ ଅଞ୍ଚଳର ନୁହେଁ, ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନୀତି ଦୂରରେ ଘଟିଛି । ବୌଦ୍ଧ ସହରାଞ୍ଚଳରେ ଏକ ବସ୍ତିରେ ଘଟିଥିବା ଏପରି ଘଟଣା ସମସ୍ତଙ୍କୁ ଆନ୍ଦୋଳିତ କରିଛି । ମଣିଷ ଯେତେ ଆଧୁନିକ ହେଲେ ମଧ୍ୟ ଜାତି ସମାଜ ନାମରେ ଏବେ ବି କୁସଂସ୍କାରରେ ପୀଡ଼ିତ ବୋଲି ପ୍ରମାଣିତ ହୋଇଛି । ବୌଦ୍ଧ ଏନ୍ଏସି ଅନ୍ତର୍ଗତ ବାପୁଜୀନଗର ବସ୍ତିର ନୀଳାମ୍ବର ମେହେରଙ୍କ ଝିଅ ସୁମି ଅନ୍ୟ ଜାତିରେ ବିବାହ କରିଥିଲେ । ଦୁଇ ପୁଅ ଓ ଝିଅକୁ ଧରି ସୁମି ପିତା ନିଳାମ୍ବରଙ୍କ ଘରେ ରହିଆସୁଥିଲେ । କିନ୍ତୁ ବସ୍ତିଲୋକ ସୁମି ଅଲଗା ଜାତିରେ ବିବାହ କରିଥିବାରୁ ଏହାକୁ ଗ୍ରହଣ କରି ନଥିଲେ । ଏପରି କି ନୀଳାମ୍ବରଙ୍କ ପରିବାର ଲୋକଙ୍କୁ ମଧ୍ୟ ବାସନ୍ଦ କରିଥିଲେ । ତଥାପି ବସ୍ତିରେ ନୀଳାମ୍ବର ଦୁଃଖକଷ୍ଟରେ ପରିବାର ଚଳାଉଥିଲେ । ତେବେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ଶନିବାର ରାତିରେ ନୀଳାମ୍ବରଙ୍କ ମୃତ୍ୟୁ ହୋଇଯାଇଥିଲା । ବାପାଙ୍କ ମୃତ୍ୟୁ ପରେ ସୁମି ଜାତିଭାଇ ଓ ସାହିପଡ଼ିଶାଙ୍କୁ ଶବ ସତ୍କାର ପାଇଁ ଡାକିଥିଲେ । ହେଲେ ସେ ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତିଭାଇ କି ସାହିପଡ଼ିଶା କେହି ବି ବାପା ନୀଳାମ୍ବରଙ୍କ ଶବ ପାଖକୁ ଆସି ନଥିଲେ । ପ୍ରଥମେ ଜାତି ଭାଇଙ୍କୁ ଭୋଜି ଦେବାକୁ ପଡ଼ିବ ଓ ଏହାପରେ ଯାଇ ଶବକୁ ସେମାନେ ଛୁଇଁବେ ବୋଲି ସୁମିଙ୍କ ଆଗରେ ସର୍ତ୍ତ ରଖିଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ବାପାଙ୍କ ମୃତଦେହ ପଡ଼ିଥିବା ବେଳେ ଅନ୍ୟପଟେ ଭୋଜି ଆୟୋଜନ କରିବା ସୁମିଙ୍କ ପକ୍ଷରେ ସହଜ ନଥିଲେ । ସେ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ କେହି ବି ତାଙ୍କ କଥା ଶୁଣି ନଥିଲା । ଶେଷରେ ବାପଙ୍କ ଶବ ଉଠାଇବାକୁ ଅକ୍ଷମ ଝିଅ ସୁମି ପୁଲିସ ନିକଟରେ ପହଞ୍ଚିଥିଲେ । ହେଲେ ପୁଲିସ କିଛି ବି ପଦକ୍ଷେପ ନେଇ ନଥିଲା । ପୁଲିସ ନିକଟରୁ ନିରାଶ ହୋଇ ଫେରିବା ପରେ ସୁମି ପରିବାର ଲୋକଙ୍କ ସହ ମିଶି ବାପାଙ୍କ ଶବ ସତ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ । ଶେଷରେ ସୁମିଙ୍କ ପୁଅ ଚଳାଉଥିବା ଟ୍ରଲିରେ ନୀଳାମ୍ବରଙ୍କ ଶବକୁ ଶ୍ମଶାନ ନିଆ ଯାଇ ସେଠାରେ ସତ୍କାର କରାଯାଇଥିଲା ।