Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମିଳୁନି ମୃତ୍ୟୁକାଳୀନ ସହାୟତା- ଲେବର କାର୍ଡ ଯୋଜନା ଦିଗହର। - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମିଳୁନି ମୃତ୍ୟୁକାଳୀନ ସହାୟତା- ଲେବର କାର୍ଡ ଯୋଜନା ଦିଗହର।

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ଓରତି ଗ୍ରାମର ଲକ୍ଷ୍ମୀଧର ନାୟକ ଓ ତାଙ୍କ ପତ୍ନୀ ପ୍ରତିମା ନାୟକ ଲେବର କାର୍ଡ଼ ସହାୟତା ରାଶି ପାଇବା ପାଇଁ ଗତ ୭ମାସ ହେବ ଏକ ଡ଼େମୋ ଚେକ୍ ଧରି ବସିଛନ୍ତି । ଏହି ଚେକ୍ ମାଧ୍ୟମରେ ଲେବର କାର୍ଡ଼ ସହାୟତା ପାଇଁ ବିଭିନ୍ନ ବ୍ୟାଙ୍କ ବୁଲି ନୟାନ୍ତ ହେଲେଣି । ଏହି ଦମ୍ପତିଙ୍କ ଏକମାତ୍ର ପୁତ୍ର ପ୍ରହଲ୍ଲାଦ ନାୟକଙ୍କ ଅକାଳ ବିୟୋଗ ଘଟିବାରୁ ତାଙ୍କ ନାମରେ ଥିବା ଲେବର କାର୍ଡ଼ ଦ୍ୱାରା ସରକାରଙ୍କ ଠାରୁ ୨ଲକ୍ଷ ୫ହଜାର ଟଙ୍କା ସହାୟତା ରାଶି ଆସିଥିଲା । ଗତ ୩୦.୦୯.୨୦୨୩ରେ ବ୍ଲକ କାର୍ଯ୍ୟାଳୟ ପରିସରରେ ବିଧାୟକ ଭତ୍ତା ବଣ୍ଟନ କରୁଥିବା ଏକ ସଭାରେ ଲେବର ଅଫିସରଙ୍କ ଉପସ୍ଥିତିରେ ତାଙ୍କୁ ଏହି ରାଶି ବାବଦରେ ଏକ ଡ଼େମୋ ଚେକ୍ ପ୍ରଦାନ କରାଯାଇ ଦୁଇ ଦିନ ଭିତରେ ଅସଲି ଚେକ୍ ଦିଆଯିବ ବୋଲି କୁହାଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଅସଲି ଚେକ୍ ଦିଆଯାଇନାହିଁ । ଏହି ଚେକ୍‌ର ଅର୍ଥ ଲକ୍ଷ୍ମୀଧରଙ୍କ କେଉଁ ବ୍ୟାଙ୍କ୍ ଖାତାକୁ ଯାଇଛି ତାହା ସେ ଜାଣିପାରୁନାହାଁନ୍ତି । ଏ ସଂକ୍ରାନ୍ତରେ ଜାଣିବା ପାଇଁ ବିଭିନ୍ନ ବ୍ୟାଙ୍କକୁ ଯାଇ ନିରାଶ ହେବା ପରେ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢଙ୍କ ନିକଟକୁ ଯାଇଥିଲେ । ଶ୍ରୀ ଷଣ୍ଢ ଏ ସଂକ୍ରାନ୍ତରେ ବୁଝାବୁଝି କରିବା ପରେ ଆଧାର କାର୍ଡ଼ ମାଧ୍ୟମରେ ସହାୟତା ରାଶି ପଠାଯାଇଥିବାରୁ ଶ୍ରୀ ନାୟକଙ୍କ ଅର୍ଥ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଖାତାକୁ ଯାଇଥିବା ଜଣାପଡ଼ିଥିଲା । ହେଲେ ତାଙ୍କର ଏହି ବ୍ୟାଙ୍କ ଖାତା ଠିକ୍ ନଥିବାରୁ ସେ ସହାୟତା ରାଶି ପାଇପାରୁନଥିବା ଜଣାଯାଇଛି । ଅପରପକ୍ଷରେ ପୋଷଣହାରୀ ପୁତ୍ରକୁ ହରାଇ ଏହି ବୃଦ୍ଧ ଦମ୍ପତି ଅତ୍ୟନ୍ତ ଦହନୀୟ ଅବସ୍ଥାରେ କାଳାତୀପାତ କରୁଛନ୍ତି । ପାଖରେ ସ୍ୱାମୀ ପରିତ୍ୟକ୍ତା ଏକ ମାନସିକ ବିକୃତି କନ୍ୟା ମଧ୍ୟ ରହିଛି । କାହାରି ରୋଜଗାର ନଥିବାରୁ ତିନିପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର ହୋଇପଡ଼ିଛି । ଏହାଛଡ଼ା ଦୀର୍ଘ ବର୍ଷ ହେବ ସେ ଏକ ଦଦରା ଭଙ୍ଗା ମାଟି କାନ୍ଥ ଚାଳଘରେ ପାଲ ଟାଣି ରହୁଛନ୍ତି । ବର୍ତ୍ତମାନ ଗ୍ରୀଷ୍ମର ପ୍ରକୋପ, ଅନ୍ୟ ବେଳେ ବର୍ଷା ଓ ଶୀତର ପ୍ରକୋପରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଏହି ଘରେ ପଡ଼ି ରହିଛନ୍ତି । ସରକାରଙ୍କ ପକ୍ଷରୁ ଅଦ୍ୟାବଧି ତାଙ୍କୁ କୌଣସି ପକ୍କାଘର ଯୋଜନାରେ ସାମିଲ କରାଯାଇନାହିଁ । ଶ୍ରୀ ନାୟକ ଜଣେ ସୁନାମଧନ୍ୟ ତାବଲବାଦକ ହୋଇଥିବାରୁ କଳାକାର ଭତ୍ତା ପାଇଁ ଆବେଦନ କରି ପାଇନଥିବା ଏବଂ ତାଙ୍କୁ ୬୩ବର୍ଷ ହୋଇଥିଲେ ମଧ୍ୟ ସେ ଅଦ୍ୟାବଧି ସାଧାରଣ ଭତ୍ତାଟିଏ ମଧ୍ୟ ପାଇନାହାଁନ୍ତି । ତାଙ୍କର କନ୍ୟା ମାନସିକ ବିକୃତି ହୋଇଥିଲେ ମଧ୍ୟ ତାଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ଦିଆଯାଇନାହିଁ କି କୌଣସି ସରକାରୀ ସୁବିଧା ଯୋଗାଇ ଦିଆଯାଇନଥିବା ସେ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ କେତେବେଳେ କ’ଣ ଯେ ଅଘଟଣ ଘଟିଯିବ ସେ ନେଇ ଆଶଙ୍କା ପ୍ରକାଶ ପାଇଛି ।ଏଥିପ୍ରତି ପ୍ରଶାସନିକ ସ୍ତରରେ ଦୃଷ୍ଟି ଦିଆଯାଇ ସମ୍ପୃକ୍ତ ବୃଦ୍ଧ ଦମ୍ପତ୍ତିଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Leave a Reply