ଜାଣିଶୁଣି ଜେଲ ଭିତରେ ମିଠା ଓ ଆମ୍ବ ଖାଉଛନ୍ତି କେଜ୍ରିୱାଲ: ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି ସମୟରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଉସ୍ ଆଭେନ୍ୟୁ କୋର୍ଟରେ ଦାବି କରିଛି ଯେ ନିଜର ଶର୍କରା ସ୍ତର ବୃଦ୍ଧି ପାଇବ ବୋଲି ଜାଣିଶୁଣି କେଜ୍ରିୱାଲ ତାଙ୍କ ଘରୁ ଜାଣିଶୁଣି ମିଠା ଖାଦ୍ୟ ମଗାଉଛନ୍ତି ଓ ଖାଉଛନ୍ତି । ଇଡି ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ୍ ଜୁହୁବ ହୁସେନ୍ କୋର୍ଟରେ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ଘରୁ ଜାଣିଶୁଣି ଏଭଳି ଖାଦ୍ୟ ଆସୁଛି, ଯାହା ତାଙ୍କ ଶର୍କରା ସ୍ତରକୁ ବଢାଇବ । ଓକିଲ କହିଛନ୍ତି, “ସେ ଜାଣିଶୁଣି ଆଳୁ, ପୁରୀ, ଆମ୍ବ, ମିଠା ଖାଦ୍ୟ ଖାଉଛନ୍ତି ଏବଂ ଏସବୁ ତାଙ୍କୁ ଘରୁ ପଠାଯାଉଛି ।ମିଠା ଖାଇବା ଦ୍ୱାରା ତାଙ୍କର ରକ୍ତ ଶର୍କରା ବୃଦ୍ଧି ପାଇବ ଓ ସେ ସହଜରେ ଜାମିନ ପାଇପାରିବେ । ଆମେ ଜେଲ କର୍ତ୍ତୃପକ୍ଷଙ୍କଠାରୁ ରିପୋର୍ଟ ମାଗିଛୁ ।” ତେବେ କେଜ୍ରିୱାଲଙ୍କ ଓକିଲ ବିବେକ ଜୈନ ଇଡି ଓକିଲଙ୍କ ଯୁକ୍ତିକୁ ବିରୋଧ କରି କହିଛନ୍ତି ଯେ ଗଣମାଧ୍ୟମ ପାଇଁ ଏହି ବିବୃତ୍ତି ଦିଆଯାଉଛି । ସେ କହିଛନ୍ତି, “ଅରବିନ୍ଦ କେଜ୍ରିୱାଲଙ୍କ ଖାଲିପେଟରେ ଶର୍କରା ୨୪୩ ଥିଲା, ଯାହା ବହୁତ ଅଧିକ ଥିଲା । ତାଙ୍କୁ କେବଳ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ଖାଦ୍ୟ ଦିଆଯାଉଛି ।” ଏହି ଯୁକ୍ତି ଶୁଣିବା ପରେ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ଓକିଲଙ୍କୁ କହିଛନ୍ତି ଯେ ଆମେ ଜେଲରୁ ରିପୋର୍ଟ ମାଗିବୁ । କୋର୍ଟ କହିଛନ୍ତି ଯେ ଆପଣ ଆମକୁ ଅରବିନ୍ଦ କେଜ୍ରିୱାଲଙ୍କ ଡାଏଟ୍ ଚାର୍ଟ ପ୍ରଦାନ କରନ୍ତୁ । ଇଡି କହିଛି ଯେ ଆପଣ ଜେଲର ଡିଜିଙ୍କ ଠାରୁ ରିପୋର୍ଟ ମାଗି ପାରିବେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୯ ତାରିଖରେ ହେବ । କେଜ୍ରିୱାଲଙ୍କ ଓକିଲ କହିଥିଲେ ଯେ ତାଙ୍କ ଶର୍କରା ସ୍ତର କ୍ରମାଗତ ଭାବେ ବଦଳି ଯାଉଛି ଏବଂ ତାଙ୍କୁ ଗିରଫ ପୂର୍ବରୁ ଯେଉଁ ଡାକ୍ତରଙ୍କଠାରେ ତାଙ୍କର ଚିକିତ୍ସା ହେଉଥିଲା, ତାଙ୍କୁ ସପ୍ତାହରେ ତିନି ଦିନ ଭର୍ଚୁଆଲ ପରାମର୍ଶ ଦିଆଯିବା ଉଚିତ ।

Leave a Reply

Your email address will not be published. Required fields are marked *