ବଡ଼ଯୋରଡ଼ା ଶିଶୁମନ୍ଦିରର ୨୭ତମ ବାର୍ଷିକ ଉତ୍ସବ

ତାଳଚେର: ତାଳଚେର ବ୍ଲକ ବଡ଼ଯୋରଡ଼ା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୭ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ମାୟାଧର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସଭାପତି ସୁରେଶ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗ ଦେଇଥିବା ବେଳେ ମାର୍ଗଦର୍ଶକ ଭାବରେ ବିଶ୍ୱ ହିନ୍ଦୁ ପରିଷଦର ଉତ୍କଳ ପ୍ରାନ୍ତ ସାଧାରଣ ସମ୍ପାଦକ ପଣ୍ଡିତ ମହେଶ ସାହୁ, ସମ୍ମାନୀୟ ଅତିଥି ଭାବରେ ରାୟପୁର କେନ୍ଦ୍ରୀୟ ବିଦ୍ୟାଳୟ ସମୂହର ପ୍ରାକ୍ତନ ସହ କମିଶନର ଅଶୋକ ମିଶ୍ର ଓ ଏଭୋରିଚ୍ ଭେଂଚର୍ ପ୍ରା.ଲି.ର ଅଧ୍ୟକ୍ଷ ଚନ୍ଦ୍ରଶେଖର ସାହୁ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ସମ୍ପାଦକ ଗଗନ ବିହାରୀ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଧାନାଚାର୍ଯ୍ୟ ମାୟାଧର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ସାଂସଦ ଶ୍ରୀ ସାହୁ ନିଜ ଅଭିଭାଷଣରେ ଭାରତୀୟ ପରମ୍ପରା ଓ ସଂସ୍କୃତିକୁ ଉଜ୍ଜିବୀତ କରିବାରେ ଶିଶୁମନ୍ଦିରର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି କହିଥିଲେ । ମାର୍ଗଦର୍ଶକ ପଣ୍ଡିତ ମହେଶ ସାହୁ ବୈଭବଶାଳୀ ଭାରତବର୍ଷର ଆତ୍ମା ତା’ର ପ୍ରାଚୀନ ପରମ୍ପରା ଓ ସଂସ୍କୃତିରେ ନିହିତ ଅଛି । ତେଣୁ ପ୍ରତ୍ୟେକ ଶିଶୁ ପ୍ରାଚୀନ ଭାରତୀୟ ସଂସ୍କୃତିର ମୂଲ୍ୟବୋଧକୁ ଜାଣିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଦସ୍ୟ,ସଦସ୍ୟାମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ସାହୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା କୃତି ଛାତ୍ରଛାତ୍ରୀ ତଥା ବିଭିନ୍ନ ବୃତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମାନପତ୍ର ଓ ଉପଢୌକନ ଦେଇ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟ ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ଅନୀଲ ପ୍ରସାଦ ସାମନ୍ତଙ୍କ ଅକାଳ ବିୟୋଗ ଯୋଗୁଁ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଆଚାର୍ଯ୍ୟା ସ୍ୱାଗତିକା ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ପ୍ରଦ୍ୟୁମ୍ନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ପରିଚାଳନା ସମିତିର ସମସ୍ତ ସଦସ୍ୟ,ସଦସ୍ୟା ଓ ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *