ଆରଏସ୍ଏସ୍ ତରଫରୁ ଲିଙ୍ଗରାଜ ମନ୍ଦିର ପରିକ୍ରମା
ଶିବରଞ୍ଜନୀ ନାଦରେ କମ୍ପିଲା ଏକାମ୍ର କ୍ଷେତ୍ର

ଭୁବନେଶ୍ୱର,୮/୩:ପବିତ୍ର ଶିବରାତ୍ରୀ ତଥା ଅଖିଳ ଭାରତୀୟ ଘୋଷ ଦିବସ ଅବସରରେ ଏକାମ୍ର କ୍ଷେତ୍ରରେ ଆରଏସ୍ ଏସ୍ ଭୁବନେଶ୍ୱର ମହାନଗର ଦ୍ୱାରା ଏକ ଭବ୍ୟ ଘୋଷ ପଥ ସଂଚଳନ ଅନୁଷ୍ଠିତ ହୋଇ ଯାଇଛି । ସଙ୍ଗୀତର ସ୍ରଷ୍ଟା ମହାଦେବଙ୍କ ପ୍ରିୟ ଶିବରଞ୍ଜନୀ ରାଗ ବାଦନ କରି ବୀରବ୍ରତ ଜାଗରଣ ସହ ଭକ୍ତିନୈବେଦ୍ୟ ଅର୍ପଣ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ)ର ସ୍ୱୟଂସେବକ ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ଘୋଷ ଦିବସ ପାଳନ ଅବସରରେ ସଂଘର ଭୁବନେଶ୍ୱର ମହାନଗର ଯୋଜନାରେ ବିଶାଳ ଘୋଷ ପଥ ସଂଚଳନ ମାଧ୍ୟମରେ ଲିଙ୍ଗରାଜ ମନ୍ଦିର ପରିକ୍ରମା ଅନୁଷ୍ଠିତ ହୋଇ ଯାଇଛି । ୮ ମାର୍ଚ୍ଚ ୨୦୨୪ରିଖ ଶୁକ୍ରବାର ଦିନ ସକାଳ ୭ ଘଟିକା ସମୟରେ ଏକା ସାଙ୍ଗରେ ଦୁଇଟି ସ୍ଥାନରୁ ସ୍ୱୟଂସେବକ ମାନେ ପୂର୍ଣ୍ଣ ଗଣବେଷରେ ଘୋଷବାଦ୍ୟ ବଜାଇ ପଥ ସଂଚଳନରେ ବାହାରି ଥିଲେ । ପ୍ରଥମ ସଂଚଳନ ଭୀମଟାଙ୍ଗୀ ସରସ୍ୱତୀ ଶିଶୁ ମନ୍ଦିରରୁ ବାହାରି ନାରାୟଣୀ କ୍ଲବ, ପାଣିଟାଙ୍କି, ପାଟଣାସାହି ହୋଇ ବଢେଇବାଙ୍କ ଠାରେ ପହଁଚିଥିଲା । ସେହିପରି ଦ୍ୱିତୀୟ ସଂଚଳନଟି ଗରାବଡୁ ଶ୍ମଶାନ ପଡିଆ ଠାରୁ ବାହାରି ଗୋସାଗୋରେଶ୍ୱର ଛକ, ତିନିମୁଣ୍ଡିଆ ହୋଇ ବଢେଇବାଙ୍କ ଠାରେ ପହଁଚିଥିଲା । ଉଭୟ ସ୍ଥାନରୁ ବାହାରିଥିବା ସଂଚଳନ ବଢେଇବାଙ୍କ ଛକରେ ଏକାଠି ହୋଇ ଲିଙ୍ଗରାଜ ମନ୍ଦିର ଚତୁଃପାଶ୍ୱର୍ରେ ପରିକ୍ରମା କରି ହାଟସାହି, ଖରାଖିଆ,କେଉଟସାହି ଛକ, ଆନିହାଉସ ଛକ ହୋଇ ଭୀମଟାଙ୍ଗୀ ଶିଶୁ ମନ୍ଦିରରେ ପହଁଚିଥିଲେ ।

୧୦୦୦ରୁ ଉର୍ଦ୍ଧ୍ୱ ପୂର୍ଣ୍ଣଗଣବେଶଧାରୀ ସ୍ୱୟଂସେବକ ଗୈରିକ ଧ୍ୱଜ ସହ ଆନକ, ପଣବ, ଶଙ୍ଖ, ଝାଞ୍ଜ, ବଂଶୀରେ ଶିବରଞ୍ଜନୀ, ମୀରା, ତିଲଂ, ଉଦୟ, କିରଣ, ଶ୍ରୀରାମ ଓ ସ୍ୱନଭଦ୍ର ଭଳି ବୀରବାଦ୍ୟ ବଜାଇଥିଲେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତସଂଘଚାଳକ ସମୀର କୁମାର ମହାନ୍ତି ଉପସ୍ଥିତ ଥିବା ବେଳେ ସଂଘର ଅଖିଳ ଭାରତୀୟ ସହ ସଦ୍ଭାବନା ସଂଯୋଜକ ଡ. ଗୋପାଳ ପ୍ରସାଦ ମହାପାତ୍ର ଉପସ୍ଥିତ ସ୍ୱୟଂସେବକମାନଙ୍କୁ ଆଜିର ଦିବସ ବିଷୟରେ ମାର୍ଗ ଦର୍ଶନ କରିଥିଲେ ।










