ପାଚିକା ସହାୟିକା ମଜଦୂର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର 

ଭବାନୀପାଟଣା: ଭାରତୀୟ ମଜଦୂର ସଂଘ ସଂଲଗ୍ନ ପାଚିକା ସହାୟିକା ମଜଦୂର ସଂଘ କଳାହାଣ୍ଡି ଶାଖା ପକ୍ଷରୁ ଗୁରୁବାର ସେମାନଙ୍କ ଛଅଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଜିଲ୍ଲାର ପ୍ରାୟ ଶତାଧିକ ପାଚିକା ଏବଂ ସହାୟିକା ସମ୍ମିଳିତ ଭାବେ ନିଜର ନାର୍ଯ୍ୟ ଦାବି ହାସଲ ନିମନ୍ତେ ବିଭିନ୍ନ ପ୍ରକାର ନାରାବାଜି ଦେବା ସହ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କରିଥିବା ଦେଖିବାକୁ ମିଳିଥିଲା । ପରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛଅଦଫା ଦାବିପତ୍ର ପ୍ରଦାନ କରିଥିଲେ । ପାଚିକା ଓ ସହାୟିକାଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ, ସେମାନଙ୍କ ଇପିଏଫ୍‌, ଇଏସ୍‌ଆଇ ଲାଗୁ କରିବା ସହ ସାମାଜିକ ସୁରକ୍ଷା ପ୍ରଦାନ, ବର୍ଷକୁ ଦଶମାସ ପରିବର୍ତ୍ତେ ବାରମାସର ଦରମା ପ୍ରଦାନ, କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କଲେ ପରିବାରକୁ ପାଞ୍ଚଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ, ସମସ୍ତଙ୍କ ପାଇଁ ବୀମା ଲାଗୁ, ଅବସରକାଳୀନ ଭତ୍ତା ପ୍ରଦାନ କରିବା ଆଦି ଦାବିଗୁଡ଼ିକ ସେମାନଙ୍କ ଦାବିପତ୍ରରେ ଉଲ୍ଲେଖ ରହିଛି । ଉକ୍ତ ସଭାରେ ପାଚିକା ସଂଘ ଜିଲ୍ଲା ସଭାପତି ତପସ୍ୱିନୀ ମହାରଣା, ସମ୍ପାଦିକା ବିମଳା ଗଉଡ, ସଂଯୋଜକ ସନ୍ୟାସ ପ୍ରଧାନ, କୋଷାଧ୍ୟକ୍ଷ ମମତା ଗହୀର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ନବୀନ ଛତ୍ରିଆ, ରାଜ୍ୟ ସମ୍ପାଦକ ବିଶ୍ୱ ରଞ୍ଜନ ସା, ଭାରତୀୟ ମଜଦୂର ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ପ୍ରତିବାଦ କରିଥିଲେ ।

Leave a Reply

Your email address will not be published. Required fields are marked *