Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦେଶର ଭୌତିକ ପ୍ରଗତି ଯୁବପିଢିଙ୍କ ଉପରେ ନିର୍ଭରଶୀଳ: ରାଷ୍ଟ୍ରପତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦେଶର ଭୌତିକ ପ୍ରଗତି ଯୁବପିଢିଙ୍କ ଉପରେ ନିର୍ଭରଶୀଳ: ରାଷ୍ଟ୍ରପତି

ବୁର୍ଲା : ଶିକ୍ଷା ତୁମ ମାନଙ୍କୁ ରାଷ୍ଟ୍ର ନିର୍ମାଣ ପାଇଁ ସକ୍ଷମ କରିଛି । ଆମ ଦେଶର ଭୌତିକ ପ୍ରଗତି ଅନେକାଂଶରେ ତୁମ ପରି ଯୁବପିଢିଙ୍କ ଉପରେ ନିର୍ଭର କରେ ବୋଲି ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ) ର ୧୫ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ମାନ୍ୟବର ରାଷ୍ଟ୍ରପତି କହିଛନ୍ତି ଯେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି ରାସ୍ତାଘାଟ, କୋଠାବାଡି ଓ ବନ୍ଧବାଡି ସହିତ କଳକାରଖାନାର ଆଦିନିର୍ମାଣର ଦାୟିତ୍ୱ ଛାତ୍ରଛାତ୍ରୀଙ୍କ ଉପରେ ନ୍ୟସ୍ତ । ଉଭୟ ସଫ୍ଟଓୱାର ଓ ହାର୍ଡଓୟାରର ବିକାଶ କରିବା ଦାୟିତ୍ୱ ଛାତ୍ରଛାତ୍ରୀ ମାନଙ୍କର । ଇଞ୍ଜିନିୟର ଭାବେ ସେମାନେ ପ୍ରଗତିର ସ୍ଥାପକ । ଉଦ୍ଭାବକ ଭାବରେ, ସେମାନେ କଳ୍ପନା ଏବଂ ବାସ୍ତବତା ମଧ୍ୟରେ ସେତୁ ହେବେ । ଦ୍ରୁତ ଗତିରେ ଅଗ୍ରଗତି କରୁଥିବା ଦୁନିଆରେ ସେମାନେ ଏହି ଅନୁଷ୍ଠାନରେ ଯେଉଁ ଦକ୍ଷତା ଓ ଜ୍ଞାନ ଅର୍ଜନ କରିଛନ୍ତି, ତାହା ହିଁ ସେମାନଙ୍କ ଭବିଷ୍ୟତ ତଥା ଦେଶର ଭବିଷ୍ୟତ ଗଢ଼ି ତୋଳିବ ବୋଲି ମାନ୍ୟବର ରାଷ୍ଟ୍ରପତି କହିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବୁର୍ଲା ଇଞ୍ଜିନିୟରିଂ ଅନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀମାନେ ହେଉଛନ୍ତି ବଣମଲ୍ଲି । ବଣମଲ୍ଲି ବଣରେ ନ ରହିବା ଦରକାର । ଗରିବ ଓ ସାଧାରଣ ଘରୁ ଭିସୁଟରେ ପଢୁଥିବା ପିଲାମାନେ ଓଡ଼ିଶା ସମେତ ଭାରତୀୟ ବୈଜ୍ଞାନିକ ଉପଲବ୍ଧିର ମେରୁଦଣ୍ଡ ହୋଇଛନ୍ତି । ଏହାର ଉଦାହରଣ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଚା’ ବିକାଳୀ, ଚାଷୀ, ରିକ୍ସା ଚଲାଉଥିବା ଗରିବ ଓ ମଧ୍ୟମ ବର୍ଗର ପିଲାମାନେ ଏହି ବିଶ୍ୱବିଦ୍ୟାଳୟରେ ପଢନ୍ତି । ଏହି ଅନୁଷ୍ଠାନରେ ପଢୁଥିବା କଳାହାଣ୍ଡିର ବୋଧିସତ୍ତ୍ୱ ସଂଘପ୍ରିୟ ଓ ତାଙ୍କ ଟିମ୍ ହୀରାକୁଦର ଜଳରାଶି ମାପିବା ପାଇଁ ଡ୍ରୋନ ମାପକ ଯନ୍ତ୍ର ପରି ରକେଟ୍ ଓ ସାଟେଲାଇଟ୍ ତିଆରି କରିଥିଲେ । ବୁର୍ଲା ଇଞ୍ଜିନିୟରିରୁ କଲେଜରୁ ପାଠ ପଢିବା ପରେ ସମୀର ପଣ୍ଡା ପ୍ରୁଫ୍ ଯୁକ୍ତ ଟାୟାର୍ ବନାଉଛନ୍ତି । ଭିସୁଟର ପିଲାମାନେ ଓଡ଼ିଶା କଥା ଚିନ୍ତା କରନ୍ତି ଦେଶ ପାଇଁ ଚିନ୍ତା କରନ୍ତି । ଏହାବ୍ୟତିତ ଓଡ଼ିଶାର ଦୁଇ ଭଉଣୀ ତଥା ନେକ୍ସସ୍ ପାୱାର ଷ୍ଟାର୍ଟଅପର ସିଇଓ ଏବଂ ସହ-ପ୍ରତିଷ୍ଠାତା ନିଶିତା ଓ ନିକିତା ବଳିୟାର ସିଂ ସବୁଜ ଇନ୍ଧନ ତଥା ସ୍ୱଚ୍ଛ ଉର୍ଜା ଭଳି କ୍ଷେତ୍ରରେ ଷ୍ଟାର୍ଟଅପ୍ ଆରମ୍ଭ କରିବା ସହ ବିଶ୍ୱ ସମସ୍ୟାର ସମାଧାନ କରିବାର ଶକ୍ତି ରଖୁଛନ୍ତି । ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ଦେବବ୍ରତ, ସ୍ମୃତିରଞ୍ଜନ, ରଶ୍ମିରଞ୍ଜନ, ଶୁଭକାନ୍ତ ଓ ଜ୍ଞାନରଞ୍ଜନ କରୋନା ସମୟରେ ଲୋକମାନେ କୋଭିଡ୍ ପରୀକ୍ଷା ନ କରୁନଥିବା ବେଳେ ଏହାର ସମାଧାନ ଚିନ୍ତା କରି ସେମାନେ ଏକ ଭିଡିଓ ତିଆରି କରି ସମାଜରେ ସଚେତନତା ସୃଷ୍ଟି କରିଥିଲେ । ଯାଜପୁର ଜିଲ୍ଲାର ଦ୍ୱାଦଶ ଶ୍ରେଣୀରେ ନବୋଦୟ ବିଦ୍ୟାଳୟରେ ପଢୁଥିବା ଜ୍ଞାନରଞ୍ଜନ ମିଶ୍ର ଲାଇଟ ମାଧ୍ୟମରେ ଫ୍ରିକ୍ୟୁଏନ୍ସି ବଢାଇ ସମସ୍ୟା ସମାଧାନ କରିବା ପାଇଁ ଆଗଭର ଥିଲେ । ତାଙ୍କୁ ଦେଖିଲେ ଆଲବର୍ଟ ଆଇନଷ୍ଟାଇନ ଓ ଏପିଜେ ଅବଦୁଲ କଲାମଙ୍କ ଭଳି ବୈଜ୍ଞାନିକ ମନୋଭାବ ଥିବା ପରି ମନେହୁଏ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ହୀରାକୁଦର ପାଦଦେଶରେ ଅବସ୍ଥାପିତ ଭିସୁଟ୍ ପୁରୀର ଜଗନ୍ନାଥ ମନ୍ଦିର ଓ ବନାରସର ବିଶ୍ୱନାଥ ଧାମ ଠାରୁ କିଛି କମ ନୁହେଁ । ସ୍ୱାଧୀନତା ପରବର୍ତ୍ତୀର ହୀରାକୁଦ ଡ୍ୟାମ ଓଡ଼ିଶାର ପରିଚୟ ଓ ଭିସୁଟ ତା’ର ପରିପୁରକ । ଏଠାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ବୁର୍ଲା ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବା ବେଳେ ଆଇଆଇଏମ ସମ୍ବଲପୁର ସ୍ଥାପନା ହୋଇଛି । ମାଆ ସମଲେଶ୍ୱରଙ୍କ ପୀଠ ସ୍ଥଳୀ ଓ ରଙ୍ଗବତୀର ପରମ୍ପରା ଅଛି । ଲୋକାଦୃତ ହସ୍ତତନ୍ତ ଓ ବୟନଶିଳ୍ପର ସମ୍ଭାର ଏଠାରେ ଅଛି । ରଙ୍ଗବତୀ କେବଳ ଏକ ଗୀତ ନୁହେଁ, ଏହା ଏକ ବିଚାର ଓ ସଂସ୍କୃତିର ଅଭିବ୍ୟକ୍ତି । ଅନ୍ୟର ଆନନ୍ଦରେ ଖୁସି ହେବା ହେଉଛି ଭାରତୀୟ, ଉତ୍କଳୀୟ ପରମ୍ପରା । ଡାଲଖାଇ ନାଚର ପ୍ରସିଦ୍ଧତା ଜି-୨୦ରେ ଦେଖିବାକୁ ମିଳିଛି । ଓଡ଼ିଶାର ମେରୁଦଣ୍ଡ ବୁର୍ଲା ଇଞ୍ଜିନିୟରିଂ କଲେଜ ଆଜି ବିଶ୍ୱବିଦ୍ୟାଳୟର ରୂପ ନେଇଛି । ଏହି ବିଶ୍ୱବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି ଅନୁସାରେ ବହୁମୁଖୀ ଶିକ୍ଷା ଦେବା ଦରକାର । ମାନବତା, ମ୍ୟାନେଜମେଣ୍ଟ, କଳା, ଗୀତ, ସଂସ୍କୃତି ଓ ପରମ୍ପରାକୁ ଅନ୍ତର୍ଭୁକ୍ତ କରି ବହୁବିଭାଗୀୟ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସେ ପରାମର୍ଶ ଦେଇଛନ୍ତି । ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାକୁ ପୃଥିବୀର ହାପେନିଂ ପଏଣ୍ଟ ବନାଇବାର ଆତ୍ମବିଶ୍ୱାସ ରଖୁଥିବା ଲୋକମାନେ ହେଉଛନ୍ତି ଆମେମାନେ । ଚାକିରି କରିବା ନୁହେଁ ବରଂ ଚାକିରି ଦେବା ଆମର ଭୂମିକା ହେବା ଦରକାର । ଓଡ଼ିଆ ପିଲାମାନେ ଜଣେ ଜଣେ ଉଦ୍ଭାବକ । ଏହା ହୋଇନଥିଲେ ଓଡ଼ିଆ ଜାତିର ଲୋକମାନେ ବଡଦେଉଳ, କୋଣାର୍କ ଓ ଲିଙ୍ଗରାଜ ପରି ମନ୍ଦିର ଗଢିବାକୁ ସମର୍ଥ ହୋଇନଥାନ୍ତେ । ଓଡିଆ ପିଲାଙ୍କୁ ଧର୍ମପଦ ବନାଇବା ପାଇଁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଅବସରରେ ସମ୍ମାନସୂଚକ ଉପାଧି, ସ୍ୱର୍ଣ୍ଣ ପଦକ ଏବଂ ପିଏଚଡି ଉପାଧି ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ମାନ୍ୟବର ରାଷ୍ଟ୍ରପତି, ଓଡ଼ିଶାର ରାଜ୍ୟପାଳ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ଏହି ତିନି ବ୍ୟକ୍ତିବିଶେଷ ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱାଧୀନତା ସଂଗ୍ରାମୀ, ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଓ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ

Leave a Reply