ଚୀନ୍‌ର ଅନେକ ଅନ୍ତର୍ଜାତୀୟ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ହେଉଛି

ନୂଆଦିଲ୍ଲୀ: ନିକଟରେ ପ୍ରକାଶିତ ନୀତି ଆୟୋଗ ରିପୋର୍ଟ ‘ଲର୍ଣ୍ଣିଂସ୍ ଫ୍ରମ୍ ଲାର୍ଜସ୍କେଲ୍ ଟ୍ରାନ୍ସଫର୍ମେସନ ଇନ୍ ସ୍କୁଲ୍ ଏଜୁକେସନ୍‌’ ଅନୁଯାୟୀ, ସମାନ ସଂଖ୍ୟକ ପିଲାଙ୍କ ପାଇଁ ଭାରତରେ ଚୀନ୍ ତୁଳନାରେ ପାଞ୍ଚ ଗୁଣ ଅଧିକ ସ୍କୁଲ ରହିଛି । ନିକଟରେ ରଏଟର୍ସ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କଠୋର ନିୟନ୍ତ୍ରଣ, ମନ୍ଥର ଅର୍ଥନୀତି ଏବଂ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ଯୋଗୁଁ ଚୀନ୍‌ର ଅନେକ ଅନ୍ତର୍ଜାତୀୟ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ହେଉଛି କିମ୍ବା ଅନ୍ୟ ସ୍କୁଲ ସହ ମିଶ୍ରଣ ହେଉଛି । ୨୦୨୦ରେ ଦେଶବ୍ୟାପୀ ପ୍ରାୟ ୧୮୦,୦୦୦ ଘରୋଇ ଶିକ୍ଷାନୁଷ୍ଠାନ ଥିଲା ଯାହା ଚୀନ୍‌?ର ସମସ୍ତ ଶିକ୍ଷାନୁଷ୍ଠାନର ଏକ ତୃତୀୟାଂଶରୁ ଅଧିକ । ଏହି ବିଦ୍ୟାଳୟଗୁଡ଼ିକରେ ୫୫.୬ ନିୟୁତ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । ତେବେ ଚୀନ୍‌ରେ ଅନେକ ଅନ୍ତର୍ଜାତୀୟ ବିଦ୍ୟାଳୟ ଅଛି ଯେଉଁଗୁଡ଼ିକ କେବଳ ବିଦେଶୀ ପାସପୋର୍ଟରେ ଛାତ୍ରଛାତ୍ରୀଙ୍କ ନାମ ଲେଖାଇଥାନ୍ତି । ମହାମାରୀ ପରେ ଏହି ପିଲାମାନେ ଦେଶ ଛାଡ଼ି ନିଜ ଦେଶକୁ ଚାଲିଯିବାରୁ ଏବଂ ଭୂ-ରାଜନୈତିକ ଉତ୍ତେଜନା ବୃଦ୍ଧି କାରଣରୁ ସେହି ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି । କୋଭିଡ୍‌-୧୯ ମହାମାରୀ ପୂର୍ବରୁ ସ୍କୁଲଗୁଡ଼ିକର ଦ୍ରୁତ ବିସ୍ତାର ଯୋଗୁଁ ପାଶ୍ଚାତ୍ୟ ପରୀକ୍ଷା ପାଠ୍ୟକ୍ରମ ପ୍ରଦାନ କରୁଥିବା ଚୀନ୍‌ରେ ଘରୋଇ ଦ୍ୱିଭାଷୀ ବିଦ୍ୟାଳୟଗୁଡ଼ିକର ବୃଦ୍ଧି ଘଟିଥିଲା । ପିଲାମାନଙ୍କ ଉପରେ ଚାପ ହ୍ରାସ କରିବା ଏବଂ ପାରିବାରିକ ଖର୍ଚ୍ଚ ହ୍ରାସ କରିବା ଉଦ୍ଦେଶ୍ୟରେ ବେଜିଂ ୨୦୨୧ରେ ନୂଆ ନିୟମ ଲାଗୁ କରିବା ଏବଂ ଘରୋଇ ଶିକ୍ଷାଦାନ ବ୍ୟବସାୟ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଏହି ବ୍ୟବସାୟ ହ୍ରାସ ପାଇଥିଲା । ନୀତି ଆୟୋଗ ରିପୋର୍ଟ ଅନୁଯାୟୀ, ଭାରତର ଅନେକ ରାଜ୍ୟର ୫୦ ପ୍ରତିଶତରୁ ଅଧିକ ପ୍ରାଥମିକ ବିଦ୍ୟାଳୟରେ ୬୦ରୁ କମ୍ ପିଲା ନାମ ଲେଖାଇଛନ୍ତି । ଅନେକ ବିଦ୍ୟାଳୟରେ ଭିତ୍ତିଭୂମି ଓ ଶିକ୍ଷକଙ୍କର ଅଭାବ ରହିଛି । ବିନା ପ୍ରଧାନଶିକ୍ଷକ ଏବଂ ଜଣେ ବା ଦୁଇଜଣ ଶିକ୍ଷକରେ ଅନେକ ବିଦ୍ୟାଳୟ ଚାଲିଛି । ଏଭଳି ନିମ୍ନମାନର ବିଦ୍ୟାଳୟକୁ ଛାତ୍ର ଓ ଅଭିଭାବକମାନେ ପସନ୍ଦ କରୁନାହାନ୍ତି । ବିଦ୍ୟାଳୟରେ ନାମଲେଖା ଅଭାବକୁ ଦୂର କରିବା ପାଇଁ ଏକ ସମାଧାନ ଭାବରେ ବିଦ୍ୟାଳୟ ମିଶ୍ରଣ କରିବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ସାଥ-ଇ (ସଷ୍ଟେନେବ୍‌?ଲ ଆକ୍ସନ ଫର୍ ଟ୍ରାନ୍ସଫର୍ମିଂ ହ୍ୟୁମ୍ୟାନ କ୍ୟାପିଟାଲଏଜୁକେସନ) ପ୍ରକଳ୍ପ ପାଇଁ ବଛାଯାଇଥିବା ରାଜ୍ୟଗୁଡ଼ିକରେ ଏଭଳି ସମାଧାନ କାର୍ଯ୍ୟକାରୀ ହୋଇଛି ଏବଂ ବିଦ୍ୟାଳୟରେ ନାମଲେଖା ଅଭାବକୁ ପୂରଣ କରିବାରେ ଅନୁକୂଳ ଫଳାଫଳ ମିଳିଛି । ମିଶ୍ରଣର ପ୍ରଭାବକୁ ନେଇ ଅନେକ ସମୟରେ ଆଶଙ୍କା ଦେଖାଦେଇଥାଏ । ତେବେ ସାଥ-ଇର ତୃତୀୟ ପକ୍ଷ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ, ମିଶ୍ରଣର ଲାଭ ଅନେକାଂଶରେ ସକାରାତ୍ମକ ହୋଇଥାଏ ଏବଂ ଶିକ୍ଷଣ ଫଳାଫଳରେ ଉନ୍ନତି ଆଣିପାରେ । ମିଶ୍ରଣ ବ୍ୟତୀତ ରାଜ୍ୟରେ ଅତି କମ୍‌ରେ ୧୦-୨୦ ପ୍ରତିଶତ ବୃହତ୍ ବିଦ୍ୟାଳୟର ବିକାଶ କରାଯାଇପାରିବ । ଏହି ବିଦ୍ୟାଳୟଗୁଡ଼ିକୁ ସମନ୍ୱିତ କେ-୧୨ ବିଦ୍ୟାଳୟ କରାଯାଇପାରିବ । ପରିବହନ ବ୍ୟବସ୍ଥା ମଧ୍ୟ କରାଯିବା ଉଚିତ ଯାହାଦ୍ୱାରା ସମସ୍ତ ଛାତ୍ରଛାତ୍ରୀ ସ୍କୁଲ ଆସିପାରିବେ । ବଡ଼ ବଡ଼ ସ୍କୁଲ୍ କମ୍ପେ୍ଲକ୍ସ ପ୍ରତିଷ୍ଠା ପାଇଁ ଏନ୍‌ଇପିରେ ମଧ୍ୟ ଏହା ସୁପାରିସ କରାଯାଇଛି । ଏହି ରିପୋର୍ଟରେ ତିନୋଟି ପ୍ରୋଜେକ୍ଟ ସାଥ-ଇ ରାଜ୍ୟରେ କିପରି ବିଦ୍ୟାଳୟ ଏକତ୍ରୀକରଣ ପ୍ରୟାସ କରାଯାଇଥିଲା ତାହାର ବିସ୍ତୃତ ବିବରଣୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *