ସମର୍ପିତ ରାଷ୍ଟ୍ରଭକ୍ତ ରଙ୍ଗାହରିଜୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା


ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ବୌଦ୍ଧିକ ପ୍ରମୁଖ ସ୍ୱର୍ଗତ ରଙ୍ଗାହରିଜୀ ଥିଲେ ସଂଘ ବିଚାରର କ୍ରିୟାରୂପ । ତାଙ୍କ ଜୀବନ ଥିଲା ବିଚାରର ଜୀବନ୍ତ ଗ୍ରନ୍ଥ । ପ୍ରଜ୍ଞାର ଅସୀମ ଭଣ୍ଡାର ହରିଜୀ ସାରା ଭାରତରେ ଓ ଭାରତ ବାହାରେ ଅଗଣିତ ସ୍ୱୟଂସେବକ, କାର୍ଯ୍ୟକର୍ତା ଏବଂ ସାଧାରଣ ବ୍ୟକ୍ତିଙ୍କୁ ପ୍ରଭାବିତ କରିଛନ୍ତି । ଏକଥା କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସଦ୍‌ଭାବନା ସହପ୍ରମୁଖ ଡ. ଗୋପାଳ ପ୍ରସାଦ ମହାପାତ୍ର ।
ସମର୍ପିତ ରାଷ୍ଟ୍ରଭକ୍ତ ରଙ୍ଗାହରିଜୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଭୁବନେଶ୍ୱର ମଂଚେଶ୍ୱର ଶିଳ୍ପାଚଂଳରେ ଥିବା ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ନଭେମ୍ବର ୧୩ ତାରିଖ ଦିନ ସଂଧ୍ୟାରେ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡ. ମହାପାତ୍ର କହିଛନ୍ତି ଯେ, ପ୍ରଗାଢ ଜ୍ଞାନୀ, ସୁବକ୍ତା, ଲେଖକ, କୁଶଳୀ ସଂଗଠକ, ସ୍ନେହି ଓ ଦିଗ୍‌ଗଜ କାର୍ଯ୍ୟକର୍ତା ହରିଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେଉଛି ତାଙ୍କ ଗୁଣାବଳୀକୁ ନିଜଠାରେ ଉତାରି ପାରିବା । ଏହି ଅବସରରେ ସେ ହରିଜୀଙ୍କ ଶେଷ ୪ଟି ଚିଠି ସଂପର୍କରେ ଉଲ୍ଲେଖ କରିଥିଲେ । ଯେଉଁଥିରେ ହରିଜୀ ସାଧାରଣ ଲୋକଙ୍କ ଭଳି ସାଧାରଣ ଭାବେ ତାଙ୍କର ଦାହ ସଂସ୍କାର କରାଯିବା ସହ ପାଖ ଭାରତୀ ନଦୀରେ ତାଙ୍କ ଅସ୍ଥି ବିସର୍ଜନ କରିବାକୁ ଲେଖିଥିଲେ । ତାଛଡା ଜୀବନରେ ଯଦି କୌଣସି ଭୁଲ କରିଥିବେ, ସେଥିପାଇଁ ସମସ୍ତଙ୍କୁ ଯୋଡ ହସ୍ତରେ କ୍ଷମା ମାଗିଥିଲେ । ବଡ କଥା ହେଉଛି ଜୀବନର ସମସ୍ତ ଉଦ୍ଦେଶ୍ୟ ଓ କାର୍ଯ୍ୟ ପୂରଣ ହୋଇଥିଲେ ବି ସେ ମୋକ୍ଷ କାମନା କରିନାହାଁନ୍ତି । ବରଂ ପୁନର୍ଜନ୍ମ କରି ପୁଣି ଥରେ ଭାରତ ମାତାଙ୍କ ସେବା କରିବା ଲାଗି ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ।
ଏହି ସଭାରେ ସଂଘର ଅନେକ ବରିଷ୍ଠ ଅଧିକାରୀ ଓ କାର୍ଯ୍ୟକର୍ତା ଯୋଗ ଦେଇ ହରିଜୀଙ୍କ ସହ ବିତାଇଥିବା ସସ୍ମରଣ ଉପସ୍ଥାପନା କରିଥିଲେ । ତାଙ୍କ ଗୁଣାବଳୀକୁ ସ୍ମରଣ କରିଥିଲେ । ଓଡିଶା ପୂର୍ବ ପ୍ରାନ୍ତର ସହପ୍ରାନ୍ତ କାର୍ଯ୍ୟବାହ ଇଂ ସୁଦର୍ଶନ ଦାସ ସଭାକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ମହାନଗର ସଂଘଚାଳକ ଡାକ୍ତର ବସନ୍ତ କୁମାର ପତି, ସହପ୍ରାନ୍ତ କାର୍ଯ୍ୟବାହ ମନସୁଖଲାଲ ସେଠିଆ, ପ୍ରାନ୍ତ ପ୍ରଚାରକ ବିପିନ ପ୍ରସାଦ ନନ୍ଦ, ସହପ୍ରାନ୍ତ ପ୍ରଚାରକ ସୃଷ୍ଟିଧର ବିଶ୍ୱାଳ, ସଂସ୍କାର ଭାରତୀର ଅଖିଳ ଭାରତୀୟ ସହ ମନ୍ତ୍ରୀ ନିରଞ୍ଜନ ପଣ୍ଡା, ଇତିହାସ ସଂକଳନ ସମିତିର ଅଖିଳ ଭାରତୀୟ ସଂପର୍କ ପ୍ରମୁଖ କମଳେଶ ଦାଶ, ଭାରତୀୟ ମଜଦୁର ସଂଘର କ୍ଷେତ୍ର ସଂଗଠନ ମନ୍ତ୍ରୀ ଗିରୀଶ ଚନ୍ଦ୍ର ମହାନ୍ତ, ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ତନ୍ମୟ ମହାପାତ୍ର,ସହ ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା,ମହାନଗର କାର୍ଯ୍ୟବାହ ପ୍ରସନ୍ନ କୁମାର ସେନାପତି, ମହାନଗର ପ୍ରଚାରକ ରାଜେଶ୍ୱର ରାଉତ ପ୍ରମୁଖ ହରିଜୀଙ୍କ ବିଭିନ୍ନ ଗୁଣାବଳୀ ଓ ସ୍ମୃତି ବଖାଣିଥିଲେ । ଗତ ଅକ୍ଟୋବର ୩୦ ତାରିଖରେ ରଙ୍ଗା ହରିଜୀଙ୍କର ଦେହାନ୍ତ କେରଳର କୋଚିରେ ହୋଇ ଯାଇଛି । ପ୍ରାରମ୍ଭରେ ଗୀତା ପାଠ ଓ ନିରବ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *