ଭାରତୀୟ କିଷାନ ସଂଘ ପକ୍ଷରୁ ରାଜଧାନୀରେ ଚାଷୀ ଗର୍ଜନ ସମାବେଶ

ଭୁବନେଶ୍ୱର: ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ଓ ଦାବି ନେଇ ଭାରତୀୟ କିସାନ ସଂଘର ଓଡିଶା ଶାଖା ପକ୍ଷରୁ ଆଜି ଭୁବନେଶ୍ୱରର ଲୋଅର ପିଏମଜି ଠାରେ ବିଶାଳ ଚାଷୀ ଗର୍ଜନ ସମାବେଶ ଆୟୋଜିତ ହୋଇଯାଇଛି । ୨୧ ଦଫା ଦାବି ନେଇ ଭାରତୀୟ କିସାନ ସଂଘର କାର୍ଯ୍ୟକର୍ତା ମାନେ ସ୍ୱାଧୀନତା ସଂଗ୍ରାମୀ ପଡିଆରୁ ଏକ ବିଶାଳ ରାଲୀ ବାହାର କରି ଲୋଓର ପିଏମଜି ଠାରେ ପହଂଚି ସମାବେଶ କରିଥିଲେ । ଏଥିରେ ହଜାର ହଜାର ସଂଖ୍ୟାରେ ଚାଷୀ ସାରା ରାଜ୍ୟରୁ ଆସିଥିଲେ । ଚାଷୀଙ୍କ ଏହି ଗର୍ଜନ ସମାବେଶ ରେ ଯୋଗ ଦେଇଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ବଦ୍ରିନାଥ ଚୌଧୁରୀ ଓ ରାଷ୍ଟ୍ରିୟ ସମ୍ପାଦକ ମୋହିନୀ ମୋହନ ମିଶ୍ର ତଥା କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଶ୍ରୀନିବାସ । ଶ୍ରୀ ମିଶ୍ର କହିଥିଲେ ଯେ ଭାରତୀୟ କିସାନ ସଙ୍ଘର ପ୍ରମୁଖ ଦାବି ଗୁଡିକ ମଧ୍ୟରେ ଫସଲ ବୀମାରେ ଚାଷୀର ପ୍ରତ୍ୟେକ ପ୍ଲଟକୁ ୟୁନିଟ୍ ରୂପେ ଗ୍ରହଣ କରିବା ସହ ପ୍ରତ୍ୟେକ ଫସଲକୁ ବୀମା ଭୁକ୍ତ କରିବା, ଚାଷୀର ସମସ୍ତ କୃଷିଜାତ ଦ୍ରବ୍ୟ ସରକାର କିଣିବାର ବ୍ୟବସ୍ଥା କରିବା ସହ ସ୍ଥାନୀୟ ହାଟ ଓ ମଣ୍ଡିର ବ୍ୟବସ୍ଥା କରିବା । ଏହା ସହିତ କୃଷକ ପାଇଁ ବଜେଟରେ ବ୍ୟବସ୍ଥା ହେଇଥିବା ସମସ୍ତ ଅନୁଦାନ କମ୍ପାନୀ ମାନଙ୍କୁ ଦିଆ ନଯାଇ ସିଧା କୃଷକ ମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ପୈଠ କରାଯାଉ ବୋଲି ସେ ଦାବି କରିଥିଲେ । ସେହିପରି ଓଡିଶାର ମକା, କପା, ପିଆଜ, ଅଦା ଓ ହଳଦୀ କିଣିବା ପାଇଁ ସରକାର ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ମଣ୍ଡିର ବ୍ୟବସ୍ଥା କରିବା, ଓଡିଶାରେ ଚିନି କଳ, ସୁତା କଳ ଗୁଡିକର ଓ ଅଏଲ ଓଡିଶାର ପୁନରୁଦ୍ଧାର କରିବା, ବନ୍ଧ ନିର୍ମାଣ ଓ ଜମିରେ ଜଳ ସେଚନର ବ୍ୟବସ୍ଥା କରିବା ସହ ମଣ୍ଡିରେ କଟନି ଛଟନି ବନ୍ଦ କରିବା ଏବଂ କୃଷକକୁ ବିନା ସୁଧରେ ୫ ଲକ୍ଷ ଟଙ୍କାର ଋଣ ପ୍ରଦାନ ଏବଂ କୃଷି ଋଣ ଛାଡ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ଚାଷୀଙ୍କ ଅଭିଯୋଗ ଶୀତଳ ଭଣ୍ଡାର ଅଭାବରୁ ଚାଷୀ ହନ୍ତସନ୍ତ ହେଉଥିବା ବେଳେ ଧାନ ବିକ୍ରିବେଳେ କାଟନି ଛଟନି ଚାଷୀଙ୍କୁ ବାଧୁଛି । ଅନ୍ୟପକ୍ଷରେ ସମବାୟ ସିମିତ ସମ୍ପାଦକ ଧନୀ ହୋଇ ଚାଲିଛନ୍ତି । ଏସବୁର ସମାଧାନ ନହେଲେ ଆଗକୁ ବଡ଼ ଆନ୍ଦୋଳମ ପାଇଁ ରାଜ୍ୟ ସରକାରାଙ୍କୁ କିସାନ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *