କ୍ରାଣ୍ଡିବାଲିରେ ମାଟିତଳୁ ବାହାରିଲା ପୁରାତନ ଶିବଲିଙ୍ଗ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କ୍ରାଣ୍ଡିବାଲିରେ ମାଟି ତଳୁ ବାହାରିଛି ଗୋଟିଏ ଶିବ ଲିଙ୍ଗ । ସୁଚନା ଅନୁଯାୟୀ, ପ୍ରଥମେ ପୂଜକଙ୍କୁ ହେଲା ସ୍ୱପ୍ନାଦେଶ । ପରେ ମାଟି ଖୋଳିଲା ପରେ ମାଟିତଳୁ ବାହାରିଲା ଏକ ବିରାଟ ଶିବ ଲିଙ୍ଗ । ତାପରେ ଶିବ ଲିଙ୍ଗ ଦର୍ଶନ ପାଇଁ ଏଠାକୁ ଛୁଟୁଛି ଭକ୍ତଙ୍କ ସୁଅ । ଏମିତି ଏକ ଆଲୌକିକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ଗାଁ ରେ । ଗାଁ ରେ ଥିବା ତ୍ରିନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ଆମ୍ବ ଗଛ ତଳେ ଗ୍ରାମବାସୀ ମାଟି ଖୋଳି ଏହି ଶିବଲିଙ୍ଗଟିକୁ ଆବିଷ୍କାର କରିଛନ୍ତି । ସୂଚନା ଅନୁସାରେ, କ୍ରାଣ୍ଡିବାଲି ଗାଁ ରେ ପ୍ରାୟ ୫୦ ବର୍ଷରୁ ଅଧିକ ସମୟ ଧରି ତ୍ରିନାଥ ଠାକୁର ପୂଜା ପାଇଁ ଆସୁଛନ୍ତି । ପ୍ରତ୍‌ଯେକ ରବିବାର ଦିନ ପରି ଗତ ରବିବାର ଦିନ ମଧ୍ୟ ତ୍ରିନାଥ ମନ୍ଦିରର ପୂଜକ ତ୍ରିନାଥ ଦଶମୁଲ ମିଶ୍ର ପୂଜା ସାରି ମନ୍ଦିର ଭିତରେ ଶୋଇଥିଲେ । ଶୋଇବା ସମୟରେ ପୂଜକଙ୍କୁ ସ୍ୱୟଂ ଭଗବାନ ଶିବ ସ୍ୱପ୍ନରେ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ଆମ୍ବ ଗଛ ମୂଳରେ ଆବିର୍ଭାବ ହେବା କଥା କହିବା ସହ ମାଟିତଳୁ ତାଙ୍କୁ ବାହାର କରି ପୂଜାର୍ଚ୍ଚନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଗରୁ ମଧ୍ୟ ପୂଜକଙ୍କୁ ଏମିତି ସ୍ୱପ୍ନଦେଶ ମିଳିଥିବା ପୂଜକ ଜଣକ କହିଥିବା ବେଳେ ମନ୍ଦିର ପାର୍ଶ୍ୱରେ ରହୁଥିବା ଜମ୍ବେଶ୍ୱର ଡିଗାଲ ନାମକ ଜଣେ ବ୍ୟକ୍ତି ମଧ୍ୟ ଉକ୍ତ ଅମ୍ବଗଛରୁ ବାରମ୍ବାର ଏକ ଜ୍ୟୋତି ବାହାରି ଶୂନ୍ୟ ଆକାଶରେ ମିଳେଇ ଯାଉଥିବା ଦେଖିବାକୁ ପାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *