ଡ. ଆମ୍ବେଦକରଙ୍କ ପଞ୍ଚତୀର୍ଥ

ଡ. ଆମ୍ବେଦକରଙ୍କ ପଞ୍ଚତୀର୍ଥ
ସର୍ବେଶ୍ୱର ବେହେରା

ଡ. ଆମ୍ବେଦକର ନିଜର କାର୍ଯ୍ୟଶୈଳୀ ମାଧ୍ୟମରେ ଭାରତର ତତ୍କାଳୀନ ବୁଦ୍ଧିଜୀବୀ, ଜନସାଧାରଣ ଓ ଔପନିବେଶିକ କ୍ଷମତାର ଧ୍ୟାନ ଆକୃଷ୍ଟ କରିଥିଲେ । ତତ୍କାଳୀନ ସମାଜ ବ୍ୟବସ୍ଥା ତାଙ୍କ କାର୍ଯ୍ୟ ଦ୍ୱାରା ଚିନ୍ତାଶୀଳ ହୋଇଥିଲା । ଅସ୍ପୃଶ୍ୟତା ନିବାରଣ ପାଇଁ ତାଙ୍କ ପ୍ରଚେଷ୍ଟା ସହିତ ସମରସତାପୂର୍ଣ୍ଣ ସାମାଜିକ ଜୀବନ ପାଇଁ ସେ ପ୍ରଚଣ୍ଡ ସାଧନା କରିଥିଲେ । ସାମନ୍ତବାଦୀ ମାନସିକତା ବିରୋଧରେ ସେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ। ସାମାଜିକ ସଂରଚନାର ଅବଧାରଣା ଓ ସମାବେଶୀ ସମାଜ ରଚନାର ସେ ପ୍ରଚଣ୍ଡ ପକ୍ଷଧର ଥିଲେ ।
ଡ. ଆମ୍ବେଦକରଙ୍କ ଜୀବନ ସମାଜର ସମସ୍ତ ବର୍ଗ ପାଇଁ ପ୍ରେରଣାଦାୟୀ । ସେ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିଲେ । ସେ ଅସ୍ପୃଶ୍ୟ ସମାଜ ଓ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ସମାଜ ମଧ୍ୟରେ ଶିକ୍ଷାର ବିସ୍ତାର ଚାହୁଁଥିଲେ । ଶିକ୍ଷା ବିନା ମନୁଷ୍ୟ ଜୀବନ ଅନ୍ଧକାର । ଏଣୁ ସେ ଚାହୁଁଥିଲେ ସମସ୍ତେ ଶିକ୍ଷିତ ହୁଅନ୍ତୁ । ଏଥିପାଇଁ ସେ କିଛି ସମୟ ଅଧ୍ୟାପନା କାର୍ଯ୍ୟ ମଧ୍ୟ କରିଛନ୍ତି । ବିଭିନ୍ନ ସମ୍ବାଦପତ୍ରର ସମ୍ପାଦନ କରି ବହୁ ଲେଖା ଦ୍ୱାରା ସମାଜ ଜାଗରଣ କାର୍ଯ୍ୟ କରିଛନ୍ତି । ତାଙ୍କ ଦ୍ୱାରା ସମ୍ପାଦିତ ସମ୍ବାଦପତ୍ର- ମୂକନାୟକ, ଜନତା, ବହିଷ୍କୃତ ଭାରତ ଆଦିରେ ସେ ବହୁତ ଲେଖା ଲେଖିଛନ୍ତି । ସମଗ୍ର ଭାରତ ଶିକ୍ଷିତ ଓ ସଶକ୍ତ ହେଉ, ଏହା ତାଙ୍କର ସ୍ୱପ୍ନ ଥିଲା ।
ପ୍ରଜ୍ଞା ପୁରୁଷ ଓ ଆମ୍ବେଦକରଙ୍କ ସଂକଳ୍ପ ଓ ପ୍ରେରଣାକୁ ସତତ ଜାଗ୍ରତ କରିବା ପାଇଁ କେନ୍ଦ୍ର ସରକାର ତାଙ୍କ ନାମରେ ପଞ୍ଚତୀର୍ଥ ସ୍ଥାପନା କରିଛନ୍ତି । ଏହି ପଞ୍ଚତୀର୍ଥ ସମଗ୍ର ଭାରତୀୟମାନଙ୍କ ପାଇଁ ଆଜି ପ୍ରେରଣାର କେନ୍ଦ୍ର ପାଲଟିଛନ୍ତି । ଏଗୁଡ଼ିକ ହେଲା- ୧. ଜନ୍ମଭୂମି, ୨. ଶିକ୍ଷାଭୂମି, ୩. ଦୀକ୍ଷାଭୂମି, ୪. ମହାନିର୍ବାଣ ଭୂମି, ୫. ଚୈତ୍ୟ ଭୂମି। ଦେଶର ସମ୍ବିଧାନ ନିର୍ମାତା ଆମ୍ବେଦକରଙ୍କୁ ଏହାଦ୍ୱାରା ବିଶ୍ୱବ୍ୟାପି ସମ୍ମାନ ମିଳୁଛି । ତାଙ୍କର ଜୀବନ ସମ୍ବନ୍ଧିତ ଏହି ପଞ୍ଚତୀର୍ଥ ସ୍ଥାନକୁ ଦର୍ଶନ କରି ଆଜିର ନୂତନ ପିଢ଼ି ତାଙ୍କୁ ଅଧିକ ଜାଣିବା ପାଇଁ ଇଚ୍ଛୁକ ହେଉଛନ୍ତି । ସରକାରଙ୍କ ଦ୍ୱାରା ଏହି ପ୍ରଚେଷ୍ଟା ସର୍ବାଦୌ ପ୍ରଶଂସନୀୟ ।
ଭାରତୀୟ ସମାଜ ପାଇଁ ଡ. ଆମ୍ବେଦକରଙ୍କ ତ୍ୟାଗ ଓ ତପସ୍ୟା, ଯଶ ଓ କୀର୍ତ୍ତିକୁ ଏହି ପଞ୍ଚତୀର୍ଥରେ ଦର୍ଶାଯାଉଛି । ଏଗୁଡ଼ିକ ଆଜି କେବଳ ପର୍ଯ୍ୟଟନ ସ୍ଥଳ ହୋଇନାହିଁ, ବରଂ ଏହା ଆଜି ସମାଜ ଜାଗରଣର କେନ୍ଦ୍ର ପାଲଟିଛି । ଏହାଦ୍ୱାରା ଆଜି ବିଶ୍ୱରେ ଭାରତର ଛବି ଦ୍ୱିଗୁଣିତ ହେଉଛି । କାରଣ ତାଙ୍କର ଜୀବନାଦର୍ଶ ଓ କାର୍ଯ୍ୟ ସମଗ୍ର ବିଶ୍ୱବାସୀଙ୍କ ପାଇଁ ପ୍ରେରଣାର ସ୍ରୋତ । ସେଥିପାଇଁ ସମସ୍ତେ ତାଙ୍କର ସ୍ମାରକୀ ଦର୍ଶନ କରିବା ପାଇଁ ବ୍ୟାକୁଳ । ଏଗୁଡ଼ିକ ଦର୍ଶନ କରି ସମସ୍ତେ ଆଜି କୃତାର୍ଥ । ବିଶେଷକରି ଅନଗ୍ରସର ସମାଜ ମଧ୍ୟରେ ଏହି ସ୍ମାରକୀ ଗୁଡ଼ିକ ତୀର୍ଥସ୍ଥାନ ପାଲଟିଛି । ଏଗୁଡ଼ିକ ଦ୍ୱାରା ଭାରତ ବିକଶିତ ରାଷ୍ଟ୍ର ରୂପେ ପରିଗଣିତ ହେଉଛି ।
ଜନ୍ମଭୂମି
ଡ. ଆମ୍ବେଦକରଙ୍କ ୧୨୫ତମ ଜନ୍ମଜୟନ୍ତୀ ଅବସରରେ ଗତ ୨୦୧୬ ଏପ୍ରିଲ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଜନ୍ମସ୍ଥାନ ମଧ୍ୟପ୍ରଦେଶର ମହୁଠାରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେ ସ୍ଥାନର ସମଗ୍ର ବିକାଶ କରି ତାହା ଆଜି ତୀର୍ଥସ୍ଥାନ ରୂପେ ବିକଶିତ ହୋଇଛି । ମହୁଠାରେ ଆମ୍ବେଦକର ୧୮୯୧ ଏପ୍ରିଲ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜନ୍ମଶତବାର୍ଷିକୀରେ ୧୯୯୧ ଏପ୍ରିଲ ୧୪ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ସୁନ୍ଦରଦାର ପଟୱା ଏକ ଭବ୍ୟ ସ୍ମାରକୀ ନିର୍ମାଣ କରିବା ପାଇଁ ଶୁଭ ପ୍ରଦାନ କରିଥିଲେ । ଏଥିପାଇଁ ସେ ୪.୪୨ ଏକର ଜମି ଆବଣ୍ଟନ କରିଥିଲେ । ବର୍ତ୍ତମାନ ଜନ୍ମଭୂମିରେ ସ୍ମାରକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ପରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ୨୦୧୮ ଏପ୍ରିଲ ୧୪ ତାରିଖ ଦିନ ସେଠାରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପ୍ରତ୍ୟେକ ବର୍ଷ ଏପ୍ରିଲ ୧୪ ତାରିଖ ଦିନ ସେଠାରେ ବହୁ ସଂଖ୍ୟାରେ ସାଧାରଣ ଜନତା ବିଶେଷକରି ବୌଦ୍ଧ ଓ ଅନ୍ୟ ପର୍ଯ୍ୟଟକ ଶ୍ରଦ୍ଧା ସୁମନ ଅର୍ପଣ କରିଥାଆନ୍ତି । ଏହି ସ୍ମାରକୀର ସଂରଚନା ବୌଦ୍ଧ ସ୍ତୂପ ସଦୃଶ୍ୟ । ସ୍ମାରକୀର ପ୍ରବେଶ ଦ୍ୱାରରେ ଆମ୍ବେଦକରଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି । ସ୍ମାରକୀରେ ହିନ୍ଦୀରେ ‘ଭୀମ ଜନ୍ମଭୂମି’ ମୂର୍ତ୍ତି ସହିତ ଉପରେ ଏକ ବଡ଼ ଅଶୋକ ଚକ୍ର ସ୍ଥାନୀତ ହୋଇଛି । ସ୍ମାରକ ସମ୍ମୁଖ ଭାଗ ଉପରେ ଦୁଇଟି ବୌଦ୍ଧ ଧ୍ୱଜ ଶୋଭା ପାଉଛି । ସ୍ମାରକର ମଧ୍ୟରେ ଆମ୍ବେଦକରଙ୍କ ଜୀବନାଦର୍ଶର ଅନେକ ଚିତ୍ର ଶୋଭା ପାଉଛି । ପର୍ଯ୍ୟଟକମାନେ ସେଠାରୁ ତାଙ୍କ ସମ୍ବନ୍ଧରେ ସମସ୍ତ ତଥ୍ୟ ଜାଣିପାରିବେ ।
ଶିକ୍ଷାଭୂମି
ଲଣ୍ଡନ ଠାରେ ଡ. ଆମ୍ବେଦକର ଉଚ୍ଚଶିକ୍ଷା ପ୍ରାପ୍ତ କରିଥିଲେ । ସେଠାରେ ସେ ଯେଉଁ ଘରେ ରହୁଥିଲେ ତାହା ଏକ ସ୍ମାରକୀରେ ପରିଣତ ହେଉ, ସେଥିପାଇଁ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାରେ ୨୦୧୫ ମସିହାରେ ମହାରାଷ୍ଟ୍ରର ତତ୍କାଳୀନ ସରକାର ସେ ସ୍ଥାନକୁ କ୍ରୟ କରିଛନ୍ତି ଓ ତାହାକୁ ବିକଶିତ କରିଛନ୍ତି । ଏହି ଘରେ ଅଧ୍ୟୟନ କରି ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ଡି.ଏସ.ସି କରିଥିଲେ । ତାଙ୍କର ଗବେଷଣାର ବିଷୟ ଥିଲା ‘ପ୍ରବ୍ଲେମ ଅଫ ଇଣ୍ଡିଆନ ରୁପି’ ଏହି ଶୋଧପତ୍ରରେ ସେ ଇଂରେଜ ସରକାର କିପରି ଭାରତକୁ ଅର୍ଥନୈତିକ ଶୋଷଣ କରୁଛନ୍ତି ତାହା ଦର୍ଶାଇଥିଲେ । ଇଂଲଣ୍ଡର ରାଜଧାନୀରେ ଅଧ୍ୟୟନ କରି ଇଂଲଣ୍ଡ ବିରୋଧରେ ନିଜର ଗବେଷଣା ପୁସ୍ତକ ମାଧ୍ୟମରେ ସେ ଯାହା ଦର୍ଶାଇଥିଲେ ତତ୍କାଳୀନ ଇଂରେଜ ଶିକ୍ଷାବିତମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା । ତାଙ୍କର ଏହି ସତସାହସ ଯୋଗୁଁ ସେ ଆଜି ପ୍ରଜ୍ଞାପୁରୁଷ । ଇଂରେଜ ପରୀକ୍ଷକ ତାଙ୍କର ଗବେଷଣାମୂଳକ ପୁସ୍ତକକୁ ଅଗ୍ରାହ୍ୟ କରିଦେଇଥିଲେ । ପରେ ସେ ଭାରତ ପ୍ରତ୍ୟାବର୍ତ୍ତନ କରି ବିଭିନ୍ନ ସମ୍ବାଦପତ୍ରରେ ତାହାକୁ ଉଲ୍ଲେଖ କରିଥିଲେ । ତାଙ୍କର ଏହି ଲେଖା ଭାରତୀୟ ଅର୍ଥନୀତିରେ ଘୋର ପ୍ରଭାବ ବିସ୍ତାର କଲା । ଫଳସ୍ୱରୂପ ୧୯୩୪ ମସିହାରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସ୍ଥାପନା କରିବାକୁ ଇଂରେଜମାନେ ବାଧ୍ୟ ହୋଇଥିଲେ । ମହାରାଷ୍ଟ୍ର ସରକାର ସେ ସ୍ଥାନକୁ ବିକଶିତ କରି ସ୍ମାରକୀରେ ପରିଣତ କରିଛନ୍ତି । ସେଠାରେ ଏକ ମ୍ୟୁଜିୟମ ପ୍ରତିଷ୍ଠା କରାଯାଇ ଆମ୍ବେଦକରଙ୍କ ଦ୍ୱାରା ଲିଖିତ ପ୍ରବନ୍ଧ ଓ ଗବେଷଣା ଆଲେଖ୍ୟ ସଂଗୃହୀତ ଓ ଗଚ୍ଛିତ କରାଯାଇଛି । ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଣ୍ଡନ ପ୍ରବାସ ସମୟରେ ଏହି ସ୍ମାରକୀକୁ ଶୁଭ ଉଦ୍‌ଘାଟନ କରିଥିଲେ ।
ମହାନିର୍ବାଣ ଭୂମି
ଡ. ଆମ୍ବେଦକରଙ୍କ ଦେହାବସାନ ୧୯୫୬, ଡିସେମ୍ବର ୬ ତାରିଖରେ ଦିଲ୍ଲୀର ୨୬ ଅଲ୍ଲୀପୁର ରୋଡ଼ସ୍ଥିତ ବଙ୍ଗଳାରେ ହୋଇଥିଲା । ତାହା ଏକ ରାଷ୍ଟ୍ରୀୟ ସ୍ମାରକୀ ରୂପେ ଶୋଭା ପାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଏକ ରାଷ୍ଟ୍ରୀୟ ସଂଗ୍ରହାଳୟ ରୂପେ ଉଦ୍‌ଘାଟନ କରିଛନ୍ତି । ୧୬୨ କୋଟି ଆବଣ୍ଟନ କରି ସେଠାରେ ବହୁତଳ ବିଶିଷ୍ଟ ଗୃହ ନିର୍ମାଣ କରି ଡ. ଆମ୍ବେଦକରଙ୍କ ସମସ୍ତ ସ୍ମୃତି ଗଚ୍ଛିତ କରାଯାଇଛି । ୧୯୫୧ ମସିହାରେ ଡ. ଆମ୍ବେଦକର କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ପ୍ରଦାନ କରି ଏହି ୨୬, ଅଲିପୁର ରୋଡ଼ରେ ନିଜସ୍ୱ ଭବନରେ ମୃତ୍ୟୁ ପର୍ଯ୍ୟନ୍ତ ବସବାସ କରୁଥିଲେ । ଏହାକୁ ଏବେ ପବିତ୍ର ପରିନିର୍ବାଣ ସ୍ଥାନ ରୂପେ ନାମିତ କରାଯାଇଛି । ଏହି ସ୍ଥାନ ୭,୩୭୪ ବର୍ଗ ମିଟର ମଧ୍ୟରୁ ୪୫୬୧ ବର୍ଗ ମିଟରରେ ଏହି ସ୍ମାରକୀ ନିର୍ମାଣ କରାଯାଇଛି । ଏହି ସ୍ଥାନ ଆଜି ସମସ୍ତ ଆମ୍ବେଦକର ପ୍ରେମୀ ଶ୍ରଦ୍ଧାଳୁମାନଙ୍କ ପାଇଁ ତୀର୍ଥସ୍ଥାନ ପାଲଟିଛି । ଏଠାରେ ତାଙ୍କର ଜୀବନୀ ସହିତ ସାମାଜିକ- ଆର୍ଥିକ ବିଷୟରେ ଅନୁସନ୍ଧାନ କରାଯାଉଛି । ତାଙ୍କ ସମ୍ବନ୍ଧରେ ଗବେଷଣା କରିବା ପାଇଁ ଏହା ଏକ ଉତ୍କୃଷ୍ଟ ସ୍ଥାନରେ ପରିଚିତ ହୋଇଛି ।
ଦୀକ୍ଷାଭୂମି
ଡ. ଆମ୍ବେଦକର ୧୯୫୬, ଅକ୍ଟୋବର ୧୪ ତାରିଖ ବିଜୟାଦଶମୀ ତିଥିରେ ମହାରାଷ୍ଟ୍ରର ନାଗପୁର ଠାରେ ନିଜର ୪ଲକ୍ଷ ଅନୁଗାମୀଙ୍କ ସହିତ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଥିଲେ । ଏହି ଦୀକ୍ଷାଭୂମି ସାମାଜିକ ଆନ୍ଦୋଳନକାରୀଙ୍କ ପାଇଁ ଏକ ପ୍ରେରଣା ଭୂମି ପାଲଟିଛି । ଏହି ସ୍ଥାନରେ ବିଶ୍ୱର ସର୍ବଶ୍ରେଷ୍ଠ ବୌଦ୍ଧ ସ୍ତୂପ ନିର୍ମାଣ କରାଯାଇଛି । ନାଗପୁରର ନଗରଠାରେ ଏକ ବିରାଟ ସ୍ତୂପ ନିର୍ମାଣ କରାଯାଇଛି। ଏହି ସ୍ତୂପରୁ ୧୯୭୮ ଜୁଲାଇ ମାସରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଦୀର୍ଘଦିନ ପରେ ୨୦୦୧ ଡିସେମ୍ବର ୧୮ ତାରିଖରେ ଏହାର ଶୁଭ ଉଦ୍‌ଘାଟନ ଭାରତର ରାଷ୍ଟ୍ରପତି ଶ୍ରୀ କେ.ଆର.ନାରାୟଣଙ୍କ ଦ୍ୱାରା ହୋଇଥିଲା । ଦ୍ୱିତଳ ବିଶିଷ୍ଟ ସ୍ତୂପଟି ୪୦୦୦ ବର୍ଗ ଫୁଟ । ଏକ ସମୟରେ ଏଠାରେ ପ୍ରାୟ ୫୦୦୦ ସନ୍ନ୍ୟାସୀମାନଙ୍କର ସଭା ଅନୁଷ୍ଠିତ ହୋଇପାରୁଛି । ତା’ ସହିତ ଗ୍ରନ୍ଥାଗାର, ଫଟୋ ପ୍ରଦର୍ଶନୀ, ତାଙ୍କ ଜୀବନର ଘଟଣା ସମ୍ବଳିତ ତଥ୍ୟ ସବୁ ସେଠାରେ ଗଚ୍ଛିତ ଅଛି । ଚାରି ଦ୍ୱାର ବିଶିଷ୍ଟ ସ୍ତୂପର ଉପରେ ଅଶୋକ ଚକ୍ର ବିଦ୍ୟମାନ । ତାଙ୍କର ୧୨୫ତମ ଜନ୍ମଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ପ୍ରଥମ ଶ୍ରେଣୀ ପର୍ଯ୍ୟଟନ ସ୍ଥାନ ରୂପେ ଘୋଷଣା କରିଛନ୍ତି । ଏହାକୁ ଅଧିକ ବିକଶିତ କରିବା ପାଇଁ ଅର୍ଥ ଆବଣ୍ଟନ କରିଛନ୍ତି ।
ଚୈତ୍ୟଭୂମି
ମୁମ୍ବାଇ ସ୍ଥିତ ଚୈତ୍ୟଭୂମିରେ ଡ. ଆମ୍ବେଦକର ସ୍ମାରକକୁ ବିକଶିତ କରାଯାଇ ଏହାକୁ ଭବ୍ୟ ରୂପ ପ୍ରଦାନ କରାଯାଇଛି । ୨୦୧୫ ଅକ୍ଟୋବର ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଭୂମି ପୂଜନ କରିଛନ୍ତି । ଆମ୍ବେଦକରଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ଏହିଠାରେ ଶୋଭା ପାଇବ । ୪୫୦ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ପୃଥିବୀର ତୃତୀୟ ଉଚ୍ଚ ମୂର୍ତ୍ତି ରୂପେ ନିର୍ମାଣାଧୀନ ଅଛି । ଏହା ଆଗାମୀ ୨୦୨୬ ମେ’ ମାସରେ ପୂର୍ଣ୍ଣାଙ୍ଗ ହେବ ବୋଲି ଧାର୍ଯ୍ୟ ଅଛି । ଏଥିରେ ୪୨୫ କୋଟି ଅର୍ଥ ବ୍ୟୟ ହେବ । ଅର୍ଦ୍ଧାଧିକ କାର୍ଯ୍ୟ ସମ୍ପନ୍ନ ହୋଇ ସାରିଲାଣି । ମୁମ୍ବଇର ନାଦର ଠାରେ ଡ. ଆମ୍ବେଦକରଙ୍କ ସ୍ମୃତି ଚିହ୍ନକୁ ଚୈତ୍ୟଭୂମି କୁହାଯାଉଛି । ସବୁ ସ୍ଥାନ ପରି ଏଠାରେ ମଧ୍ୟ ଆମ୍ବେଦକରଙ୍କର ସମସ୍ତ ସ୍ମୃତିଚିହ୍ନ, କାର୍ଯ୍ୟାବଳୀର ଫଟୋ ପ୍ରଦର୍ଶନୀ ଆଦି ଶୋଭା ବର୍ଦ୍ଧନ କରିବ । ଏହା ନିକଟରେ ଏକ ବିଶାଳ ବିପାସନା ଗୃହ ନିର୍ମାଣାଧୀନ ଅଛି । ଯେଉଁଠାରେ ଏକ ସମୟରେ ପ୍ରାୟ ୧୩,୦୦୦ ଶ୍ରଦ୍ଧାଳୁ ଏକତ୍ର ଧ୍ୟାନ କରିପାରିବେ । ତା’ ସହିତ ଏକ ବୃହତ ଗ୍ରନ୍ଥାଗାର ମଧ୍ୟ ନିର୍ମାଣ ହୋଇଛି ।
ଆମ୍ବେଦକରଙ୍କ ଦର୍ଶନ, ସାହିତ୍ୟ, ସାପ୍ତାହିକ ସନ୍ଦେଶ ଲୋକଲୋଚନରେ ପ୍ରସାରିତ ହେଉଛି । ଏହାକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଉପରୋକ୍ତ ପଞ୍ଚତୀର୍ଥ ପ୍ରେରଣା ସ୍ତମ୍ଭ ସାବ୍ୟସ୍ଥ ହେବ । ଆମ୍ବେଦକରଙ୍କ ବିଚାର କାଳଜୟୀ । କେବଳ ସମସ୍ତ ଜନସାଧାରଣ ତାଙ୍କର ରାଷ୍ଟ୍ରୀୟ ବିଚାର ଓ ଆଦର୍ଶ ଜୀବନ ମୂଲ୍ୟକୁ ଆତ୍ମସାତ କରି ଅଙ୍ଗୀକାର କରିବାର ସମୟ ଆଜି ଉପନୀତ । ଏଣୁ କେନ୍ଦ୍ର ସରକାର ଆମ୍ବେଦକରଙ୍କ ସହିତ ଯୋଡ଼ା ଯାଇଥିବା ସମସ୍ତ ସ୍ଥାନକୁ ପଞ୍ଚତୀର୍ଥ ରୂପେ ବିକଶିତ କରିଛନ୍ତି ।
ଆଡଭୋକେଟ, ଖଟବିନ ସାହି, କଟକ
ମୋ-୯୪୩୭୦୧୬୩୮୪

Leave a Reply