ଚୀନର ପ୍ରକଳ୍ପ ୧୩୭୬ର ଟାର୍ଗେଟରେ ଓଡିଶା

ଚୀନର ପ୍ରକଳ୍ପ ୧୩୭୬ର ଟାର୍ଗେଟରେ ଓଡିଶା
ସୌମେନ୍ଦ୍ର ଜେନା

ଦୀର୍ଘ ଦିନ ଧରି ଡୋକଲାମ ଏବଂ ଲଦ୍ଦାଖ ଅଞ୍ଚଳରେ ସେନାଙ୍କୁ ଛିଡା କରିଥିଲା ଚୀନ । ଉଦ୍ଦେଶ୍ୟ ଥିଲା ଭାରତକୁ ନାଲି ଆଖି ଦେଖାଇବା । କଂଗ୍ରେସ ଶାସନ କାଳରେ ଦୀର୍ଘ ପଚାଶବର୍ଷ ଧରି ସମୟେ ସମୟେ ଏମିତି ନାଲିଆଖି ଦେଖାଇ ଭାରତକୁ ଭୟଭୀତ କରିବାକୁ ସକ୍ଷମ ହୋଇଥିଲା ଚୀନ । ପୂର୍ବତନ କଂଗ୍ରେସ ସରକାର ଚୀନର ସରକାରକୁ ଏତେ ପରିମାଣରେ ଭୟ କରୁଥିଲେ ଯେ ସୀମାନ୍ତରେ ସେନାପାଇଁ ଆବଶ୍ୟକ ସଡକ  ମଧ୍ୟ ନିର୍ମାଣ କରୁନଥିଲେ । ହିମାଳୟ ପାଦଦେଶରେ ଅନେକ ଝର ଏବଂ ନଦୀକୁ ପାରିହେବାଲାଗି ସ୍ଥାୟୀ ପୋଲ ମଧ୍ୟ ନିର୍ମାଣ କରୁନଥିଲେ । ୧୯୬୨ରେ ଯେପରି ସୀମାନ୍ତର ହଜାର ହଜାର କିଲୋମିଟର ଅଞ୍ଚଳକୁ ଚୀନ ଦଖଲ କଲା, ଠିକ୍ ସେମିତି କାଳେ କରିପାରେ, ସେହି ଭୟ ଘାରିଥିଲା କଂଗ୍ରେସ ସରକାରକୁ । ବୋଧହୁଏ ସେହି ସ୍ଥାୟୀ ଭୟ ଦୃଷ୍ଟିରୁ ରାଜନୈତିକ ଶିକ୍ଷା ପାଇଁ ଭାରତରେ କଂଗ୍ରେସ ସରକାର ଚୀନର ସରକାରଙ୍କ ସହ ନିଜ ଦଳର ବୁଝାମଣା ମଧ୍ୟ କରିଥିଲେ । ସେଥିପାଇଁ ଚୀନ ସରକାରଙ୍କଠାରୁ ଦଳୀୟ ଅନୁଦାନ ମଧ୍ୟ ଗ୍ରହଣ କରିଥିଲେ । କିନ୍ତୁ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ କୌଣସି ପ୍ରକାରେ ଭୟଭୀତ କରିନପାରି ପରିଶେଷରେ ପଛକୁ ଫେରିଥିବା ଚୀନ ସରକାର ପାକିସ୍ଥାନ ପରି ସମ୍ମୁଖ ଯୁଦ୍ଧକୁ ଏଡାଇ ଦୀର୍ଘକାଳୀନ ଛାୟାଯୁଦ୍ଧ ଚାଲୁରଖିବା ପାଇଁ ଭାରତରେ ଆରମ୍ଭ କରିଛନ୍ତି ପ୍ରକଳ୍ପ ୧୩୭୬ । ଚୀନ ଗୋଇନ୍ଦା ସଂସ୍ଥାର ଏହି ପ୍ରକଳ୍ପ ମାଧ୍ୟମରେ ଯୁଦ୍ଧ ସୀମାନ୍ତରେ ନହୋଇ ଏବେ ଭାରତ ଭିତରେ ଆରମ୍ଭ ହୋଇଯାଇଛି । 
ଏହି ପ୍ରକଳ୍ପ ଅନୁଯାୟୀ ଭାରତର ବଜାର ମଧ୍ୟରେ ପ୍ରବେଶ କରି ବ୍ୟବସାୟ ନାମରେ ଚୀନ ସେନାବାହିନୀ ନିଜ ଏଜେଣ୍ଟ ମାଧ୍ୟମରେ ଆରମ୍ଭ କରିଛନ୍ତି ଗୁପ୍ତଚର କାର୍ଯ୍ୟକଳାପ । ଏହି ପ୍ରକଳ୍ପ ଅନୁଯାୟୀ କେତେକ ଚୀନା କମ୍ପାନୀ ବ୍ୟବସାୟ ଆଳରେ ଭାରତର ଛୋଟ ଛୋଟ ସହରରେ ଅଫିସ ଖୋଲିବା ଆରମ୍ଭ କରିଦେଇଛନ୍ତି । ସେମାନେ ଭାରତର ବ୍ୟବସାୟୀମାନଙ୍କୁ ଅଧିକ ଖର୍ଚ୍ଚ କରି ନିଜ କମ୍ପାନୀ ନ ଖୋଲି ଚୀନରୁ ଉତ୍ପାଦିତ ମାଲକୁ କଞ୍ଚାମାଲ ଭାବେ ଆଣି ଭାରତରେ ପ୍ୟାକିଂ କରି ବିକ୍ରି କରିବାକୁ ପ୍ରୋତ୍ସାହିତ କରୁଛନ୍ତି । କେବଳ ସେତିକି ନୁହେଁ, ଛୋଟ ଛୋଟ ସହରର ବ୍ୟବସାୟୀମାନଙ୍କୁ ଆବଶ୍ୟକ ତୁଳନାରେ ଅଧିକ ମୁନାଫା ଯୋଗାଇଦେଇ ଆକର୍ଷିତ କରିବାସହ ସେମାନଙ୍କ ମାଧ୍ୟମରେ ଦେଶର ଗୁପ୍ତସୂଚନା ସଂଗ୍ରହ କରିବାରେ ଲାଗିଛନ୍ତି । ଏଥିପାଇଁ ସେମନେ ସଂପୃକ୍ତ ବ୍ୟବସାୟୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଚୀନ ବୁଲିଯିବା ଲାଗି ସୁବିଧା କରିବା ସହ ସେମାନଙ୍କୁ ଏଜେଣ୍ଟଙ୍କ ଜାଲରେ ପକାଉଛନ୍ତି । ସେମାନଙ୍କ ମାଧ୍ୟମରେ ଭାରତରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ସଂଗଠନ, ରାଜନୈତିକ ନେତା, ସନ୍ତ୍ରାସବାଦୀ ସଂଗଠନଗୁଡିକ ସହ ସଂପର୍କ ରକ୍ଷା କରାଯାଉଛି । ଚୀନର ଗୋଇନ୍ଦା ମନ୍ତ୍ରଣାଳୟ ଏହି ପ୍ରକଳ୍ପକୁ ଡ୍ରାଗନବ୍ରୀଜ ମଧ୍ୟ ନାମ ଦେଇଛି । ଭିନ୍ନ ଭିନ୍ନ ସମୟରେ ଇଣ୍ଟରନେଟରେ ଭାଇରସ୍ ଛାଡି ପ୍ରତିରକ୍ଷା ବାହିନୀର ତଥ୍ୟକୁ ଚୋରି କରିବାକୁ ପ୍ରୟାସ କରାଯାଉଛି । ଭାରତ-ଆମେରିକା, ଭାରତ - ଅଷ୍ଟ୍ରେଲିଆ ମିଳିତ ସେନାବାହିନୀ ଅଭ୍ୟାସ ପୂର୍ବରୁ ଚୀନ ପକ୍ଷରୁ ଏମିତି ଭାଇରସ୍ ଛଡାଯାଇ ତଥ୍ୟ ଚୋରି ପାଇଁ ଉଦ୍ୟମ ହୋଇଥିଲା ।
ପ୍ରକଳ୍ପ ୧୩୭୬ ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ଥାନ ଏବଂ ନେପାଳରେ ଜୋରସୋରରେ ଚାଲୁରହିଛି । ଭାରତର ସୀମାନ୍ତରେ ଥିବା ଏହି ଦୁଇଟି ଦେଶରେ ଚୀନ ନିଜେ ଗୁପ୍ତଚର ବ୍ୟବସ୍ଥାକୁ ଶକ୍ତିଶାଳୀ କରିଛି । ଦୁଇଟି ଦେଶର ଜନସାଧାରଣଙ୍କୁ ମାଣ୍ଡିରିନ୍ ଭାଷା ଶିକ୍ଷାଦାନ କରାଯାଉଛି । ଉଦ୍ଦେଶ୍ୟ ହେଲା ଯେ ଏହି ଦୁଇଦେଶର ଲୋକେ ସ୍ଥାୟୀ ଭାବେ ଭାରତର ଲୋକମାନଙ୍କ ସହ ସଂପର୍କ ରକ୍ଷାକରିି ତଥ୍ୟ ସଂଗ୍ରହ କରିବେ । ଭାରତ-ନେପାଳ ମଧ୍ୟରେ ସୀମା ଖୋଲା ଥିବା ହେତୁ ମାଣ୍ଡାରିନ ଭାଷା ଜାଣିଥିବା ବ୍ୟକ୍ତି ଭାରତରେ ଚାକିରୀ କିମ୍ବା ବାଣିଜ୍ୟ ପାଇଁ ଆସି ମାଣ୍ଡାରିନ ଭାଷାରେ ଚୀନା ଏଜେଣ୍ଟକୁ ତଥ୍ୟ ଯୋଗାଇବ । ଆମେରିକାକୁ ଦୁର୍ବଳ କରିବାକୁ ଏପ୍ରକାର ଯୋଜନାରେ ଚୀନ ସଫଳ ହୋଇଛି । ଚୀନା ମୂଳର ଦୁଇ ଆମେରିକୀୟ ପ୍ରତିରକ୍ଷା କର୍ମଚାରୀ ପେଣ୍ଟାଗନର କାର୍ଯ୍ୟାଳୟ ମଧ୍ୟରୁ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ଗୋପନୀୟ ଫାଇଲ ସବୁର ମୋବାଇଲ କ୍ୟାମେରାର ଫଟୋ ଚୀନକୁ ପଠାଯାଉଥିବା ବିଷୟକୁ କ୍ରିସ ପଟେଲ ନିକଟରେ ଧରିଛନ୍ତି । କାରଣ ଡୋନାଲ୍‌ଡ ଟ୍ରମ୍ପଙ୍କ ସବୁ ପ୍ରକାର କଟକଣା ଏବଂ ଯୁଦ୍ଧର ସମ୍ମୁଖୀନ ହେବାଲାଗି ଚୀନ ସର୍ବଦା ପ୍ରସ୍ତୁତ ରହିଥିବା ବିଷୟ ବେଜିଂର ଅଧିକାରୀମାନେ ବାରମ୍ବାର କହୁଥିଲେ । ବାଇଡେନଙ୍କ ଶାସନ କାଳରେ ଇରାନ ଉପରେ ଆକ୍ରମଣର ଏକ ପୂର୍ବଯୋଜନାକୁ ଇସ୍ରାଏଲ ସରକାର ଆମେରିକା ସରକାରଙ୍କୁ ଗତବର୍ଷ ଜଣାଇଥିଲେ । କିନ୍ତୁ ସେହି ଯୋଜନା ସଂପର୍କରେ ଇରାନ ସରକାର ଗଣମାଧ୍ୟମରେ ଆଗୁଆ ପ୍ରକାଶ କରିବା ପରେ ଇସ୍ରାଏଲ କର୍ତ୍ତୃପକ୍ଷ ଚକିତ ହୋଇଥିଲେ । କଥା ହେଲା ଯେ ବାଇଡେନଙ୍କ ସରକାରରେ ପାଲେଷ୍ଟାଇନ ଓ ଇରାନର ସମର୍ଥକମାନେ ରହିଥିଲେ । ଜଣେ ମୁସଲିମ କର୍ମଚାରୀଙ୍କ ଦ୍ୱାରା ସେହି ତଥ୍ୟ ଆଗୁଆ ଇରାନ ସରକାରଙ୍କୁ ଯୋଗାଇ ଦିଆଯାଇଥିଲା ।  ଯାହାଫଳରେ ଇସ୍ରାଏଲ ସରକାର ଇରାନ ଆକ୍ରମଣ ଯୋଜନାକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲେ । ବାଇଡେନଙ୍କ ଶାସନ କାଳରେ ଆମେରିକାରେ ପାଠପଢିବା ଏବଂ ଗବେଷଣା କରିବାକୁ ଆସୁଥିବା ଚୀନର ଛାତ୍ରଛାତ୍ରୀମାନେ ଆମେରିକା ଗବେଷଣାଗାରଗୁଡିକର ତଥ୍ୟକୁ ଚୀନ ସରକାରଙ୍କୁ ଯୋଗାଉଥିବାର ଅଭିଯୋଗ ଉଠିବା ପରେ କେତେକ ଚୀନା ଗବେଷକଙ୍କୁ ଦେଶରୁ ବିତାଡିିତ କରାଯାଇଥିଲା । ଚୀନା ଏଜେଣ୍ଟ ଭାବେ କାର୍ଯ୍ୟରତ ମହିଳାମାନେ ଆମେରିକା ପ୍ରତିରକ୍ଷା, ପ୍ରଶାସନ ଏବଂ ଗବେଷଣା କ୍ଷେତ୍ରରେ କାର୍ଯ୍ୟରତ ପଦାଧିକାରୀଙ୍କ ସହ ବୈବାହିକ ସଂପର୍କରେ ରହି ଚୀନ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ଜଣାପଡିଥିଲା । ସମାନ ଢଙ୍ଗରେ ହିମାଚଳ ପ୍ରଦେଶର ଧର୍ମଶାଳା ସହରସ୍ଥିତ ଦଲାଇଲାମାଙ୍କ କାର୍ଯ୍ୟାଳୟ ନିକଟରେ ଛୋଟ ଦୋକାନ ଖୋଲି ତିବ୍ଦତୀୟ ଆନ୍ଦୋଳନକାରୀଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରୁଥିବା ଜଣେ ଚୀନ ମହିଳାଙ୍କୁ ପୁଲିସ ଗିରଫ କରିଥିଲା । ସେ ମହିଳାଜଣକ ସମୟେ ସମୟେ ଦଲାଇଲାମାଙ୍କ କାର୍ଯ୍ୟାଳୟ ମଧ୍ୟକୁ ଯାଇ ସେଠାକାର ଲୋକମାନଙ୍କ ସହ ମିଶି ସେମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରୁଥିବା ଅଭିଯୋଗ ଉଠିଥିଲା । 
ଭାରତରେ ପ୍ରକଳ୍ପ ୧୩୭୬ ମାଧ୍ୟମରେ ଚୀନା କମ୍ପାନୀମାନେ ଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ, ପୁଣେ, ବାଙ୍ଗାଲୋର, ହାଇଦ୍ରାବାଦ ପରି ସହରଗୁଡିକରେ ନିଜର ଶାଖା କାର୍ଯ୍ୟାଳୟ ନଖୋଲି ଓଡିଶାର ବାଲେଶ୍ୱର, କଟକ ଏବଂ ଭୁବନେଶ୍ୱର ପରି ସହରରେ ଖୋଲିଛନ୍ତି । ବ୍ୟବସାୟୀମାନଙ୍କ ସହ ସଂପର୍କ ରକ୍ଷା କରିବା ସହ ରାଜ୍ୟରେ ଥିବା ପ୍ରତିରକ୍ଷାବାହିନୀର କେନ୍ଦ୍ର ଯେମିତି ଚାରବାଟିଆ, ବାଲେଶ୍ୱରର କ୍ଷେପଣାସ୍ତ୍ର ପରୀକ୍ଷା ଘାଟୀ, କୋରାପୁଟର ହାଲ, ପଶ୍ଚିମ ଓଡିଶାର ଗୋଳାବାରୁଦ କାରଖାନାର ଖବର ସଂଗ୍ରହ କରିବା ତାଙ୍କର ମୂଳଲକ୍ଷ୍ୟ ରହିଛି । ସେମାନେ ଓଡିଶାର ଛୋଟ ଛୋଟ ସହରର ବ୍ୟବସାୟୀମାନଙ୍କ ସହ ଉତ୍ତମ ସଂପର୍କ ରକ୍ଷାକରି ସେମାନଙ୍କୁ ଚୀନକୁ ବୁଲିଯିବା ଲାଗି ପଠାଉଛନ୍ତି । ନିହାତି ଛୋଟ ବ୍ୟବସାୟ କରୁଥିବା ଲୋକେ ଅଳ୍ପ କେତେଟା ଦିନରେ ବଡଲୋକ ହେବା ଦେଖାଯାଉଛି । ସେମାନଙ୍କ ରୋଜଗାରର ଉତ୍ସ ବ୍ୟବସାୟ ନୁହେଁ ବରଂ ଅଧିକନ୍ତୁ ଗୁପ୍ତଚର ଗିରି ବୋଲି ସନ୍ଦେହ କରାଯାଉଛି । ଏହି ପ୍ରକଳ୍ପ ଅନ୍ତର୍ଗତ ଗଣମାଧ୍ୟମ ସଂପର୍କରେ ଆସିଥିବା ଲୋକେ ଏକ ନିର୍ଦ୍ଦିଷ୍ଟ ବିଷୟକୁ ବ୍ୟାପକ ପ୍ରଚାର କରିବାରେ ଲାଗିପଡିଛନ୍ତି । ସମାଜ ପାଇଁ ଆବଶ୍ୟକ ବା ଅନାବଶ୍ୟକ କଥା ଚିନ୍ତା ନହୋଇ ସମ୍ବାଦ ପରିବେଷଣ ହେଉଛି । ସତ୍ୟତା ପ୍ରତି ଧ୍ୟାନ ନଦେଇ ଯେମିତି ହାଫିଜ ସୟିଦର ମୃତ୍ୟୁ ଖବର ଭାରତରେ ବହୁବାର ପ୍ରଚାର କରାଯାଇଆସିଛି ଏହାର ମୂଳରେ ପାକିସ୍ଥାନର କିଛି ସମ୍ବାଦଦାତା ରହୁଛନ୍ତି,ଯେଉଁମାନଙ୍କ ଖବରକୁ କପି ପେଷ୍ଟ କରି ଭାରତରେ ପ୍ରଚାର କରାଯାଉଛି । ଯେମିତି ସୀମା ହାଇଦର ଘଟଣାକୁ ମଧ୍ୟ ଉଦାହରଣ ସ୍ୱରୂପ ନିଆଯାଇପାରେ । ସେମିତି ମୋନାଲିସାର ଖବର କିମ୍ବା କୁମ୍ଭମେଳାରେ ଦାନ୍ତକାଠି ବିକ୍ରିକରି ୪୦ହଜାର ରୋଜଗାର କରିଥିବା ଜୌନପୁର କଲେଜଛାତ୍ରର ଘଟଣା । ଏସବୁକୁ ଚଟ୍‌ପଟି ନିଉଜ୍ ନାମରେ ପରିବେଷଣ କରାଯାଇଛି । ଏପରିକି ଏହାର ପ୍ରତିକ୍ରିୟାକୁ ମଧ୍ୟ କେନ୍ଦ୍ରକରି ଥାନାରେ ଅନେକ ମାମଲା ଆସିଛି । ଏଥିରେ ଗୋଟିଏ ବିଷୟ ପରିଲକ୍ଷିତ ହେଉଛି ଯେ କିଛି ଲୋକ ଚାହିଁଲେ ସାରାଦେଶର ଦୃଷ୍ଟିକୁ ଗୋଟିଏ ଆଡେ ଆକର୍ଷିତ କରିପାରୁଛନ୍ତି । ବଡ ବଡ ଘଟଣା ଅପେକ୍ଷା ଛୋଟ ଛୋଟ ଘଟଣାକୁ ବଡ କରି ପ୍ରଚାର କରାଯାଉଛି । ଯେମିତି କୁମ୍ଭମେଳାରେ ଗ୍ୟାସ ସିଲିଣ୍ଡରର ବନ୍ଦ କରାନଯିବା ହେତୁ ଯେଉଁ ଅଗ୍ନିକାଣ୍ଡ ଘଟିଥିଲା ତାକୁ ଖାଲିସ୍ଥାନୀ ଆକ୍ରମଣ ବୋଲି କେତେକ ଗଣମାଧ୍ୟମରେ ପ୍ରସାରିତ କରିବାକୁ ପାକିସ୍ଥାନର ଆଇଏସ୍‌ଆଇ ସକ୍ଷମ ହୋଇଥିଲା । ଆଇଏସ୍‌ଆଇର ଖବରକୁ ଭାରତର କେତେକ ଗଣମାଧ୍ୟମ କପି ପେଷ୍ଟ କରି ପ୍ରଚାର କଲେ । ତେଣୁ ଭାରତ ଭିତରେ ଗଣମାଧ୍ୟମକୁ କେତେକାଂଶରେ ନିଜ ହାତମୁଠାରେ ରଖିବାପାଇଁ ପ୍ରକଳ୍ପ ୧୩୭୬ କାର୍ଯ୍ୟ କରି ସକ୍ଷମ ହୋଇଛି ।  
ଏହି ପ୍ରକଳ୍ପକ ଅନ୍ୟ ଏକ କାର୍ଯ୍ୟହେଲା ବୁଦ୍ଧିଜୀବୀ ଲୋକମାନଙ୍କୁ କବ୍‌ଜା କରିବା । ଯେମିତି କିଛି ଲୋକ ସୋସିଆଲ ମିଡିଆରେ ଦୈନିକ ଚୀନର ପ୍ରଶଂସାରେ ନାନା ବିଷୟ ପ୍ରସାରିତ କରି ଚୀନ କିପରି ଆମେରିକା ସ୍ତରକୁ ଗଲାଣି ତାହା ଦର୍ଶାଇବାରେ ବ୍ୟସ୍ତ । ଆଭ୍ୟନ୍ତରୀଣ ଚୀନ, ଗ୍ରାମାଞ୍ଚଳରେ ଚୀନକୁ କେନ୍ଦ୍ରକରି କମ୍ ଖବର ପ୍ରସାରିତ ହେଉଛି । ସେମିତି ନିର୍ବାଚନ ସରି ନଥିବା ସ୍ଥଳେ ଦେଶରେ କମ୍ ପ୍ରତିଶତ ଲୋକେ ଭୋଟ ଦେବା, ତଦନୁଯାୟୀ ସରକାର ବଦଳିଯିବା ପରି ଭୋଟ ଫଳାଫଳ ପ୍ରକାଶ ପୂର୍ବରୁ ଏବଂ ଭୋଟ ଚାଲିଥିବା ସମୟରେ ଖବରମାନ ସମୀକ୍ଷା ଆଳରେ ପ୍ରସାରିତ କରାଗଲା । ଏସବୁ ଖବର ନିର୍ବାଚନକୁ ପ୍ରଭାବିତ କରିବାକୁ କରାଯାଇଥିଲା । ସେତିକି ନୁହେଁ ଡିପ୍‌ଫେକ୍ ଟେକ୍‌ନୋଲୋଜୀ ସହାୟତାରେ ଦେଶର ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ କଣ୍ଠସ୍ୱରକୁ ବ୍ୟବହାର କରାଯାଇ ମିଛ ଭିଡିଓମାନ ପ୍ରସାରିତ କରାଯାଇଥିଲା । ଯେମିତି ଆମେରିକାରେ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ହୋଇଥିଲା । ଗବେଷଣା ଆଳରେ ଦେଶର ବିଶ୍ୱବିଦ୍ୟାଳୟଗୁଡିକ ସହ ଚୀନ ବିଶ୍ୱବିଦ୍ୟାଳୟକୁ ଯୋଡି ପ୍ରାଧ୍ୟାପକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଚୀନ ସହ ଯୋଡିିବା ହେଉଛି ପ୍ରକଳ୍ପ ୧୩୭୬ର ଅନ୍ୟ ଏକ ଲକ୍ଷ୍ୟ । ଏଠାରେ ଏକ ଉଦାହରଣ ରଖାଯାଇପାରେ ବିବେକାନନ୍ଦ ଫାଉଣ୍ଡେସନର ରାଜୀବ ଶର୍ମାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା ଯେ ସେ ଜଣେ ନେପାଳୀ ମହିଳାଙ୍କୁ ଦେଶର ଅନେକ ତଥ୍ୟ ପ୍ରଦାନ କରୁଥିଲେ । ରାଜୀବ ଶର୍ମାଙ୍କ ଲେଖାଗୁଡିକ ଅନେକ ପତ୍ରପତ୍ରିକାରେ ପ୍ରକାଶିତ ହେଉଥିଲା । କଥା ହେଲା ଯେ ଏକଦା ବିବେକାନନ୍ଦ ଫାଉଣ୍ଡେସନରେ ଦେଶର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କାର୍ଯ୍ୟ କରୁଥିଲେ । ସେଭଳି ଅନୁଷ୍ଠାନରେ ଚୀନ ଏଜେଣ୍ଟ ପ୍ରବେଶ କରିବା ଛୋଟ କଥା ନୁହେଁ । 
ବିଦେଶରେ ଖାଲିସ୍ଥାନୀ ସନ୍ତ୍ରାସବାଦୀ ପନ୍ନୁକୁ ଭାରତ ହତ୍ୟାକରିବା ପାଇଁ ଚାହୁଁଥିବା ଏବଂ ସେଥିପାଇଁ ଏଜେଣ୍ଟ ପ୍ରେରଣ କରିଥିବା ଖବର ଚୀନା ସହଯୋଗୀମାନେ ଭାରତ ଭିତରେ ଏବଂ ବାହାରେ ପ୍ରଚାର କରିଥିଲେ । ଏପରିକି ରିସର୍ଚ୍ଚ ଆନାଲିସିସ୍ ୱିଙ୍ଗର ଅଧିକାରୀମାନଙ୍କୁ ଅଷ୍ଟ୍ରେଲିଆରୁ ଏଥିପାଇଁ ବାହାର କରାଯାଇଥିବା ଖବର ଚୀନ ପ୍ରସାରିତ କରିଥିଲା । ଭାରତର ସମ୍ମାନକୁ ବିଦେଶରେ ଖରାପ କରିବାକୁ ପାକିସ୍ଥାନର ଆଇଏସ୍‌ଆଇ ପରି ଚୀନ ଉଦ୍ୟମ ଚଳାଇଛି । ଠିକ୍ ସେମିତି ଦେଶ ଭିତରେ ଗଣତନ୍ତ୍ର, ନିର୍ବାଚନ ବ୍ୟବସ୍ଥାକୁ ସନ୍ଦେହ କଲାପରି ଖବର ମଧ୍ୟ ପ୍ରସାରିତ କରି ଲୋକଙ୍କ ମନରେ ଗଣତନ୍ତ୍ର ବିରୋଧୀ ଭାବନା ସୃଷ୍ଟି କରୁଛି । କଥା ହେଲା ପାକିସ୍ଥାନରେ ଆଇଏସ୍‌ଆଇ ଯେପରି ସେଠାକାର ସରକାର ଏବଂ ନିର୍ବାଚନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛି ଠିକ୍ ସେମିତି ଭାରତରେ ଏକ ନିୟନ୍ତ୍ରଣକାରୀ ଗୋଷ୍ଠୀ ନିର୍ମାଣରେ ଚୀନ ଲାଗିପଡିଛି । 
ଓଡିଶାର ଖଣି, ପାଣି ଏବଂ ଜଳସୀମା ଉପରେ ଚୀନର ଦୃଷ୍ଟିଥିବାରୁ ରାଜ୍ୟସରକାର ଗୋଇନ୍ଦା ବିଭାଗ ଏବଂ ପୁଲିସ ବାହିନୀ ଏଥିପ୍ରତି ସତର୍କ ରହିବା ଦରକାର । କାରଣ ଦେଶ ବାହାରେ ଆଦାନୀଗ୍ରୁପ ଚୀନର ସବୁଠୁ ଅଧିକ କ୍ଷତି କରୁଛି । ଓଡିଶାରେ ଧାମରା, ଗୋପାଳପୁର ସମେତ ସୁନ୍ଦରଗଡରେ ଆଦାନୀ ଗ୍ରୁପ କାର୍ଯ୍ୟ କରୁଥିବାରୁ ରାଜ୍ୟରେ ଆଦାନୀ ବିରୋଧୀ ଆନ୍ଦୋଳନ ରାଜନେତା, ଏନ୍‌ଜିଓର କର୍ମୀଙ୍କୁ ନେଇ କରାଯିବାର ସମ୍ଭାବନା ରହିଛି । ସେମିତି ରାଜ୍ୟରେ ଯେଉଁ ବ୍ୟବସାୟୀମାନେ ପ୍ରକଳ୍ପ ୧୩୭୬ର ଏଜେଣ୍ଟ ସାଜି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଖୋଜି ବାହାର କରାଯିବା ଆବଶ୍ୟକ । କେଉଁ କେଉଁ ଲୋକେ ବିଗତ ଦିନରେ ଅଧିକଥର ଚୀନଗସ୍ତ କରିଛନ୍ତି ,କାହିଁକି କରିଛନ୍ତି, କାହାକୁ ଭେଟିଛନ୍ତି, କେତେ ଅର୍ଥ ପାଇଛନ୍ତି, ବ୍ୟାଙ୍କ ଖାତାକୁ କେଉଁଠୁ ପଇସା ଆସିଛି କେମିତି ଅଳ୍ପ ଦିନରେ ବଡଲୋକ ହୋଇଛନ୍ତି, ସେ ସବୁର ତଦନ୍ତ ହେବା ଆବଶ୍ୟକ । ଜନସାଧାରଣ ମଧ୍ୟ ନିଜ ଅଞ୍ଚଳରେ କିଛି ଲୋକଙ୍କ ଅସ୍ୱାଭାବିକ ବିକାଶ ଦେଖିଲେ ସୂଚନା ଭିଜିଲାନ୍ସ ଏବଂ ଗୋଇନ୍ଦା ବିଭାଗକୁ ଜଣାଇବା ଦରକାର । 

ଭାରତୀୟ ସମ୍ବାଦ ସେବା (ଭାସ୍‌)
ଭୁବନେଶ୍ୱର -୭୫୧୦୦୩

Leave a Reply