ନେପାଳରେ ରାଜତନ୍ତ୍ର ଦାବି
ସୌମେନ୍ଦ୍ର ଜେନା
ଚଳିତବର୍ଷ ପ୍ରୟାଗରେ ୧୪୪ ବର୍ଷରେ ଥରେ ପଡୁଥିବା ମହାସ୍ନାନ ଅତି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଉତ୍ତର ପ୍ରଦେଶ ସରକାର ଏହାର ଆୟୋଜନ ପୂର୍ବରୁ ୪୦କୋଟି ଶ୍ରଦ୍ଧାଳୁ ବୁଡ ପକାଇବେ ବୋଲି ଆଶା କରୁଥିଲେ, ହେଲେ ଶେଷରେ ୬୬କୋଟିକୁ ସେହି ସଂଖ୍ୟା ଛୁଇଁବା ବିସ୍ମୟର କଥା । ସ୍ନାନ କାର୍ଯ୍ୟକ୍ରମରେ ବିଘ୍ନ ସୃଷ୍ଟି ପାଇଁ ଦେଶ ବିଦେଶରେ ଅନେକଶକ୍ତି ନିଜନିଜ ଉଦ୍ୟମ କରିଥିଲେ, ଯାହା ସଂପର୍କରେ ଅଧିକ କହିବା ଆବଶ୍ୟକ ନାହିଁ । କାରଣ ସେହିସବୁ ଅପପ୍ରଚାରକୁ ଶ୍ରଦ୍ଧାଳୁମାନେ ଗୁରୁତ୍ୱ ଦେଇ ନଥିଲେ । ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ରରେ ଭିନ୍ନ ବିଚାର, ଭିନ୍ନ ସଂସ୍କାର, ଭିନ୍ନ ସ୍ୱାର୍ଥ ନେଇ ଅନେକ ଲୋକ ଗୋଟିଏ ସମୟରେ କାର୍ଯ୍ୟରତ ରହିଛନ୍ତି । ପ୍ରୟାଗରାଜରେ ସ୍ନାନପାଇଁ ଦେଶ ବିଦେଶରୁ ଯେପରି ବହୁ ଶ୍ରଦ୍ଧାଳୁ ଆସିଥିଲେ ସେହିପରି ନେପାଳରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ଆସିଥିଲେ । ପ୍ରୟାଗର ଶୃଙ୍ଖଳା, ଭବ୍ୟ ସଂଗଠନ ବ୍ୟବସ୍ଥାକୁ ଦେଖି ସେମାନେ ବିମୋହିତ ହୋଇଥିଲେ । ନେପାଳର ସାଧୁମାନେ ମଧ୍ୟ ସେମାନଙ୍କ ଭକ୍ତମଣ୍ଡଳୀ ସହ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ସେମାନେ ନେପାଳକୁ ଫେରିବା ପରେ ସେଠାକାର ୧୯ବର୍ଷର ଗଣତନ୍ତ୍ରରେ ୧୩ଟି ସରକାର ଦେଖିଥିବା ନେପାଳବାସୀ ଏବେ ଯୋଗୀ ଆଦିତ୍ୟନାଥଙ୍କ ସପକ୍ଷରେ ଶୋଭାଯାତ୍ରା ବାହାର କରିଛନ୍ତି । ନେପାଳରେ ଯୋଗୀଙ୍କ ସଦୃଶ ନେତୃତ୍ୱ ଦେବାକୁ ନେପାଳ ରାଜା ଜ୍ଞାନେନ୍ଦ୍ରଙ୍କୁ ଅନୁରୋଧ କରିବା ପୂର୍ବକ ପୁନର୍ବାର ରାଜତନ୍ତ୍ର ଫେରାଇଆଣିବା ସହ ‘ହିନ୍ଦୁରାଷ୍ଟ୍ର’ ମାନ୍ୟତାକୁ ମଧ୍ୟ ରାଷ୍ଟ୍ର ସ୍ୱୀକାର କରିବାକୁ ଦାବି କରିଛନ୍ତି । ହଜାର ହଜାର ଲୋକେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇ ବର୍ତ୍ତମାନର ସରକାରଙ୍କ ଶାସନଗତ ଅବ୍ୟବସ୍ଥା, ରାଜନେତାମାନଙ୍କ ଦୁର୍ନୀତି ଏବଂ ପାରିବାରିକ ପ୍ରିୟାପ୍ରୀତି ତୋଷଣକୁ ମଧ୍ୟ ସମାଲୋଚନା କରିଛନ୍ତି । ବହୁ ସଂଖ୍ୟାରେ ଲୋକେ ସମାବେଶରେ ସାମିଲ ଥିବା ସତ୍ତ୍ୱେ କୌଣସି ପ୍ରକାର ଅପ୍ରୀତିକର ଘଟଣା ନ ଘଟିବା ହେଉଛି ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ପୂର୍ବରୁ ଗତ ନଭେମ୍ବର ମାସରେ ହୋଇଥିବା ବିକ୍ଷୋଭ ଘଟଣାବେଳେ ପୁଲିସ ପକ୍ଷରୁ ଲୁହବୁହା ବାଷ୍ପ ପ୍ରୟୋଗ କରାଯାଇଥିଲା । ଲାଠିମାଡରେ କେତେକ ଲୋକ ଆହତ ମଧ୍ୟ ହୋଇଥିଲେ । ନେପାଳର ଲୋକେ ବିଗତ ଦିନମାନଙ୍କରେ ଅନ୍ୟମାନଙ୍କ ହାତବାରିସୀ ହୋଇ ହିଂସା ଓ ରକ୍ତପାତ ଆଧାରିତ ଯେଉଁ ଶାସନ ପ୍ରତିଷ୍ଠା କରିଥିଲେ ସେଥିରେ ପ୍ରାୟ ୧୬୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା । ମାଓବାଦୀ ସନ୍ତ୍ରାସ ବଳରେ କ୍ଷମତାକୁ ଦଖଲ କରିବାର ତ୍ରୁଟିପୂର୍ଣ୍ଣ ଉଦ୍ଦେଶ୍ୟ ଯୋଗୁ ଏବେ ସେଠାକାର ସଂଖ୍ୟାଧିକ ଲୋକ ନିଜକୁ ଠକିହେବାପରି ଅନୁଭବ କରୁଛନ୍ତି ।
ନେପାଳରେ ୨୦୦୮ରୁ ଗଣତନ୍ତ୍ର ଆସିଥିଲେ ହେଁ ୨୦୧୫ରୁ ସମ୍ବିଧାନ ଲାଗୁ ହେଲା । କିନ୍ତୁ ସାମ୍ବିଧାନିକ ବ୍ୟବସ୍ଥା ଆଜିଯାଏଁ ଦେଶକୁ ନା ଶକ୍ତିଶାଳୀ କରିପାରିଛି ନା ସରକାରକୁ । ସମ୍ବିଧାନ ଆଳରେ ଦଳୀୟ ନେତା ଏବଂ କର୍ମୀମାନେ ଉପକୃତ ହେବା ସମୟରେ ସାଧାରଣ ଲୋକେ ବହୁକଷ୍ଟରେ ଜୀବନଯାପନ କରୁଛନ୍ତି । ଭାରତରେ ପ୍ରଶାସନିକ କଳ ନିକଟରେ ପରିଚାଳନାର ଚାବିକାଠି ଥିଲାବେଳେ ନେପାଳରେ ମଧ୍ୟ ଠିକ୍ ସେମିତି ଅଫିସରମାନେ ଅଖଣ୍ଡ କ୍ଷମତାକୁ ହାତରେ ମୁଠାଇ ଧରିଛନ୍ତି । କେଉଁ ସରକାର କେତେ ଦିନ ପାଇଁ ଦେଶରେ ଶାସନ କରିବ ତାର କିଛି ଠିକ୍ଠିକଣା ନଥିବାରୁ ପ୍ରଶାସନିକ କଳରେ ଥିବା ଲୋକେ ନିଜକୁ ସ୍ଥାୟୀ କ୍ଷମତାଧାରୀ ମନେକରି କାର୍ଯ୍ୟ କରୁଛନ୍ତି । ଦେଶର ଗଣମାଧ୍ୟମଗୁଡିକ ବିଦେଶୀଙ୍କ ଅର୍ଥରେ ଫୁଟବଲ ପରି ସଡକରେ ଗଡୁଛନ୍ତି । କିଏ କେତେବେଳେ ସଟ୍ ମାରିବ, କେଉଁ ଆଡକୁ ଲକ୍ଷ୍ୟ କରି ତା’ଅପେକ୍ଷାରେ ରହୁଛନ୍ତି । କେବେ, ପାକିସ୍ଥାନ, କେବେ ଚୀନ, କେବେ ବ୍ରିଟେନ ଆଉ କେତେବେଳେ ଆମେରିକା କିମ୍ବା ବିଦେଶୀ ଏନ୍ଜିଓ -ଏମାନଙ୍କ ଅର୍ଥରେ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମ ପରିଚାଳିତ ହେଉଛି । ଦେଶରେ ଶାସନଗତ ଅସ୍ଥିରତା ଯୋଗୁ ବିଦେଶୀ ପୁଞ୍ଜିନିବେଶ ଆସୁନାହିଁ କିମ୍ବା ଶିଳ୍ପପତିମାନେ ନେପାଳରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ସଡକ,ରେଳପଥ ଏବଂ ବିମାନ ଚଳାଚଳ ସବୁ କିଛି ଖରାପ ସ୍ଥିତିରେ ଥିବା ହେତୁ ଦେଶ ବାହାରର ଶିଳ୍ପ ନେପାଳକୁ ଆସି ଶିଳ୍ପ ସ୍ଥାପନା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଫଳରେ ବଜାରରେ ଅଭାବ ସୃଷ୍ଟି ହେଉଛି, ବିଦେଶୀ ମାଲ ଆଣି ବିକ୍ରି କରିବାକୁ ପଡୁଛି, ରୋଜଗାର ସୁଯୋଗ ସୃଷ୍ଟି ହେଉନାହିଁ । ଯୁବକମାନେ ବ୍ରିଟେନ, ରୁଷିଆ ସମେତ ଅନ୍ୟାନ୍ୟ ବହୁ ରାଷ୍ଟ୍ରକୁ ସୁରକ୍ଷାକର୍ମୀ ଆଳରେ ଭଡାଟିଆ ସେନା ହୋଇଯାଉଛନ୍ତି, ମୃତ୍ୟୁପରେ କୌଣସି ସୁବିଧା ମଧ୍ୟ ପରିବାର ଲୋକେ ପାଉନାହାନ୍ତି । କେପିଶର୍ମା ଓଲିଙ୍କ କମ୍ୟୁନିଷ୍ଟ ସରକାର କ୍ଷମତାକୁ ଆସିବା ପରେ ନେପାଳକୁ ଭାରତ ବିରୋଧୀ ଏବଂ ପାକ୍ ଚୀନର ସମର୍ଥକ ରାଷ୍ଟ୍ର ଭାବେ ଛିଡା କରିବା ଯୋଗୁ ଭାରତୀୟ ସେନାବାହିନୀରେ ଗୋର୍ଖା ନିଯୁକ୍ତି ବନ୍ଦ ହେଲା । ସଡକମାର୍ଗରେ ଭାରତ ଉପରେ ଅନେକ ବସ୍ତୁ ଯୋଗାଣ ପାଇଁ ନେପାଳ ନିର୍ଭର କରୁଥିବା ବେଳେ ଭାରତୀୟ ବ୍ୟବସାୟୀମାନେ ସୁରକ୍ଷା ଦୃଷ୍ଟିରୁ ନିଜକୁ ନେପାଳରୁ ଦୂରେଇ ରଖିଲେ । ସମୟକ୍ରମେ ବିଗତ ବର୍ଷମାନଙ୍କରେ ଆର୍ôଥକ ସ୍ଥିତି ଦୁର୍ବଳ ହେବା ଯୋଗୁ ଏବେ ସରକାରଙ୍କୁ ଦେଶ ଚଳାଇବା ପାଇଁ ସାଧାରଣଲୋକଙ୍କଠାରୁ ଋଣ କରିବାକୁ ହେଉଛି । ବିଦେଶୀ ଋଣର ଅନେକ ଉତ୍ସ ଦେଶର ଭୁଲନୀତି ପାଇଁ ଏକପ୍ରକାର ବନ୍ଦ ହୋଇଯାଇଛି । ବିଶ୍ୱ ମୁଦ୍ରାପାଣ୍ଠି ଏବଂ ଆନ୍ତର୍ଜାତିକ ଆର୍ôଥକ ସଂସ୍ଥା ନିକଟରେ ନେପାଳର ଦାବି ବହୁତ ଦୁର୍ବଳ ହୋଇଛି । ସମାଜର ଦଳିତ ଏବଂ ମହିଳାଙ୍କ ସ୍ଥିତି ବହୁତ ଖରାପ ହୋଇଛି । ଜାତିଗତ ବାଛବିଚାର ବହୁତ ରହିଛି । ଶିକ୍ଷା ଓ ସ୍ୱାସ୍ଥ୍ୟର ସ୍ଥିତି ନ କହିଲେ ଭଲ । ଗ୍ରାମାଞ୍ଚଳର ଲୋକଙ୍କ ଅବସ୍ଥା ସବୁଠୁ ଖରାପ । ଶିଶୁ ଶ୍ରମିକ ଓ ମାନବଚାଲାଣ ବଡ ବ୍ୟବସାୟରେ ପରିଣତ ହୋଇଛି ।
ଗତବର୍ଷ ୨୩ ନଭେମ୍ବର ୨୦୨୪ରେ ନେପାଳର ରାଷ୍ଟ୍ରୀୟ ପ୍ରଜାତାନ୍ତ୍ରିକ ପାର୍ଟିର ଆହ୍ୱାନରେ ନେପାଳକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯିବା ସହ ପୁନଶ୍ଚ ରାଜତନ୍ତ୍ର ବ୍ୟବସ୍ଥାକୁ ଫେରିବା ଦାବିରେ ବିକ୍ଷୋଭ ହୋଇଥିଲା । ରାଜା ବୀରେନ୍ଦ୍ରଙ୍କ ଦ୍ୱାରା ୧୯୯୦ରେ ପ୍ରସ୍ତୁତ ସମ୍ବିଧାନକୁ ୨୦୦୭ରେ ହଟାଇ ୨୦୧୫ରେ ଯେଉଁ ସମ୍ବିଧାନ ଲାଗୁ କରାଯାଇଥିଲା ଦଳ ପକ୍ଷରୁ ତାର ବିରୋଧ କରାଯାଇଥିଲା । କାରଣ ରାଜନେତାମାନଙ୍କ ପ୍ରୋତ୍ସାହନରେ ବିଗତ ଦିନମାନଙ୍କରେ ଚାଲିଥିବା ସମବାୟ ସଂସ୍ଥା ଏବଂ ମାଇକ୍ରୋ-ଫାଇନାନ୍ସରେ ଲକ୍ଷ ଲକ୍ଷ ସାଧାରଣ ଲୋକଙ୍କ ଅର୍ଥ ବୁଡିଥିଲେ ମଧ୍ୟ ସରକାର ନିରବଦର୍ଶକ ରହିଛନ୍ତି । ନିଜେ ପ୍ରଧାନମନ୍ତ୍ରୀ ଓଲି କାମ୍ବୋଡିଆରେ ଅର୍ଥ ବିନିଯୋଗ କରିବା ଅଭିଯୋଗ ଉଠିଛି । ଦେଶର ଉତ୍ତରାଞ୍ଚଳରେ ଖ୍ରୀଷ୍ଟିଆନ ଜନସଂଖ୍ୟା ବୃଦ୍ଧି ପାଉଥିଲାବେଳେ ଦକ୍ଷିଣାଞ୍ଚଳରେ ଭାରତର ସୀମାବର୍ତ୍ତୀ ଅଞ୍ଚଳରେ ମୁସଲମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଦେଶୀ ମିଶନାରୀ ଗୋଷ୍ଠୀ ନେପାଳରେ ଧର୍ମାନ୍ତରଣ ପାଇଁ ପ୍ରଚୁର ଅର୍ଥ ଯୋଗାଉଛନ୍ତି । ଆମେରିକାର ଷ୍ଟେଟ ଡିପାର୍ଟମେଣ୍ଟ ରିପୋର୍ଟ ମଧ୍ୟ ଧର୍ମାନ୍ତରଣକୁ ସମର୍ଥନ କରିଆସିଛି । ଦେଶର ଅନେକ ସ୍ଥାନରେ ଜିହାଦି ଗୋଷ୍ଠୀ ଦଙ୍ଗାଗୋଳ ସୃଷ୍ଟିକରି ପରିସ୍ଥିତିକୁ ଖରାପ କରିବାରେ ଲାଗିଛନ୍ତି । ଯେଉଁ କାରଣରୁ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହଙ୍କ ସପକ୍ଷରେ ୪୭ପ୍ରତିଶତ ଜନସମର୍ଥନ ରହିଥିବାର ନିକଟରେ ହୋଇଥିବା ଏକ ସର୍ବେକ୍ଷଣରେ ପ୍ରକାଶ ପାଇଛି । ପୋଖରାରେ ରହୁଥିବା ରାଜା ଦେଶବାସୀଙ୍କ ସ୍ଥିତି ଦୃଷ୍ଟିରୁ ଅଧିକ ଚିନ୍ତିତ ରହିଛନ୍ତି । ଗତ ତିନିମାସରେ ରାଜା ଜ୍ଞାନେନ୍ଦ୍ର ନେପାଳଗଞ୍ଜ, ଭୈରହାୱା, ପୋଖରା, ସ୍ୟାଙ୍ଗଜା, ବାଗଲୁଙ୍ଗ, ମ୍ୟାଗଡି, ବରଦିୟା, ଡାଙ୍ଗ୍ ଏବଂ ତୈଲିହାୱା ସମେତ ଲକ୍ଷେ୍ନା÷ ଏବଂ ଗୋରଖପୁର ଗସ୍ତ କରିଛନ୍ତି । ରାଜ ପରିବାରର ମାର୍ଗଦର୍ଶକ ଗୋରଖନାଥପୀଠର ମହନ୍ତ ଯୋଗୀ ଆଦିତ୍ୟନାଥଙ୍କୁ ରାଜା ଲକ୍ଷେ୍ନା÷ରେ ସାକ୍ଷାତ କରିଥିଲେ । ଯୋଗୀଙ୍କ ଗୁରୁ ମହନ୍ତ ଅବୈଦ୍ୟନାଥ ମଧ୍ୟ ରାଜ ପରିବାରର ମାର୍ଗଦର୍ଶକ ରହିଥିଲେ । ଗତ ଫେବୃଆରୀ ୧୮ରେ ରାଜା ଏକ ସମ୍ବୋଧନର ଭିଡିଓ ଦେଶର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି କରିଥିଲେ । ସେଥିରେ ଦେଶର ଭବିଷ୍ୟତ ପାଇଁ ସେ ଲୋକଙ୍କ ସମର୍ଥନ ମାଗିଥିଲେ । କ୍ଷମତାରୁ ଯିବା ପରଠାରୁ ରାଜାଙ୍କର ଏହାଥିଲା ପ୍ରଥମ ଆହ୍ୱାନ । ଚଳିତମାସ ପ୍ରଥମ ସପ୍ତାହରେ ରାଜା କାଠମାଣ୍ଡୁର ତ୍ରିଭୁବନ ଦେବ ବିମାନ ବନ୍ଦରରେ ପହଞ୍ôଚବା ପରେ ଏକ ବିରାଟ ଶୋଭାଯାତ୍ରାରେ ଲୋକେ ତାଙ୍କୁ ରାଜପ୍ରସାଦ ଯାଏଁ ପାଛୋଟି ନେଇଥିଲେ । କାଠମାଣ୍ଡୁର ରିଂରୋଡରେ ସେଥିପାଇଁ ସଡକ ବନ୍ଦ ହେଲାପରି ସ୍ଥିତି ସୃଷ୍ଟି ହୋଇଥିଲା । ‘ନିର୍ମଳ ନିବାସ’ (ରାଜପ୍ରସାଦ)କୁ ଯିବାବେଳେ ରାଜା ଗାଡିର ଛାତ ଉପର ଖୋଲି ହାତ ହଲାଇ ଲୋକଙ୍କ ଅଭିବାଦନ ସ୍ୱୀକାର କରୁଥିବା ଦେଖାଯାଇଥିଲା ।
ରାଜା ଏବଂ ହିନ୍ଦୁରାଷ୍ଟ୍ର ସପକ୍ଷରେ ବଢୁଥିବା ସମର୍ଥନକୁ ଦେଖି ପ୍ରଧାନମନ୍ତ୍ରୀ ଓଲି ବିଚଳିତ ହୋଇଛନ୍ତି । କ୍ଷମତାକୁ ଆସିବାକୁ ଚାହୁଁଥିଲେ ରାଜା ୨୦୨୭ ନିର୍ବାଚନ ପାଇଁ ନିଜର ଦଳ ଗଠନ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି । କିନ୍ତୁ କମଳ ଥାପା, ରାଜେନ୍ଦ୍ର ଲିଙ୍ଗଡେନ ଏବଂ ରବିନ୍ଦ୍ର ମିଶ୍ରଙ୍କ ପରି ନେତାମାନେ ରାଜସାହୀକୁ ନିର୍ବାଚନ ବ୍ୟବସ୍ଥାର ଉପରେ ବୋଲି କହିଛନ୍ତି । ଏପରିକି ରାଜା ନିକଟରେ ଭୁଟାନ ଗସ୍ତରେ ଯାଇଥିବା ସମୟରେ ସେଠାରେ ମଧ୍ୟ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ମିଳିଥିଲା । ନେପାଳର ସେନାମୁଖ୍ୟ ନିକଟରେ ଏକ ମନ୍ତବ୍ୟ ଦେଇଥିଲେ । ଯାହାକୁ କେନ୍ଦ୍ରକରି ଚର୍ଚ୍ଚା ଜୋର ଧରିଛି । ସେନାମୁଖ୍ୟ ଅଶୋକ ରାଜ ସିପଜେଲ ଲେଖିଥିଲେ ଯେ ନେପାଳର ସେନା ସବୁବେଳେ ଲୋକଙ୍କ ଇଛା ସହ ରହିଆସିଛି । ନିର୍ବାଚିତ ରାଜନେତାମାନେ ଲୋକଙ୍କ ସମସ୍ୟା ଅପେକ୍ଷା ନିଜ କ୍ଷମତା ଓ ସୁବିଧାକୁ ଅଧିକ ଗୁରୁତ୍ୱ ଦେଉଥିବା ବିଷୟ ଜଣେ ସାମ୍ବାଦିକ ଧ୍ରୁବ ହରି ଅଧିକାରୀ ପ୍ରକାଶ କରିଛନ୍ତି । ଯଦିଓ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟିର ସମର୍ଥନ ବହୁ ଅଧିକ ରହିନାହିଁ , ମାତ୍ର ୫ପ୍ରତିଶତ ସମର୍ଥନ ଦଳପାଇଛି । ତଥାପି ଆଗାମୀ ଦିନରେ ଏହି ଦଳ ଅଧିକ ଶକ୍ତିଶାଳୀ ହେବାର ଆଶା କରାଯାଉଛି । ନେପାଳର କାଠମାଣ୍ଡୁର ଶୋଭାଯାତ୍ରାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ଫଟୋ ଶୋଭାପାଇବା ଘଟଣା ନେପାଳର ବହୁ ରାଜନେତାଙ୍କ ଭୟ ବଢାଇଛି । କାରଣ ଆଗାମୀ ୨୦୨୭ରେ ଯୋଗୀ ବିଧାନସଭା ନିର୍ବାଚନ ଲଢିବେ ଏବଂ ୨୦୨୯ରେ ଭାରତର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାର ଅଧିକ ସମ୍ଭାବନା ରହିଛି । ନେପାଳ ରାଜପରିବାରର ସେ ମାର୍ଗଦର୍ଶକ । ନାଥ ସଂପ୍ରଦାୟର ପ୍ରମୁଖ ସନ୍ଥ ଭାବେ ତାଙ୍କର ସମ୍ମାନ ରହିଥିବା ହେତୁ ପଶୁପତିନାଥଙ୍କ ଭକ୍ତଗଣ ଗୋରଖନାଥ ପୀଠର ମହନ୍ତ ଯୋଗୀଙ୍କୁ ଯଥେଷ୍ଟ ସମ୍ମାନ ଦେଇଥାନ୍ତି । ଆଦିତ୍ୟନାଥ ମଧ୍ୟ ନେପାଳରେ ବେଶ୍ ଲୋକପ୍ରିୟ । ନେପାଳର ରାଜାଙ୍କ ସମର୍ଥନରେ ଯୋଗୀ ଆଦିତ୍ୟନାଥ ବାହାରିଲେ କିମ୍ବା ଯୋଜନା କଲେ ନେପାଳର ରାଜନୈତିକ ପରିବର୍ତ୍ତନ ହେବା ନିଶ୍ଚିତ ବୋଲି ଅନେକ ସମୀକ୍ଷକ ପ୍ରକାଶ କରିଛନ୍ତି । ନେପାଳ ରାଜନୀତିରେ ଉତ୍ତର ପ୍ରଦେଶର ସଂପର୍କ ରହୁଥିବା ହେତୁ ଏବଂ ଯୋଗୀ ଭାରତର ଜଣେ ଅଗ୍ରଣୀ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଥିବା ହେତୁ ରାଜା ଜ୍ଞାନେନ୍ଦ୍ର ତାଙ୍କ ମାର୍ଗଦର୍ଶନରେ ନିର୍ବାଚନକୁ ଓହ୍ଲାଇପାରନ୍ତି ବୋଲି ଅନେକ ମନେ କରୁଛନ୍ତି । ରାଜନୀତିରେ ଯୋଗୀ ସଫଳ ଖେଳାଳି ହୋଇଥିବାରୁ ଏବଂ ପ୍ରଚଣ୍ଡ ହିନ୍ଦୁପ୍ରେମୀ ଥିବାରୁ ନେପାଳକୁ ହିନ୍ଦୁରାଷ୍ଟ୍ର ଦିଗରେ ଆଗେଇ ନେବାକୁ ସେ ରାଜାଙ୍କୁ ପୂର୍ଣ୍ଣପ୍ରାଣରେ ସହଯୋଗ କରିବେ ବୋଲି ଆଲୋଚନା ହେଉଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରିୟପାତ୍ର ଥିବା ଯୋଗୀଙ୍କର ଯଦି ନେପାଳ ପାଇଁ ଯୋଜନାଥାଏ ତେବେ ସେ ତାଙ୍କୁ ସମର୍ଥନ ନିଶ୍ଚୟ କରିବେ । ନିକଟରେ ପ୍ରୟାଗରେ ସଫଳ କୁମ୍ଭମେଳାର ଆୟୋଜନ କରି ଯୋଗୀ ନିଜ ସାଂଗଠନିକ ଦକ୍ଷତା ପରିଚୟ ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଯୋଗୀଙ୍କ ଲୋକପ୍ରିୟତା ଉତ୍ତର ପ୍ରଦେଶର ବାହାରେ ଭାରତର ଅନେକ ରାଜ୍ୟର ଭୋଟରକୁ ପ୍ରଭାବିତ କରିଥିବାର ଗତ ବିଧାନସଭା ନିର୍ବାଚନ ବେଳେ ପ୍ରମାଣିତ ହୋଇସାରିଛି । ଆଗାମୀ ଦିନରେ ନେପାଳର ରାଜନୀତିରେ ଯୋଗୀ ଆଦିତ୍ୟନାଥ ଜଣେ ପ୍ରମୁଖ ବ୍ୟକ୍ତି ରହିବେ ଏବଂ ରାଜତନ୍ତ୍ର ନେପାଳକୁ ଫେରିବା କିମ୍ବା ହିନ୍ଦୁରାଷ୍ଟ୍ର ଆଡକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ସେ ପରିସ୍ଥିତିରେ ଯୋଗୀଙ୍କ ଭୂମିକା ନେପାଳର ଆଭ୍ୟନ୍ତରୀଣ ମାମଲାରେ ବୃଦ୍ଧିପାଇବ, ଯାହା ସେଠାକାର ଲୋକେ ଚାହୁଁଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ପରି ସନ୍ଥ ଓ ରାଜନେତା ନେପାଳବାସୀଙ୍କ ପ୍ରକୃତ ମାର୍ଗଦର୍ଶନ କରିପାରିବେ ବୋଲି ନେପାଳରେ ଆଲୋଚନା ଏବେ ଜୋର୍ ଧରିଛି । କାରଣ ଅଯୋଧ୍ୟା, ବାରାଣାସୀ, ପ୍ରୟାଗରାଜ ପରି ହିନ୍ଦୁ ଧର୍ମନଗରୀଗୁଡିକୁ ସେ ସମସ୍ତଙ୍କ ଦୃଷ୍ଟିି ଆକର୍ଷଣ କଲାପରି ବିକଶିତ ଓ ବ୍ୟବସ୍ଥିତ କରି ଉତ୍ତର ପ୍ରଦେଶର ଅର୍ଥନୀତିରେ ପରିବର୍ତ୍ତନ ଆଣିଛନ୍ତି । ଧର୍ମକ୍ଷେତ୍ରରେ ଅର୍ଥନୀତି ବଦଳିବା ଘଟଣା ଧର୍ମକ୍ଷେତ୍ର ଆଧାରିତ ନେପାଳର ଅର୍ଥନୀତିକୁ ନୂଆମୋଡ ଦେଇପାରିବ ବୋଲି ନେପାଳବାସୀ ବିଶ୍ୱାସ କରୁଛନ୍ତି ।
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩