-ରବିନାରାୟଣ ପଣ୍ଡା
ଯେତେବେଳେ ମନ ବସ୍ତୁ ସହିତ ଯୋଡ଼ି ହୋଇଯାଏ ସେତେବେଳେ ମନୁଷ୍ୟ ବନ୍ଧନ ଭିତରେ ବାନ୍ଧି ହୋଇଯାଏ । ସେହି ମନ ଯେତେବେଳେ ବସ୍ତୁ ଠାରୁ ମୁକ୍ତ ହୋଇଯାଏ ମନୁଷ୍ୟ ମୁକ୍ତି ପାଇଯାଏ । ବନ୍ଧନ ଓ ମୁକ୍ତି ଉଭୟ ମନର ଖେଳ । ‘ ମନରେ ମୂଳେ ଏ ଜଗତ’ । ଅନେକ ସମୟରେ କ୍ଷଣିକ ବସ୍ତୁକୁ ମନ ସତ୍ୟ ବୋଲି ବିବେଚନା କରିନିଏ ଏବଂ ତାହାରି ପଛରେ ଧାବମାନ ହୁଏ ।
ଭଗବତ ଗୀତାରେ ମନକୁ କ୍ଷଣିକ ଓ ଅସ୍ଥିର ଭାବରେ ବିବେଚନା କରାଯାଇଛି । ମହାଭାରତରେ ଯୁଧିଷ୍ଠିର ଏହାର ଗତି ସଂସାରେ ସବୁଠାରୁ ତୀବ୍ର ବୋଲି ବର୍ଣ୍ଣନା କରିଛନ୍ତି । ଏହି ତୀବ୍ରତା କାରଣରୁ ସାମାନ୍ୟ ସମୟରେ ମନ ବୁଦ୍ଧି ଦ୍ୱାରା ବସ୍ତୁ ସଂଗ୍ରହ ପାଇଁ ଅନେକ ତର୍କ ପ୍ରସ୍ତୁତ କରିନିଏ । ମନ ଜଗତର ସମସ୍ତ ବସ୍ତୁକୁ ଉପଯୋଗ କରିବାରେ ସକ୍ଷମ ହୋଇଯାଏ । ଜଗତରେ ବସ୍ତୁକୁ ଆଧାର କରି ମନ ଅନେକ ରଚନା ଆରମ୍ଭ କରେ । ବୁଢିଆଣୀ ଜାଲ ବୁଣିଲା ଭଳି ସଂସାର ନିର୍ମାଣ କରିଯାଏ । କେବେ କେବେ ଦିନରେ ବି ସ୍ୱପ୍ନ ଦେଖେଇବା ଆରମ୍ଭ କରିଦିଏ ।
ଏପରିକି ପଦାର୍ଥ ବିଜ୍ଞାନର ଗବେଷକ ମଧ୍ୟ ଏହି ମନର ଖେଳରୁ ବର୍ତୀ ପାରନ୍ତି ନାହିଁ । ସେମାନେ ଗବେଷଣା ଗାରରେ ନିୟମିତ ବସ୍ତୁ ଭିତରେ ଥିବା ଅଣୁ, ପରମାଣୁ, ବୈଦ୍ୟୁତିକ କଣିକା ଓ ଚୁମ୍ବକୀୟ ତରଙ୍ଗ ଦେଖୁଛନ୍ତି । ସେମାନଙ୍କୁ ଭଲ ଭାବରେ ଜଣାଅଛି ସତ୍ୟ ହେଉଛି ଐଶରୀୟ କଣିକା (ଶକ୍ଟୟ କ୍ଟ୍ରବକ୍ସଗ୍ଧସମକ୍ଷର ) । ସପୂର୍ଣ ବିଶ୍ୱ ଏକ ଚୁମ୍ବକୀୟ ବଳୟ । ବସ୍ତୁରୁ ଶକ୍ତିକୁ ଏବଂ ଶକ୍ତିରୁ ବସ୍ତୁକୁ ରୂପାନ୍ତରିତ ହେବାର ପ୍ରକ୍ରିୟା ପ୍ରାଞ୍ଜଳ ଭାବରେ ସେମାନେ ସମସ୍ତଙ୍କୁ ବୁଝାଉଛନ୍ତି କିନ୍ତୁ ସଂସାର ଚକ୍ରରେ ବସ୍ତୁକୁ ସତ୍ୟ ବିଚାର କରି ସେହି ଅନୁରୂପ ବ୍ୟବହାର କରୁଛନ୍ତି । ବସ୍ତୁର ଆକର୍ଷଣକୁ ସ୍ୱୀକାର କରିନେଉଛନ୍ତି ।
ମନ ତାର ଆକର୍ଷଣ ଶକ୍ତି ଦ୍ୱାରା ବିବେକ ଓ ଚେତନାକୁ ଏପରି ପ୍ରଭାବିତ କରି ରଖିଥାଏ ଯେ ଜ୍ଞାନ ବା ତତ୍ୱ ବ୍ୟବହାରରେ ଆସିପାରେ ନାହିଁ । ଅଜ୍ଞାନ ଓ ମନ ଭିତରେ ଥିବା ଦୃଢ ସମନ୍ୱୟ ଏପରି ପ୍ରହେଳିକା ନିରନ୍ତର ପ୍ରସ୍ତୁତ କରୁଥାଏ । ମନ ଇନ୍ଦ୍ରିୟମାନଙ୍କ ଦ୍ୱାରା ଶରୀରକୁ ବଶୀଭୂତ କରିନିଏ । ଯାହା ସତ୍ୟର ଗତିରୋଧ କରିବାକୁ ସମର୍ଥ ହୋଇଯାଏ । ଆତ୍ମାର ଅସୀମିତ ଶକ୍ତିକୁ ଭରସା ନକରି ମନୁଷ୍ୟ ମନ ଉପରେ ନିର୍ଭରଶୀଳ ହୋଇଯାଏ । ମନ ଜୀବକୁ ପ୍ରଭାବିତ କରି ବୁଦ୍ଧି ଓ ଶରୀରକୁ ସତ୍ୟ ଭାବରେ ଗ୍ରହଣ କରିନିଏ । ଶରୀର ମାଧ୍ୟମରେ ଓ ଶରୀର ପାଇଁ କ୍ରିୟା କରିଚାଲେ । ମନ ଓ ଜୀବ ଭିତରେ ଏକ ସ୍ୱାଭାବିକ ବନ୍ଧୁତ୍ୱ ଭାବ ନିର୍ମାଣ ହୋଇଯାଏ । ଆତ୍ମାର ଶକ୍ତି ଓ ସାମର୍ଥ୍ୟକୁ ଗୌଣ କିମ୍ବା ଉପେକ୍ଷା କରିଚାଲେ । ଅନେକ ସମୟରେ ଜ୍ଞାନ ମଧ୍ୟ ଏହି ଦୃଢ଼ କବଚକୁ ଭାଙ୍ଗି ଆତ୍ମଚେତନାକୁ ପ୍ରକାଶିତ କରିପାରେ ନାହିଁ ।
ମନକୁ ନିୟନ୍ତ୍ରିତ କରି ତତ୍ୱ ଅନୁରୂପ ବ୍ୟବହାର ଅନେକ ସମୟରେ ସମ୍ଭବ ହୁଏ ନାହିଁ । ମନୁଷ୍ୟ ମନ ବସ୍ତୁକୁ ଆଧାର କରି ଗୋଟିଏ ପରେ ଗୋଟିଏ ଭବନ ବର୍ଷ ବର୍ଷ ଧରୀ ନିର୍ମାଣ କରୁଥାଏ । ଯାହାକୁ ଜୀବନର ପ୍ରକ୍ରିୟା ଭାବେ ଗ୍ରହଣ କରି ମନୁଷ୍ୟ ତାର ଦିନ, ମାସ, ବର୍ଷ ଭଳି ଦୁର୍ଲଭ ସମୟକୁ ବ୍ୟୟ କରି ଚାଲିଥାଏ । ମନ ନିୟନ୍ତ୍ରିତ କ୍ରିୟା ଏପରି ସ୍ୱଭାବ ସୁଲ୍ଲଭ ହୋଇଯାଏ ଯେ ତାର ବିଶ୍ଳେଷଣ କରିବା ସମ୍ଭବ ହୁଏ ନାହିଁ ।
ମନର ବସ୍ତୁ ପ୍ରତି ଆକର୍ଷଣ କାରଣରୁ ଜୀବ ଭିତରେ ଭେଦ ବୁଦ୍ଧି ଉଦ୍ରେକ ହୁଏ । ଏହା ମୋର ତାହା ତାର ଏପରି ବିବେଚନା କରି ବସ୍ତୁ ସରଂକ୍ଷଣ କାର୍ଯ୍ୟକୁ ଜୀବ ପ୍ରାଧାନ୍ୟ ଦିଏ । ଶାସ୍ତ୍ରରେ ଏହାକୁ ବସ୍ତୁ ସଂଗ୍ରହ ଦୋଷ କୁହାଯାଏ । ବସ୍ତୁପ୍ରତି ଆକର୍ଷଣ ମୁକ୍ତିର ମାର୍ଗକୁ ସଂକୀର୍ଣ୍ଣ କରି ବନ୍ଧନକୁ ଅଧିକ ମଜବୁତ କରିଦିଏ । ଜୀବ ଆତ୍ମା ଓ ପରମାତ୍ମା ଭିତରେ ଥିବା ସମ୍ପର୍କକୁ ଭୁଲି ଯାଏ । ଅସୀମ ସତା ସହିତ ସମ୍ପର୍କ ନଷ୍ଟ ହୋଇଯାଏ । ନିଜକୁ ବାହାର ଦୁନିଆ ଠାରୁ ପୃଥକ କରିବା ଆରମ୍ଭ କରେ । ନିଜର ନୂତନ ପରିଚୟ ନିର୍ମାଣ କରିବା କାର୍ଯ୍ୟରେ ମନ ବୁଦ୍ଧିକୁ ନିୟୋଜିତ କରିଦିଏ । ନୂତନ ପରିଚୟ ସହିତ ଅସ୍ମିତା ବା ଅହଂକାର ନିର୍ମାଣ ହୋଇଯାଏ । ଅହଂକାର ସୁଖ ଓ ଦୁଃଖର ରସ ଆସ୍ୱାଦନ କରେ । କ୍ଳେଶ ମନର ଏକ ସ୍ୱଉପାର୍ଜିତ ଫଳ ବୋଲି ବିବେଚନା କାରାଯାଇପାରେ । ମନରୁ ବନ୍ଧନ, ବନ୍ଧନରୁ ପରିଚୟ, ପରିଚୟରୁ ଅହଂକାର, ଅହଂକାରରୁ କ୍ଳେଶ ଏପରି ଏକ ଚକ୍ର ଭିତରେ ଆମେ ପଡିଯାଆନ୍ତି । ଠିକ ଯେପରି ରେଶମ କୀଟ ନିଜ ଦ୍ୱାରା ତିଆରି ହୋଇଥିବା ସୁତାରେ ନିଜେ ବାନ୍ଧି ହୋଇଯାଏ । ଶେଷରେ ତାରି ଭିତରେ ଜୀବନ ତ୍ୟାଗ କରେ । ଠିକ୍ ସେହିପରି ମନ ଦ୍ୱାରା ତିଆରି ହୋଇଥିବା ଅବିଦ୍ୟାର ଭଉଁରୀ ଭିତରେ ଜୀବ ଛନ୍ଦି ହୋଇ ପ୍ରାଣ ତ୍ୟାଗ କରେ । ବେଦାନ୍ତରେ ଏହାକୁ ‘ତାଦାତ୍ମ’ବୋଲି କୁହାଯାଏ ।
ମନହିଁ ଅବିଦ୍ୟା । ମନ ସ୍ଥିର ହୋଇଗଲେ ଆକର୍ଷଣ ସମାପ୍ତ ହୋଇଯିବ ଓ ସଂସାର ସୁପ୍ତ ହୋଇଯିବ । ମନ ଜାଗ୍ରତ ହେଲେ ଆକର୍ଷଣ ଆରମ୍ଭ ହେବ ଓ ସଂସାର ଜାଗ୍ରତ ହେବ । ମନ ଓ ବନ୍ଧନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ସେଥିପାଇଁ ଯୋଗ ଦର୍ଶନରେ ‘ଚିତବୃତି ନିରୋଧ’ ପାଇଁ କୁହାଯାଇଛି । ରାମକୃଷ୍ଣ ପରମହଂସଙ୍କ ଏକ ପ୍ରସିଦ୍ଧ ଉକ୍ତି ଅଛି \”ମନକି ଖେଳରେ ବାବା’ । ମନକୁ ନିୟନ୍ତ୍ରଣ କଲେହିଁ ଜୀବ ମୁକ୍ତିର ମାର୍ଗ ପାଇପାରିବ ।
ମଠସାହି, ଭଦ୍ରକ
ମୋ-୯୪୩୭୦୧୭୮୫୭