ଡ. ସମନ୍ୱୟ ନନ୍ଦ
ଆମେରିକାର ସାଧାରଣ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ବିଜୟୀ ହୋଇଛନ୍ତି । କମଳା ହାରିସ ପରାଜିତ ହୋଇଯାଇଛନ୍ତି । ଟ୍ରମ୍ପଙ୍କ କମଳା ହାରିସଙ୍କ ଉପରେ ବିଜୟ ଗୋଟିଏ ପ୍ରକାରର ଐତିହାସିକ । ଗତ ନିର୍ବାଚନରେ ପରେ ଆମେରିକାର ସମ୍ପୂର୍ଣ ଲେଫ୍ଟ – ଲିବରାଲ ଇକୋ ସିଷ୍ଟମ ତାଙ୍କୁ ଖଳନାୟକ ଭାବେ ପ୍ରସ୍ତୁତ କରିବା ସହ ତାଙ୍କୁ ଭିକ୍ଚିମାଇଜ କରିଥିଲା । ଏହାକୁ ସାରା ବିଶ୍ୱ ଦେଖିଥିଲା । ଗତ ନିର୍ବାଚନ ପରେ ଟ୍ରମ୍ପଙ୍କୁ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ବାହାର କରି ଦିଆଯାଇଥିଲା । ଟ୍ରମ୍ପଙ୍କ ସମସ୍ତ ବିଜନେସକୁ ସବୁ ବ୍ୟାଙ୍କିଂ ପ୍ଲାଟଫର୍ମରୁ ବ୍ୟାନ କରି ଦିଆଯାଇଥିଲା । ନ୍ୟାୟପାଳିକାକୁ ତାଙ୍କ ବିରୁଦ୍ଧରେ ଲଗାଇ ଦିଆଯାଇଥିଲା । ଅନେକ ପ୍ରକାରର ଆପରାଧିକ ମାମଲା ତାଙ୍କ ବିରୁଦ୍ଧରେ ରୁଜୁ କରି ତାଙ୍କୁ ଶେଷ କରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ଫିନିକ୍ସର କାହାଣୀ ଭଳି ଟ୍ରମ୍ପ ମଧ୍ୟ ପାଉଁଶରୁ ଉଠିଲେ ଓ ନିର୍ବାଚନରେ ବିଜୟ ଲାଭ କଲେ । ବୈଶ୍ୱିକ ଇକୋ ସିଷ୍ଟମ ଯେତେ ଶକ୍ତିଶାଳୀ ହେଉ ନା କାହିଁକି ଅପରାଜେୟ ନୁହେଁ ବୋଲି ଏହା ଦ୍ୱାରା ଟ୍ରମ୍ପ ପ୍ରମାଣିତ କରିଛନ୍ତି ।
ଟ୍ରମ୍ପଙ୍କ ବିଜୟ ଓ ଆମେରିକାର ରାଷ୍ଟ୍ରପତି ଭାବେ ତାଙ୍କର ନୀତିର ଭାରତ ଉପରେ କଣ ପ୍ରଭାବ ପଡିବାର ସମ୍ଭାବନା ରହିଛି । ସେ ସମ୍ପର୍କରେ ବିଚାର କରିବା । ଭାରତ ଉପରେ ଟ୍ରମ୍ପଙ୍କ ନୀତିର ପ୍ରଭାବକୁ ମୋଟ ଉପରେ ତିନୋଟି ପ୍ରକାରରେ ବିଭାଜିତ କରାଯାଇ ପାରେ । ଗୋଟିଏ ହେଲା ଭାରତର ଅର୍ଥନୀତି ଉପରେ କଣ ପ୍ରଭାବ ପଡିବ । ଦ୍ୱିତୀୟଟି ହେଲା ଭାରତ ଉପରେ ହେଉଥିବା ସଭ୍ୟତା ଓ ସାଂସ୍କୃତିକ ଆକ୍ରମଣ ପ୍ରସଙ୍ଗରେ କଣ ପ୍ରଭାବ ପଡିବ ଓ ତୃତୀୟଟି ହେଲା ଭାରତର ରଣନୈତିକ ଓ ସୁରକ୍ଷା ଦୃଷ୍ଟିକୋଣରୁ କଣ ପ୍ରଭାବ ପଡିବ । ଗୋଟିଏ – ଗୋଟିଏ ଭାବେ ଏହା ଉପରେ ଆଲୋଚନା କରିବା ।
ଭାରତର ଅର୍ଥନୀତି ଉପରେ ଟ୍ରମ୍ପଙ୍କ ନୀତିର ପ୍ରଭାବ ସମ୍ପର୍କରେ ଅନେକ ବିଶେଷଜ୍ଞ ମତ ଦେଉଛନ୍ତି ଯେ ଏହାର ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପଡିବ । ବିଶେଷଜ୍ଞ ମାନଙ୍କର ଏହି ମତ ସମ୍ପୂର୍ଣ ଭାବରେ ଠିକ । କାରଣ ଟ୍ରମ୍ପ ନିଜ ନିର୍ବାଚନୀ ପ୍ରଚାର ବେଳେ ଆମେରିକାକୁ ଶ୍ରେଷ୍ଠ ଆମେରିକା କରିବାର ସ୍ଲୋଗାନ ଦେଇ ନିର୍ବାଚନ ବିଜୟୀ ହୋଇଛନ୍ତି । ତେଣୁ ସେ ବାଣିଜ୍ୟ କ୍ଷେତ୍ରରେ ନିଜ ଦେଶର କ୍ଷତି କରି ଭାରତ ଓ ଅନ୍ୟ ଦେଶ ମାନଙ୍କୁ କୌଣସି ପ୍ରକାର ରିହାତି ଦେବେ ବା ଆମେରିକୀୟ ନାଗରିକ କିମ୍ବା ଆମେରିକୀୟ ଶିଳ୍ପକୁ କ୍ଷତି ହେବା ଭଳି କୌଣସି କାର୍ଯ୍ୟ ଆଦୌ କରିବେ ନାହିଁ । ସେ ନିଶ୍ଚିତ ଭାବେ ଭାରତ ଭଳି ଦେଶ ସହ ବାଣିଜ୍ୟ କ୍ଷେତ୍ରରେ ହାର୍ଡ ବାର୍ଗେନ କରିବେ । ଯେ କୌଣସି ଦେଶର ନେତା ତା ଦେଶର ସ୍ୱାର୍ଥ୍ ପାଇଁ କାମ କଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଏହା ବାଦ ଟ୍ରମ୍ପ ଆମେରିକୀୟ ଲୋକ ମାନଙ୍କୁ କାମ କିପରି ମିଳିବ ସେ ନେଇ ମଧ୍ୟ କାମ କରିବେ । ଏହାର କ୍ଷତି ମଧ୍ୟ ଭାରତୀୟ ମାନଙ୍କ ଉପରେ ହେବାର ଆଶଙ୍କା ରହିଛି । ଆର୍ôଥକ କ୍ଷେତ୍ରରେ ଟ୍ରମ୍ପଙ୍କ ସହ ଭାରତକୁ କଥାବାର୍ତା କଲା ବେଳେ ଏହି ସବୁ ବିଷୟକୁ ଆଖି ଆଗରେ ରଖି ଭାରତକୁ ନିଜ ଦେଶର ସ୍ୱାର୍ଥ ଦୃଷ୍ଟିରୁ ପଦକ୍ଷେପ ନେବାକୁ ପଡିବ ।
ଏବେ ଦ୍ୱିତୀୟ ପ୍ରସଙ୍ଗକୁ ଆସିବା । ଭାରତ ଉପରେ ହେଉଥିବା ସଭ୍ୟତାଗତ ଓ ସଂସ୍କୃତିଗତ ଆକ୍ରମଣ ଉପରେ ଏହାର କଣ ପ୍ରଭାବ ପଡିବ । ଭାରତ ଓ ହିନ୍ଦୁ ସଭ୍ୟତା ଉପରେ କଟ୍ଟରପନ୍ଥୀ ଇସଲାମିକ ବିଚାରଧାରାର ଜୋରଦାର ଆକ୍ରମଣ ଚାଲିଛି । ପଡୋଶୀ ବଙ୍ଗଳାଦେଶରେ ହିନ୍ଦୁ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚାଲିଛି । ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ନିର୍ବାଚନର କିଛି ଦିନ ପୂର୍ବରୁ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ବଙ୍ଗଳାଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅମାନବୀୟ ନିର୍ଯ୍ୟାତନାର କଥା ଉଲ୍ଲେଖ କରିଥିଲେ । ବର୍ତମାନ ଯାଏ ଅନ୍ୟ କେହି ବୈଶ୍ୱିକ ନେତା ଖୋଲାଖୋଲି ଭାବେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ଉଲ୍ଲେଖ କରିଥିବାର ଉଦାହରଣ ନାହିଁ । ଏପରିକି ଭାରତୀୟ ବଂଶୋଦ୍ଭବ ବୋଲି କୁହାଯାଉଥିବା କମଳା ହାରିସ ମଧ୍ୟ କେବେ ହେଲେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ପଦଟିଏ କହି ନାହାନ୍ତି । ଟ୍ରମ୍ପଙ୍କର ଏପରି ଅନେକ ଭାଷଣ ଅଛି ଯେଉଁଥିରେ ସେ ନିଜକୁ ହିନ୍ଦୁ ମାନଙ୍କର ବନ୍ଧୁ ବୋଲି କହିଛନ୍ତି । ସବୁଠାରୁ ବଡ କଥା ହେଲା ଆତଙ୍କବାଦର କୌଣସି ରିଲିଜିୟନ ନାହିଁ ବୋଲି ସାରା ବିଶ୍ୱର ନେତା ମାନେ କହୁଥିବା ବେଳେ ବୋଧ ହୁଏ ଟ୍ରମ୍ପ ହିଁ ବିଶ୍ୱର ଏକମାତ୍ର ନେତା ଯିଏ ରେଡିକାଲ ଇସଲାମ ବିରୁଦ୍ଧରେ ସାର୍ବଜନୀନ ଭାବେ କହି ସାରିଛନ୍ତି । ଭାରତ ବର୍ତମାନ ରେଡିକାଲ ଇସଲାମିଷ୍ଟ ଶକ୍ତି ମାନଙ୍କର ଟାର୍ଗେଟରେ ରହିଛି । ଏହି ରେଡିକାଲ ଇସଲାମିଷ୍ଟ ଶକ୍ତି ମାନଙ୍କ ପଛରେ ବାମପନ୍ଥୀ ଇକୋ ସିଷ୍ଟମ ରହିଛି । ଏହି ଶକ୍ତି ମାନେ ଟ୍ରମ୍ପଙ୍କ ବିରୁଦ୍ଧରେ ମଧ୍ୟ ଲାଗିଥିଲେ । ତେଣୁ ଏହି କ୍ଷେତ୍ରରେ ଉଭୟଙ୍କ ଶତ୍ରୁ ସମାନ । ତେଣୁ ଏ ପ୍ରସଙ୍ଗରେ ଟ୍ରମ୍ପଙ୍କ ନୀତି ଭାରତ ପାଇଁ ନିଶ୍ଚିତ ଭାବେ ସହାୟକ ହେବ । ତେବେ ଏଠାରେ ଆଉ ଏକ କଥା ଉଲ୍ଲେଖ କରାଯିବା ଜରୁରୀ । ପୂରା ବିଶ୍ୱକୁ କନଭର୍ଟ କରି ସମସ୍ତଙ୍କ ଗଳାରେ କ୍ରସ ଝୁଲାଇବାର ପ୍ରୟାସରେ ଲାଗିଥିବା ଚର୍ଚ୍ଚର ଚାପ ନିଶ୍ଚିତ ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ରହିବ । ତେଣୁ ଏ ବାବଦରେ ଭାରତକୁ ଅତ୍ୟଧିକ ସତର୍କ ହେବାର ଆବଶ୍ୟକତା ରହିଛି ।
ଏବେ ତୃତୀୟ ଓ ଭାରତର ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ ବିଷୟ । ଏହା ହେଉଛି ଭାରତର ନିରାପତା, ସୁରକ୍ଷା ଓ ରଣନୈତିକ ଦୃଷ୍ଟିକୋଣରୁ ଟ୍ରମ୍ପଙ୍କ ନୀତିର କଣ ପ୍ରଭାବ ହେବାର ସମ୍ଭାବନା ରହିଛି । ଟ୍ରମ୍ପଙ୍କ ନୀତିର କଣ ଜିଓ ପଲିଟିକାଲ ପ୍ରଭାବ ହେବ । ବୋଧ ହୁଏ ଏହି କ୍ଷେତ୍ରରେ ଭାରତକୁ ସର୍ବାଧିକ ଲାଭ ହେବାର ସମ୍ଭାବନା ରହିଛି । ଗତ କିଛି ଦିନ ଧରି ପାଶ୍ଚାତ୍ୟ ଦେଶ ମାନେ ବିଶେଷ କରି ଆମେରିକା ତାର କାନାଡା ପରି ସହଯୋଗୀ ଦେଶ ମାନଙ୍କ ଜରିଆରେ ଭାରତ ଉପରେ ଆକ୍ରମଣ କରି ଚାଲିଛି । କାନାଡାର ରାଷ୍ଟ୍ରାଧ୍ୟକ୍ଷ ଜଷ୍ଟିନ ଟ୍ରୁ଼ଡୋ ଓ ତାଙ୍କ ସରକାର ଭାରତ ବିରୋଧୀ ଶକ୍ତି ମାନଙ୍କ ହାତର ଖେଳନା ସାଜି ସବୁ କୂଟନୈତିକ ସୌଜନ୍ୟତାର ସୀମାକୁ ଉଲ୍ଲଂଘନ କରି ସାରିଛନ୍ତି । ଆତଙ୍କବାଦୀ ପନ୍ନୁ ଆମେରିକା ଓ କାନାଡାରେ ବସି ପ୍ରତିଦିନ ଭାରତ ବିରୁଦ୍ଧରେ ଭିଡିଓ ଜାରୀ କରୁଛି । ଟ୍ରମ୍ପଙ୍କ ଏହି ବିଜୟ ପରେ ଏହା ଉପରେ ନିଶ୍ଚିତ ଭାବେ ରୋକ ଲାଗିବ । ଆତଙ୍କବାଦୀ ପନ୍ନୁ ଏବେ ଗାତରେ ଯେପରି ସାପ ଲୁଚେ ସେପରି ଲୁଚିବା ଆରମ୍ଭ କରିବ ।
ଅନ୍ୟ ପଟେ ଚୀନ ଟ୍ରମ୍ପଙ୍କ ଟାର୍ଗେଟରେ ରହିବ । ଟ୍ରମ୍ପ ଖୋଲାଖୋଲି ଭାବେ କହି ସାରିଛନ୍ତି ଯେ ଚୀନକୁ ଯାଇଥିବା ବ୍ୟବସାୟକୁ ସେ ପୁଣି ଥରେ ଆମେରିକାକୁ ଆଣିବେ । ଏହି କ୍ଷେତ୍ରରେ ଟ୍ରମ୍ପଙ୍କୁ ଭାରତର ସହଯୋଗର ଆବଶ୍ୟକତା ପଡିବ । ବିସ୍ତାରବାଦୀ ଚୀନର ପ୍ରଭାବକୁ ବୈଶ୍ୱିକ ସ୍ତରରେ କମ କରିବାକୁ ଯଦି ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ ଭୂମିକା କେହି ନେଇ ପାରିବ ତେବେ ସେ ହେଉଛି ଭାରତ । ତେଣୁ ରଣନୈତିକ ଦୃଷ୍ଟିରୁ ଟ୍ରମ୍ପଙ୍କ ନୀତି ଭାରତ ପାଇଁ ଲାଭଦାୟକ ହେବାର ସମ୍ଭାବନା ରହିଛି ।
ଲେଫ୍ଟ ଲିବରାଲ ଇକୋ ସିଷ୍ଟମ, ଆମେରିକାର ଡିପ ଷ୍ଟେଟ ତଥା ବୈଶ୍ୱିକ ଇସଲାମୀ ଶକ୍ତି ମାନେ ଏକଜୁଟ ହୋଇ ମଧ୍ୟ ଟ୍ରମ୍ପଙ୍କୁ ପରାଜିତ କରି ପାରି ନାହାନ୍ତି । ତେଣୁ ବର୍ତମାନ କିଛି ସମୟ ବା କିଛି ବର୍ଷ ପାଇଁ ବାମପନ୍ଥ ସାରା ବିଶ୍ୱକୁ ପ୍ରଭାବିତ କରୁ କରୁ ରହି ଯାଇଛି । ଗୋଟିଏ କଥା ମନେ ରଖିବାକୁ ପଡିବ ଯେ ବାମପନ୍ଥ କେବେ ହେଲେ ବିଶ୍ରାମ କରି ନ ଥାଏ ।ଏହି ଯୁଦ୍ଧ ସତତ ଜାରୀ ରହିବ । ସଭ୍ୟତା, ସଂସ୍କୃତି ଓ ପରମ୍ପରାକୁ ସମାପ୍ତ ନ କରିବା ଯାଏ ବାମପନ୍ଥର ଯୁଦ୍ଧ ସର୍ବଦା ଜାରୀ ରହିବ ।
ତେବେ ଏଠାରେ ପ୍ରଶ୍ନ ଉଠେ ଯେ କମଳା ହାରିସ ଏହି ନିର୍ବାଚନରେ ବିଜୟୀ ହୋଇଥିଲେ କଣ ଭାରତକୁ ଅଧିକ କିଛି ଲାଭ ହୋଇଥାନ୍ତା । ଏହାର ଉତର ହେଲା ଆଦୌ ନୁହେଁ । କାରଣ ଯଦିଓ ଭୋଟ ହାସଲ କରିବା ପାଇଁ ନିଜକୁ ଭାରତୀୟ ବଂଶୋଦ୍ଭବ ବୋଲି କହିବାକୁ ଚେଷ୍ଟା କରିଛନ୍ତି ହେଲେ ଜଣେ ଭାରତୀୟ ଓ ହିନ୍ଦୁ ବଂଶୋଦ୍ଭବ ଭାବେ କମଳା ହାରିସ କେବେ ହେଲେ ଗର୍ବ ଅନୁଭବ କରି ନାହାନ୍ତି । ସେ ଉପରାଷ୍ଟ୍ରପତି ଥିବା ବେଳେ ସର୍ବଦା ଭାରତ ବିରୋଧୀ ଇସଲାମିଷ୍ଟ ଶକ୍ତି ମାନଙ୍କୁ ପ୍ରୋତ୍ସାହନ ଦେଇ ଆସିଥିଲେ । ତେଣୁ ସେ ଯଦି ନିର୍ବାଚନ ଜିତି ଥାନ୍ତେ ତେବେ ଭାରତ ପାଇଁ କମଳା ହାରିସଙ୍କ ସ୍ଥିତି କାନାଡାର ଟ୍ରୁ଼ଡୋଙ୍କ ପରି ହୋଇଥାନ୍ତା ।