ହିଲାରୀଙ୍କ ସାପ ପ୍ରସଙ୍ଗ ଓ ପେଶାବରରେ ଆକ୍ରମଣ


-ଡ. ସମନ୍ୱୟ ନନ୍ଦ-
ଆମେରିକାର ତକ୍ରାଳୀନ ବୈଦେଶିକ ମନ୍ତ୍ରୀ ହିଲାରୀ କ୍ଲିଂଟନ ୨୦୧୧ ମସିହାରେ ପାକିସ୍ତାନ ଗସ୍ତରେ ଆସିଥିଲେ । ସେତେବେଳେ ସେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ହୀନା ରବାନୀ ଖାର୍ଙ୍କ ସହ ସେ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଉଥିଲେ । ସେତେବେଳେ ସେ ପାକିସ୍ତାନକୁ କହିଥିଲେ ଯେ ‘ଯଦି ତୁମ ତୁମ ଘର ପଛପଟେ ସାପ ପାଳିବ ଓ ଭାବିବ ଯେ ଉକ୍ତ ପାଳିଥିବା ସାପ କେବଳ ତୁମର ପଡୋଶୀଙ୍କୁ କାମୁଡିବ, ତେବେ ତାହା ଭୁଲ । ତୁମେ ପାଳିଥିବା ସାପ ତୁମକୁ ମଧ୍ୟ କାମୁଡିବ । ’
ଭାରତ ଓ ଆଫଗାନିସ୍ତାନ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଆତଙ୍କବାଦୀ ମାନଙ୍କୁ ତାଲିମ ଓ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଲେ କେବେ ପାକିସ୍ତାନକୁ ମଧ୍ୟ ସେମାନେ ଆକ୍ରମଣ କରିବେ ବୋଲି ଅତ୍ୟନ୍ତ ସରଳ ଭାଷାରେ ହିଲାରୀ ପାକିସ୍ତାନକୁ ବୁଝାଇ ଦେଇଥିଲେ ।
ହେଲେ ପାକିସ୍ତାନ କାହିଁକି ବା ବୁଝନ୍ତା । ତାର ସେନା- ଆଇଏସଆଇ- ଓ ଦେଶ ଚଳାଉଥିବା ଲୋକ ମାନେ ପାକିସ୍ତାନର ନାଗରିକ ମାନଙ୍କୁ ଗଜବା-ଏ ହିନ୍ଦ କରିବା ଭାରତରୁ ହିନ୍ଦୁ କାଫିର ମାନଙ୍କୁ ନିପାତ କରି ଶେଷରେ ଇସଲାମର ଶାସନ କରିବାର ସ୍ୱପ୍ନ ଦେଖାଇ ଆସୁଛନ୍ତି । ସେମାନଙ୍କ ପାଠ୍ୟ ପୁସ୍ତକ ହେଉ ବା ସାଧାରଣ ଭାବେ ଭାରତ ଓ ହିନ୍ଦୁଙ୍କ ପ୍ରତି ଅତ୍ୟନ୍ତ ଘୃଣା ଭାବର ପାଠ ପଢାଇ ଆସୁଛନ୍ତି । ସେମାନେ ଜନ୍ନତରେ ହୁରଙ୍କୁ ପାଇବାର ସ୍ୱପ୍ନ ଦେଖାଇ ପିଲାଙ୍କ ବ୍ରେନ ବାସ କରି ଜେହାଦୀ ଭାବେ ତାଲିମ ଦେଇ ଭାରତକୁ ପଠାଇଥାନ୍ତି । ଏହାକୁ ସେମାନେ ଖୋଲାଖୋଲି ଭାବେ କରିଥାନ୍ତି । ଏହି କାମକୁ ସେମାନେ ଆଦୌ ଲୁଚାଇ ନ ଥାନ୍ତି । ଜୈଶ ହେଉ ବା ଲଶ୍କର ହେଉ ଏମାନଙ୍କର ନେତା ମାନଙ୍କୁ ସୁରକ୍ଷା ଦେବା, ହକାନୀ ନେଟବର୍କର ନେତା ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଆତଙ୍କବାଦୀ ତାଲିମ କେନ୍ଦ୍ରକୁ ସବୁ ପ୍ରକାର ସହାୟତା ପ୍ରଦାନ କରିବା କାମ ସେମାନେ ଲଗାତାର ଭାବେ ଜାରୀ ରଖିଛନ୍ତି ।
ତେବେ ସମୟ ସମୟରେ ହିଲାରୀ କ୍ଲିଂଟନ କହିଥିବା କଥା ସତ୍ୟ ପ୍ରମାଣିତ ହେଉଛି । ଏବେ ସେମାନେ ପାଳିଥିବା ସାପ ସେମାନଙ୍କୁ ନିଜକୁ କାମୁଡୁଛି । ଏବେ ନିକଟରେ ଏପରି ଏକ ଘଟଣା ଘଟିଛି । ପାକିସ୍ତାନର ଖୈବର ପୁଖତୁନଖବା ରାଜ୍ୟର ରାଜଧାନୀ ପେଶାବର ସହରର ପୋଲିସ ଲାଇନରେ ଥିବା ମସଜିଦରେ ନମାଜ ପଢା ସମୟରେ ଆତ୍ମଘାତୀ ବୋମା ବିସ୍ଫୋରଣ ହେବା ଫଳରେ ଶହେରୁ ଉର୍ଧ ଲୋକ ମୃତ୍ୟୁବରଣ କରିଛନ୍ତି ଓ ଅନେକ ଆହତ ହୋଇଛନ୍ତି । ମୃତକ ମାନଙ୍କ ମଧ୍ୟରେ ଅଧିକାଂଶ ପାକିସ୍ତାନର ପୋଲିସ କର୍ମୀ । ଆତଙ୍କବାଦୀ ଜଣଙ୍କ ପେଶାବର ସହରରେ ପ୍ରବେଶ କରି ନମାଜ ପଢୁଥିବା ସ୍ଥଳର ଆଗରେ ଠିଆ ହୋଇଥିଲା ଓ ନମାଜ ପଢୁଥିବା ସମୟରେ ନିଜକୁ ବୋମାରେ ଉଡାଇ ଦେଇଥିଲା । ଫଳରରେ ଏହି ମସଜିଦର ଛାତ ପଡି ଯାଇଥିଲା । ଲୋକ ମାନେ ଛାତ ନମାଜୀ ମାନଙ୍କ ଉପରେ ପଡି ଯାଇଥିଲା । ଏହି ଆକ୍ରମଣରେ ଶହେରୁ ଉର୍ଧ ଲୋକ ଆହତ ହୋଇଛନ୍ତି ।
ତେହେରିକ-ଏ- ତାଲିବାନ- ପାକିସ୍ତାନ ବା ଟିଟିପି ଏହି ଆତ୍ମଘାତୀ ଆକ୍ରମଣ କରାଇଥିବା କଥାକୁ ସ୍ୱୀକାର କରିଛି । ଏହି ଘଟଣା ସାମନାକୁ ଆସିବା ପରେ ପାକିସ୍ତାନରେ ଅନେକ ପ୍ରକାର ଚର୍ଚା ଆଲୋଚନା ଆରମ୍ଭ ହୋଇ ଯାଇଛି । ପାକିସ୍ତାନରେ ଗୋଟିଏ ବର୍ଗ ଏହାକୁ ନେଇ ଆତ୍ମଚିନ୍ତନ କରିବା ଉଚିତ ବୋଲି ମତ ଦେବା ଆରମ୍ଭ କଲେଣି । ଯଦିଓ ଏଭଳି ମନେ କରୁଥିବା ଲୋକ ମାନଙ୍କ ସଂଖ୍ୟା ଖୁବ କମ । ତେବେ ପାକିସ୍ତାନର ଅଧିକାଂଶ ଲୋକ ଏବେ ମଧ୍ୟ ସେହି ପୁରୁଣା ରେକର୍ଡକୁ ଦୋହରାଇବାରେ ଲାଗିଛନ୍ତି ।
ପାକିସ୍ତାନରେ ପାକିସ୍ତାନୀ ସେନା ତଥା ଏହାର ଗୁଇନ୍ଦା ସଂସ୍ଥା ଆଇଏସଆଇ ଭଳି ସଂସ୍ଥା ମାନଙ୍କ ପାଇଁ ଏଷ୍ଟାବ୍ଲିସମେଂଟ ଶବ୍ଦର ପ୍ରୟୋଗ କରା ଯାଇଥାଏ । ପାକିସ୍ତାନ ଉପରେ ସାଧାରଣ ଭାବେ ଦୃଷ୍ଟି ରଖୁଥିବା ଲୋକ ମାନେ ଭଲ ଭାବେ ଜାଣନ୍ତି ପାକିସ୍ତାନର ରାଜନୀତିରେ ଏହି ଏଷ୍ଟାବ୍ଲିସମେଂଟର ଭୂମିକା କଣ ? ପାକିସ୍ତାନରେ କୌଣସି ସରକାରକୁ ନିର୍ବାଚିତ କରାଇବା, କୌଣସି ସରକାରକୁ ପଦଚ୍ୟୁତ କରାଇବାରେ ଏହି ଏଷ୍ଟାବ୍ଲିସମେଂଟର ସବୁଠାରୁ ବଡ ଭୂମିକା ରହିଥାଏ । ସରଳ ଶବ୍ଦରେ କହିବାକୁ ଗଲେ ପାକିସ୍ତାନରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରର ହାତରେ ବିଶେଷ କିଛି ନ ଥାଏ ଏହି ତଥାକଥିତ ଏଷ୍ଟାବ୍ଲିସମେଂଟର ସମର୍ଥନ ନ ପାଇ କୌଣସି ରାଜନୈତିକ ଦଳ ନିର୍ବାଚନ ଜିତିବା ସମ୍ଭବ ନ ଥାଏ । ସେହିପରି ଦେଶର ନୀତି କଣ ହେବ ତାହା ମଧ୍ୟ ନିର୍ବାଚିତ ସରକାର ହାତରେ ନ ଥାଏ । ଏହାକୁ ମଧ୍ୟ ଏହି ତଥାକଥିତ ଏଷ୍ଟାବ୍ଲିସମେଂଟ ସ୍ଥିର କରିଥାଏ ।
ପାକିସ୍ତାନର ଏହି ତଥାକଥିତ ଏଷ୍ଟାବ୍ଲିସମେଂଟ ଦୀର୍ଘ ଦିନ ଧରି ପାକିସ୍ତାନର ନାଗରିକ ମାନଙ୍କୁ ଗୋଟିଏ ପାଠ ପଢାଇ ଆସିଛି । ପାକିସ୍ତାନରେ ଯେତେବେଳେ ମଧ୍ୟ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି କିମ୍ବା ବୋମା ବିସ୍ଫୋରଣ ଆଦି ହୁଏ ତେବେ ଏହା ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥା ରିସର୍ଚ ଏଣ୍ଡ ଆନାଲିସିସ ବିଙ୍ଗ ବା ର ର ହାତ ରହିଛି । ଏହି ପାଠ ପାକିସ୍ତାନୀ ମାନଙ୍କୁ ଅନେକ ଦଶନ୍ଧି ଧରି ପଢା ଯାଉଛି । ପାକିସ୍ତାନୀ ଏଷ୍ଟାବ୍ଲିସମେଂଟ ସେମାନଙ୍କୁ ଲଗାତାର ଭାବେ କହି ଆସିଛନ୍ତି ଯେ ଆଫଗାନିସ୍ତାନରେ ଭାରତୀୟ ଗୁଇନ୍ଦା ସଂସ୍ଥା ର ର ବିଶେଷ ନେଟବର୍କ ରହିଛି । ଆଫଗାନିସ୍ତାନର ରାଜଧାନୀ କାବୁଲ ଠାରେ ଥିବା ଭାରତୀୟ ଦୂତାବାସରେ ବସି ଭାରତର ଗୁଇନ୍ଦା ଅଧିକାରୀ ମାନେ ପାକିସ୍ତାନ ବିରୁଦ୍ଧରେ ଷଡଯନ୍ତ୍ର କରି ପାକିସ୍ତାନ ଉପରେ ଆକ୍ରମଣ କରୁଛନ୍ତି । କେବଳ କାବୁଲ ନୁହେଁ ପାକିସ୍ତାନ ସହ ଲାଗିଥିବା ଆଫଗାନିସ୍ତାନର ସହର ମାନଙ୍କରେ ମଧ୍ୟ ଭାରତୀୟ ଗୁଇନ୍ଦା ସଂସ୍ଥା ମାନଙ୍କର ନେଟବର୍କ ରହିଛି । ହମିଦ କାରଜାଇଙ୍କ ଠାରୁ ଆରମ୍ଭ କରି ଅଶରଫ ଗନି ଯେତେବେଳ ଯାଏ ଆଫଗାନିସ୍ତାନର ରାଷ୍ଟ୍ରପତି ଥିଲେ ସେତେବେଳେ ଏହି ପ୍ରକାର ପାଠ ପାକିସ୍ତାନ ତାର ନାଗରିକ ମାନଙ୍କୁ ପଢାଇ ଆସିଥିଲା । ପାକିସ୍ତାନୀ ମାନଙ୍କୁ ଏହି ପାଠ ଏତେ ମାତ୍ରାରେ ଘୋଷା ଯାଇଛି ଯେ ସେମାନେ ଏହାକୁ ଧୃବ ସତ୍ୟ ମନେ କରି ଥାନ୍ତି । ତେଣୁ ପାକିସ୍ତାନରେ ଯାହା ହେଲା ତା ପଛରେ ଭାରତ ରହିଥିବା କଥା ସେମାନେ ସଙ୍ଗେ ସଙ୍ଗେ ସ୍ୱୀକାର କରି ନିଅନ୍ତି । ଏହା ଦ୍ୱାରା ପାକିସ୍ତାନୀ ଏଷ୍ଟାବ୍ଲିସମେଂଟ ଅର୍ଥାତ ପାକିସ୍ତାନୀ ଆର୍ମିକୁ ଏଭଳି ଘଟଣା ହେଲେ କୌଣସି ପ୍ରକାର ଉତର ଦେବାକୁ ପଡେ ନାହିଁ ।
ହେଲେ ଆଫଗାନିସ୍ତାନରେ ତାଲିବାନର ଅଧିକାର ହେବା ପରେ ପାକିସ୍ତାନୀ ହିଁ ସବୁଠାରୁ ଅଧିକ ଖୁସି ଥିଲୋ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମରାନ ଖାନ ପାକିସ୍ତାନୀ ସଂସଦରେ ବକ୍ତବ୍ୟ ଦେଇଥିଲେ ଯେ ତାଲିବାନ ପାଶ୍ଚାତ୍ୟ ଦେଶମାନଙ୍କର ବେଡିରୁ ମୁକ୍ତ ହୋଇଛି । ଏହା ପରେ ଭାରତକୁ ମଧ୍ୟ ତାର ଦୂତାବାସ ବନ୍ଦ କରିବାକୁ ପଡିଥିଲା । ତେଣୁ ବର୍ତମାନର ପରିବର୍ତିତ ପରିସ୍ଥିତିରେ ପାକିସ୍ତାନୀ ଏଷ୍ଟାବ୍ଲିସମେଂଟ ପାଖରେ ଆତଙ୍କବାଦୀ ଅକ୍ରମଣ ପଛରେ ଭାରତର ହାତ ଏହା ପଛରେ ଅଛି ବୋଲି କହିବାକୁ ତର୍କ ନାହିଁ ।
ତେବେ ଚଳିତ ଥରର ଆକ୍ରମଣ ପରେ ପାକିସ୍ତାନୀ ଲୋକ ମାନେ ମଧ୍ୟ ପ୍ରଶ୍ନ କରିବା ଆରମ୍ଭ କଲେଣି । ପାକିସ୍ତାନର ଜଣେ ମନ୍ତ୍ରୀ ବକ୍ତବ୍ୟ ଦେଇଛନ୍ତି ଭାରତରେ ମଧ୍ୟ ଏପରି ଆକ୍ରମଣ ହୁଏ ନାହିଁ । ତେବେ ପାକିସ୍ତାନ ପୁଣି ଥରେ ତାଙ୍କ ଦେଶବାସୀଙ୍କୁ ମିଛ କହିବାରେ ଲାଗିଛି ।
ଭାରତରେ ରହି ସାରିଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଅବଦୁଲ ବସିତ ଟ୍ବିଟ କରି ଯାହା କହିଛନ୍ତି ସେଥିରୁ ପାକିସ୍ତାନର ମାନସିକତା ଓ ଭବିଷ୍ୟତରେ କଣ କରିବାକୁ ଯାଉଛି ତାହା ସ୍ପଷ୍ଟ ହୋଇ ଯାଇଛି । ସେ କହିଛନ୍ତି ଯେ ପେଶାବରରେ ହୋଇଥିବା ଟିଟିପି ପକ୍ଷରୁ ହୋଇଥିବା ଆତ୍ମଘାତୀ ଆକ୍ରମଣ ହୋଇଛି । ସେ ଭାରତର ନାମ ନ ନେଇ କହିଛନ୍ତି ଯେ ଟିଟିପିକୁ ଆମର ପଡୋଶୀ ଏବେ ବି ଫଣ୍ଡିଂ କରୁଛି । ବସିତ ସ୍ପଷ୍ଟ କରି ଦେଇଛନ୍ତି ଯେ ତାଙ୍କ ପାଳିଥିବା ସାପ ତାଙ୍କୁ କାମୁଡିଲେ ମଧ୍ୟ ସେ ଏହାକୁ ସ୍ୱୀକାର କରିବେ ନାହିଁ ବରଂ ସେହି ସାପ ପଛରେ ଭାରତ ଅଛି ବୋଲି ପାକିସ୍ତାନୀ ନାଗରିକ ମାନଙ୍କ ନିକଟରେ ପ୍ରଚାରିତ କରିବେ । ଅର୍ଥାତ ପାକିସ୍ତାନ କୌଣସି ଶିକ୍ଷା ନେବ ନାହିଁ । ଅର୍ଥାତ ପାକିସ୍ତାନରେ ଏପରି ଆକ୍ରମଣ ମାନ ଆଗାମୀ ଦିନରେ ମଧ୍ୟ ଜାରୀ ରହିବ ।
(୦୩.୦୨.୨୦୨୩)

Leave a Reply

Your email address will not be published. Required fields are marked *