Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କେରଳ ସରକାରଙ୍କ ‘ବୈଦେଶିକ ସଚିବ’ ନିଯୁକ୍ତି ପଛରେ କଣ ରହିଛି ରହସ୍ୟ ? - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କେରଳ ସରକାରଙ୍କ ‘ବୈଦେଶିକ ସଚିବ’ ନିଯୁକ୍ତି ପଛରେ କଣ ରହିଛି ରହସ୍ୟ ?


ଡ. ସମନ୍ୱୟ ନନ୍ଦ
କେରଳର କମ୍ୟୁନିଷ୍ଟ ସରକାର ବିଭିନ୍ନ ସମୟରେ ବିଭିନ୍ନ କାରଣକୁ ନେଇ ବିବାଦରେ ରହି ଆସିଥାନ୍ତି । ତେବେ ଚଳିତ ଥର ଏକ ଭିନ୍ନ ଧରଣର ପ୍ରସଙ୍ଗକୁ ନେଇ କେରଳର କମ୍ୟୁନିଷ୍ଟ ସରକାର ବିବାଦରେ ଆସିଛନ୍ତି । କେରଳ ସରକାର ଏବେ ଭାରତୀୟ ପ୍ରଶାସନିକ ସେବାର ଜଣେ ମହିଳା ଅଧିକାରୀ କେ. ବାସୁକୀଙ୍କୁ ବୈଦେଶିକ ସଚିବ ଭାବେ ନିଯୁକ୍ତି ଦେଇଥିଲେ । କେରଳର ବିଜୟନ ସରକାର ବୋଧ ହୁଏ ମନେ କରୁଥିଲେ ଯେ କେରଳ ଏବେ ଦେଶ ହୋଇ ସାରିଛି । ତେଣୁ ସେ ସିଧା ସିଧା ବୈଦେଶିକ ସଚିବ ପଦରେ ଜଣେ ଅଧିକାରୀଙ୍କୁ ନିଯୁକ୍ତି କରି ଦେଲେ ।
ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ କୌଣସି ରାଜ୍ୟ କଣ ବୈଦେଶିକ ସଚିବ ପଦରେ କାହାକୁ ନିଯୁକ୍ତି ଦେଇ ପାରିବ ? ସମ୍ବିଧାନରେ କଣ ଏ ବାବଦରେ ବ୍ୟବସ୍ଥା ରହିଛି ? ସରଳ ଶବ୍ଦରେ ଯଦି ବୁଝିବା ତେବେ ସମ୍ବିଧାନର ସପ୍ତମ ଅନୁଚ୍ଛେଦରେ ବିଭିନ୍ନ ବିଷୟକୁ ତିନୋଟି ତାଲିକା (ଲିଷ୍ଟ)ରେ ବିଭାଜିତ କରାଯାଇଛି । ଗୋଟିଏ ହେଲା ୟୁନିୟନ ଲିଷ୍ଟ, ଗୋଟିଏ ହେଲା ଷ୍ଟେଟ ଲିଷ୍ଟ ଓ ଆଉ ଗୋଟିଏ ହେଲା କନକରେଂଟ ଲିଷ୍ଟ । ୟୁନିୟନ ଲିଷ୍ଟରେ ଥିବା ବିଷୟ ଗୁଡିକ ସମ୍ପର୍କରେ କୌଣସି ନିୟମ କେନ୍ଦ୍ର ସରକାର କରି ପାରିବେ । ସେହିପରି ଷ୍ଟେଟ ଲିଷ୍ଟରେ ଥିବା ବିଷୟ ଗୁଡିକ ସମ୍ପର୍କରେ ନିୟମ ତିଆରି କରିବାର ଅଧିକାର ରାଜ୍ୟ ସରକାର ମାନଙ୍କ ନିକଟରେ ରହିଛି । ସେହିପରି କନକରେଂଟ ଲିଷ୍ଟରେ ଥିବା ବିଷୟ ଗୁଡିକ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିୟମ ତିଆରି କରି ପାରିବେ । ସମ୍ବିଧାନ ନିର୍ମାତା ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କ୍ଷମତା କଣ ରହିଛି ତାର ସ୍ପଷ୍ଟ ବିଭାଜନ କରିଛନ୍ତି । ତେଣୁ ଏଥିରେ କୌଣସି ପ୍ରକାର ସନ୍ଦେହ ହେବାର ଅବକାଶ ନାହିଁ ।
ବୈଦେଶିକ ମାମଲା ବିଷୟଟି ୟୁନିୟନ ଲିଷ୍ଟରେ ରହିଛି । ତେଣୁ ଯଦି ସରଳ ଶବ୍ଦରେ କବିବା ତେବେ କେନ୍ଦ୍ର ସରକାର ହିଁ ଏ ସମ୍ପର୍କରେ କୌଣସି ନିଷ୍ପତି ନେଇ ପାରିବେ । କେନ୍ଦ୍ର ସରକାର ହିଁ କୌଣସି ନିୟମ ତିଆରି କରି ପାରିବେ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ କୌଣସି ନିଯୁକ୍ତି କରି ପାରିବେ । ରାଜ୍ୟ ସରକାରଙ୍କର ଏଭଳି କରିବାର କୌଣସି ଅଧିକାର ହିଁ ନାହିଁ । ତେଣୁ କେରଳର କମ୍ୟୁନିଷ୍ଟ ସରକାର ଦ୍ୱାରା ଆଇଏଏସ ଅଧିକାରୀ କେ. ବାସୁକୀଙ୍କୁ ଏଭଳି ଦାୟିତ୍ୱ ପ୍ରଦାନ କରିବାକୁ ରାଜ୍ୟ ସରକାର ସମ୍ବିଧାନ ଉଲ୍ଲଂଘନ ବୋଲି ଧରା ଯାଉଛି ।
ହେଲେ ଏଭଳି ନିଯୁକ୍ତିକୁ ସବୁଆଡୁ ବିରୋଧ ହେବାର ଥିଲା ଓ ହେଲା ମଧ୍ୟ । ସମସ୍ତେ ଏହାକୁ ବିରୋଧ କରି ଏହା ସମ୍ବିଧାନର ବ୍ୟବସ୍ଥାର ପରିପନ୍ଥୀ ବୋଲି କହିଲେ । ଶେଷରେ କେରଳର କମ୍ୟୁନିଷ୍ଟ ସରକାର ଏହା ପରେ ଏହି ପ୍ରସଙ୍ଗରେ କଥାକୁ ବଦଳାଇବାକୁ ଚେଷ୍ଟା କଲେ । ବିବାଦ ବଢିବା ଦେଖି କେରଳ ସରକାର ସ୍ପଷ୍ଟୀକରଣ ଦେଇ ଦାବି କରିଛନ୍ତି ଯେ ମହିଳା ଅଧିକାରୀ ବାସୁକୀଙ୍କୁ କେରଳର ବୈଦେଶିକ ସଚିବ ପଦରେ ନିଯୁକ୍ତି ଦିଆଯାଇ ନାହିଁ । ତାଙ୍କୁ ”ଏକ୍ସଟର୍ନାଲ କୋ-ଅପରେସନ” ଅଥବା ବାହ୍ୟ ସହଯୋଗ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେ ଭାରତର ବୈଦେଶିକ ମନ୍ତ୍ରଣାଳୟ ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ ।
ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ସମ୍ବିଧାନ ସମ୍ପର୍କରେ ଏହି ସାଧାରଣ କଥାକୁ କଣ କେରଳର କମ୍ୟୁନିଷ୍ଟ ସରକାର ଓ ଏହାର ମୁଖ୍ୟମନ୍ତ୍ରୀ ବିଜୟନ ବୁଝି ନାହାନ୍ତି । ବିଜୟନ ଜଣେ ପୁରୁଣା ରାଜନୀତିଜ୍ଞ । ଅନେକ ବର୍ଷ ଧରି ସେ କେରଳର ମୁଖ୍ୟମନ୍ତ୍ରୀ ରହିଛନନ୍ତି । ତେଣୁ ସେ ଏହି ସାଧାରଣ ବିଷୟଟିକୁ ବୁଝି ନ ଥିବେ ବୋଲି ଭାବିବା ଆଦୌ ଠିକ ନୁହେଁ । ତା ହେଲେ ସେ ଏଭଳି କାହିଁକି କରିଥିଲେ । ସେ କଣ କେରଳକୁ ଏକ ଦେଶ ବୋଲି ଭାବିବା ଆରମ୍ଭ କରିବା ସହ ଏ ଦିଗରେ କାମ ଆରମ୍ଭ କରିଛନ୍ତି । ସେ ଜାଣିଛନ୍ତି ଯେ ସେ ଯାହା କରୁଛନ୍ତି ତାହା ଦେଶର ସମ୍ବିଧାନ ଅନୁସାରେ ସମ୍ଭବ ନୁହେଁ । ଏହା ସତ୍ୱେ ସେ ଏଭଳି କାମ କାହିଁକି କରୁଥିଲେ ? ଏହାର କଣ କିଛି ବିଶେଷ କାରଣ ରହିଛି ?
ତେବେ ବିରୋଧୀ ଦଳ ବିଜେପି ପକ୍ଷରୁ ଏହାକୁ ନେଇ ଯେଉଁ ଅଭିଯୋଗ କରାଯାଉଛି ସେଥିରେ କଣ କିଛି ସତ୍ୟତା ରହିଛି ? ବିଜେପି ପକ୍ଷରୁ କୁହା ଯାଇଛି ଯେ କେରଳର କମ୍ୟୁନିଷ୍ଟ ସରକାରର ମୁଖ୍ୟ ଅର୍ଥାତ ମୁଖ୍ୟମନ୍ତ୍ରୀ ପିନାୟରୀ ବିଜୟନ ଓ ଅନ୍ୟ ନେତା ମାନଙ୍କ ଉପରେ ବିଦେଶରୁ ସ୍ୱର୍ଣ ସ୍ମଗଲିଂ କରିବା ଓ ବିଦେଶରୁ ଧନ ଏକତ୍ରିତ କରିବା ଭଳି ଅଭିଯୋଗ ମାନ ରହିଛି । କମ୍ୟୁନିଷ୍ଟ ସରକାରରେ ଥିବା ଲୋକ ମାନେ କଣ ତାଙ୍କର ଏଭଳି ବେଆଇନ କାର୍ଯ୍ୟକୁ ସହଜରେ କରିବା ଉଦ୍ଦେଶ୍ୟରେ କଣ ଏଭଳି ପଦକ୍ଷେପ ନେଇଛନ୍ତି ? ଏଭଳି କିଛି ପ୍ରଶ୍ନ ବର୍ତମାନ ସାମନାକୁ ଆସୁଛି ।
ଏବେ ଦେଖିବା ଯେ କେରଳର କମ୍ୟୁନିଷ୍ଟ ସରକାରରେ ଥିବା ଲୋକ ମାନଙ୍କ ବିରୁଦ୍ଧରେ କଣ କଣ ଅଭିଯୋଗ ମାନ ରହିଛି ଓ କେଉଁ କେଉଁ ମାମଲାରେ ସେମାନେ ଜାଂଚର ସମ୍ମୁଖୀନ ହେଉଛନ୍ତି । କେରଳର ମୁଖ୍ୟମନ୍ତ୍ରୀଙ୍କ ଉପରେ ୟୁଏଇ କନସୁଲଲେଟ ଜରିଆରେ ସୁନା ସ୍ମଗଲିଂ ଓ ବିଦେଶରୁ ଧନ ଏକତ୍ରିତ କରିବା ଭଳି ଗୁରୁତର ଅଭିଯୋଗ ରହିଛି । କେରଳର ମୁଖ୍ୟମନ୍ରୀନା, ତାଙ୍କ ମନ୍ରିଚ ମଂଡଳର ସହଯୋଗୀ ମାନଙ୍କ ବ୍ୟତୀତ ବାଚସ୍ପତିଙ୍କ ଉପରେ ପ୍ରଟୋକଲ ଉଲ୍ଲଂଘନ କରାଯାଇଥିବା ନେଇ ଅଭିଯୋଗ ରହିଛି ଓ ବିଭିନ୍ନ ଏଜେନ୍ସି ମାନଙ୍କ ଦ୍ୱାରା ଜାଂଚ ଜାରୀ ରହିଛି । କେବଳ ସେତିକି ନୁହେଁ ପୂର୍ବବର୍ତ୍ତୀ ପିନାୟରୀ ବିଜୟନଙ୍କ ସରକାରରେ ପୂର୍ବତନ ଅର୍ଥ ମନ୍ତ୍ରୀ ଥମାସ ଆଇଜାକଙ୍କ କାର୍ଯ୍ୟକଳାପର ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ ଜାଂଚ କରାଯାଉଛି । ତାଙ୍କ ଉପରେ ଏଫସିଆରଏ ଅଧିନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ରହିଛି । ସେହିପରି ଡଲାର ଓ ଅନ୍ୟ କରେନ୍ସି ସ୍ମଗଲିଂ ମାମଲାରେ ମଧ୍ୟ ଜାଂଚ କରାଯାଉଛି ।
ତା ହେଲେ କଣ କେରଳର କମ୍ୟୁନିଷ୍ଟ ସରକାରର ମୁଖ୍ୟ ପିନାୟରୀ ବିଜୟନ ଓ ତାଙ୍କ ଅନ୍ୟ ସହଯୋଗୀ ମାନଙ୍କ ଉପସାଗରୀୟ ଦେଶ ମାନଙ୍କ ସହ ହୋଇଥିବା ବିତ୍ତୀୟ ଦେଣ ନେଣକୁ ସୁରକ୍ଷା ପ୍ରଦାନ କରିବା ପାଇଁ କଣ କେରଳ ସରକାର ସମ୍ବିଧାନର ଭାବନାକୁ ଉଲ୍ଲଂଘନ କରି ବୈଦେଶିକ ସଚିବ ଓ ପରେ ବିବାଦ ବଢିବା କାରଣରୁ ଏକ୍ସଟର୍ନାଲ କୋ-ଅପରେସନ” ପଦରେ ଅଧିକାରୀଙ୍କୁ ନିଯୁକ୍ତି ଦେଇଥିଲେ । କେରଳ ସରକାରଙ୍କ ବିରୁଦ୍ଧରେ ଆସିଥିବା ଏହି ଅଭିଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଓ ଏହାର ପୁଙ୍ଖାନୁପୁଙ୍ଖ ଜାଂଚ କରାଯିବା ହେଉଛି ସମୟର ଆବଶ୍ୟକତା ।
(୨୪.୦୭.୨୦୨୪)

Leave a Reply