ରବିନାରାୟଣ ପଣ୍ଡା
ବିଦ୍ୟାଳୟରେ ଜଣେ ଛାତ୍ର ତାଙ୍କର ଗୁରୁଙ୍କୁ ସଫଳତାର ସର୍ବୋତ୍କୃଷ୍ଠ ମାର୍ଗ ବିଷୟରେ ପଚାରିଲେ l “କେଉଁ ମାର୍ଗ ମନୁଷ୍ୟକୁ ଶୀଘ୍ର ସଫଳ କରିବ?” ଗୁରୁ ଉତ୍ତର ଦେବା ବଦଳରେ ଛୋଟିଆ କାଗଜ ଖଣ୍ଡେ ଛାତ୍ର ହାତକୁ ବଢ଼େଇ ଦେଲେ l ଛାତ୍ରକୁ ସେଥିରେ ନିଜର ଦୋଷ ଓ ଭୁଲ କୁ ସୂଚୀବଦ୍ଧ କରିଵା ପାଇଁ ସୂଚନା ଦେଲେ l ଲେଖାର କୌଣସି ସ୍ଥାନରେ ନିଜ ଛଡା ଅନ୍ୟ କାହାର ଦୋଷ ଲେଖିବ ନାହିଁ ବୋଲି ଉପଦେଶ ଦେଲେ l
ପିଲାଟି ବିଷୟକୁ ହୃଦୟଙ୍ଗମ କରିପାରିଲା ନାହିଁ l କାଗଜରେ ନିଜର ଦୋଷ ଲେଖିଲେ ସଫଳତା କିପରି ମିଳିବ? ପ୍ରଶ୍ନ ଭରା ଦୃଷ୍ଟିରେ ଗୁରୁଙ୍କୁ ଚାହିଁ ରହିଲା l ଗୁରୁ ତାର ଶଙ୍କା ସମାଧାନ କରିଵା ପାଇଁ ଚେଷ୍ଟା କରି କହିଲେ ” ଯେତେବେଳେ ତୁମେ ନିଜର ଦୋଷ ଦେଖିବା ଆରମ୍ଭ କରିବ ସେତେବେଳେ ତୁମେ ପରିସ୍କୃତ ହେବା ଆରମ୍ଭ କରିବ l ମଇଳା ବାହାରିଗଲେ ସୁନା ଯେପରି ତାର ମୂଳରୁପକୁ ଫେରିଆସେ ଓ ଚମକିବା ଆରମ୍ଭ କରେ, ଠିକ ସେହିପରି ମନୁଷ୍ୟ ଭିତରୁ ଦୋଷ ଦୁର୍ବଳତା ବାହାରିଗଲେ ସେ ଚମକିବା ଆରମ୍ଭ କରିବ l ସଫଳତା ବ୍ୟକ୍ତିର ପାଦ ଆଶ୍ରିତ ହେବାରେ ଲାଗିବ l ଯତେବେଳେ ବ୍ୟକ୍ତି ନିଜର ଦୋଷ ଦୂର କରିବାରେ ମଗ୍ନ ରହେ ସେତେବେଳେ ସେ ଅନ୍ୟର ଦୋଷ ଦେଖିବାକୁ ସମୟ ପାଇ ପାରେ ନାହିଁ l ଅନ୍ୟର ଦୋଷ ଦେଖିବାର ଇଛା ଜାଗ୍ରତ ହୁଏ ନାହିଁ l” ପ୍ରକୃତରେ ସଫଳତା ଆତ୍ମ ସଂଶୋଧନ ଉପରେ ନିର୍ଭର କରେ l ଏହାହିଁ ସଂସାରର ସବୁଠାରୁ ସରଳ ଓ ନିର୍ଭରଯୋଗ୍ୟ ରାସ୍ତା l ଅନେକ ବ୍ୟକ୍ତି ଏହି ରାସ୍ତାରେ ଯାଇ ସଫଳତା ପାଇଛନ୍ତି l ଏହା ମଧ୍ୟ ବହୁ ପରୀକ୍ଷିତ ରାସ୍ତା l
ମନୁଷ୍ୟ ନିଜକୁ ପରିବର୍ତ୍ତନ କରିପାରିଲେ ତାର ଚତୁର୍ପାଶ୍ୱର ପରିବେଶ ଓ ପରିସ୍ଥିତି ପରିବର୍ତ୍ତନ ହେବା ଆରମ୍ଭ କରେ l ଗାନ୍ଧିଜୀ ଏହି ରାସ୍ତାର ପ୍ରଖର ପ୍ରବକ୍ତା ଥିଲେ l ନିର୍ଦୋଷ ବ୍ୟକ୍ତି ନିର୍ମାଣ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଥିଲେ l ଗୌତମ ବୁଦ୍ଧଙ୍କ ଅନ୍ତିମ ସମୟରେ ତାଙ୍କ ଶିଷ୍ୟ ମାନଙ୍କ ଉଦେଶ୍ୟରେ ଉପଦେଶ ଥିଲା ” ଆତ୍ମଦୀପ ଭଵଃ ” l ନିଜ ଭିତରେ ଥିବା ଦିବ୍ୟ ଶକ୍ତିକୁ ମାର୍ଗ ଦର୍ଶକ ଭାବରେ ଗ୍ରହଣ କର l ତାହାହିଁ ସତକାର୍ଯ୍ୟ କୁ ଆଗକୁ ବଢେଇବ l ଆତ୍ମ ଶକ୍ତି ଭବିଷ୍ୟତର ମାର୍ଗ ପ୍ରଶସ୍ତ କରିବ l ତକ୍ଷଶୀଳା ବିଶ୍ୱବିଦ୍ୟାଳୟର କୁଳପତି ତପୋନିଧିଙ୍କୁ ଆଚାର୍ଯ୍ୟ ଚାଣକ୍ୟ ପ୍ରଶ୍ନ ପଚାରୁଛନ୍ତି ” ସୂର୍ଯ୍ୟ ଓ ଗୁରୁ ଉଭୟେ ବ୍ୟକ୍ତିକୁ ଦେଖିବାରେ ସାହାଯ୍ୟ କରନ୍ତି, ଦୁହିଁଙ୍କ ଭିତରୁ ଶ୍ରେଷ୍ଠ କିଏ?” ତପୋନିଧୀଙ୍କ ସ୍ପଷ୍ଟ ଉତ୍ତର ଥିଲା ଗୁରୁହିଁ ଶ୍ରେଷ୍ଠ l ସୂର୍ଯ୍ୟ ନିଜ ଆଲୋକ ମାଧ୍ୟମରେ ବ୍ୟକ୍ତିକୁ ବାହ୍ୟ ଜଗତକୁ ଦେଖିବା ପାଇଁ ସାହାଯ୍ୟ କରନ୍ତି l ଗୁରୁ ବାହ୍ୟ ଜଗତ ସହ ବ୍ୟକ୍ତିକୁ ନିଜ ଅଭ୍ୟନ୍ତରକୁ ଦେଖିବା ପାଇଁ ସାହାଯ୍ୟ କରନ୍ତି l ଭିତର ଅନ୍ଧକାର ଦୂରୀଭୂତ କରିବାର କ୍ଷମତା କେବଳ ଗୁରୁଙ୍କ ନିକଟରେ ଅଛି l ବ୍ୟକ୍ତି ଭିତରେ ଶୁଦ୍ଧତା ନଆସିବା ପର୍ଯ୍ୟନ୍ତ, ସୂର୍ଯ୍ୟଙ୍କର ଆଲୋକକୁ ଉପଯୋଗ କରି ସେ ବାହ୍ୟ ଜଗତକୁ ଠିକ ଭାବରେ ଦେଖି ପାରିବ ନାହିଁ l ସେଥିପାଇଁ ଗୁରୁ ହିଁ ଶ୍ରେଷ୍ଠ ଓ ମହାନ l
ଉତ୍ତମ ବ୍ୟକ୍ତି ଭିତରର ଦିବ୍ୟ ସନ୍ଦେଶ ସ୍ୱୟଂ ପ୍ରକାଶମାନ ଅଟେ l ଉତ୍ତମ ବ୍ୟକ୍ତିକୁ ସେହି ଦିବ୍ୟ ସନ୍ଦେଶ ଆଲୋକର ପଥ ପ୍ରଦର୍ଶନ କରିଚାଲେ l ନିର୍ଦୋଷ ବ୍ୟକ୍ତି ନିଜର ଅନ୍ତର୍ନିହିତ ଶକ୍ତି ଦ୍ୱାରା ବାହ୍ୟ ପରିସ୍ଥିତିକୁ ସଂଚାଳିତ କରିନିଏ l ନିଜର ସଚ୍ଚିଦାନନ୍ଦ ଅବସ୍ଥାକୁ ସେ ଅନୁଭବ କରିବାରେ ସଫଳ ହୁଏ l ସେହି ସଚ୍ଚିଦାନନ୍ଦ ସ୍ୱରୂପ ଅହର୍ନିଶୀ ସଠିକ ଓ ଦୂରଦର୍ଶି ନିଷ୍ପତି ନେବା ପାଇଁ ପ୍ରେରଣା ଦେଇ ଚାଲିଥାଏ l
ବ୍ୟକ୍ତି ନିଜର ପରିବର୍ତ୍ତନ ସହିତ ନିଜ ଅଜ୍ଞ୍ୟାତସାରରେ ନିଜ ବ୍ୟକ୍ତିତ୍ୱର ପରିବର୍ତ୍ତନ କରିଵା ଆରମ୍ଭ କରେ l ଉତ୍ତମ ବ୍ୟକ୍ତିତ୍ୱ ସମାଜକୁ ପ୍ରଭାବିତ କରେ l ଉତ୍ତମ ବ୍ୟକ୍ତି ଦ୍ୱାରା ପ୍ରଭାବିତ ସମାଜ ଉତ୍ତମ ରାସ୍ତାରେ ଗତି କରେ l ସମାଜ ଭଲ ରାସ୍ତାରେ ଆଗେଇବା ମାତ୍ରେ ଉତ୍ତମ ବ୍ୟକ୍ତି ପାଇଁ ସଫଳତା ଆସିବା ଆରମ୍ଭ ହୁଏ l ସଫଳ ସମାଜ ନିର୍ମାଣ ଭିତରେ ସଫଳ ବ୍ୟକ୍ତିର ପରିଚୟ ନିହିତ ଅଛି l ସମସ୍ତ ସଫଳ ରାଷ୍ଟ୍ର ଓ ସମାଜ ନିର୍ମାଣ ପଛରେ ସଫଳ ବ୍ୟକ୍ତିର ତପସ୍ୟା ନିହିତ ଅଛି l ଚରିତ୍ର ସଂଶୋଧନ ବ୍ୟକ୍ତି ପାଇଁ ଯେତିକି ଲାଭ ଦାୟକ, ସମାଜ ଓ ରାଷ୍ଟ୍ର ପାଇଁ ସେତିକି ଆବଶ୍ୟକ l ରାଷ୍ଟ୍ରୀୟ ଏକତା ଓ ସାମାଜିକ ସଦଭାବନା ପାଇଁ ନିର୍ଦୋଷ ବ୍ୟକ୍ତିତ୍ୱ ଏକ ଅମୁଲ୍ୟ ରତ୍ନ ସଦୃଶ ଅଟେ l ରାଷ୍ଟ୍ର ନିର୍ମାଣ ପାଇଁ ବ୍ୟକ୍ତି ନିର୍ମାଣ ହିଁ ସର୍ବଶ୍ରେଷ୍ଠ ପନ୍ଥା l
ଅତୀତର ଭାରତ ଗୁରୁ ପରମ୍ପରା ମାଧ୍ୟମରେ ବ୍ୟକ୍ତି ନିର୍ମାଣର ଏକ ଅଭିନଵ ପଦ୍ଧତି ବିକଶିତ କରିଥିଲା l ଭାରତୀୟ ପରମ୍ପରାରେ ଗୁରୁ ନିର୍ଦୋଷ ବ୍ୟକ୍ତି ନିର୍ମାଣ ପାଇଁ ଜୀବନ ବ୍ରତୀ ଭାବରେ କାର୍ଯ୍ୟ କରୁଥିଲେ l ଗୁରୁଙ୍କ ଠାରୁ ଶିଷ୍ୟ ନିକଟକୁ ଜ୍ଞାନ, ଚରିତ୍ର ଓ ମୂଲ୍ୟବୋଧ ଭଳି ଅନେକ ବିଷୟ ହସ୍ତାନ୍ତର ହେଉଥିଲା l ବ୍ୟକ୍ତି ସାମାଜିକ ଓ ରାଷ୍ଟ୍ରୀୟ ମୂଲ୍ୟବୋଧ କୁ ସରଂକ୍ଷଣ କରିଵା ପାଇଁ ଯୋଗ୍ୟ ହେଉଥିଲା l ଭାରତ ଗୁରୁଙ୍କର ବ୍ୟକ୍ତି ନିର୍ମାଣ ଭଳି ମହନୀୟ କାର୍ଯ୍ୟ ପ୍ରଣାଳୀ କାରଣରୁ ବିଶ୍ୱକୁ ମାର୍ଗ ଦର୍ଶନ କରିବାରେ ସାମର୍ଥ୍ୟ ଅର୍ଜନ କରିଥିଲା l ଯାହା ଦ୍ୱାରା ଭାରତ ନିଜକୁ ହଜାର ହଜାର ବର୍ଷ ଧରି ଚାରିତ୍ରିକ ଦେବାଳିଆ ଅବସ୍ଥାରୁ ଦୂରେଇ ନେଇଥିଲା l ଆଜିର ଚାରିତ୍ରିକ ଦେବାଳିଆକୁ କେବଳ ଶିକ୍ଷକ, ଅଧ୍ୟାପକ ଓ ଗୁରୁ ପଦବାଚ୍ୟ ବ୍ୟକ୍ତିମାନେ ସୁଧାରି ପାରିବେ l ଶିକ୍ଷକ କେବଳ ଏକ ବୃତ୍ତିଧାରୀ ବ୍ୟକ୍ତି ନୁହେଁ, ସେ ରାଷ୍ଟ୍ରୀୟ ବ୍ୟବସ୍ଥାର ମେରୁଦଣ୍ଡ l ସେମାନଙ୍କର ସତସଂକଳ୍ପ ଭାରତକୁ କେବଳ ଉଦ୍ଧାର କରିବ ନାହିଁ ବରଂ ଭାରତକୁ ବିଶ୍ୱ ଦରବାରରେ ସମ୍ମାନିତ କରିବାରେ ସହାୟକ ହେବ l
ମଠସାହି, ଭଦ୍ରକ
9437017857