ଡ. ଶରତ ଚନ୍ଦ୍ର ପରିଡ଼ା
ହିନ୍ଦୁ ସଂସ୍କୃତିରେ ଶ୍ରୀଗଣନାଥ ଅଗ୍ରପୂଜ୍ୟ । ଗାଣପତ୍ୟମାନଙ୍କ ପାଇଁ ଶ୍ରୀଗଜାନନ ଓ ଶ୍ରୀଜଗନ୍ନାଥ ଅଭିନ୍ନ । ସେମାନେ ଜଗନ୍ନାଥଙ୍କୁ ଗଣନାଥ ଭାବେ ଉପାସନା କରି ବୁଦ୍ଧି, ସିଦ୍ଧି ଓ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥା’ନ୍ତି । ସ୍ନାନପୂର୍ଣ୍ଣିମାରେ ଶ୍ରୀଜଗନ୍ନାଥଙ୍କ ସୁନ୍ଦର ହାତୀବେଶ ଏକ ଅବିଚ୍ଛେଦ୍ୟ ପରମ୍ପରା । ଶ୍ରୀଜଗନ୍ନାଥ ପରଂ ବ୍ରହ୍ମ । ଏହି ବ୍ରହ୍ମସତ୍ତା ଅନୁଭବ କରିବା ପାଇଁ କାଳେ କାଳେ ଅଗଣିତ ସାଧୁସନ୍ଥ ଶ୍ରୀକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି । ରତ୍ନସିଂହାସସ୍ଥ ଦାରୁମୟ ମୂର୍ତ୍ତି ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ମନୁଷ୍ୟ ଓ ମନୁଷ୍ୟୋତ୍ତର ସକଳ ପ୍ରାଣୀଙ୍କ ସୁଖ ଦୁଃଖରେ ଭାଗ ନେଉଛନ୍ତି । ସେ ଚଳଚଞ୍ଚଳ ଜୀବନ୍ତ ଠାକୁର । ଭକ୍ତପ୍ରାଣ । ଭକ୍ତ ଯେଉଁ ଦେଶର ଯେଉଁ ଧର୍ମର ହେଉ ଯେତେ ଦୂରରେ ଥାଉ ନା କାହିଁକି ଭକ୍ତବତ୍ସଳ କଳ୍ପଦ୍ରୁମ ତାଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତି ନାହିଁ । ଶ୍ରୀଜଗନ୍ନାଥଙ୍କ ହାତୀବେଶର କାହାଣୀ ଭକ୍ତିଭାବରେ ଭରା । ୧୪୩୨ ଖ୍ରୀଷ୍ଟାବ୍ଦରେ ରାଜା ନିଶଙ୍କର ଭାନୁଦେବଙ୍କ ରାଜଗୁରୁ ବାମଦେବଙ୍କ ରାଜତ୍ୱ କାଳ । ମହାରାଷ୍ଟ୍ରର କର୍ଣ୍ଣିୟାର ଗ୍ରାମର ଶ୍ରୀଗଣପତି ଭଟ୍ଟ ମହାଗାଣପତ୍ୟ ସମ୍ପ୍ରଦାୟର ଆଚାର୍ଯ୍ୟ ଥିଲେ । ସେ ନାଗପୁରର ସ୍ୱଭାବ ଗଣପତି ପୀଠରୁ ଶ୍ରୀକ୍ଷେତ୍ର ଆସିଥିଲେ । ସେ ଜଣେ ପରମ ନୈଷ୍ଠିକ ଗାଣପତ୍ୟ ବ୍ରାହ୍ମଣ ଥିଲେ । ଇଷ୍ଟ ଦେବତା ପରଂବ୍ରହ୍ମ ଗଣନାଥଙ୍କ ଠାରେ ତାଙ୍କର ଅଚଳା ଭକ୍ତି ଥିଲା । ସେ ଥିଲେ ଯୋଗଜନ୍ମା ସାଧକ, ପରମ ଆଧ୍ୟାତ୍ମିକ ଓ ମେଧାବୀ । ଅଳ୍ପକାଳ ମଧ୍ୟରେ ବେଦ ବେଦାନ୍ତ ପୁରାଣ ଧର୍ମଶାସ୍ତ୍ର ଆଦି ଆୟତ୍ତ କରି ପାରିଥିଲେ । ପ୍ରେମାସ୍ପଦ ଭଗବାନଙ୍କ କୃପାଲାଭ ପୂର୍ବକ ନିଜ ସୁକୃତ ବଳରେ ସେ ଜାଣି ପାରିଥିଲେ ଯେ ପରମ ପୁରୁଷ ହେଉଛନ୍ତି ସର୍ବନିୟନ୍ତା, ସୂକ୍ଷ୍ମାତିସୂକ୍ଷ୍ମ, ଅଚିନ୍ତ୍ୟରୂପ ଓ ସୂର୍ଯ୍ୟଙ୍କ ପରି ସ୍ୱୟଂ ପ୍ରକାଶ । ବ୍ରହ୍ମ ସାକ୍ଷାତ୍କାର ଦ୍ୱାରା ମନୁଷ୍ୟ ଅବିଦ୍ୟା କବଳରୁ ମୁକ୍ତି ପାଏ । ଏହି ଆପ୍ତବାକ୍ୟକୁ ଗ୍ରହଣ କରି ସେ ପରମାତ୍ମାଙ୍କ ଦର୍ଶନ ଲାଭ କରିବା ପାଇଁ ଉତ୍ସାହୀ ହୋଇ ବ୍ରହ୍ମ ସାଧନାରେ ବ୍ରତୀ ହେଲେ । ଆତ୍ମସୁଖ ଅନୁସନ୍ଧାନୀ ସେ ସାଧନା ମାର୍ଗରେ ଉପଲବ୍ଧି କଲେ ଯେ ପରଂବ୍ରହ୍ମଙ୍କ ଅନୁଗ୍ରହରୁ ତାଙ୍କ ଦର୍ଶନରେ ମୋକ୍ଷ ସୁଲଭ । ଏକଦା ବ୍ରହ୍ମପୁରାଣରୁ ବ୍ରହ୍ମଙ୍କ ଲୀଳାକ୍ଷେତ୍ର ଉତ୍କଳର ପବିତ୍ର ଭୂମି ପୁରୁଷୋତ୍ତମ କ୍ଷେତ୍ର ବୋଲି ଜାଣି ଅଭିଭୂତ ହୋଇ ପଡ଼ିଲେ : ସ୍ଥୂଳ ସ୍ୱରୂପ ଗୋଟି ଧରି, ବ୍ରହ୍ମ ଅଛନ୍ତି ନୀଳଗିରି । ନୀଳାଚଳ ଧାମର ପରଂ ବ୍ରହ୍ମଙ୍କୁ ଦର୍ଶନ ପାଇଁ ସେ ଦୃଢ଼ ସଂକଳ୍ପ ନେଲେ । ଦିନେ ସାଂସାରିକ ବନ୍ଧନ ଛିନ୍ନ କରି ପୁରସ୍ତମ ଧାମ ଅଭିମୁଖେ ବାହାରି ପଡ଼ିଲେ । ପଥ ଦୀର୍ଘ । ଯାତ୍ରା କ୍ଳେଶକର । ବନ ପ୍ରାନ୍ତର ନଦନଦୀ ପର୍ବତମାଳା ସର୍ବତ୍ର ଯେପରି ବ୍ରହ୍ମ ପୂରି ରହିଛନ୍ତି । ସ୍ଥାବର ଜଙ୍ଗମ ସମସ୍ତଙ୍କୁ ଯେପରି ବ୍ରହ୍ମ ଗଜବଦନ ଯା’ର ନାହିଁ, ସେ ବ୍ରହ୍ମ ବୋଲାଇବ କାହିଁ? ଆଲିଙ୍ଗନ କରିଛନ୍ତି । ଏହି ଦିବ୍ୟ ଅନୁଭୂତି ତାଙ୍କ ଠାରେ ଯେପରି ସଂଜୀବିତ ହୋଇ ଉଠିଲା । ପଥ ମଧ୍ୟରେ ଯାତାୟାତ କରୁଥିବା ଲୋକଙ୍କ ସାଙ୍ଗରେ ସେ ନୀଳଗିରି ନାଥଙ୍କ ତତ୍ତ୍ୱ ଆଲୋଚନା କରୁଥା’ନ୍ତି । ଅନେକ ଦିନର ପଥଶ୍ରମ ପରେ ନୀଳାଚଳ ବାଦ୍ୟଧ୍ୱନିର ଝଙ୍କାର ଓ ଭକ୍ତ କଣ୍ଠର ହରିବୋଲ ଧ୍ୱନି ତାଙ୍କ କର୍ଣ୍ଣ କୁହରରେ ଅଦ୍ଭୁତ ମୂର୍ଚ୍ଛନା ତୋଳିଲା । ପୁଣ୍ୟ ଶ୍ରୀକ୍ଷେତ୍ରର ଧୂଳିକୁ ବାରମ୍ବାର ମଥାରେ ବୋଳିବାକୁ ଲାଗିଲେ । ତାଙ୍କ ଚକ୍ଷୁରୁ ଆନନ୍ଦାଶ୍ରୁ ବହିବାକୁ ଲାଗିଲା । ଆଶ୍ଚର୍ଯ୍ୟ ହୋଇ ଦେଖିବାକୁ ପାଇଲେ ବହୁ ଭକ୍ତ ଜଗନ୍ନାଥଙ୍କୁ ଦର୍ଶନ କରି ଅବଢ଼ା ହସ୍ତରେ ଧରି ପ୍ରତ୍ୟାବର୍ତ୍ତନ କରୁଛନ୍ତି । ହଠାତ୍ ତାଙ୍କ ମନରେ ସଂଶୟ ହେଲା-ପରଂବ୍ରହ୍ମ ଶ୍ରୀଜଗନ୍ନାଥ ନିର୍ବାଣ ଦାତା । ବ୍ରହ୍ମ ଦର୍ଶନରେ ପ୍ରତ୍ୟକ୍ଷ ମୁକ୍ତି ମିଳେ । ଏମାନେ ତାଙ୍କୁ ଦର୍ଶନ କରି ଶରୀର ସହିତ ଫେରୁଛନ୍ତି କିପରି ? ଶ୍ରୀଜଗନ୍ନାଥ ବ୍ରହ୍ମ ହୁଅନ୍ତୁ ବା ନହୁଅନ୍ତୁ ତାଙ୍କୁ ଯାଇ ଥରେ ଦେଖି ଆସିବେ । ଗରୁଡ଼ ଖମ୍ବ ପଛରେ ରହି ଜଗନ୍ନାଥଙ୍କୁ ଦର୍ଶନ କଲେ । ଏ କ’ଣ? ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ୟେ କି ରୂପ? ଯା’ଙ୍କ ଗଜବଦନ ନାହିଁ । ଗୋଟିଏ ଶଙ୍କା ତାଙ୍କ ମନ ମଧ୍ୟରେ ବାରମ୍ବାର ଉଙ୍କି ମାରୁଥିଲା “ଗଜବଦନ ଯା’ର ନାହିଁ । ସେ ବ୍ରହ୍ମ ବୋଲାଇବ କାହିଁ । । ସେ ବ୍ରହ୍ମ ଓ ବ୍ରହ୍ମବୈବର୍ତ୍ତ ପୁରାଣରୁ ଜାଣିବାକୁ ପାଇଥିଲେ ଯେ ଗଣେଶ ହେଉଛନ୍ତି ପରଂ ବ୍ରହ୍ମ । ସମାଧିନା ଯୋଗିନୋ ଯତ୍ର ଗଚ୍ଛନ୍ତି ସ ଗଃ । ଯସ୍ମାତ୍ ବିଶ୍ୱପ୍ରତିବିମ୍ବତୟା ପ୍ରଣବାତ୍ମକଂ ଜଗତ୍ ଜାୟତେ ଇତି ଜଃ ।ା ଅର୍ଥାତ୍ ସମାଧି ଅବସ୍ଥାରେ ଯୋଗୀମାନେ ଯେଉଁ ଠାକୁ ଗମନ କରନ୍ତି ନିର୍ଗୁଣାତ୍ମକ ସେହି ବ୍ରହ୍ମ ‘ଗ’ । ଯାହାଙ୍କ ଠାରୁ ଓଁକାରାତ୍ମକ ସ୍ଥୂଳ ଜଗତର ସୃଜନ ହୁଏ ସେ ସଗୁଣାତ୍ମକ ‘ଜ’ । ଅତଏବ ଗଜ ହେଉଛନ୍ତି ନିର୍ଗୁଣରୁ ସଗୁଣ ପାଲଟିଥିବା ବ୍ରହ୍ମ । ସୁତରାଂ ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ୱକାରଣ ବ୍ରହ୍ମ ବା ଗଜ । ଗଣେଶ ଗଜପତି ଅଟନ୍ତି । ଶ୍ରୀଜଗନ୍ନାଥ ମଧ୍ୟ ସେହିପରି ଗଣଦେବତା ଅଟନ୍ତି । ମାତ୍ର ଗଜାନନଙ୍କ ଜାଗାରେ ଏ କି ଅଦ୍ଭୁତ ଜଗନ୍ନାଥ ମୂର୍ତ୍ତି ? ୟେ ତାଙ୍କର ଅଭୀଷ୍ଟ ପରମ ବ୍ରହ୍ମ ବିଘ୍ନରାଜ ନୁହଁନ୍ତି । ସେ ଦୁଃଖ ଓ ନୈରାଶ୍ୟରେ ଜର୍ଜରିତ ହେଲେ । କାନ୍ଦି କାନ୍ଦି ଅବସନ୍ନ ହୋଇ ଲକ୍ଷ୍ମୀ ମନ୍ଦିରର ଜଗମୋହନ ନିକଟରେ ପଡ଼ି ରହିଲେ । ଏଣେ ରାତ୍ରିରେ ଅନ୍ତର୍ଯ୍ୟାମୀ ମାନଉଦ୍ଧାରଣକାରୀ ଶ୍ରୀଜଗନ୍ନାଥ ସ୍ୱପ୍ନାଦେଶ ଦେଲେ-ହେ ମୁଦିରଥ ! ମୋ ଠାରେ ଜଣେ ଭକ୍ତ ତା’ର ପରଂବ୍ରହ୍ମଙ୍କୁ ଦେଖିବାକୁ ନପାଇ ବଡ଼ ଅଝଟିଆ ଓ ଅଭିମାନୀ ହୋଇ ଲକ୍ଷ୍ମୀ ମନ୍ଦିର ଜଗମୋହନରେ ଶୋଇଛି । ତାକୁ ଉଠାଇ କହିବ-କାଲି ସ୍ନାନଯାତ୍ରା ଅବସରରେ ସେ ମୋତେ ତା’ର ଭକ୍ତି ନେତ୍ରରେ ଦର୍ଶନ କରୁ । ସ୍ୱପ୍ନାଦେଶ ପାଇ ସେବକ ମୁଦିରଥ ଗଣପତିଙ୍କୁ ଠାବ କରି କହିଲେ-ହେ ବ୍ରାହ୍ମଣ ! ତୁମେ ତୁମର ଇଷ୍ଟଦେବଙ୍କୁ ନଦେଖି ଭାଙ୍ଗି ପଡ଼ୁଛ କାହିଁକି? ଶ୍ରୀଜଗନ୍ନାଥ କଳ୍ପତରୁ । ବାଞ୍ଛାନିଧି । ଚତୁର୍ବିଧ ଫଳ ଦାତାଙ୍କୁ ତୁମେ ଇଷ୍ଟ ରୂପରେ ନିଶ୍ଚୟ ଦେଖିବ । ସେଦିନ ଥାଏ ପ୍ରଭୁଙ୍କ ମହାସ୍ନାନ ବିଧି । ଜନ୍ମ ଦିନର ମହୋତ୍ସବ । ପ୍ରଭୁ ଝୁଲିଝୁଲି ହଲି ହଲି ସ୍ନାନ ମଣ୍ଡପକୁ ଆସୁଥା’ନ୍ତି । ଅଗଣିତ ଭକ୍ତଙ୍କ ହୃଦୟ ଥରାଇଦେଇ ବୀର କାହାଳୀ ବାଜୁଥାଏ । ଜୟ ଶ୍ରୀଜଗନ୍ନାଥ ଧ୍ୱନିରେ ବାୟୁମଣ୍ଡଳ ପ୍ରକମ୍ପିତ ହୋଇ ଉଠୁଥାଏ । ପୁଷ୍ଫିତ ଟାହିଆରେ ପ୍ରଭୁଙ୍କର ଶୋଭା ଶତଗୁଣିତ ହେଉଥାଏ । ଶ୍ରୀଜୀଉମାନଙ୍କୁ ସ୍ନାନ ମଣ୍ଡପର ଚକା ବଇଠିରେ ବିଜେ କରାଇ ଶୁଦ୍ଧ ପୂତ ହୃଦୟରେ ସେବକମାନେ ସୁବାସିତ ତୀର୍ଥଜଳରେ ମାଜଣା କଲେ । ଏହି ଶୁଭ ଅବସରରେ ଗଣପତି ଭଟ୍ଟ ଏକ ଅଦ୍ଭୁତ ଦୃଶ୍ୟ ସ୍ପଷ୍ଟ ଭାବରେ ଦେଖିବାକୁ ପାଇଲେ- ବଳଦେବ ଧଳା ଓ ଜଗନ୍ନାଥ କଳା ଗଣେଶ ରୂପରେ ସତେ ଯେପରି କଳାଧଳା ହାତୀ ଦୁଇଟି ଥୋଡ଼ପାହୁଡ଼ ଲମ୍ବାଇ ମତୁଆଲା ଭାବରେ ନୀଳକନ୍ଦରରୁ ଓହ୍ଲାଇ ଆସୁଛନ୍ତି । ମୁଖରେ ଶୋଭିତ ହେଉଥାଏ ଏକଦନ୍ତ । ଅଦ୍ଭୁତ ବିଶ୍ୱରୂପ ଧାରଣ କରି ବାହୁ ପ୍ରସାରଣ ପୂର୍ବକ ଭୃତ୍ୟକୁ ଶ୍ରୀଅଙ୍ଗରେ ଲୀନ କରିବା ପାଇଁ ସତେ ଆହ୍ୱାନ ଦେଉଛନ୍ତି କି? ଦର୍ଶନ ମାତ୍ରେ ଗଣପତି ଭଟ୍ଟଙ୍କର ଦିବ୍ୟଜ୍ଞାନ ଉଦୟ ହେଲା । ପ୍ରେମପୁଲକିତ ହୋଇ ଯୋଡ଼ ହସ୍ତରେ ସେ ପରଂବ୍ରହ୍ମ ଗଜାନନଙ୍କ ସ୍ତୁତି କରିବାକୁ ଲାଗିଲେ – ତ୍ୱମେବ ବକ୍ରତୁଣ୍ଡଶ୍ଚ ତ୍ୱମେବ ଗଣନାୟକଃ ଶୁକ୍ଳକୃଷ୍ଣ ସ୍ୱରୂପେଣ ଗୌରୀପୁତ୍ର ବିନାୟକଃ । କୃଷ୍ଣରୂପମୟ କୃଷ୍ଣଶିବ ରୂପମୟ ହରଃ ସାକ୍ଷାତ୍ ଦେବ ଜଗନ୍ନାଥଂ ବିଘ୍ନବିନାୟକ ସ୍ୱୟମ୍ ।ା ଦାର୍ଢ଼୍ୟତାଭକ୍ତି ଏହି ବେଶ ସମ୍ପର୍କରେ କହେଦେଖିଲା ପ୍ରଭୁ ଭଗବାନ । ହୋଇ ଅଛନ୍ତି ଗଜାନନ ।ା ଲମ୍ବି ଅଛଇ ଥୋର ହସ୍ତ । ଶୋଭା ଦିଶଇ ଏକଦନ୍ତ ।ା ଅଦ୍ଭୁତ ବିଶ୍ୱରୂପ ଧରି । ଭୃତ୍ୟକୁ ଡ଼ାକୁଛନ୍ତି ହରି ।ା ତାହା ଶୁଣିତ ମହାମତି । ବୋଲେ ନମସ୍ତେ ଗଣପତି ।ା ଜଗନ୍ନାଥଙ୍କୁ ଗଣପତି ବେଶରେ ଦେଖି ଆଶ୍ଛର୍ଯ୍ୟ ଚକିତ ଓ ଭକ୍ତି ପ୍ଳାବିତ ହୋଇ କହିଲେ: ହେ ପ୍ରଭୁ ମୋର ଏ ଅପରାଧକୁ କ୍ଷମା କରିଦିଅ । ହେ ଗଣନାୟକ! ମୋତେ ନିର୍ବାଣ ଦେବା ପୂର୍ବକ ମୋର ଗୋଟିଏ ଅନୁରୋଧ ରକ୍ଷା କର । ପ୍ରତ୍ୟେକ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଅର୍ଥାତ୍ ଏହି ସ୍ନାନୋତ୍ସବ ଦିନ ସ୍ନାନବେଦୀରେ ଏହି ଗଜାନନ ବେଶରେ ବିରାଜମାନ ହେବେ । ଜଗତର କଲ୍ୟାଣ ଓ ଜଗତବାସୀଙ୍କର ବିଘ୍ନ ନାଶନ କରିବେ । ସେହି ଦିନୁ ଭାବଗ୍ରାହୀ ଜଗନ୍ନାଥଙ୍କୁ କାଳହାତୀ ଓ ବଳଭଦ୍ରଙ୍କୁ ଧଳା ହାତୀ ବେଶରେ ବେଶ କରାଯାଏ । ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ହାତୀବେଶ କରା ନଯାଇ ଅନ୍ୟ ଆଭୂଷଣରେ ଭୂଷିତ କରାଯାଏ । ଭକ୍ତଜନ ମନମୁଗ୍ଧକାରୀ ଗଜାନନ ବେଶ ପରେ ପୁଷ୍ପାଳକମାନେ ଠାକୁରମାନଙ୍କୁ ପୁଷ୍ପଭୂଷଣରେ ସୁସଜ୍ଜିତ କରନ୍ତି । ଏଠାରେ ଆଉ ଗୋଟିଏ ପ୍ରସଙ୍ଗ ଉଲ୍ଳେ୍ଖ ଯୋଗ୍ୟ ଯେ ଏହିଦିନ ଭଗବାନ୍ ବୁଦ୍ଧଦେବ ମାତା ମାୟାଦେବୀଙ୍କ ଗର୍ଭରେ ମେଘ ମଧ୍ୟରେ ଚନ୍ଦ୍ର ପ୍ରବେଶ କଲା ପରି ଏକ ଶ୍ୱେତ ହସ୍ତୀ ରୂପରେ ପ୍ରବେଶ କରିଥିଲେ । ଶ୍ରୀଜଗନ୍ନାଥ ସ୍ୱୟଂ ବୁଦ୍ଧ ହୋଇଥିବାରୁ ସ୍ନାନ ପରେ ହସ୍ତୀ ବେଶ ହୁଅନ୍ତି । ଶ୍ରୀଜଗନ୍ନାଥ ସର୍ବ ଧର୍ମ ସମନ୍ୱୟର ପ୍ରତୀକ । ସେ ରତ୍ନସିଂହାସନରେ ନାରାୟଣ, ସ୍ନାନବେଦୀରେ ଗଜନନ, ନବକଳେବରରେ ରୁଦ୍ର, ଶୟନ ଯାତ୍ରାରେ ଦୁର୍ଗତିନାଶିନୀ ଦୁର୍ଗା ଓ ରଥଯାତ୍ରାରେ ସୂର୍ଯ୍ୟ । ମହାସ୍ନାନର ମହତ ଉଦ୍ଦେଶ୍ୟ ଓ ଅଶେଷ ପ୍ରଭାବ ରହିଛି । ବର୍ଷକର ମଳି, ଧୂଳି ଧୌତ, ପହଣ୍ଡି କ୍ରମରେ ଆସିଥିବା ଠାକୁରଙ୍କ ଶ୍ରମଝାଳ ଅପନୋଦନ ତଥା ଶକ୍ତି ସାମର୍ଥ୍ୟ ତେଜ ବର୍ଦ୍ଧନ ପାଇଁ ଏହି ସ୍ନାନବିଧିର ବ୍ୟବସ୍ଥା । ଏହା ହେଉଛି ମହାପ୍ରଭୁଙ୍କର ସ୍ୱୟଂ ଲୀଳା । ରଙ୍କରୁ ରାଜା, ପତିତ ସମସ୍ତେ ମହାପ୍ରଭୁଙ୍କୁ ଦର୍ଶନ କରିବା ସୁଯୋଗ । କବି ସମ୍ରାଟ ଉପେନ୍ଦ୍ର ‘କୋଟିବ୍ରହ୍ମାଣ୍ଡ ସୁନ୍ଦରୀ’ କାବ୍ୟର ଲେଖନ୍ତି- ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳା ଯା’ର । ପତିତ ପାବନ ଅର୍ଥେ ପ୍ରାସାଦୁଁ ବାହାର ।ା-୨୪ା୧ ସମସ୍ତେ ପତିତ । ଆମ ମନରୁ ମଳ ପରିଷ୍କାର କରି ତାକୁ ନିର୍ମଳ କରିବା ପୂର୍ବକ ପାବନ ଅର୍ଥ ପବିତ୍ର କରିବାକୁ ସ୍ନାନ ଯାତ୍ରାର ସନ୍ଦେଶ । ମହାପ୍ରଭୁଙ୍କ ସ୍ନାନ ଉଦକ ପୃଥିବୀ ପାଇ ଶସ୍ୟଶ୍ୟାମଳା ହୁଏ । ‘ଜୟ ଜଗନ୍ନାଥ’ ଡାକରେ ଭକ୍ତ ଓ ଜୀବଜଗତ ହିଂସା ତ୍ୟାଗ କରନ୍ତି । ଉଦ୍ଭିତ ଜଗତ ମଣି ଭଳି ମୂଲ୍ୟବାନ ପତ୍ର ପୁଷ୍ଫ ଓ ଫଳ ଧାରଣ କରିବା ଆରମ୍ଭ କରେ । ଧରାକୁ ଓହ୍ଲାଇ ଆସେ ଧାରା ଶ୍ରାବଣ ।ମହାସ୍ନାନ ଦର୍ଶନର ଫଳଶ୍ରୁତି ଧ୍ୟାନ ଅକର୍ଷଣକାରୀ ଅଟେ । ଜଗତ୍ପତିଙ୍କ ବିରଳ ଏହି ମହାଜ୍ୟେଷ୍ଠୀ ମହାସ୍ନାନ ଦେଖିଲେ ସକଳ ମନୋରଥ ପରିପୂର୍ଣ୍ଣ ହୁଏ । ସମସ୍ତ ପାପଖଣ୍ଡନ ହୋଇଥାଏ । ବିଷ୍ଣୁଙ୍କ ପରମ ପଦ ଲାଭ ହୁଏ । ଦର୍ଶକମାନେ ପିତୃପିତାମହଙ୍କ ସହିତ ସହସ୍ର ଯୁଗ ପର୍ଯ୍ୟନ୍ତ ଭବାର୍ଣ୍ଣବ ଦୁଃଖ ଭୋଗ କରନ୍ତି ନାହିଁ । ପୁନରାୟ ଜନନୀ ଗର୍ଭ ଜଳରେ ଶୟନ କରିବାକୁ ହୁଏ ନାହିଁ । ବାଲ୍ୟାବସ୍ଥାରେ ହୋଇଥିବା ଜ୍ଞାତାଜ୍ଞାତ ସମସ୍ତ ପାପ ଭଗବାନଙ୍କ ସ୍ନାନ ଦର୍ଶନରେ ବିନଷ୍ଟ ହୁଏ । ସନ୍ତାପ ପ୍ରଶମିତ ହୋଇଯାଏ । ନୀଳାଦ୍ରିମହୋଦୟର ଚତୁର୍ଦ୍ଦଶ ଅଧ୍ୟାୟରେ ଏହି ସ୍ନାନବିଧି ବିଶଦ ରୂପେ ବର୍ଣ୍ଣିତ ହୋଇଛି । ଏହି ସ୍ନାନବିଧି ଦର୍ଶନରେ ପାଦାଦି ଇନ୍ଦ୍ରିୟ ତୀର୍ଥ ଗମନ କରେ, ଚକ୍ଷୁ ଇନ୍ଦ୍ରିୟ ସ୍ନାନ ଦର୍ଶନ କରେ, କର୍ଣ୍ଣେନ୍ଦ୍ରିୟ ଜଗନ୍ନାଥଙ୍କ ଜୟ ଧ୍ୱନି ଶୁଣେ, ରସନେନ୍ଦ୍ରିୟ ଜୟ ଧ୍ୱନି କହି ଓ ପ୍ରସାଦ ପାଇ କୃତାର୍ଥ ହୁଏ । ଚକ୍ଷୁ ସନ୍ଥ ଦର୍ଶନ ଓ ପଦସ୍ପର୍ଶନ ଫଳ ପାଏ । ଏହିପରି ସମସ୍ତ ଇନ୍ଦ୍ରିୟଗଣ ପବିତ୍ର ହୁଅନ୍ତି । ସ୍ନାନଯାତ୍ରା ଦର୍ଶନ ଅପେକ୍ଷା ମୋକ୍ଷପ୍ରଦ ଶ୍ରେଷ୍ଠତମ ଅନ୍ୟ କର୍ମ କିଛି ନାହିଁ ।
କାନନ ବିହାର-୨, ପଟିଆ,ଭୁବନେଶ୍ୱର ମୋ: ୯୪୩୭୭୭୬୯୦୮