ଦେବସ୍ନାନ ପୂର୍ଣ୍ଣିମାର ତାତ୍ପର୍ଯ୍ୟ

ପ୍ରଦୀପ୍ତ କୁମାର କର

ଦେବସ୍ନାନ ପୂର୍ଣ୍ଣମୀ ସ୍ନାନ ଉତ୍ସବ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ପାରମ୍ପରିକ ରୀତିନୀତିରେ ବେଦ ଧ୍ୱନି ପୂର୍ବକ ୧୦୮ ଗରା ଜଳରେ ସ୍ନାନ କରାଯାଏ ।ଏହାପରେ ପ୍ରଭୁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ବର୍ଷକରେ ଥରେ ପ୍ରଭୁମାନେ ସ୍ନାନ ମଣ୍ଡପରେ ସ୍ନାନ କରନ୍ତି ଓ ଅନ୍ୟ ଦିନରେ କେବଳ ମନ୍ତ୍ର ସ୍ନାନ କରାଯାଏ । ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ଏକ ଶାସ୍ତ୍ରୀୟ ଭିତ୍ତିଭୂମିର ଲୀଳା । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବାରୁ ଏହାକୁ ମଧ୍ୟ ଶ୍ରୀ ଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି ମଧ୍ୟ କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନ ଲୀଳା କରିଥିଲେ । ମହାରାଜା ଇନ୍ଦ୍ରଦ୍ୟୁମ୍ନ ସେତେବେଳେ ସ୍ନାନ ମଣ୍ଡପ ନଥିବାରୁ ମଞ୍ଚ ନିର୍ମାଣ କରାଯାଇ ତା ଉପରେ ସ୍ନାନ ବିଧି କରାଯାଉଥିଲା । ଅନେକ ଶାସ୍ତ୍ରରେ ଏହାକୁ ମଞ୍ଚସ୍ନାନ ବୋଲି ଅଭିହିତ କରିଅଛନ୍ତି । ଶାସ୍ତ୍ର ଅନୁଯାୟୀ ୧୦୮ ସୁନା କଳସ ବା ଗରାରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହ୍ମଙ୍କ ଆଦ୍ୟ ସ୍ଥାନ ଲୀଳା ସମାପନ ହୋଇଥିଲା, ସେହି ଶାସ୍ତ୍ରୀୟ ମତ ଅନୁସରଣ କରି ଆଜି ବି ସ୍ନାନ ଉତ୍ସବ ଅତି ଆନନ୍ଦ ଓ ଭକ୍ତିପୂତ ପରିବେଶରେ ପାଳନ କରାଯାଉଛି । ଏହି ସ୍ନାନ ଉତ୍ସବରେ ମହାପ୍ରଭୁ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ତାଙ୍କ ଭକ୍ତମାନଙ୍କୁ ଦର୍ଶନ ଦେଉଥିବାରୁ କେତେକ ଏହାକୁ ମଧ୍ୟ ପତିତପାବନ ଯାତ୍ରା କହନ୍ତି । ସ୍ନାନ ପୂର୍ଣ୍ଣିମାର ପୂର୍ବଦିନ ପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ସ୍ୱଳ୍ପ ସମୟ ପାଇଁ ପହୁଡ଼ ନୀତି ହୋଇ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହୁଏ । ଏହିଦିନ କୋଠ ସୁଆଂଶିଆ ସେବକମାନେ ମନ୍ଦିରରେ ପ୍ରବେଶ କରି ଚାରମାଳ ବାନ୍ଧି, ମହାପ୍ରଭୁଙ୍କ ସେନାପଟା ଓ ବାହୁଟି ନଗୀ କରାନ୍ତି ଓ ରତ୍ନ ସିଂହାସନ ଉପରେ ମଙ୍ଗଳ ଆଳତି ହୁଏ । ତା’ପରେ ଦଇତାପତି ମାନେ ମହାପ୍ରଭୁମାନଙ୍କ ପହଣ୍ଡି କରିବା ବେଳେ ମଦନମୋହନଙ୍କୁ ମହାଜନ ସେବକମାନେ ସ୍ନାନ ମଣ୍ଡପକୁ ବିଜେ କରାନ୍ତି । ପହଣ୍ଡି ସମୟରେ ଠାକୁରମାନେ ସାତ ପାହାଚରେ ଚୂଳ, ଓ ଟାହିଆ ଲାଗି ହୁଅନ୍ତି ଓ ଏହି ସାତ ପାହାଚରେ ହିଁ ଦ୍ୱିତୀୟ ଥର ମଙ୍ଗଳ ଆଳତି ହୁଏ ବନ୍ଦାପନା ପରେ ରଘୁଦାସ ମଠରୁ ଆସିଥିବା ଘସା ନାଗି ହୋଇ ପନ୍ତି ଖାଇ ଖାଇ ଠାକୁରମାନେ ସ୍ନାନବେଦୀକୁ ବିଜେ କରନ୍ତି । ସୁଆର, ବଡୁ ଆମ୍ଭୁଣିଆ ପାଣି ଛିଞ୍ଚନ୍ତି ଗରାବଡୁ ସ୍ୱର୍ଣ୍ଣ କଳସ ଧରି ଶୀତଳା ମାତାଙ୍କ ମନ୍ଦିର ସାମ୍‌ନାରେ ଥିବା ସୁବର୍ଣ୍ଣ କୂପରୁ ଜଳ ଆଣନ୍ତି । ଏହି କୂପ ସାରା ବର୍ଷ ଅବ୍ୟବହୃତ ହୋଇ ରହିଥାଏ ଓ କିମ୍ବଦନ୍ତୀ ରହିଛି ଯେ ମା’ ଶୀତଳାଙ୍କ ସିଂହ ଏହାକୁ ଜଗି ରହିଛି । ବର୍ଷ ସାରା ଏହି କୂପର ଜଳ ବ୍ୟବହାର ହେଉଥିବାରୁ ଏହାକୁ ମଧ୍ୟ ଅଣତୁଠ ଜଳ ବୋଲି କୁହାଯାଏ । ଏହି ଜଳକୁ ଆଣି ତାକୁ ଅଭିମନ୍ତ୍ରିତ କରି ସେଥିରେ ୧୩ ଗୋଟି ପଦାର୍ଥ ମିଶ୍ରଣ ହୁଏ । ସେଗୁଡିକ ହେଲା- ଅଷ୍ଟବନ୍ଧ, କୃଷ୍ଣ ଆଗୁର, ଉଷିର, ଗୋରଚନା, ଦେବଦାରୁ, ମୁଥା, ହରିତାଲ, ବାହାଡ଼ା, ଆମଳକି, ସଂଜିଷ୍ଠା, ତାମ୍ୱପର୍ଣି, ଶୋମପର୍ଣି ଓ ଲୋଧା । ଏହା ପରେ ସେହି ସୁଗନ୍ଧ ଜଳରେ ପ୍ରଭୁମାନେ ସ୍ନାନ କରନ୍ତି । ଏହି ୧୦୮ ଗରାରୁ ୩୩ ଗରା ପ୍ରଭୁ ଶ୍ରୀବଳଭଦ୍ର , ୩୫ ଗରା ପ୍ରଭୁ ଶ୍ରୀଜଗନ୍ନାଥ , ୨୨ ଗରା ମା’ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ ୧୮ଗରା ଜଳରେ ସ୍ନାନ କରନ୍ତି । ଏହା ପରେ ରଘୁଦାସ ମଠରୁ ମା’ ସୁଭଦ୍ରାଙ୍କ ପାଇଁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ନାଗୀ କରାଯାଇ ଗୋପାଳ ତୀର୍ଥ ମଠ ଦ୍ୱାରା ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥଙ୍କୁ ଗଜାନନ ବେଶ ଓ ସୁଦର୍ଶନଙ୍କୁ ଚକ୍ର ନାଗି କରାଯାଏ । ତା’ପରେ ପ୍ରଭୁମାନେ ପୁଣି ଗୋଟି ପହଣ୍ଡିରେ ଶ୍ରୀ ମନ୍ଦିର ଭିତରକୁ ଫେରନ୍ତି କିନ୍ତୁ ରତ୍ନ ସିଂହାସନ ଆରୋହଣ ନକରି ଭିତର କାଠ ପାଖ ଅଣସର ପିଣ୍ଡିରେ ବିଜେ କରନ୍ତି ତାଙ୍କ ସମାନରେ ତାଟି ବାନ୍ଧି ଦିଆଯାଏ ଓ ସେଠାରେ ପଟି ଦିଅଁଙ୍କୁ ରଖି ପୂଜା କରାଯାଏ । ଏଠାରେ ଠାକୁର ମାନେ ସ୍ନାନ ପୂର୍ଣ୍ଣମୀରୁ ନେତ୍ର ଉତ୍ସବ ପର୍ଯ୍ୟନ୍ତ ୧୫ଦିନ ଜ୍ୱରରେ ପଡନ୍ତି । ଏହି ସମୟରେ ଠାକୁରମାନଙ୍କୁ କେବଳ ଖେଚେଡ଼ି ଭୋଗ ଲାଗି ହୁଏ । ଏହି ମନ୍ଦିର ବନ୍ଦ ରହୁଥିବାରୁ ଭକ୍ତମାନେ ପୁରୀ ନିକଟରେ ଥିବା ଅଲାରନାଥଙ୍କ ଦର୍ଶନ ପାଇଁ ଚାଲି ଯାଆନ୍ତି । ସ୍ନାନ ପୂର୍ଣ୍ଣିମାରେ ଠାକୁରମାନଙ୍କ ଗଜାନନ ବେଶ ଉପରେ ଏକ ଭକ୍ତି ଭାବ ନିଦର୍ଶନ ତଥା ପ୍ରଭୁଙ୍କ ଭକ୍ତ ବତ୍ସଳର ପ୍ରମାଣ ମିଳେ । ଥରେ ମହାରାଷ୍ଟ୍ରର ଏକ ପ୍ରଭୁ ଗଣେଶ ଙ୍କ ଅତ୍ୟନ୍ତ ଭକ୍ତ ଶ୍ରୀ ଗଣପତି ଭଟ୍ଟ ଶ୍ରୀ କ୍ଷେତ୍ର ର ମହିମା ଶୁଣି ପ୍ରଭୁ ଙ୍କ ଦର୍ଶନ ପାଇଁ ଆସି ରତ୍ନ ସିଂହାସନ ରେ ତାଙ୍କର ଇଷ୍ଟ ଦେବତା ଶ୍ରୀ ଗଜାନନ ଙ୍କୁ ନ ଦେଖି ପ୍ରଭୁଙ୍କୁ ପରଂବ୍ରହ୍ମ ବୋଲି ଅସ୍ୱୀକାର କରି ମନ୍ଦିର ବାହାରକୁ ଚାଲି ଆସିଲେ । ତା ପରଦିନ ପ୍ରଭୁ ଙ୍କ ସ୍ନାନ ଯାତ୍ରା ଥିଲା ଓ ପ୍ରଭୁ ବଡ ପଣ୍ଡା ଙ୍କ ନିର୍ଦ୍ଦେଶ ଦେଲେ ଯେ ସେ ଗଣପତି ଭଟ୍ଟ ଙ୍କୁ ଆମନ୍ତ୍ରଣ କରି ସ୍ନାନ ମଣ୍ଡପରେ ତାଙ୍କୁ ଦର୍ଶନ କରିବା ପାଇଁ ।କିନ୍ତୁ ଯେତେବେଳେ ଗଣପତି ଭଟ୍ଟ ସ୍ନାନ ମଣ୍ଡପରେ ପହଞ୍ଚିଲେ ସେ ଦେଖିଲେ ଯେ ତାଙ୍କ ସମ୍ମୁଖରେ ତାଙ୍କ ଆରାଧ୍ୟ ସ୍ୱୟଂ ପ୍ରଭୁ ଗଜାନନ ସ୍ନାନ ମଣ୍ଡପରେ ଏହା ଦେଖି ସେ ସ୍ତମ୍ଭିଭୂତ ହୋଇଗଲେ ଓ ତାଙ୍କର ଅନ୍ତର ଚେତନା ଜାଗ୍ରତ ହୋଇଗଲା ସେ ନିଜକୁ ଓ ପ୍ରଭୁ ଙ୍କୁ ଠିକ୍ ବୁଝିପାରିଲେ । ପ୍ରଭୁ ସର୍ବଦା ଭକ୍ତର ହୃଦୟରେ ଥାଆନ୍ତି ଓ ସେ ଭକ୍ତର ଅଧୀନ । ସେହିଦିନ ଠାରୁ ବିଶ୍ୱନିୟନ୍ତାଙ୍କ ନିର୍ଦ୍ଦେଶରେ ପ୍ରତି ସ୍ନାନ ପୂର୍ଣ୍ଣିମାରେ ପ୍ରଭୁମାନଙ୍କ ଗଜାନନ ବେଶ ହୁଏ ଏହା ଏବେ ବି ଚାଲିଛି ଓ ଯୁଗ ଯୁଗ ପାଇଁ ଚାଲିଥିବ । ପ୍ରଭୁ ସର୍ବଦା ଭକ୍ତର ସେ ଗୋଟିଏ ପାଦ ପ୍ରଭୁଙ୍କ ପାଖକୁ ଆଗେଇ ଆସିଲେ ପ୍ରଭୁ ଦଶ ପାଦ ଆଗେଇ ଆସି ଭକ୍ତଙ୍କୁ କୋଳେଇ ନିଅନ୍ତି ।

ସୂର୍ଯ୍ୟ ନଗର, ଭୁବନେଶ୍ୱର ମୋ : ୯୮୬୧୦୭୫୪୦୪

Leave a Reply

Your email address will not be published. Required fields are marked *