ନମାଜ, ବିଷାକ୍ତ ସାପ,ମୂର୍ଖ ଏବଂ ଅପାଠୁଆ

ଲଗାତାର ତିନୋଟି ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଥିବା କଂଗ୍ରେସ ଦଳ ମଧ୍ୟ ହାର ମାନିବାକୁ ଚାହୁଁନାହିଁ। ଯଦି ରାଜ୍ୟ କଥା ବିଚାର କରିବା ତେବେ କଂଗ୍ରେସ ସରକାର ଏବେ ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ଝାଡ଼ଖଣ୍ଡ ଏବଂ ତାମିଲନାଡୁ ଭଳି କିଛି ରାଜ୍ୟରେ ସୀମିତ ରହିଛି । ଗୋଟିଏ ପରେ ଗୋଟିଏ ରାଜ୍ୟ କଂଗ୍ରେସ ଦଳ କ୍ଷମତା ହରାଇ ଚାଲିଛି। ନେତାମାନଙ୍କର ଅହଁକାରୀ ବୟାନ ହେଉଛି ଏଥିପାଇଁ ଦାୟୀ ।
ପଶ୍ଚିମବଙ୍ଗ, କେରଳ, ଆସାମ, ତାମିଲନାଡୁ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ନିଜକୁ ଆକ୍ରମଣାତ୍ମକ ଭୂମିକା ଦେଖାଇବା ପାଇଁ ଚେଷ୍ଟା କରିଛି। ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସମ୍ବୋଧନ କ୍ରମାଗତ ଭାବରେ ସୀମା ଲଙ୍ଘନ କରିଛି। ନିର୍ବାଚନ ପ୍ରଚାର ସମୟରେ କେରଳରେ ଆଞ୍ଚଳିକତାକୁ ପ୍ରୋତ୍ସାହିତ କରି ଏକ ବିବୃତ୍ତି ଦେଇଥିଲେ ଏବଂ ତାପରେ ଆସାମରେ ଇସଲାମିକ ତୁଷ୍ଟୀକରଣର ପ୍ରୟାସ କରିଥିଲେ।
ଆସାମ ବିଧାନସଭା ନିର୍ବାଚନ ପ୍ରଚାର ଶେଷ ହେବାର କିଛି ଘଣ୍ଟା ପୂର୍ବରୁ ମଲ୍ଲିକାର୍ଜୁନ ଖଡଗେ ଏକ ରାଲିରେ କହିଥିଲେ, “ହିନ୍ଦୁ ଏବଂ ମୁସଲମାନ ଏଠାରେ ବସିଛନ୍ତି। ଯଦି ଆପଣ ନମାଜ କରୁଥିବା ସମୟରେ ଏକ ବିଷାକ୍ତ ସାପ ଆପଣଙ୍କ ସାମ୍ନାରୁ ଚାଲିଯାଏ ତେବେ ପ୍ରାର୍ଥନା ବନ୍ଦ କରନ୍ତୁ ଏବଂ ପ୍ରଥମେ ସେହି ବିଷାକ୍ତ ସାପକୁ ମାରିଦିଅନ୍ତୁ। ଏହା କୋରାନରେ ଅଛି ଏବଂ ମୁଁ ମଧ୍ୟ ସେହି ସମାନ କଥା କହୁଛି। ଆପଣଙ୍କ ନମାଜ ପଢିବା ବନ୍ଦ କରିବାକୁ ଚିନ୍ତା କରନ୍ତୁ ନାହିଁ । ବିଷାକ୍ତ ସାପ ହେଉଛି ବିଜେପି ଏବଂ ଆରଏସଏସ। ଯଦି ଆପଣ ଏହାକୁ ମାରିବେ ନାହିଁ ତେବେ ଆପଣ କେବେବି ରକ୍ଷା ପାଇପାରିବେ ନାହିଁ।
ଆସାମ ଭଳି ଏକ ସମ୍ବେଦନଶୀଳ ରାଜ୍ୟ, ଯେଉଁଠାରେ ଲୋକମାନେ ଅନୁପ୍ରବେଶ ଏବଂ ବାଂଲାଦେଶୀ ମୁସଲିମ ଜନସଂଖ୍ୟା ଠାରୁ ନିଜକୁ ରକ୍ଷା କରିବା ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି । ଅନୁପ୍ରବେଶକାରୀଙ୍କ ଦ୍ୱାରା ସରକାରୀ ଜମି ଉପରେ ବ୍ୟାପକ ଜବର ଦଖଲ, ଯେଉଁଥିପାଇଁ ଆସାମର ମୂଳନିବାସୀମାନେ ଅସ୍ତବ୍ୟସ୍ତ। ଅନୁପ୍ରବେଶକାରୀଙ୍କୁ ବିତାଡ଼ିତ କରିବା, ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନସ୍ (ଏନଆରସି) ଏବଂ ଭୂମି ସଂସ୍କାର ଭଳି ପ୍ରସଙ୍ଗ ଏହି ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି। ବିଜେପି ଏବଂ ଆରଏସଏସକୁ ବିଷାକ୍ତ ସାପ ବୋଲି କହିବା ସହିତ ମୁସଲମାନମାନଙ୍କୁ ଖୁସି କରିବା ପାଇଁ କୁରାନ ଏବଂ ନମାଜ କରିବା ରାଜନୈତିକ ମାନଦଣ୍ଡରେ ବ୍ୟାପକ ହ୍ରାସକୁ ପ୍ରତିଫଳିତ କରେ। କଂଗ୍ରେସ ଅଧ୍ୟକ୍ଷଙ୍କ ଏହି ଆରଏସଏସ ବିରୋଧରେ ଏହି ବୟାନ ନୂଆ ନୁହେଁ । ୩୧ ଅକ୍ଟୋବର ୨୦୨୫ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀ ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ କହିଥିଲେ ଯେ ଆରଏସଏସକୁ ପୁଣି ଥରେ ନିଷିଦ୍ଧ କରାଯିବା ଉଚିତ। ଏହି ସଂଗଠନ ଦେଶରେ ଆଇନ ଶୃଙ୍ଖଳା ସମସ୍ୟା ପାଇଁ ଦାୟୀ। ଯଦିଓ ସେ ଏହାକୁ ଏକ ବ୍ୟକ୍ତିଗତ ମତ ବୋଲି ବର୍ଣ୍ଣନା କରିଥିଲେ ତଥାପି ଖଡଗେଙ୍କ ଏହି ବୟାନ ରାଜନୈତିକ ହଇଚଇ ସୃଷ୍ଟି କରିଥିଲା।
ଆରଏସଏସ ହେଉଛି ବିଶ୍ୱର ସର୍ବବୃହତ ସ୍ୱେଚ୍ଛାସେବୀ ସଂଗଠନ। ୧୦୦ ବର୍ଷର ଇତିହାସ ସହିତ ଏହି ସଂଗଠନ ଦେଶକୁ ଦୁଇଜଣ ସଫଳ ପ୍ରଧାନମନ୍ତ୍ରୀ ଦେଇଛି: ଜଣେ ହେଲେ ଅଟଳ ବିହାରୀ ବାଜପେୟୀ ଏବଂ ଆଉଜଣେ ନରେନ୍ଦ୍ର ମୋଦି । ସମାଜକୁ ସଠିକ ଦିଗରେ ମାର୍ଗଦର୍ଶନ କରୁଥିବା ଏହି ସଂଗଠନକୁ ଜନସାଧାରଣ ଉଚ୍ଚ ସ୍ଥାନରେ ଅଧିଷ୍ଠିତ କରାଇଛନ୍ତି । ଖଡଗେ ହୁଅନ୍ତୁ ବା ଆଉ ଯେକୌଣସି ବିରୋଧୀ ବ୍ୟକ୍ତି ହୁଅନ୍ତୁ ସେମାନେ ଆରଏସଏସ ବିରୋଧରେ ଯେତେ ଯାହା କହିଲେ ବି ସାଧରଣ ଜନତାଙ୍କ ଉପରେ କିଛି ଫରକ ପଡିବ ନାହିଁ । ସଂଘ କଣ ସାରା ବିଶ୍ୱ ଜାଣିଛି ।
ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ ଏବଂ ଏହାର ସଭାପତି ଜାଣି ନାହାଁନ୍ତି ଯେ ସେମାନେ ଯେଉଁ ପଦବୀରେ ଅଛନ୍ତି, ସେମାନଙ୍କର କଥା ଏବଂ ଆଚରଣ ଦେଶର ଲୋକଙ୍କୁ ମାର୍ଗଦର୍ଶନ କରେ। ଏବେ ପ୍ରଶ୍ନ ଉଠୁଛି ଖଡଗେ ଏପରି ବୟାନ ଦେଇ ଦେଶକୁ କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଏହି କାରଣରୁ ବିଜେପି ଆସାମ ନିର୍ବାଚନରେ ବିଜୟ ହେବା ପାଇଁ ଚ୍ୟାଲେଞ୍ଜ ମଧ୍ୟ କରିଛି। ଭାରତର ଗୃହମନ୍ତ୍ରୀ ଅମିତ ଶାହ ଖଡଗେଙ୍କ ବୟାନ ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ଖଡଗେଙ୍କ ବିଜେପି-ଆରଏସଏସ ବିରୁଦ୍ଧରେ ଏପରି ବୟାନ ଦେବାର କାରଣ ହେଉଛି ସେ ନିର୍ବାଚନ ହାରିବାର ଭୟ କରୁଛନ୍ତି।
ଏହା ପୂର୍ବରୁ କେରଳର ଇଡୁକିରେ ଏକ ନିର୍ବାଚନ ଶୋଭାଯାତ୍ରାରେ ସେ ଗୁଜରାଟୀ ଏବଂ ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକର ଲୋକଙ୍କୁ ନିଚ୍ଚା ଦେଖାଇବାକୁ ଚେଷ୍ଟା କରିଥିଲେ। ସେ କହିଥିଲେ ଯେ ମୋଦୀ ଗୁଜରାଟ ଏବଂ ଅନ୍ୟାନ୍ୟ ଅଞ୍ଚଳର ଲୋକଙ୍କୁ ଅଜ୍ଞାନି କରିପାରିବେ କାରଣ ସେମାନେ ଅପାଠୁଆ, କିନ୍ତୁ କେରଳର ଲୋକମାନେ ଶିକ୍ଷିତ ଏବଂ ବୁଦ୍ଧିମାନ; ସେମାନଙ୍କୁ ମୂର୍ଖ କରିପାରିବେ ନାହିଁ। ସେ କହିଥିଲେ “କେରଳର ଲୋକମାନେ ବହୁତ ବୁଦ୍ଧିମାନ। ସେମାନେ ବହୁତ ଶିକ୍ଷିତ। ମୋଦିଜୀ ଆପଣ ଗୁଜରାଟ ଏବଂ ଅନ୍ୟାନ୍ୟ ସ୍ଥାନର ନିରକ୍ଷର ଲୋକଙ୍କୁ ଭୁତାଇ ପାରିବେ, କିନ୍ତୁ ଆପଣ କେରଳର ଲୋକମାନଙ୍କୁ ଭୁତାଇ ପାରିବେ ନାହିଁ।
ଏବେ ପ୍ରଶ୍ନ ଉଠୁଛି କେରଳ ନିର୍ବାଚନ ସମୟରେ ଗୁଜରାଟ ଏବଂ ଅନ୍ୟ ରାଜ୍ୟର ଲୋକଙ୍କୁ “ମୂର୍ଖ’ ଏବଂ “ନିରକ୍ଷର’ କହି ସେମାନଙ୍କ ମଧ୍ୟରେ ଘୃଣା ସୃଷ୍ଟି କରୁନାହିଁ କି? ଏହା କ’ଣ ଗୋଟିଏ ରାଜ୍ୟକୁ ଅନ୍ୟ ରାଜ୍ୟ ଉପରେ ନିନ୍ଦିତ କରିବାର ପ୍ରୟାସ ନୁହେଁ କି? ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କଂଗ୍ରେସ ଗୁଜରାଟରେ କ୍ଷମତାକୁ ଫେରିନାହିଁ, ତେଣୁ ଏବେ କଂଗ୍ରେସ ଅଧ୍ୟକ୍ଷ ଲୋକଙ୍କୁ “ମୂର୍ଖ’ ବୋଲି ବିଚାର କରିବା ଆରମ୍ଭ କରିଛନ୍ତି। ହିନ୍ଦୀ ଭାଷାଭାଷୀ ରାଜ୍ୟଗୁଡ଼ିକରେ ମଧ୍ୟ ଦଳ ଖରାପ ଅବସ୍ଥାରେ ଅଛି। କ୍ଷମତାରୁ ବାହାର ହେବା ପରେ ଲୋକଙ୍କୁ “ଅପାଠୁଆ’ କହିବା କେବଳ ରାଜ୍ୟ ପାଇଁ ନୁହେଁ ବରଂ ଦେଶ ପାଇଁ ଅପମାନ।
ମୁହଁ ଇସ୍ପାତ,ପଛ ସନିପାତ ଭଳି ସେ ସୋସିଆଲ ମିଡିଆରେ ଏଥିପାଇଁ କ୍ଷମା ମାଗିଥିଲେ ଏବଂ କହିଥିଲେ ଯେ ତାଙ୍କର ଗୁଜରାଟୀମାନଙ୍କ ପ୍ରତି ବହୁତ ସମ୍ମାନ ଅଛି । ସେ ରାଲିରେ ଏପରି ମନ୍ତବ୍ୟ ଦେଇ ଜନସାଧାରଣଙ୍କୁ ଆଘାତ ଦେଇଥିଲେ କିନ୍ତୁ ଏବେ ସେ ଗୁପ୍ତ ଭାବରେ ଦୁଃଖ ପ୍ରକାଶ କରି ମଲମ ଲଗାଇ ପରିସ୍ଥିତିକୁ ସୁସ୍ଥ କରିବାକୁ ଆଶା କରୁଛନ୍ତି।
ମଲ୍ଲିକାର୍ଜୁନ ଖଡଗେ ପୂର୍ବରୁ ‘ବିଷାକ୍ତ ସାପ’ ଶବ୍ଦ ବ୍ୟବହାର କରିଥିଲେ। ଏହା ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ଥିଲା। ଏକ ନିର୍ବାଚନ ରାଲି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ବିଷାକ୍ତ ସାପ’ ସହିତ ତୁଳନା କରିଥିଲେ। ସେ କହିଥିଲେ, “ମୋଦୀ ଏକ ବିଷାକ୍ତ ସାପ ପରି। ତୁମେ ଏହାକୁ ବିଷାକ୍ତ ମନେ କର କି ନାହିଁ, ଯଦି ତୁମେ ଏହାକୁ ବ୍ୟବହାର କରିବ ନିଶ୍ଚୟ ମରିଯିବ… ତୁମେ କଳ୍ପନା କରିପାରିବ ଯେ ଏହି ବିଷ ଭଲ କି ମନ୍ଦ’ । ଏହି ମନ୍ତବ୍ୟ ପାଇଁ ଖଡଗେଙ୍କ ବିରୋଧରେ କୋର୍ଟରେ ଅଭିଯୋଗ ପତ୍ର ଦାୟର କରାଯାଇଥିଲା।
କଂଗ୍ରେସ ଅଧ୍ୟକ୍ଷ ଖଡଗେ କେବଳ ମୁସଲମାନ-ତୁଷ୍ଟିକରଣର ବୟାନ ଦିଅନ୍ତି ନାହିଁ ବରଂ ସନାତନ ଧର୍ମକୁ ଅପମାନ କରିବାର ସୁଯୋଗକୁ ମଧ୍ୟ ହାତଛଡ଼ା କରନ୍ତି ନାହିଁ। ପ୍ରୟାଗରାଜ ମହାକୁମ୍ଭ ୨୦୨୫ ସମୟରେ ଯେତେବେଳେ ଲକ୍ଷ ଲକ୍ଷ ଭକ୍ତ ତ୍ରିବେଦୀ କୂଳରେ ପବିତ୍ର ବୁଡ଼ ପକାଇବା ପାଇଁ ଏକାଠି ହୋଇଥିଲେ ,ସେତେବେଳେ ଖଡଗେ କହିଥିଲେ ଯେ ପବିତ୍ର ବୁଡ଼ ପକାଇବା ଦ୍ୱାରା ଦାରିଦ୍ର‌୍ୟ ଦୂର ହେବ ନାହିଁ କିମ୍ବା କାହାର ପେଟ ପୂରଣ ହେବ ନାହିଁ।
ମଧ୍ୟପ୍ରଦେଶର ମହୁରେ ଏକ ରାଲି ସମୟରେ ସେ ଗଙ୍ଗାରେ ସ୍ନାନକୁ ଜୀବିକା ନିର୍ବାହ ସହିତ ଯୋଡ଼ିଥିଲେ ଏବଂ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ। ଏହା କଣ ଦେଶ ସାରାରୁ ବୁଡ ପକାଇବାକୁ ଆସିଥିବା ଲକ୍ଷ ଲକ୍ଷ ଲୋକଙ୍କ ପ୍ରତି ଅପମାନ ନୁହେଁ, ବରଂ ସନାତନ ଧର୍ମ ପ୍ରତି ମଧ୍ୟ ଅପମାନ ଥିଲା। ଏବେ ପ୍ରଶ୍ନ ହେଉଛି ଖଡଗେ ଅନ୍ୟ କୌଣସି ଧର୍ମର ପରମ୍ପରା ବିଷୟରେ ଏପରି ବୟାନ ଦେଇପାରିବେ କି? କେବଳ ଏତିକି ନୁହେଁ ସେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଶାହଙ୍କ ବିଷୟରେ କହିଥିଲେ ଯେ ସେମାନେ ଏତେ ପାପ କରିଛନ୍ତି ଯେ ବୁଡ଼ ପକାଇବା ଦ୍ୱାରା ମଧ୍ୟ ସେମାନଙ୍କୁ ସ୍ୱର୍ଗ ମିଳିପାରିବ ନାହିଁ। ତେଣୁ କୌଣସି କଂଗ୍ରେସ ନେତା ମହାକୁମ୍ଭରେ ବୁଡ଼ ପକାଇବାକୁ ଯାଇ ନଥିଲେ।
୬୦ ବର୍ଷ ଶାସନ କରିବା ସତ୍ତ୍ୱେ ଜନସାଧାରଣ ଲଗାତାର ତିନୋଟି ଲୋକସଭା ନିର୍ବାଚନ ଏବଂ ଅନେକ ରାଜ୍ୟ ନିର୍ବାଚନରେ କଂଗ୍ରେସକୁ ପରାଜୟର ସ୍ୱାଦ ଚଖାଇଛନ୍ତି । କ୍ଷମତାରୁ ବାହାର ରହିବା ପରେ କଂଗ୍ରେସ ଓ ଖଡଗେ ଏତେ ଦୁଃଖିତ ଯେ ସେ ଏବେ ଜନସାଧାରଣଙ୍କୁ ମୂର୍ଖ ଏବଂ ଅପାଠୁଆ ବୋଲି ଭାବୁଛନ୍ତି।
କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ ସବୁବେଳେ ନିର୍ବାଚନରେ ବିଜେପିକୁ ଲାଭ ଦେଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ସୋନିଆ ଗାନ୍ଧୀଙ୍କ “ମୃତ୍ୟୁର ସୌଦାଗର’ ମନ୍ତବ୍ୟ ହେଉ କିମ୍ବା ବିହାର ନିର୍ବାଚନ ସମୟରେ ରାହୁଲ ଗାନ୍ଧୀଙ୍କ “ନର୍ତକୀ’ ବୟାନ, ଏବେ କଂଗ୍ରେସ ଅଧ୍ୟକ୍ଷ ଖଡଗେଙ୍କ ବୟାନ, କେରଳରୁ ଆସାମ ପର୍ଯ୍ୟନ୍ତ ବିଜେପି-ଆରଏସଏସ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଏବଂ ମୁସଲିମ ତୁଷ୍ଟିକରଣ ବିଷୟରେ ବୟାନ କଂଗ୍ରେସକୁ ପରାଜୟ ଆଡକୁ ଟାଣି ନେଇଛି ଓ ବିଜେପିକୁ ଫାଇଦା ମିଳିଛି। କଂଗ୍ରେସ ନାତାଙ୍କ ବୟାନ ବିଭାଜନକାରୀ, ଶତ୍ରୁତାପୂର୍ଣ୍ଣ ଏବଂ ଘୃଣାରେ ପରିପୂର୍ଣ୍ଣ । କଂଗ୍ରେସ ଉପରେ ଦୁର୍ନୀତି, ବଂଶବାଦ ରାଜନୀତି ଏବଂ ପରିବାରବାଦ ଠାରୁ ଆରମ୍ଭ କରି ଦେଶର ବିଭାଜନ ପର୍ଯ୍ୟନ୍ତ ସବୁକିଛି ଅଭିଯୋଗ ଆସିଛି। ଏପରି ପରିସ୍ଥିତିରେ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀ ଦଳ ବିରୁଦ୍ଧରେ କଂଗ୍ରେସ ନିମ୍ନ ସ୍ତରର ଶବ୍ଦର ଅପବ୍ୟବହାର ସେମାନଙ୍କର ରାଜନୈତିକ ଦେବାଳିଆତାକୁ ଦର୍ଶାଉଛି। ଇତିହାସ ସାକ୍ଷୀ ଅଛି ଯେ ଯେତେବେଳେ କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ମୋଦୀ, ବିଜେପି କିମ୍ବା ଆରଏସଏସ ବିଷୟରେ ଆପତ୍ତିଜନକ ବୟାନ ଦେଇଛି, ସେତେବେଳେ ସେମାନଙ୍କର ଶୋଚନୀୟ ପରାଜୟ ହୋଇଛି ।

Leave a Reply

Your email address will not be published. Required fields are marked *