ନା ପଦବୀ , ନା ପ୍ରସିଦ୍ଧି , କେବଳ ରାଷ୍ଟ୍ର ପ୍ରତି ନିଷ୍ଠା : ପ୍ୟାରେଲାଲ ନୟରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି
ଭାରତର ସ୍ୱାଧୀନତା ସଂଗ୍ରାମରେ ଏପରି ଅନେକ ନାମ ରହିଛି , ଯେଉଁମାନେ ପ୍ରସିଦ୍ଧିକୁ ପରିତ୍ୟାଗ କରିଥିଲେ, କିନ୍ତୁ ଯାହାଙ୍କ ନିଷ୍ଠା ରାଷ୍ଟ୍ରର ଆତ୍ମାକୁ ଗଢି ଥିଲା। ପ୍ୟାରେଲାଲ ନୟର ସେହି ବିରଳ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଥିଲେ; ଜଣେ ପ୍ରକୃତ ଦେଶଭକ୍ତ ଯିଏ ସେବା, ସରଳତା ଏବଂ ଅଖଣ୍ଡତାକୁ ନିଜର ଜୀବନବ୍ୟାପୀ ଧର୍ମ ଭାବରେ ଗ୍ରହଣ କରିଥିଲେ।
୧୮୯୯ ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ପ୍ୟାରେଲାଲଙ୍କ ପରିବାରିକ ସମ୍ବନ୍ଧ ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶ (ବର୍ତ୍ତମାନ ପାକିସ୍ତାନ)ସହିତ ଥିଲା । ସେଠାରେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ସମ୍ପୂର୍ଣ୍ଣ ହୋଇଥିଲା ଏବଂ ଅଧିକ ଅଧ୍ୟୟନ ପାଇଁ ଲାହୋରର ସରକାରୀ କଲେଜରେ ପହଞ୍ଚିଥିଲେ। ଏହି ପ୍ରତିଭାଶାଳୀ ଏବଂ ବିଚାରଶୀଳ ଯୁବକଙ୍କ ଜୀବନରେ ସେତେବଳେ ଏକ ନିର୍ଣ୍ଣାୟକ ମୋଡ଼ ଆସିଥିଲା ଯେତେବେଳେ ୧୯୨୦ ମସିହାରେ ଅସହଯୋଗ ଆନ୍ଦୋଳନ ଘୋଷଣା କରାଯାଇଥିଲା। ଇଂରାଜୀରେ ତାଙ୍କର ଏମ୍.ଏ. ର ଅନ୍ତିମ ପରୀକ୍ଷା ପାଇଁ ମାତ୍ର ଛଅ ମାସ ବାକି ଥିବା ବେଳେ, ପ୍ୟାରେଲାଲ ତାଙ୍କ ପାଠପଢ଼ାକୁ ଅସମ୍ପୂର୍ଣ୍ଣ ଛାଡି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ତାଙ୍କ ପାଇଁ, ଦେଶର ସ୍ୱାଧୀନତା ଏକ ଡିଗ୍ରୀ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା, ଏବଂ ଏହି ନିଷ୍ପତ୍ତି ତାଙ୍କୁ ଇତିହାସରେ ଜଣେ ପ୍ରକୃତ କ୍ରାନ୍ତିକାରୀ ଭାବରେ ଗଢିତୋଳିଲା ।
ଅସହଯୋଗ ଆନ୍ଦୋଳନରୁ ଲବଣ ସତ୍ୟାଗ୍ରହ ପର୍ଯ୍ୟନ୍ତ, ପ୍ୟାରେଲାଲ ନୟର୍ ଅନେକ ଆନ୍ଦୋଳନରେ ସକ୍ରିୟ ଥିଲେ। ତାଙ୍କୁ ଅନେକ ଥର ଜେଲ ମଧ୍ୟ ପଠାଯାଇଥିଲା, କିନ୍ତୁ ସେ କେବେବି ତାଙ୍କ ଉଦ୍ଦେଶ୍ୟ ସହିତ ବୁଝାମଣା କରିନଥିଲେ। ସେ କେବଳ ଗାନ୍ଧୀଜୀଙ୍କ କାର୍ଯ୍ୟକୁ ସମର୍ଥନ କରିନଥିଲେ ବରଂ ତାଙ୍କର ଅନେକ ଅଭିଯାନରେ ମଧ୍ୟ ଅଂଶଗ୍ରହଣ କରିଥିଲେ। 1930 ମସିହାରେ, ସେ ଲଣ୍ଡନରେ ଅନୁଷ୍ଠିତ ଗୋଲଟେବୁଲ ସମ୍ମିଳନୀରେ ଗାନ୍ଧୀଜୀଙ୍କ ସହିତ ଯାଇଥିଲେ। କିନ୍ତୁ ତାଙ୍କର ଅବଦାନ କେବଳ ସହାୟକ ଭାବରେ ନୁହେଁ, ବରଂ ଜଣେ ସ୍ୱତନ୍ତ୍ର ବିଚାରକ ଏବଂ କର୍ମଯୋଗୀ ବ୍ୟକ୍ତି ଭାବରେ ମଧ୍ୟ ଥିଲା।
ବିଭାଜନ ପରେ, ଯେତେବେଳେ ଦେଶ ହିଂସା ଦ୍ୱାରା ଆକ୍ରାନ୍ତ ହୋଇଥିଲା, ପ୍ୟାରେଲାଲ ନୟର୍ ନୋଆଖାଲି ଏବଂ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳରେ ରିଲିଫ୍ କାର୍ଯ୍ୟର ଦାୟିତ୍ୱ ନେଇଥିଲେ। ସେ ଭୟ ଏବଂ ଅରାଜକତା ମଧ୍ୟରେ ଶାନ୍ତି ଏବଂ କରୁଣାର ବାର୍ତ୍ତା ପ୍ରସାର କରିଥିଲେ। ତାଙ୍କ ପାଇଁ, ରାଷ୍ଟ୍ର ସେବା କେବଳ ରାଜନୀତି ନୁହେଁ, ବରଂ ମାନବତା ଥିଲା।
ଲେଖନ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଉଲ୍ଲେଖନୀୟ ରହିଛି। ସେ ଗାନ୍ଧୀଜୀଙ୍କ ବିଚାର ଏବଂ ଅନୁଭବଗୁଡ଼ିକୁ କ୍ରମବଦ୍ଧ ଭାବେ ସଂଗ୍ରହ କରି ଆଗାମୀ ପିଢ଼ି ପାଇଁ ଅମୂଲ୍ୟ ଦଳିଲ ରଖିଗଲେ।। ତାଙ୍କ କୃତି: The Epic Fast, A Pilgrimage of Peace, A Nation Builder at Work, Mahatma Gandhi: The Early Phase, ଏବଂ Mahatma Gandhi: The Last Phase, କେବଳ ଇତିହାସ ନୁହେଁ ବରଂ ଏକ ଯୁଗର ଆତ୍ମକଥା ଅଟେ । ସେ ‘ହରିଜନ’ ଖବରକାଗଜର ସମ୍ପାଦକ ଥିଲେ ଏବଂ ସାମାଜିକ ସୁଧାରର ଗାନ୍ଧୀବାଦୀ ଦୃଷ୍ଟିକୋଣକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ପ୍ୟାରେଲାଲ ନୟର୍ କେବେବି କୌଣସି ସଂଗଠନ କିମ୍ବା ସରକାରରେ କୌଣସି ପଦବୀରେ ରହି ନଥିଲେ। ତାଙ୍କ ପାଇଁ କର୍ମ ହିଁ ପୂଜା ଥିଲା। ତାଙ୍କ ଜୀବନ ଶିକ୍ଷା ଦିଏ ଯେ ପ୍ରକୃତ ଦେଶଭକ୍ତି ଭାଷଣ କିମ୍ବା ନାରା ରେ ନୁହେଁ, ବରଂ ନିଃସ୍ୱାର୍ଥପର ସେବା ଏବଂ ଏକ ଅନୁଶାସିତ ଜୀବନରେ ରହିଛି।
୧୯୮୨ ମସିହାରେ ତାଙ୍କ ଦେହାନ୍ତ ସହିତ, ଏକ ଯୁଗର ନୀରବ ସାକ୍ଷୀ ବିଦାୟ ନେଇଗଲେ, କିନ୍ତୁ ତାଙ୍କ ବିଚାରଧାରା ଆମକୁ ମନେ ପକାଇ ଦେଉଛି ଯେ ରାଷ୍ଟ୍ର ନିର୍ମାଣ ପ୍ରସିଦ୍ଧି ଦ୍ୱାରା ନୁହେଁ ବରଂ ପ୍ରତିବଦ୍ଧତା ଦ୍ୱାରା ସମ୍ପନ୍ନ ହୁଏ।