ସମାଜର ସହଯୋଗରେ ସହଜ ହେଲା ସଂଘ ଶତାବ୍ଦୀର ଯାତ୍ରା
– ଦତ୍ତାତ୍ରେୟ ହୋସବାଲେ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକୁ ଏବେ ୧୦୦ ବର୍ଷ ପୂର୍ଣ୍ଣ ହେଉଛି । ଏହି ୧୦୦ ବର୍ଷର ଯାତ୍ରାରେ ଅଗଣିତ ଲୋକଙ୍କର ସହଯୋଗ ଓ ସହଭାଗିତା ରହିଛି । ଯଦିଓ ଏହି ଯାତ୍ରା କଷ୍ଟସାଧ୍ୟ ଏବଂ ସଙ୍କଟପୂର୍ଣ୍ଣ ଥିଲା, ତଥାପି ଜନସାଧାରଣଙ୍କ ସମର୍ଥନରେ ଏହି ଯାତ୍ରା ସୁଖପ୍ରଦ ହୋଇଥିଲା ।
ପ୍ରାରମ୍ଭକାଳରେ ସମଗ୍ର ଦେଶରୁ ଯୁବ କାର୍ଯ୍ୟକର୍ତ୍ତାମାନେ ଦେଶ ପ୍ରେମରେ ଓତପ୍ରୋତ ହୋଇ ଜଣେ ଜଣେ ଯୋଦ୍ଧାଭଳି ସଂଘକାର୍ଯ୍ୟ ନିମିତ୍ତ ବାହାରିଥିଲେ । ଆପ୍ପାଜୀ ଯୋଶୀଙ୍କ ଭଳି ଗୃହସ୍ଥ କାର୍ଯ୍ୟକର୍ତ୍ତା ହୁଅନ୍ତୁ ଅଥବା ଦାଦାରାଓ ପରମାର୍ଥ, ବାଲାସାହେବ ଓ ଭାଉରାଓ ଦେଓରସ ଦୁଇଭାଇ, ଯାଦବରାଓ ଯୋଶୀ, ଏକନାଥ ରାନାଡେ ହୁଅନ୍ତୁ, ଡକ୍ଟରଜୀଙ୍କର ସାନିଧ୍ୟରେ ଆସି ସଂଘକାର୍ଯ୍ୟକୁ ରାଷ୍ଟ୍ରସେବାର ଜୀବନବ୍ରତ ବୋଲି ସ୍ୱୀକାର କରି ଆଜୀବନ କାର୍ଯ୍ୟକରି ଚାଲିଥିଲେ ।
ସଂଘର କାର୍ଯ୍ୟ ସମାଜ ସମର୍ଥନରେ ଆଗକୁ ଆଗକୁ ବଢି ଚାଲିଲା । ସଂଘକାର୍ଯ୍ୟ ସାମାନ୍ୟ ମଣିଷର ଭାବନା ଅନୁରୂପ ହୋଇଥିବା କାରଣରୁ ଧିରେ ଧିରେ ସମାଜରେ ଏହି କାର୍ଯ୍ୟର ସ୍ୱୀକାର୍ଯ୍ୟତା ବଢ଼ିଚାଲିଲା । ସ୍ୱାମୀ ବିବେକାନନ୍ଦଙ୍କୁ ଥରେ କେହି ଜଣେ ତାଙ୍କର ବିଦେଶ ଗସ୍ତ ସମୟରେ ପଚାରିଥିଲେ, ଆପଣଙ୍କ ଦେଶରେ ତ ବହୁତ ଲୋକ ଅପାଠୁଆ, ଇଂରାଜୀ ମଧ୍ୟ ଜାଣନ୍ତି ନାହିଁ, ତେବେ ଆପଣ କହୁଥିବା ଉଚ୍ଚ ଆଦର୍ଶ କଥା ଭାରତର ଲୋକଙ୍କ ପାଖରେ ପହଞ୍ôଚବ କେମିତି? ବିବେକାନନ୍ଦ କହିଥିଲେ, ଯେମିତି ପିମ୍ପୁଡିମାନଙ୍କୁ ମିଠା ଥିବା ସ୍ଥାନ ଖୋଜି ପାଇବା ପାଇଁ ଇଂରାଜୀ ଶିଖିବାର ଆବଶ୍ୟକତା ନଥାଏ, ସେହିଭଳି ମୋ ଭାରତର ଲୋକମାନେ ନିଜର ଆଧ୍ୟାତ୍ମିକ ଜ୍ଞାନ କାରଣରୁ କୌଣସି ସ୍ଥାନରେ ଚାଲୁଥିବା ସାତ୍ତ୍ୱିକ କାର୍ଯ୍ୟକୁ ଖୁବ ଶୀଘ୍ର ବୁଝିଯାଆନ୍ତି ଏବଂ ସେଠାରେ ଚୁପ ଚାପ ପହଞ୍ôଚଯାଆନ୍ତି । ଏହି କାରଣରୁ ସେମାନେ ମୋ ବାର୍ତ୍ତା ବୁଝିଯିବେ । ଏହିକଥା ସତ୍ୟ ପ୍ରମାଣିତ ହୋଇଥିଲା । ସେହିଭଳି ଭାବରେ ସଂଘର ଏହି ସାତ୍ତ୍ୱିକ କାର୍ଯ୍ୟ ମନ୍ଥର ହେଲେ ମଧ୍ୟ ସାମାନ୍ୟ ଲୋକଙ୍କର ସ୍ୱୀକାର୍ଯ୍ୟତା ଓ ସମର୍ଥନ ନିରନ୍ତର ଭାବରେ ମିଳୁଛି ।
ସଂଘକାର୍ଯ୍ୟ ପ୍ରାରମ୍ଭ ସମୟରେ ନୂଆ ନୂଆ ସଂପର୍କରେ ଆସିଥିବା ସାଧାରଣ ପରିବାରମାନଙ୍କ ଦ୍ୱାରା ସଂଘ କାର୍ଯ୍ୟକର୍ତ୍ତାମାନଙ୍କୁ ଆଶୀର୍ବାଦ ଓ ଆଶ୍ରୟ ପ୍ରାପ୍ତ ହେଉଥିଲା । ସ୍ୱୟଂସେବକମାନଙ୍କ ପରିବାର ସଂଘକାର୍ଯ୍ୟ ସଞ୍ଚାଳନର କେନ୍ଦ୍ର ରହିଥିଲା । ସମସ୍ତ ମା-ଭଉଣୀମାନଙ୍କ ସହଯୋଗରେ ସଂଘକାର୍ଯ୍ୟକୁ ପୂର୍ଣ୍ଣତାପ୍ରାପ୍ତ ହେଉଥିଲା । ଦତ୍ତୋପନ୍ତ ଠେଙ୍ଗଡୀ, ଯଶବନ୍ତ କେଲକର, ବାଲାସାହେବ ଦେଶପାଣ୍ଡେ, ଏକନାଥ ରାନାଡେ, ଦୀନଦୟାଲ ଉପାଧ୍ୟାୟ ତଥା ଦାଦାସାହେବ ଆପ୍ତେଙ୍କ ଭଳି ବ୍ୟକ୍ତିସମୂହ ସଂଘ ପ୍ରେରଣାରେ ସମାଜ ଜୀବନର ବିବିଧ କ୍ଷେତ୍ରରେ ସଂଗଠନ ଛିଡା କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ବର୍ତ୍ତମାନ ସମୟରେ ଏହି ସବୁ ସଙ୍ଗଠନ ବ୍ୟାପକରୂପେ ବିସ୍ତାର ଲାଭ କରିବା ସହିତ ସେହି କ୍ଷେତ୍ର ଗୁଡିକର ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସକ୍ରିୟ ଭୂମିକା ନିର୍ବାହ କରୁଛନ୍ତି । ରାଷ୍ଟ୍ରସେବିକା ସମିତି ମାଧ୍ୟମରେ ସମାଜର ଭଉଣୀମାନଙ୍କୁ ମଧ୍ୟ ରାଷ୍ଟ୍ରକାର୍ଯ୍ୟ କରିବା ନିମନ୍ତେ ମୌସିଜୀ ଲକ୍ଷ୍ମୀବାଇ କେଲକରଙ୍କ ଠାରୁ ଆରମ୍ଭ କରି ପ୍ରମିଳାତାଇ ମେଢେଙ୍କ ଭଳି ମାତୃସମା ମହିୟସୀ ମହିଳାଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ।
ସଂଘଦ୍ୱାରା ସମୟ ସମୟରେ ରାଷ୍ଟ୍ରହିତ ଉଦ୍ଦେଶ୍ୟରେ କିଛି କିଛି ବିଷୟ ଉତ୍ଥାପନ କରାଯାଉଥିଲା । ସେସବୁକୁ ସମାଜର ବିଭିନ୍ନ ଲୋକଙ୍କର ସମର୍ଥନ କରୁଥିଲେ, ଯେଉଁଥିରେ ଅନେକ ସମୟରେ ସାର୍ବଜନୀନ ଭାବରେ ବିରୋଧୀ ବ୍ୟକ୍ତି ମଧ୍ୟ ସାମିଲ ହେଉଥିଲେ । ହିନ୍ଦୁହିତ ଜଡ଼ିତ ପ୍ରସଙ୍ଗରେ ସମସ୍ତଙ୍କ ସହଯୋଗ ପ୍ରାପ୍ତ ହେଉ ଏହା ମଧ୍ୟ ସଂଘର ପ୍ରୟାସ ଥିଲା । ରାଷ୍ଟ୍ରର ଏକାତ୍ମତା, ସୁରକ୍ଷା, ସୌହାର୍ଦ୍ଦ୍ୟ, ଗଣତନ୍ତ୍ର ଏବଂ ଧର୍ମ ସଂସ୍କୃତିର ରକ୍ଷା ପାଇଁ ବହୁ ସ୍ୱୟଂସେବକ ଅବର୍ଣ୍ଣନୀୟ ଯନ୍ତ୍ରଣାର ସମ୍ମୁଖୀନ ହୋଇଛନ୍ତି ଏବଂ ଶହଶହ ବଳିଦାନ ମଧ୍ୟ ହୋଇଛନ୍ତି । ଏସବୁ କାର୍ଯ୍ୟରେ ସଂଘ ପ୍ରତି ସମାଜର ସମର୍ଥନ ସର୍ବଦା ରହିଛି ।
୧୯୮୧ ମସିହାରେ ତାମିଲନାଡୁର ମୀନାକ୍ଷୀପୁରମରେ କିଛି ହିନ୍ଦୁମାନଙ୍କୁ ଭ୍ରମିତ କରି ମତାନ୍ତରଣ କରାଗଲା । ଏହି ମହତ୍ତ୍ୱପୂର୍ଣ୍ଣ ବିଷୟକୁ ନେଇ ହିନ୍ଦୁ ଜାଗରଣ ନିମନ୍ତେ ଆୟୋଜିତ ହୋଇଥିବା ସମ୍ମିଳନୀରେ ପ୍ରାୟ ପାଞ୍ଚଲକ୍ଷ ଲୋକଙ୍କ ଉପସ୍ଥିତିରେ ତତ୍କାଳୀନ କଂଗ୍ରେସର ବରିଷ୍ଠ ନେତା ଡ. କରଣ ସିଂହ ଅଧ୍ୟକ୍ଷତା କରିଥିଲେ । ୧୯୬୪ରେ ବିଶ୍ୱହିନ୍ଦୁ ପରିଷଦର ପ୍ରତିଷ୍ଠା ସମୟରେ ପ୍ରସିଦ୍ଧ ସନ୍ୟାସୀ ସ୍ୱାମୀ ଚିନ୍ମୟାନନ୍ଦ, ମାଷ୍ଟର ତାରା ସିଂହ, ଜୈନମୁନି ସୁଶୀଲକୁମାରଜୀ, ବୌଦ୍ଧଭିକ୍ଷୁ କୁଶୋକ ବକୁଲା ଏବଂ ନାମଧାରୀ ଶିଖ୍ ସଦ୍ଗୁରୁ ଜଗଜିତ୍ ସିଂହ ଆଦି ଏହାର ପ୍ରମୁଖ ସହଭାଗୀ ଥିଲେ ।
ହିନ୍ଦୁ ଶାସ୍ତ୍ରରେ ଅସ୍ପୃଶ୍ୟତାର କୌଣସି ସ୍ଥାନ ନାହିଁ, ଏହାକୁ ପୁନଃସ୍ଥାପିତ କରିବା ପାଇଁ ଶ୍ରୀଗୁରୁଜୀ ଗୋଲୱାଲକରଙ୍କ ଉଦ୍ୟମରେ ପୂଜ୍ୟ ଧର୍ମାଚାର୍ଯ୍ୟମାନଙ୍କ ସହିତ ସମସ୍ତ ସନ୍ଥ, ମହନ୍ତମାନଙ୍କ ଆଶୀର୍ବାଦ ଓ ଉପସ୍ଥିତିରେ ଉଡ଼ୁପିରେ ଆୟୋଜିତ ହୋଇଥିବା ବିଶ୍ୱହିନ୍ଦୁ ସମ୍ମିଳନୀରେ ‘ହିନ୍ଦବଃ ସୋଦରା ସର୍ବେ’ ଅର୍ଥାତ ସମସ୍ତ ହିନ୍ଦୁ ଭାରତମାତାର ସନ୍ତାନ ବୋଲି ପ୍ରସ୍ତାବ ସ୍ୱୀକୃତ ହୋଇଥିଲା, ଯେଭଳି ପ୍ରୟାଗ ସମ୍ମିଳନୀରେ ‘ନ ହିନ୍ଦୁ ପତିତୋ ଭବେତ୍’ (କେହି ହିନ୍ଦୁ ପତିତ ନୁହନ୍ତି ) ବୋଲି ପ୍ରସ୍ତାବ ସ୍ୱୀକାର କରା ଯାଇଥିଲା । ଏ ସବୁ ବିଷୟ ହେଉ, ଅଥବା ଗୋହତ୍ୟା ବନ୍ଦ ବିଷୟ ହେଉ, କିମ୍ବା ରାମଜନ୍ମ ଭୂମି ଅଭିଯାନର ବିଷୟ ହେଉ, ସଦାସର୍ବଦା ସନ୍ଥମାନଙ୍କର ଆଶୀର୍ବାଦ ସ୍ୱୟଂସେବକମାନଙ୍କ ଉପରେ ରହିଆସିଛି ।
ସ୍ୱାଧୀନତା ପ୍ରାପ୍ତିର କିଛିଦିନ ପରେ ରାଜନୀତି କାରଣରୁ ସଂଘକାର୍ଯ୍ୟ ଉପରେ ତତ୍କାଳୀନ ସରକାର ଯେତେବେଳେ ଦୁଇ ଦୁଇ ଥର ପ୍ରତିବନ୍ଧ ଲଗାଇଲେ, ସେତେବେଳେ ସମାଜର ଜନସାଧାରଣଙ୍କ ସହିତ ଅତ୍ୟନ୍ତ ପ୍ରତିଷ୍ଠିତ ବ୍ୟକ୍ତିମାନେ ମଧ୍ୟ ବିପରୀତ ପରିସ୍ଥିତିରେ ସଂଘ ପକ୍ଷରେ ଛିଡାରହି ସମର୍ଥନ ଦେଇଥିଲେ । ଏହିକଥା ଜରୁରୀକାଳୀନ ପରିସ୍ଥିତିର ସଙ୍କଟ ସମୟରେ ମଧ୍ୟ ଅନୁଭବ ହୋଇଥିଲା । ଏହି କାରଣରୁ ଏତେ ବାଧାବିଘ୍ନ ସତ୍ତ୍ୱେ ସଂଘକାର୍ଯ୍ୟ ଅକ୍ଷୁର୍ଣ୍ଣ ଭାବେ ନିରନ୍ତର ଆଗକୁ ବଢିଚାଲିଛି । ଏସବୁ ପରିସ୍ଥିତିରେ ସଂଘକାର୍ଯ୍ୟକୁ ତଥା ସ୍ୱୟଂସେବକମାନଙ୍କୁ ସମ୍ଭାଳିବାର ଦାୟିତ୍ୱ ଆମ ମା’ଭଉଣୀମାନେ ବଡ କୁଶଳତା ପୂର୍ବକ ତୁଲାଇ ଥିଲେ । ଏହି ଉଦାହରଣଗୁଡିକ ସଂଘକାର୍ଯ୍ୟ ନିମିତ୍ତ ସର୍ବଦା ପ୍ରେରଣାର ସ୍ରୋତ ହୋଇ ରହିଛି ।
ଭବିଷ୍ୟତରେ ରାଷ୍ଟ୍ରସେବା ପାଇଁ ସମାଜର ସମସ୍ତ ଲୋକଙ୍କ ସହଯୋଗ ଓ ସହଭାଗିତା ଉଦ୍ଦେଶ୍ୟରେ ସଂଘର ସ୍ୱୟଂସେବକମାନେ ଶତାବ୍ଦୀ ବର୍ଷରେ ଦ୍ୱିତୀୟ ଥର ଲାଗି ଘରକୁ ଘର ଯାଇ ସମ୍ପର୍କ ଅଭିଯାନ କରିବେ । ସମଗ୍ର ଦେଶର ବଡ ବଡ ସହରଠାରୁ ଆରମ୍ଭ କରି ଦୂରବର୍ତ୍ତୀ ସମସ୍ତ ଗ୍ରାମ ପର୍ଯ୍ୟନ୍ତ ତଥା ସମାଜର ସବୁ ବର୍ଗର ଲୋକମାନଙ୍କ ପାଖରେ ପହଞ୍ôଚବା ଏହାର ପ୍ରମୁଖ ଲକ୍ଷ୍ୟ ରହିବ । ସମସ୍ତ ସଜ୍ଜନଶକ୍ତିର ସମନ୍ୱିତ ପ୍ରୟାସ ଦ୍ୱାରା ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶର ଆଗାମୀ ଯାତ୍ରା ନିଶ୍ଚୟ ସୁଗମ ଏବଂ ସଫଳ ହେବ ।
ସରକାର୍ଯ୍ୟବାହ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ